ସୁପ୍ରିୟା ପ୍ରଶାନ୍ତ

ଭାଗ –

ପେଷାଦାର୍ ଜୀବନ

ବର୍ଷା ଛାଡିଲାନି। ଏମିତି କେତେବେଳ ଗଲା କଥା ଭାବୁଥିବି ଆଉ? ଟିଭିଟା ଥିଲେ ସମୟ କଟିଯାଇଥାନ୍ତା। ପନ୍ଦର ଦିନ ଉପରେ ହେଲାଣି ଟିଭିଟା ସଜଡା ହେବାକୁ ଯାଇଛି ଯେ ଆସିନି। ମୋ ଗଲାଆଇଲା ବାଟରେ ବିଦ୍ୟୁତ୍ ଯନ୍ତ୍ର ଓ ଉପକରଣ ସଜଡା ଦୋକାନ। ହେଲେ ସବୁବେଳେ ଭୁଲିଯାଉଛି। ସେ ବିଜୁଳି ମିସ୍ତ୍ରୀର ବି ଖିଆଲ ନାହିଁ, ହେଇଗଲେ ଖବର ଦେବନି! ଛାଡ, କାଲି ସକାଳେ ପଞ୍ଜାବୀ ଓ ଚୁଡିଦାର ଇସ୍ତ୍ରୀ କରେଇବାକୁ ନେଲା ବେଳେ ପଚାରି ବୁଝିବି ବୋଲି ଭାବିଲି। ମୋତେ ହଠାତ୍ ଭାରୀ ଭୋକ ହେଲା – ଗାଧୁଆବେଳେ ଯୋଉ ଇଲିସି ଖିଆ ହେଇଥିଲା, ତା ମାଡରେ ଏତେବେଳଯାଏ ଭୋକ ନଥିଲା।

ରୋଷେଇ ଘରେ ଆଉ ଫ୍ରିଜରେ ଅଣ୍ଡାଳିଲି। ଖରାବେଳର ଭାତ କିଛି ବଳିଛି। ଭାତରେ କଟକ ବାରମଜା ଗୋଳେଇକି ଯାଉଛି ଖାଇଦେବି ଭାବିଲି। ଦହି ଖାଇବି କି ଖାଇବିନି? ଥଣ୍ଡା ପାଗକୁ କାଲି ପୁଣି ଗାଇବାକୁ ଅଛି। ନା, ବରଂ ଭାତକୁ ଟିକେ ଗରମ କରି ଗୁଆଘିଅ ମିଶେଇ ଖାଇଲେ ଭଲ। ସାଙ୍ଗରେ କିଛି ପାମ୍ପଡ ଛାଣିଦେଲେ କାମ ତୁଟିବ। ମୁଁ ରମେଶକୁ ଏ ବର୍ଷାରେ ରାତି ଖାଇବା ପାଇଁ ବ୍ୟସ୍ତ ହୋଇ ନ ଆସିବାକୁ ଗୋଟେ ହ୍ୱାଟ୍ସଆପ୍ ବାର୍ତ୍ତା ପଠାଇ ଦେଲି। ଏ ବର୍ଷା ପାଗରେ ପକୁଡି ନ ହେଲେ ପାମ୍ପଡ, ଅସୁବିଧା କୋଉଠି? ମୁଁ ବେଳେ ବେଳେ ଭାବେ ଏ ଖାଇବା ପିଇବା କାମଟା ନ ଥିଲେ କେତେ ଭଲ ହେଇଥାନ୍ତା! ୟା ଯୋଗାଡରେ ମଣିଷର ଅଯଥାରେ କେତେ ସମୟ ଯାଏ!

ଗୁଡେ ପାମ୍ପଡ ସହ ଭାତରେ ଗୁଆଘିଅ ଗୋଳେଇ ଖାଇଦେଇ ବିଛଣା ଧରିଲି – କାଲି ସକାଳର ପ୍ରଥମ କାମ ପିନ୍ଧିବାକୁ ଥିବା ପୋଷାକ ଇସ୍ତ୍ରୀ କରେଇବା, ତା ଛଡା ଆଉ କିଛି ସଫା ପୋଷାକ ଇସ୍ତ୍ରୀ କରିବାକୁ ଦେବା।

~

ସକାଳୁ ଆଲାର୍ମବେଲରେ ନିଦ ଭାଙ୍ଗିଗଲା। ପାଗ ତଥାପି କାଉଁଳିଆ। ମୁଁ ମୁହଁଧୁଆ କାମ ସାରି ଗୋଟେ ମୁଣାରେ ସବୁ ପୋଷାକ ରଖି ବାହାରିଲି। ରାସ୍ତାରେ ରମେଶ ଦେଖା ହେଲା। ଆମେ ଦୁହେଁ ଇସ୍ତ୍ରୀବାଲା ପାଖରେ ପହଞ୍ଚିଲୁ। ସେ ଆମର ସବୁଦିନିଆ ନିର୍ଭରଯୋଗ୍ୟ ଲୋକ।

“ରଘୁ ଭାଇନାଙ୍କ ସହ କଥା ହେଇଥିଲ କି?” ରମେଶ ପଚାରିଲା ଆଉ କହିଲା, “ମୁଁ କାଲି ରାତିରେ କଥା ହେଇଥିଲି। ସେ କହିଲେ — ମୋର ମନେ ଅଛି, ବ୍ୟସ୍ତ ହେବା ଦରକାର ନାହିଁ। ସେ ଆସିକି ବାରଟା ସୁଦ୍ଧା ଦୂରଦର୍ଶନ କେନ୍ଦ୍ରରେ ପହଞ୍ଚିବେ।”

ରମେଶକୁ ଏ ବର୍ଷ ମକର ସଂକ୍ରାନ୍ତିରେ ପଚିଶ ଚାଲିଲା, ତା ବୟସ ହିସାବରେ ସେ ବେଶ୍ ପରିପକ୍ୱ। ଆମ ପେଷାରେ ଭଦ୍ର, ବ୍ୟବସ୍ଥିତ ଓ ନିର୍ଭରଶୀଳ ତବଲାବାଦକ ପାଇବା ସହଜ ନୁହେଁ। ରମେଶ ତ ମୋ ଜୀବନର ଗୋଟେ ବଡ ଆଶୀର୍ବାଦ।

ରମେଶକୁ ସେଠି ଅପେକ୍ଷା କରିବାକୁ କହି ମୁଁ ଟିଭି ସଜଡା ହେଲା କି ନାହିଁ ଦେଖିବାକୁ ଆଗେଇଲି। କାଲି ରାତିର ବର୍ଷା ପରେ ରାସ୍ତା ଠାଏଁ ଠାଏଁ ଖାଲ ଜାଗାରେ ପାଣି କାଦୁଅ ଭର୍ତ୍ତି। ଦେଖିଲା ବେଳକୁ ଦୋକାନ ବନ୍ଦ। ଛାଡ, କାଲି ଆସି ବୁଝିବି। ପୁଣି ରମେଶ ପାଖକୁ ଫେରି ଆସିଲି, ଆମେ ଦିହେଁ ଇସ୍ତ୍ରୀକରା ଜାମା ନେଇ ମୋ ବସାକୁ ଫେରିଲୁ। ମୁଁ ସକାଳୁ ଚା ସାଙ୍ଗରେ ଟିକେ ଚୁଡାଭଜା ପାଟିରେ ପକାଇଥିଲି। ଆମେ ଭାତ ଡାଲମା ଖାଇ ବାରଟା ବେଳକୁ ବାହାରିବୁ ବୋଲି ସ୍ଥିର କଲୁ। ରମେଶ ଗାଧୁଆପାଧୁଆ ସାରିଥାଏ। ସେ ରୋଷେଇରେ ଲାଗିଗଲା। ମୁଁ ଖିଅର ହେବା କାମଟା ସାରିବାକୁ ଆଗେଇଲି। ଆଇନାରେ ଦେଖିଲି, ମୋର ଛୋଟ ଛୋଟ ଦାଢିରୁ ଅଧା ପାଚିଗଲାଣି। ମୁଣ୍ଡବାଳ ତ ଆଗେ ଉଠେ, ପଛରେ ଉଠି ଆଗେ ମଣିଷର ଦାଢି କାହିଁକି ପାକଳ ହୁଏ କେଜାଣି? ମୁଣ୍ଡରେ କୋଉଠି କେମିତି ଗୋଟେ ଅଧେ ବାଳ ପାଚିଛି। କିନ୍ତୁ ତାଳୁ ଉପରୁ ବାଳର ଗହଳ କମିବାକୁ ଆରମ୍ଭ କଲାଣି। ହଁ ବୟସ ଆଉ ବସିଛିକି? ଆଜି ହେଲା ଚବିଶ ଜୁନ୍; ପାଞ୍ଚ ଜୁଲାଇରେ ମୋ ଜନ୍ମଦିନ। ମଝିରେ ଆଉ ଦଶଟା ଦିନ। ମୋତେ ଚଉତିରିଶ ପୂରିବ।

ରମେଶ ଆଉ ମୁଁ ଖାଇବା କାମଟା ତୁଟେଇ ବାହାରିଲୁ। ମୁଁ ଗାଡିଟା ବାହାର କଲି, ଏଇ ସପ୍ତାହରେ ଗାଡିଟା ଜମାରୁ ବାହାରି ନ ଥିଲା। ରମେଶ ନେଇ ଡୁବି ତାବଲା ଆଉ ମୋ ହାରମୋନିୟମକୁ ପଛରେ ରଖିଲା। ଆମେ ପିନ୍ଧିବାକୁ ଥିବା ପୋଷାକ ବ୍ୟାଗଟିକୁ ମୁଁ ତା ଉପରେ ରଖିଲି। ସେ ସାମନାରେ ବସିଲା। ଆଚାର୍ଯ୍ୟ ବିହାର ଚାରିଛକରେ ଏବେ ଭାରି ଭିଡ। ଭାଗ୍ୟକୁ ଆମ ଦିଗକୁ ସବୁଜ ସଂକେତ ଦେଲା, ମୁଁ ଧୀରେ ଧୀରେ ଚାରିଛକ ପାର କରି ପ୍ଲାନେଟାରିଅମ୍ ଅତିକ୍ରମ କଲି। ରମେଶ ଭ୍ରାମ୍ୟଭାଷ ବସ୍ତୁଟିକୁ ଧରି କଣ ଟୁକ୍ ଟାକ୍ କରୁଥାଏ, ତାର ସାମାଜିକ ମାଧ୍ୟମରେ ଦୁନିଆ ସାଙ୍ଗସାଥି। ମୋତେ ସଦାବେଳେ ଖାତା ଖୋଲିବାକୁ ପ୍ରବର୍ତ୍ତାଉଛି, ମୁଁ ଶୁଣୁନି। ତା କଥାରେ ରଘୁ ଭାଇନା ବି ଖାତାଟେ ଖୋଲିଛନ୍ତି। ଦିନ ବାରଟା ବାଜି ନଥାଏ, ମୁଁ ଦୂରଦର୍ଶନ କେନ୍ଦ୍ର ଫାଟକ ଭିତରେ ଗାଡି ପଶେଇଲି।

ଆମେ ଦୁଇଜଣ ଆମ ଜିନିଷପତ୍ର ଧରି ପ୍ରଯୋଜକ ଦେବେନ୍ଦ୍ର ରଥଙ୍କ କୋଠରୀ ଆଡକୁ ମୁହାଇଁଲୁ। ତାଙ୍କ କୋଠରୀରେ ଦେଖିଲା ବେଳକୁ ବଂଶୀବାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ମୃଦଙ୍ଗ ବିଶାରଦ ରଙ୍ଗନାଥ ନନ୍ଦ ତାଙ୍କ ସାମନା ଚୌକିରେ ବସି କଥା ହେଉଥିଲେ।

ଆମକୁ ଦେଖି ଦେବେନ୍ଦ୍ର ବାବୁ କହି ଉଠିଲେ – “ଆସନ୍ତୁ, ଆସନ୍ତୁ। ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଆସି ପହଞ୍ଚିଗଲେ। ଆପଣଙ୍କ କଥା ତ ପଡିଥିଲା ଆଉ–”

ରମେଶ ଆଉ ମୁଁ ଆମ ଜିନିଷ ଗୋଟେ କୋଣରେ ଥୋଇ ସମସ୍ତଙ୍କୁ ନମସ୍କାର ଜଣାଇ ଗୋଟେ ଗୋଟେ ଚୌକିରେ ବସି ପଡିଲୁ।

ଦେବେନ୍ଦ୍ର ବାବୁ କହିଲେ, “ରଘୁ ଭାଇନା କୁଆଡେ ଗଲେ? ମୁଁ ଭାବିଥିଲି ଆପଣ ତିନିଜଣ ଏକା ସାଥିରେ ଆସିବେ। ତାଙ୍କୁ ଟିକେ ମନେ ପକେଇ ଦିଏ।” ସେ ନିଜ ଟେବୁଲ ଉପରୁ ଭ୍ରାମ୍ୟଭାଷଟି ଧରି ଚଷମା ଭିତରେ ଆଖି ତଳକୁ କଲେ ଆଉ ରଘୁଭାଇନାଙ୍କ ସଂଖ୍ୟାଟିକୁ ଟିପିଲେ।

“ଆଜ୍ଞା, ନମସ୍କାର, ନମସ୍କାର। ଆପଣ ବାହାରିଲେଣି? ସମସ୍ତେ ଆସି ପହଞ୍ଚିଲେଣିଯେ। ଖାଲି ଆପଣଙ୍କୁ ଅପେକ୍ଷା।” ସେ ହସି ହସି ମୁଣ୍ଡ ହଲଉଥାନ୍ତି। ହଠାତ୍ ତାଙ୍କ ମୁହଁ ଟିକେ ଗମ୍ଭୀର ହୋଇଗଲା – “ଟିକେ ଡେରି ହବ? ନାଁ ନାଁ, ଏଠି ଏକାଠି ପ୍ରସ୍ତତି ନ କଲେ କେମିତି ହେବ? ସିଧା ପ୍ରସାରଣ ହେବ ପର।। ଆପଣ ସାଢେ ବାରଟା ସୁଦ୍ଧା ଆସନ୍ତୁ।”

ସେପଟୁ ରଘୁଭାଇନା ହୁଏତ କହୁଥାନ୍ତି ଡେରି ହେବ, ଦେବେନ୍ଦ୍ର ବାବୁ କହୁଥାନ୍ତି, “ଆଉ ବେଶୀ ଡେରି କରନ୍ତୁନି। ହଉ, ଆପଣଙ୍କ ପାଇଁ ଖାଇବା ବ୍ୟବସ୍ଥା ଏଠି ହେଇଛି। ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି। ଆପଣ କାମ ଛିଣ୍ଡେଇ ଶୀଘ୍ର ଆସନ୍ତୁ। ରହୁଛି ତାହେଲେ।”

ସେ କଥା ବନ୍ଦ କଲେ। ଆମକୁ ଚାହିଁ କହିଲେ, “ତାଙ୍କ ଝିଅ ଦେହ କଣ ହଠାତ୍ ଖରାପ ହେଲା, ତାକୁ ନେଇ ଅଲ୍ଟ୍ରାସାଉଣ୍ଡ କରିବାକୁ ଅପେକ୍ଷା କରିଛନ୍ତି।”

ମୁଁ ରମେଶକୁ ଚାହିଁଲି, ସେ ମୋତେ। ଆମେ ଏ ବିଷୟରେ କିଛି ବି ଜାଣି ନଥିଲୁ। ହଠାତ୍ କଣ ହେଲା ରଘୁଭାଇନାଙ୍କ ଝିଅର?

ଆମେ ଚୁପ୍ ରହିଲୁ। ସମୟ ହାତରେ ଅଛି। ଶୁଣିଛି ଦେବେନ୍ଦ୍ର ବାବୁ କିନ୍ତୁ ସବୁବେଳେ ଏମିତି, ସେ ବହୁତ ସମୟ ହାତରେ ରଖି କାମ କରନ୍ତି। ଆଉ ରଘୁ ଭାଇନା ସବୁବେଳେ ଶେଷ ମୂହୁର୍ତ୍ତ ଯାଏ ଅପେକ୍ଷା କରାନ୍ତି। ଅନେକ ତାଙ୍କ ଉପରେ ଏଇ ଗୁଣ ପାଇଁ ବିରକ୍ତ ହୁଅନ୍ତି, କିନ୍ତୁ ସେ ନିର୍ବିକାର; ସବୁ ଗାଳିମନ୍ଦକୁ ଉପେକ୍ଷା କରି ହସି ହସି କହିବେ, “ମୁଁ ହେଲି କଳାକାର – ସମୟକୁ ମାନି ଚଳିବି ନା କଣ?”

ଆମେ ଗାଇବାକୁ ଥିବା ଭଜନ କଥା ହେଲୁ। ଉଭୟ ରାଜେନ୍ଦ୍ର ବାବୁ ଓ ରଙ୍ଗନାଥ ବାବୁ ନିଜ ନିଜ କ୍ଷେତ୍ରରେ ଦକ୍ଷ। ଥରେ ଥରେ ଆମେ ଡ୍ରେସ୍ ରିହର୍ସଲ କରିଦେଲେ ଆଉ ଭୟ ନାହିଁ। ଅନ୍ୟ ଯେଉଁମାନେ ଯାହା ବଜାଇବା କଥା ବଜେଇବେ, ଚାପ ନାହିଁ। ସେମାନେ ନୂଆ ପିଲା। କିନ୍ତୁ ଏ ଗୀତରେ ସେମାନଙ୍କ ସହ ମୁଁ ଆଗରୁ କାମ କରିଛି। ଅସୁବିଧା ହେବନି। ମୋଟାମୋଟି ଆମେ ସନ୍ଧ୍ୟାର କାର୍ଯ୍ୟକ୍ରମ ପାଇଁ ଅପେକ୍ଷା କଲୁ। ମୁଁ କୁସୁମକୁ ଛଅଟା ତିରିଶରେ ଦୂରଦର୍ଶନରେ ମୋ କାର୍ଯ୍ୟକ୍ରମ ଦେଖିବାକୁ ଥରେ ମନେ ପକାଇବାକୁ ହ୍ୱାଟ୍ସଆପ ବାର୍ତ୍ତାଟିଏ ପଠାଇଲି।

ରଘୁଭାଇନାଙ୍କୁ ଅପେକ୍ଷା କରି ଆମେ ପାଖାପାଖି ଘଣ୍ଟେ ବାଜିଲା। କାନ୍ଥା ଘଡିରେ ଗୋଟେ ବାଜିଲା। ଦେବେନ୍ଦ୍ର ବାଉ ଟିକେ ବ୍ୟସ୍ତ ହେଉଥାନ୍ତି। ଏତିକି ବେଳେ ତାଙ୍କ ସହାୟକ ଆସି ଆମ ଚରିଜଣଙ୍କୁ ଗୋଟେ ଗୋଟେ କାଗଜ ଧରେଇଲେ। ଆମ ପାରିଶ୍ରମିକ ପାଇବାକୁ ଥିବା ଆବେଦନ ପତ୍ର। ଆମେ ସମସ୍ତେ ସେଥିରେ ନିଜ ନିଜ ଦସ୍ତଖତ କଲୁ। ଆଜିର କାମ ପାଇଁ ମୋତେ ପନ୍ଦର ହଜାର ଟଙ୍କା ମିଳିବ। ସେ ରଘୁଭାଇନାଙ୍କ ପାଇଁ ଉର୍ଦ୍ଦିଷ୍ଟ କାଗଜଟିକୁ ରଖିଲେ। ଆମ ପାଇଁ ଦିପହର ଖାଇବା ଯୋଗାଡ କରିବାକୁ ତାଙ୍କୁ ଅନୁରୋଧ କଲେ। ସେ “ହଁ, ସବୁ ପ୍ରସ୍ତୁତ” କହି ବାହାରିଗଲେ।

ରମେଶ ଆଉ ମୁଁ କିଛି ଖାଇବୁନି ମନା କଲୁ। ସେମାନେ ତିନିଜଣ ଖାଇବାକୁ ଆଉ ଗୋଟେ କୋଠରୀକୁ ଗଲେ। ଏମିତି ଅଧ ଘଣ୍ଟେ ପାଖାପାଖି ବିତିଗଲା। ବାହାରୁ ଲୋକଙ୍କ ପାଦଶବ୍ଦ ଆଉ ରଘୁଭାଇନାଙ୍କ ସ୍ୱର ଶୁଣିବାକୁ ମିଳିଲା। ସେମାନେ ତିନିଜଣ ଫେରିଲା ବେଳକୁ ରଘୁଭାଇନା ବି ସାଙ୍ଗରେ ଥିଲେ।

ରଘୁଭାଇନା ଓ ଦେବେନ୍ଦ୍ର ବାବୁ ବହୁ ଦିନର ପରିଚିତ, ପାରସ୍ପରିକ ସଂପର୍କ ଘନିଷ୍ଠ ନହେଲେ ବି ବେଶ୍ ଉଷ୍ମ। ରଘୁ ଭାଇନା ସାମାନ୍ୟ ହାଲିଆ ଦିଶୁଥାନ୍ତି। ସେ କହିଲେ, “କଣ କରିବି, ଝିଅର ଦେହଟା ପରା ହଠାତ୍ ଖରାପ ହେଇଗଲା। ସକାଳୁ ପେଟ କାଟୁଛି ପେଟ କାଟୁଛି କହିକି ତ ଗଡିଲା। ଡାକ୍ତରଙ୍କୁ ପଚାରିକି ଔଷଧ ଦେଲି ଯେ, ତଥାପି ଦଶଟା ବେଳକୁ କମିଲାନି। ଡାକ୍ତର କହିଲେ ଅଲ୍ଟ୍ରାସାଉଣ୍ଡ କରିକି ଆଣ। ତାକୁ କରେଇବାକୁ ତ ଧାଡିରେ ଠିଆ ହେଇଛି ଯେ ହେଇଛି। ଦି ଘଣ୍ଟା ଗଲାପରେ ଆମ ପାଳି ପଡିଲା। ସେ କାମ ସାରି ପୁଣି ଡାକ୍ତରଙ୍କୁ ଦେଖେଇଲି, ସେ କହିଲେ, “କିଛି ନାହିଁ। ଖାଲି ବାୟୁଜନିତ ସମସ୍ୟା। ସକାଳୁ ତ ଏଇ ଜଞ୍ଜାଳରେ ଫସିଛି।”

“ଆଜିକାଲି ଯୋଉ ସବୁ ରାସ୍ତାଘାଟ ଖାଇବା, ଗୁପଚୁପ୍, ଦହିବରା ଆଳୁଦମ୍, ଏସବୁ ଖାଇଲାରୁ ପିଲାଙ୍କର ଏମିତି ହଉଚି। ମୋ ଝିଅକୁ ଯେତେ ମନା କଲେ ସେ କଣ ଶୁଣୁଛି?” ରାଜେନ୍ଦ୍ର ବାବୁ ମନ୍ତବ୍ୟ ଦେଲେ।

ଦେବେନ୍ଦ୍ର ବାବୁ ତାଙ୍କ ଆଲମାରୀ ଖୋଲି ଗୋଟେ ବଡ କନା ମୁଣା ବାହାର କଲେ। ସେଥିରୁ ସେ ହଲଦୀରଙ୍ଗର ଚାରୋଟି ଉତ୍ତରୀୟ ବାହାର କଲେ। ଆଉ କିଛି ସେ ମୁଣାରେ ରହିଥାଏ। ଉପର ଜରି ବାହାର କରି ସେ ଉତ୍ତରୀୟ ଖୋଲି ଆଗେ ବଂଶୀବାଦକଙ୍କ କାନ୍ଧରେ ପକାଇଦେଲେ, ଆମ ଭିତରେ ସେ ସବୁଠୁ ବୟସ୍କ। ସେ ଧଳା ପଞ୍ଜାବୀ ପିନ୍ଧି ଆସିଥିଲେ, ଧଳା ପଞ୍ଜାବୀ ଉପରେ ହଲଦୀ ରଙ୍ଗର କଳା ଓ ନାଲିର ସରୁ ଧଡି ଉତ୍ତରୀୟ ଭାରୀ ସୁନ୍ଦର ମାନିଲା। ସେ ରାଜେନ୍ଦ୍ରବାବୁ ଓ ରଘୁଭାଇନାଙ୍କ କାନ୍ଧରେ ଉତ୍ତରୀୟ ପକାଇ ଆମ ଉପରେ ବି ପକାଇଲେ।

“ଚାଲନ୍ତୁ ଯିବା, ଟିକେ ସେଟଟା ଦେଖିଦେବା। କୋଉଠି କିଏ ବସିବ ସ୍ଥିର କରି ଅଭ୍ୟାସ ଆରମ୍ଭ କରିବା।” ଦେବେନ୍ଦ୍ର ବାବୁ କହିଲେ।

ଆମେ ସବୁ ଉଠିଲୁ। ଯେଉଁଠି ଆମେ ଗାଇବୁ, ସେ କୋଠରୀର କାନ୍ଥ ସବୁ ଗେଣ୍ଡୁ ଫୁଲ ମାଳରେ ସଜା ହୋଇଥାଏ। ଗୋଟେ କୋଣରେ ଶ୍ରୀଜଗନ୍ନାଥଙ୍କର ବଡ ପ୍ରତିମା ରଖାହୋଇଥାଏ। ତାଙ୍କୁ ସଜ ରଜନୀଗନ୍ଧାର ମାଳାଟିଏ ପିନ୍ଧା ଯାଇଥାଏ। ତା ସାମନାରେ ପିତ୍ତଳର ପିଲିସଜ ଦୁଇଟି ଦି କରରେ ରଖାଯାଇଥାଏ। ପ୍ରକୋଷ୍ଠଟି କି ମନୋହାରୀ ଦିଶୁଥାଏ। ଧଳା, କଳା, ନାଲି ଓ ହଳଦୀ ରଙ୍ଗ ମିଶିମାଶି ଯାଇ କୋଠରୀଟି ଜଗନ୍ନାଥମୟ ମନେ ହେଉଥାଏ। ଯେମିତି କାଳିଆର କଳା, କାଳିଆର ହଳଦୀ ବସ୍ତ୍ର, କାଳିଆର ରଙ୍ଗ ଅଧରରୁ ରଙ୍ଗ ଆସି ଏଠି ବୋଳା ହୋଇଛି।

ଦେବେନ୍ଦ୍ର ବାବୁଯେ ଜଣେ ଭଜନ ପ୍ରିୟ ଭକ୍ତ ଜାଣିଥିଲି, କିନ୍ତୁ ସେ କେତେ ସୂକ୍ଷ୍ନ ରୁଚିସଂପନ୍ନ ଏଇ ପ୍ରକୋଷ୍ଠ ସାଜସଜ୍ଜା ଦେଖି ମୁଁ ବୁଝିଲି।

ଏଥର ଅଭ୍ୟାସ ସମୟ। ଗପସପ ଭିତରେ ଆମେ ପ୍ରାୟ ଦୁଇ ଘଣ୍ଟା ଅଭ୍ୟାସ କଲୁ। ସନ୍ଧ୍ୟାବେଳର ଚା ଜଳଖିଆ ଖାଇ ନିଜ ପୋଷାକ ବଦଳାଇ ପ୍ରସାଧନ ପାଇଁ ଗଲୁ। ପରିଚିତ ପ୍ରସାଧନ କଳାକାର ଆମ ମୁହଁରେ ବହଳ ପାନକେକ୍, ପାଉଡର, ହାଲୁକା ଓଠରଙ୍ଗ ଆଦି ବୋଳାବୋଳି କରି ଛାଡିଲେ। ସେ ହଲଦୀ ଉତ୍ତରୀୟଟି ଆଣି ମୋ ବାମ କାନ୍ଧରେ ପକାଇ ଦେଲେ ଆଉ ମୁଚୁକୁନ୍ଦିଆ ହସଟେ ମାରି କହିଲେ, “ପୂରା ବର ବେଶ, ଝକାସ୍!

ମୁଁ ମନକୁ ସ୍ଥିର କଲି। ଯେଉଁଥି ପାଇଁ ଏତେଦିନ ହେଲା ପ୍ରସ୍ତୁତି ଚାଲିଥିଲା, ସେ କାମ ଆଉ କିଛି ସମୟ ଭିତରେ ଆରମ୍ଭ ହେଇ ସରିବି ଯିବ!

(କ୍ରମଶଃ)

Related Posts

Leave a Reply

Your email address will not be published. Required fields are marked *