ବହି: ଇଣ୍ଡିଆନସ ଇନ୍ ଲଣ୍ଡନ ଫ୍ରମ ଦି ବାର୍ଥ ଅଫ ଦି ଇଷ୍ଟ ଇଣ୍ଡିଆ କମ୍ପାନୀ ଟୁ ଇଣ୍ଡିପେଣ୍ଡଣ୍ଟ ଇଣ୍ଡିଆ
ଲେଖକ: ଅରୁପ ଚାଟାର୍ଜୀ
ପ୍ରକାଶକ: ବ୍ଲୁମସ୍ ବେରୀ
ପୃଷ୍ଠା: ୫୭୦ । ମୂଲ୍ୟ: ୧୨୯୯ ଟଙ୍କା
ତିରିଶ ବର୍ଷ ତଳେ ବି ‘ବିଲାତ ଫେରନ୍ତା’ ସମାଜରେ ଗୋଟେ ବିଶେଷ ମାନ୍ୟତା ପାଉଥିଲେ । ବିଲାତ ବା ଲଣ୍ଡନ ଏମିତି ଏକ ଜାଗାର ମାନ୍ୟତା ପାଉଥିଲା ଯେଉଁଠି ଶିକ୍ଷା ସର୍ବୋତ୍ତମ । ଯେଉଁଠିକା ମାଟିରେ ସଂସ୍କୃତି ଭରି ରହିଛି ଏବଂ ଯେଉଁଠୁ ଥରେ ବୁଲି ଆସିଲେ ଲୋକର ଅବସ୍ଥାର ପରିବର୍ତ୍ତନ ହୋଇଯାଏ ।
ଏମିତି ଗୋଟେ ଧାରଣା ବହୁ ବର୍ଷ ଧରି ଥିଲା । ଏ ଧାରଣାର ପୃଷ୍ଠଭୁମି ହେଲା – ବହୁବର୍ଷଧରି ବ୍ରିଟେନ୍ ଭାରତକୁ ଶାସନ କରିଛି । ଆଧୁନିକ ସଭ୍ୟତାର ଅନେକ କିଛି – ଆଧୁନିକ ଯନ୍ତ୍ରପାତି, ଆଧୁନିକ ଶିକ୍ଷା ବ୍ୟବସ୍ଥା, ସମାଜ ଓ ଆଇନ୍ ବ୍ୟବସ୍ଥା – ତାକୁ ଭାରତରେ ପ୍ରଚଳନ କରିଛନ୍ତି । ଏ ପୁସ୍ତକରେ ଯେଉଁ ଭାରତୀୟମାନେ ଲଣ୍ଡନରେ ତାଙ୍କ ଜୀବନର କିଛିକାଳ କଟାଇଛନ୍ତି ସେମାନଙ୍କ ବିଷୟରେ ଏବଂ ସେଠି କଟାଇଥିବା ସେହି କାଳଖଣ୍ଡ ତାଙ୍କ ଜୀବନ ଉପରେ କଣ ପ୍ରଭାବ ପକାଇଲା ଏହି ଦୃଷ୍ଟିକୋଣରୁ ଲେଖାଯାଇଛି ।
ଏ ବହିରେ ଲେଖକ ସେକସପିଅରଙ୍କ ସମୟରୁ ୧୯୪୭ରେ ଭାରତର ସ୍ୱାଧୀନତା ଯାଏଁ ଲଣ୍ଡନରେ ବସବାସ କରିଥିବା ଜଣାଶୁଣା ଭାରତୀୟମାନଙ୍କ କଥା ଉଲ୍ଲେଖ କରିଛନ୍ତି । ଏହା ଭିତରେ ଅନେକ ଲେଖକ, ସାଧକ, ରାଜନୈତିଜ୍ଞ, ବ୍ୟବସାୟୀ, ଶିଳ୍ପପତି- ଅନେକେ ଅଛନ୍ତି ।
ରାଜା ରାମମୋହନ ରାୟଙ୍କୁ ନିଆଯାଉ । ୧୮୩୧ରେ ରାଜା ରାମମୋହନ ରାୟ ଲଣ୍ଡନ ପହଞ୍ଚିଲେ । ସେତେବେଳକୁ ସେ ଜଣେ ସମାଜ ସଂସ୍କାରକ ଭାବେ ଜଣାଶୁଣା ହୋଇଗଲେଣି । ସତୀଦାହ ପ୍ରଥା ବିରୁଦ୍ଧରେ ତାଙ୍କର ସଂଗ୍ରାମର କଥା ସାରା ବିଶ୍ବରେ ବିଦିତ ହୋଇସାରିଲାଣି । ଲଣ୍ଡନରେ ପହଞ୍ଚିଲା ପରେ ତାଙ୍କୁ ଲଣ୍ଡନର ରାଜନୈତିକ ଏବଂ ନାରୀ ଅଧିକାର ପାଇଁ ସଂଗ୍ରାମ କରୁଥିବା ସମାଜରେ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ଏଠି ରହଣି କାଳ ଭିତରେ ସେ ଭାରତର ସମ୍ରାଟ ଶାହ ଆକବର ଦ୍ଵିତୀୟଙ୍କର ବାର୍ଷିକ ପେନସନ୍, ରାଶିକୁ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ । ରାଜା ରାମମୋହନ ରାୟଙ୍କ ଦେହାନ୍ତ ହୋଇଥିଲା ଇଂଲଣ୍ଡରେ । ବ୍ରିଷ୍ଟଲରେ ୧୮୩୩ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ରବିନ୍ଦ୍ରନାଥଙ୍କର ଗୋସ ବାପା, ୟୁନିୟନ ବ୍ୟାଙ୍କର ପ୍ର୍ରତିଷ୍ଠାତା ଦ୍ୱାରିକାନାଥ ଠାକୁର ବେଶ କିଛି ସମୟ ଲଣ୍ଡନରେ ଥିଲେ । ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା ଲଣ୍ଡନରେ । ଦ୍ୱାରିକାନାଥ ଠାକୁର ୧୮୪୧ରେ ଲଣ୍ଡନ ପହଞ୍ଚିବା ପରେ ତାଙ୍କ ସମ୍ମାନରେ ଏକ ଭୋଜିସଭାର ଆୟୋଜନ କରାଯାଇଥିଲା । ଏଥିରେ କୁଇନ୍ ଭିକ୍ଟୋରିଆ ଏବଂ ତାଙ୍କ ସ୍ଵାମୀ ପ୍ରିନସ୍ ଆଲବର୍ଟ ଯୋଗ ଦେଇଥିଲେ । ଏ ଭୋଜିସଭାରେ ଦ୍ଵାରିକାନାଥ ଠାକୁର କହିଥିଲେ ଯେ ଆମେ ଇଂଲଣ୍ଡର ବନ୍ଧୁତ୍ଵ ଏବଂ ମାନବିକତା ଯୋଗୁଁ ଆମେ ଧ୍ଵଂସ ମୁହଁରୁ ବଞ୍ଚିଗଲୁ । ଏକଥା ଭିନ୍ନ ଯେ ତାଙ୍କର ନାତି ପରବର୍ତ୍ତୀ ସମୟରେ ସଂପୁର୍ଣ୍ଣ ଭିନ୍ନକଥା କହିଥିଲେ । ସେଠି ସେ ମହିଳା ମହଲରେ ବି ସେ ବେଶ୍ ଜନପ୍ରିୟତା ଅର୍ଜନ କରିଥିଲେ ।
ଦାଦାଭାଇ ନାରୋଜି ବ୍ରିଟେନ ମାଟିରେ ପାଦଦେଲେ ୧୮୫୫ରେ । ସେ ବ୍ରିଟେନର ହାଉସ୍ ଅଫ କମନ୍ସରେ ପ୍ରଥମ ଭାରତୀୟ ଭାବେ ନିର୍ବାଚିତ ହେଲେ ୧୮୯୨ରେ ।
ସ୍ଵାମୀ ବିବେକାନନ୍ଦ ଲଣ୍ଡନରେ ଥିଲେ ତିନି ମାସ । ୧୮୯୫ରେ ତାଙ୍କର ଆମେରିକା ଗସ୍ତ ଏବଂ ତାଙ୍କର ଦୀକ୍ଷାନ୍ତ ଭାଷଣ ପରେ ସେ ଲଣ୍ଡନ ଆସିଥିଲେ ଏବଂ ଏଠାରେ ତିନିମାସ ରହିଥିଲେ । ୧୮୮୮ରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଲଣ୍ଡନ ପହଞ୍ôଚଥିଲେ । ସେତେବେଳେ ତାଙ୍କ ବୟସ ୧୯ । ସେ ସେଠି ଓକିଲାତି ପଢ଼ିଲେ ଏବଂ ଇନର ଟେମ୍ପଲରେ ୧୮୯୧ରେ ଓକିଲାତି ପାସ କରି ପରେ ପରେ ଲଣ୍ଡନ ଛାଡିଥିଲେ । ତା ପରେ ବି କେତେଥର ଦକ୍ଷିଣ ଆଫ୍ରିକାରେ ଥିଲାବେଳେ ସେ ଲଣ୍ଡନ ଆସିଛନ୍ତି । ତାଙ୍କର ଶେଷ ଲଣ୍ଡନ ଗସ୍ତ ଥିଲା ୧୯୩୧ରେ । ଗୋଲଟେବୁଲ୍ ବୈଠକରେ ଯୋଗଦେବାପାଇଁ ସେ ଆସିଥିଲେ ।
ଗୁଜୁରାଟ ଅଞ୍ଚଳର ଲୋକ କୁମାର ଶ୍ରୀ ରଣଜିତ ସିଂ ଜାଦେଜା ଯେଉଁ ବର୍ଷ ଗାନ୍ଧୀ ପହଞ୍ଚିଲେ ଲଣ୍ଡନ ସେ ମଧ୍ୟ ସେହିବର୍ଷ ଲଣ୍ଡନ ପହଞ୍ଚିଥିଲେ। ସେ ଇଂଲଣ୍ଡ ପାଇଁ କ୍ରିକେଟ୍ ଖେଳିଲେ। କ୍ରିକେଟ୍ ଖେଳରେ ସେ ଅତ୍ୟନ୍ତ ପ୍ରସିଦ୍ଧି ଅର୍ଜନ କରିଥିଲେ। ପରେ ପରେ ସେ ନୟା ନଗର ବର୍ତ୍ତମାନ ଯାହାକୁ ଜାମନଗର ବୋଲି କୁହାଯାଏ ତାର ଶାସକ ହୋଇଥିଲେ।
୧୯୦୨ରେ ଜୟପୁରର ମହାରାଜା ସବାଇ ମାଧୋ ସିଂ ଦ୍ୱିତୀୟ, ବମ୍ବେରୁ ରାଜା ଏଡୱାର୍ଡ ସପ୍ତମଙ୍କର ରାଜ୍ୟାଭିଷେକ ଏବଂ ତାଙ୍କ ମା ରାଣୀ ଭିକ୍ଟୋରିଆଙ୍କର ଶାସନର ୬୩ତମ ବର୍ଷ ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେବାପାଇଁ ଲଣ୍ଡନ ଯାଇଥିଲେ । ତାଙ୍କ ସହିତ ଦୁଇଟା ବହୁ ବଡ ବଡ ପିତଳ ଗରାରେ ୮୦୦୦ ଲିଟର ଗଙ୍ଗାପାଣି ଯାଇଥଲା । ସେତେବେଳେ ଧାରଣା ଥିଲା ଯେ ସମୁଦ୍ର ପାରିହେବା ଅର୍ଥାତ କଳାପାଣି ପାରିହେଲେ ଧର୍ମନାଶ ହୁଏ । ତେଣୁ ସେ ପାପକୁ ପ୍ରକ୍ଷାଳନ କରିବାପାଇଁ ସେ ୮୦୦୦ ଲିଟର ଗଙ୍ଗାପାଣି ନେଇ ଯାଇଥିଲେ । ବଡ ବଡ ପିତଳର ଯେଉଁ ଗରା ଦୁଇଟି ଏବେ ଜୟପୁରରେ ତାଙ୍କ ରାଜପ୍ରାସାଦ ମ୍ୟୁଜିୟମରେ ରଖା ଯାଇଛି । ଆପଣ ମାନଙ୍କ ଭିତରୁ କେହି ଜୟପୁର ଗଲେ ସେ ମ୍ୟୁଜିୟମ ଯାଇ ସେ ଗରା ଦୁଇଟିକୁ ଦର୍ଶନ କରିପାରିବେ ।
୧୯୧୨ରେ ରବିନ୍ଦ୍ରନାଥ ଠାକୁର ଲଣ୍ଡନ ଯାଇଥିଲେ ଏବଂ ସେଠି ମେଟ୍ରୋରେ ସେ ଗୀତାଞ୍ଜଳୀର ପାଣ୍ଡୁଲିପିଟିକୁ ହଜେଇ ଦେଇଥିଲେ । ସୌଭାଗ୍ୟ ବଶତଃ ଲଣ୍ଡନ ମେଟ୍ରୋର ହଜିଲା ପାଇଲା ବିଭାଗରେ ସେ ପାଣ୍ଡୁଲିପିଟିକୁ ସେ ପୁଣି ଫେରି ପାଇଥିଲେ । ତା ପରେ ପ୍ରଖ୍ୟାତ କବି ଡବ୍ଲୁ ବି ୟେଟ୍ସ ତାର ଏକ ମୁଖବନ୍ଧ ଲେଖିଥିଲେ ଏବଂ ତାହା ତା ପର ବର୍ଷ ନୋବେଲ ସାହିତ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିଲା । ଏପର୍ଯ୍ୟନ୍ତ ଭାରତ ସାହିତ୍ୟରେ ପାଇଥିବା ସେହି ଏକମାତ୍ର ନୋବେଲ ପ୍ରାଇଜ ।
୧୯୦୫ରେ ଜବାହାରଲାଲ ନେହେରୁ ଲଣ୍ଡନର ସହରତଳି ଅଞ୍ଚଳରେ ଥିବା ହାରୋ ସ୍କୁଲରେ ଭର୍ତ୍ତି ହୋଇଥିଲେ । ସେତେବେଳକୁ ତାଙ୍କୁ ୧୫ ବର୍ଷ ବୟସ । ଦୁଇବର୍ଷ ପରେ ସେ କାମ୍ବ୍ରିଜର ଟ୍ରିନିଟି କଲେଜରେ ଭର୍ତ୍ତିହେଲେ । ସେଠୁ ସେ ବଟାନି, ଜୁଲୋଜି ଏବଂ କେମେଷ୍ଟ୍ରିରେ ଉପାଧି ପାଇଲେ । ହେଲେ ପରବର୍ତ୍ତୀ ସମୟରେ ସେ ଆଇନ ପଢ଼ିଲେ ଏବଂ ଇନର ଟେମ୍ପଲ୍ରୁ ବାରିଷ୍ଟରି ପାଶ କଲେ । ଲଣ୍ଡନରେ ସେ ରହିଥିଲେ ସାତ ବର୍ଷ ।
୧୯୩୩ରେ ଚୌଧୂରୀ ରହମତ ଅଲ୍ଲୀ, ସେତେବେଳେ ସେ କେମ୍ବ୍ରିଜରୁ ସଦ୍ୟ ବାହାରିଥାନ୍ତି, ମହମଦ୍ ଅଲ୍ଲୀ ଜିନାଙ୍କ ସହିତ ଏକ ନୈଶ୍ୟ ଭୋଜନରେ ମିଳିତ ହେଲେ ଓ୍ୟାଲଡ୍ରଫ ହୋଟେଲରେ । ଏ ନୈଶ୍ୟ ଜୋଜନ କାଳରେ ପ୍ରଥମ ଥର ପାଇଁ ସେ ବ୍ରିଟିଶ ଇଣ୍ଡିଆ ବା ବ୍ରିଟିଶ ଶାସନାଧିନ ଭାରତରୁ ପାକିସ୍ଥାନକୁ ଏକ ଅଲଗା ଦେଶ ଭାବେ ତିଆରି କରିବାର ଯୋଜନା ଆରମ୍ଭ କରିଥିଲେ ।
ଏ ପୁସ୍ତକରେ ଆହୁରି ଅନେକ ଗଣ୍ୟମାନ୍ୟ ଜଣାଶୁଣା ବ୍ୟକ୍ତିତ୍ୱଙ୍କ କଥା ଲେଖାଯାଇଛି ଯେଉଁମାନେ ଲଣ୍ଡନରେ ଦୀର୍ଘକାଳ ରହିଛନ୍ତି ଏବଂ ଲଣ୍ଡନର ରହଣି ସେମାନଙ୍କ ଜୀବନରେ ବଡ ପ୍ରଭାବ ପକାଇଛି । ସେମାନଙ୍କ ମଧ୍ୟରୁ ଅଛନ୍ତି ସରୋଜିନୀ ନାଇଡୁ, ସତ୍ୟେନ୍ଦ୍ର ପ୍ରସାଦ ସିହ୍ନା, ସାପୁର୍ଜୀ ସକଲାତୱାଲା (ସେ ଟାଟାଙ୍କର ସମ୍ପର୍କୀୟ ପରବର୍ତ୍ତୀ ସମୟରେ ହାଉସ୍ ଅଫ କମନ୍ସରେ କମ୍ୟୁନିଷ୍ଟ ସାଂସଦ ହୋଇଥିଲେ) । ବିନାୟକ ସାଭରକାର ମଧ୍ୟ ଲଣ୍ଡନରେ କିଛିକାଳ ଥିଲେ । ସେଠି ସେ ବାରିଷ୍ଟର ହେବାପାଇଁ ସ୍ଵପ୍ନ ଦେଖୁଥିଲେ କିନ୍ତୁ ସ୍କଟଲାଣ୍ଡ ୟାର୍ଡ ତାଙ୍କୁ ଏହା କରିବାରୁ ବଞ୍ôଚତ କରିଥିଲେ । ମୁଲ୍କ ରାଜ ଆନନ୍ଦ ଏବଂ ନୀରଜ ଚୌଧୂରୀଙ୍କ କଥା ବି ଏ ପୁସ୍ତକରେ ଉଲ୍ଲେଖ କରାଯାଇଛି । ନୀରଜ ଚୌଧୂରୀ ୧୯୫୫ରେ ଲଣ୍ଡନ ପହଞ୍ଚିଲେ ଏବଂ ସେ ଅକସଫୋର୍ଡରେହିଁ ସ୍ଥାୟୀଭାବରେ ରହିଗଲେ ଆଉ ସେଠି ୯୯ବର୍ଷ ବୟସରେ ତାଙ୍କର ଦେହାନ୍ତ ହେଲା । ମନମୋହନ ସିଂ ମଧ୍ୟ ସେହି କାଳଖଣ୍ଡରେ ଲଣ୍ଡନ ପହଞ୍ଚିଥିଲେ -୧୯୫୭ରେ କେମ୍ବ୍ରିଜରେ ମାଷ୍ଟରସ୍ କରିବାପାଇଁ । କିନ୍ତୁ ତାଙ୍କ ବିଷୟରେ ଏ ପୁସ୍ତକରେ ଉଲ୍ଲେଖ ନାହିଁ । ହୁଏତ ସେ କେବଳ ପଢ଼ିବା ପାଇଁ ଯାଇଥିଲେ ଏବଂ ସେଠି ରହିନଥିଲେ ସେଥିପାଇଁ ।
ଏ ପୁସ୍ତକଟି ଗପ ଛଳରେ ଇତିହାସର ଏକ ନୂଆ ଦିଗକୁ ଉନ୍ମୋଚନ କରେ । ଗୋଟେ ସହର କେମିତି ଜଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଏ ସେ ବିଷୟଟିକୁ ଏ ପୁସ୍ତକରେ ରେଖାଙ୍କିତ କରାଯାଇଛି । ଯଦି ଆପଣ ଗଣ୍ୟମାନ୍ୟ ବ୍ୟକ୍ତିଙ୍କର ଜୀବନ କାହାଣୀ ଗପ ମାଧ୍ୟମରେ ପଢ଼ିବା ପାଇଁ ଚାହାନ୍ତି ତେବେ ଏ ବହିଟିକୁ ପଢ଼ି ପାରନ୍ତି ।