ଭାରତୀୟ ଗଣମାଧ୍ୟମର ବର୍ତମାନ ଅବସ୍ଥା

ବହି: ଏଡିଟର ମିସିଙ୍ଗ: ମିଡିଆ ଇନ ଟୁଡେଜ୍ ଇଣ୍ଡିଆ
ଲେଖକ: ରୁବେନ୍ ବାନାର୍ଜୀ
ପ୍ରକାଶକ: ହାରପର କଲିନସ
ପୃଷ୍ଠା: ୨୫୨, ମୂଲ୍ୟ: ୫୯୯ ଟଙ୍କା

ରୁବେନ୍ ବାନାର୍ଜୀ ଓଡିଶା ପାଇଁ ଅପରିଚିତ ନୁହନ୍ତି । ଦୀର୍ଘ ବର୍ଷ ସେ ଏଠି ସାମ୍ବାଦିକତା କରିଛନ୍ତି । ୧୯୯୯ ମହାବାତ୍ୟା ଉପରେ ବହି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବହିଟିଏ ବି ଲେଖିଛନ୍ତି । ଦୀର୍ଘବର୍ଷଧରି ସେ ବିଭିନ୍ନ ଖବର କାଗଜ ଏବଂ ପତ୍ରିକାର ସମ୍ପାଦକ ଥିଲେ । ଇଂରାଜୀ ସମ୍ବାଦପତ୍ରିକା ‘ଆଉଟଲୁକ୍’ର ସମ୍ପାଦକ ଭାବରେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ଆଉଟଲୁକ୍ରୁ ସେ ବାହାରି ବି ଯାଇଥିଲେ ଏକ ବିତର୍କିତ ଅବସ୍ଥାରେ ।

ତା ପରେ ପରେ ଏ ବହିଟି ପ୍ରକାଶିତ ହେଇଛି ଯେଉଁଥିରେ ରୁବେନ ବାନାର୍ଜୀ ବର୍ତ୍ତମାନ ଭାରତୀୟ ଗଣମାଧ୍ୟମର ଅବସ୍ଥା, ବିଶେଷକରି ସଂପାଦନାରେ ବା ସଂପାଦକୀୟ ବିଭାଗରେ ଥିବା ଲୋକମାନଙ୍କର ଅବସ୍ଥା ସମ୍ପର୍କରେ ଲେଖିଛନ୍ତି । ତା ସହିତ ସଂପାଦକ ଭାବରେ ତାଙ୍କର ଅଭିଜ୍ଞତାକୁ ମଧ୍ୟ ସେ ଏଥିରେ ବର୍ଣ୍ଣନା କରିଛନ୍ତି । ବିଭିନ୍ନ ଘଟଣାକୁ ମଧ୍ୟ ସେ ଏଥିରେ ବର୍ଣ୍ଣନା କରିଛନ୍ତି । ସେ ଅର୍ଥରେ ଦେଖିବାକୁ ଗଲେ ଏ ବହିଟି କିଛିଟା ତାଙ୍କର ଆତ୍ମ ଜୀବନୀ ଆଉ କିଛିଟା ବର୍ତ୍ତମାନ ସମୟରେ ଭାରତୀୟ ଗଣମାଧ୍ୟମର ଅବସ୍ଥା ସମ୍ପର୍କରେ ତାଙ୍କ ମନ୍ତବ୍ୟ ।

ଗୋଟେ ଦୃଷ୍ଟିରୁ ଦେଖିଲେ ଭାରତୀୟ ପୁସ୍ତକ ଭଣ୍ଡାରକୁ ଏହା ଏକ ମୂଲ୍ୟବାନ ସଂଯୋଜନା । କାରଣ ଆମେରିକା ବା ଇଂଲଣ୍ଡରେ ଯେଉଁମାନେ ଗଣମାଧ୍ୟମରେ ଅଛନ୍ତି ସେମାନେ ତାଙ୍କ ସମୟର ଗଣମାଧ୍ୟମ, ନିଜର ଅଭିଜ୍ଞତା ସମ୍ପର୍କରେ ଯେତେ ଲେଖନ୍ତି- ଭାରତରେ ସେ ପ୍ରକାର ଚଳଣି ନାହିଁ । କେତେକ ଲେଖିଛନ୍ତି । ବିନୋଦ ମେହେଟା, ବୀର୍ ସାଙ୍ଗଭୀ, ଏମ ଭି କାମାଥ ପ୍ରମୁଖ ସମ୍ପାଦକମାନେ ନିଜର ଆତ୍ମ ଜୀବନି ଲେଖିଛନ୍ତି । କିନ୍ତୁ ଖୁବ୍ ବେଶୀ ସଂପାଦକ ଏବଂ ସାମ୍ବାଦିକ ତାଙ୍କ ସମୟର କଥାକୁ ପୁସ୍ତକ ଆକାରରେ ଲେଖି ନାହାନ୍ତି । ସେ ଦୃଷ୍ଟିରୁ ଏହା ଏକ ମୂଲ୍ୟବାନ ସଂଯୋଜନା । ଏ ବହିରେ ରୁବେନ୍ ବାନାର୍ଜୀ କହିଛନ୍ତି ଯେ ଗଣମାଧ୍ୟମର କାମକୁ (ଖବର ସଂଗ୍ରହ କରିବା ଏବଂ ଲୋକଙ୍କ ପାଖରେ ପହଞ୍ଚାଇବା) ସେ ଅତ୍ୟନ୍ତ ଭଲ ପାଆନ୍ତି ଏବଂ ଭାବନ୍ତି ଯେ ଏହା ସମାଜ ପାଇଁ ଜରୁରୀ । ତାଙ୍କ ବହିରେ ସାମ୍ବାଦିକତାର ପ୍ରତି ଭଲ ପାଇବା ବେଶ ଫୁଟି ଉଠେ ।
ଏ ବହିରେ ସେ ତାଙ୍କ ସାମ୍ବ।।ଦିକତା ଜୀବନର ବେଶ କିଛି କୌତୁକିଆ ଘଟଣା କଥା ଉଲ୍ଲେଖ କରିଛନ୍ତି ।

ଗୋଟେ ଘଟଣା ବିଜୁ ପଟ୍ଟନାୟକଙ୍କୁ ନେଇ । ଥରେ ସେ ବିଜୁ ପଟନାୟକଙ୍କର ସାକ୍ଷାତକାର ନେବା ପାଇଁ ଯାଉଥିଲେ । ନିଜ ଦୁଇଚକିଆ ଗାଡିରେ ବିଜୁ ପଟ୍ଟନାୟକଙ୍କ ଫରେଷ୍ଟ ପାର୍କ ଅଫିସରେ ଯେତେବେଳେ ପହଞ୍ôଛଲେ ସେତେବେଳେ ବିଜୁ ପଟ୍ଟନାୟକ ତାଙ୍କୁ କହିଲେ, ତୁମେ ଜାଣିଛ ମୁଁ ତମପାଇଁ ଅପେକ୍ଷା କରିଛି । ତୁମେ ଜାଣିଛ ମୁଁ କିଏ? । ମୁଁ ବିଜୁ ପଟ୍ଟନାୟକ । ଛଅ ଫୁଟ୍ ଦୁଇ ଇଂଚ ଡେଙ୍ଗା । ରୁବେନ ବାନାର୍ଜୀ ତାଙ୍କୁ କହିଲେ ଯେ ମୁଁ ହେଉଛି ରୁବେନ୍ ବାନାର୍ଜୀ । ପାଂଚ ଫୁଟ ପାଂଚ ଇଂଚ ଲମ୍ବା । ବିଜୁବାବୁଙ୍କୁ ଏ ଉତ୍ତରଟା ବଡ ମଜାଦାର ଲାଗିଥିଲା ।

ଅଲ-ଜଜିରାରେ ମଧ୍ୟ ରୁବେନ ବାନାର୍ଜୀ ବେଶ କିଛି ବର୍ଷ କାମ କରିଛନ୍ତି । ସେଠି ସାମ୍ବାଦିକତାର ମୂଳ ଅବଧାରଣା ବାଲାନ୍ସ ସମତୁଲତା – ପ୍ରତ୍ୟେକ ବିଷୟକୁ ଉଭୟ ଦୃଷ୍ଟିରୁ ମାପିବା – ତାର ଅଭାବ ସେ ଲକ୍ଷ୍ୟ କରିଛନ୍ତି । କାଶ୍ମୀର ପ୍ରସଙ୍ଗ ରିପୋର୍ଟିଂରେ ସେ ଏହି ଅଭାବ ଲକ୍ଷ୍ୟ କରିଛନ୍ତି ଏବଂ ଏକଥା ସେ ତାଙ୍କ ବହିରେ ସ୍ପଷ୍ଟଭାବେ ଲେଖିଛନ୍ତି ।

କେତେକ ଗଣମାଧ୍ୟମରେ, ଖବର କାଗଜରେ ସାମ୍ବାଦିକମାନଙ୍କୁ ଯଥୋପଯୁକ୍ତ ସମ୍ମାନ ନ ଦିଆଯିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଗୋଟେ ଜାଗାରେ ସେ ଲେଖିଛନ୍ତି ଯେ ହିନ୍ଦୁସ୍ଥାନ ଟାଇମ୍ସରେ ଯେଉଁ ଏଡିଟୋରିଆଲ ମିଟିଙ୍ଗ ବା ସଂପାଦକୀୟ ବୈଠକ ହୁଏ ସେଥିରେ ଅତ୍ୟନ୍ତ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଯେଉଁ ଭାଷାରେ ସମ୍ବୋଧନ କରାଯାଏ ବା ଯେଉଁ ଭାଷାରେ ତାଙ୍କୁ କଥା କୁହାଯାଏ ତାହାକୁ ସମ୍ମାନଜନକ ବୋଲି କହିହେବ ନାହିଁ । ଭାରତୀୟ ଉପମହାଦେଶର ବହୁ ଗଣମାଧ୍ୟମରେ ଏକଥା ହେଉଛି । ରୁବେନ୍ ବାନାର୍ଜୀ ଏହାକୁ ସାମ୍ନାକୁ ଆଣିଛନ୍ତି ।

ଏ ବହିରେ ଭାରତୀୟ ଗଣମାଧ୍ୟମର ବର୍ତମାନ ଅବସ୍ଥା କଥା ତ ସିଏ ଲେଖିଛନ୍ତି, କିନ୍ତୁ ଗଣମାଧ୍ୟମର ଧାରା କଣ,ଗଣମାଧ୍ୟମ କୁଆଡକୁ ଯାଉଛି ଏବଂ କାହିଁକି ଏବଂ କଣ କରାଯାଇ ପାରିବ ସେ ସମ୍ପର୍କରେ ଏ ବହିରେ ଖୁବ୍ ଗଭୀର ଭାବରେ ଆଲୋଚନା କରାଯାଇ ନାହିଁ ।

ରୁବେନ୍ ବାନାର୍ଜୀଙ୍କର ଲେଖା ହାତଟି ଭାରି ଭଲ । ଅତ୍ୟନ୍ତ ସାବଲୀଳ ଭାବରେ ଲେଖିପାରନ୍ତି ସେ । ତାଙ୍କ ଲେଖା ଆରମ୍ଭ କଲେ ଶେଷ ନହେଲା ପର୍ଯ୍ୟନ୍ତ ଛାଡି ହୁଏ ନାହିଁ । ସେ ଦୃଷ୍ଟିରୁ ଦେଖିଲେ ବହିଟି ଅତ୍ୟନ୍ତ ସୁଖପାଠ୍ୟ । କିନ୍ତୁ ଏ ବହିରେ ଗଣମାଧ୍ୟମ ଯେଉଁ ସ୍ଥି୍ତିରେ ରହିଛି , ଯେଉଁ ଧାରାରେ ଚାଲିଛି ତାହାର ଯେତିକି ବିଶ୍ଳେଷଣ ରୁବେନ୍ ବାନାର୍ଜୀଙ୍କ ପାଖରୁ ଆଶା କରାଯାଉଥିଲା ସେଥିରେ ଟିକିଏ ଊଣା ରହିଗଲା ପରି ଲାଗୁଛି ।

କିନ୍ତୁ ତାହା ସତ୍ୱେ ବି ଏ ବହି ଭାରତୀୟ ଗଣମାଧ୍ୟମର ପରଦା ପଛର କାହାଣୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେଉଁମାନେ ଗଣମାଧ୍ୟମର ଭିତିରି କଥା ଜାଣିବାପାଇଁ ଚାହାନ୍ତିି ,ଗଣମାଧ୍ୟମ କେମିତି କାମ କରେ ତାକୁ ଜାଣିବା ପାଇଁ ଚାହାନ୍ତି, ସେମାନେ ଏ ପୁସ୍ତକକୁ ନିଶ୍ଚୟ ପଢ଼ନ୍ତୁ ।

++

Related Posts

Leave a Reply

Your email address will not be published. Required fields are marked *