ସୁପ୍ରିୟା ପ୍ରଶାନ୍ତ

ଭାଗ –

ରାଗ ଅନୁରାଗ

ରମେଶ ଗଲା ପରେ ମୁଁ ହାରମୋନିଅମ୍ ଧରି କେତେ ସମୟ ଅଭ୍ୟାସ କଲି। କାଲି ସନ୍ଧ୍ୟାରେ ଆମର ଦୂରଦର୍ଶନରେ ସିଧା ପ୍ରସାରଣ। ସେଥିପାଇଁ କଣ ପିନ୍ଧିବୁ ଇସ୍ତ୍ରୀ କରିବାକୁ ପଡିବ। ପ୍ରଯୋଜକ ମହାଶୟ କହିଛନ୍ତି, ସବୁ କଳାକାର ଧଳା ପଞ୍ଜାବୀ ଓ ଚୁଡିଦାର ପିନ୍ଧିବେ, ଆଉ ତା ସହ ଗୋଟେ ଗୋଟେ ହଳଦୀ ରଙ୍ଗରେ କଳାଧଡି ଥିବା ଉତ୍ତରୀୟ ପକାଇବେ। ସେ ଖାସ୍ ଏଇ ବିଶେଷ ସଂଗୀତ ସନ୍ଧ୍ୟା ପାଇଁ ବରପାଲିର ଜଣେ ପ୍ରସିଦ୍ଧ ହସ୍ତତନ୍ତ ଶିଳ୍ପୀଙ୍କୁ ବରାଦ ଦେଇ ଉତ୍ତରୀୟ ବୁଣାଇଛନ୍ତି। ମୋତେ ମୋ ପଞ୍ଜାବୀ ଓ ଚୁଡିଦାର ନେଇ ଇସ୍ତ୍ରୀ କରାଇ ଆଣିବାକୁ ପଡିବ।

ହଠାତ୍ ଜୋର ବର୍ଷା ଆରମ୍ଭ ହେଇଗଲା। ଶୋଇବା ଘର ଝରକା ପାଖକୁ ଯାଇ ଦେଖିଲି, ବର୍ଷା ଭିତରକୁ ଛାଟୁ ନଥିଲା। ମୋ ଖଟ ଝରକାକୁ ଲାଗିଛି। କେତେ ଥର ବନ୍ଦ କରିବା ଭୁଲି ଯାଇଥିବି, ବର୍ଷା ପାଣି ଛାଟରେ ବିଛଣା ଓଦା ହେଇଯାଇଥିବ, ପୁଣି ତାକୁ ନେଇ ଛାତ ଉପରେ ଶୁଖାଇବା ଝାମେଲା।

ବର୍ଷାକୁ ନେଇ ଗୀତଟେ କରିବାକୁ ମନ, ହେଲେ ସେମିତି କିଛି ସୁର ମୁଁ ତିଆରି ପାରୁଛି କୋଉଠି? ଗୀତମୟ ବର୍ଷା – ହଠାତ୍ ମତେ ଭାରି ଉଦାସ ଲାଗିଲା। ଏକୁଟିଆ ବି ଲାଗିଲା। ମନ ଭିତରେ କେଉଁଠି କଣ ହେଉଥିଲା, କିନ୍ତୁ ମୁଁ ତାର କିଛି କାରଣ ଖୋଜି ପାଇଲିନି। ମୁଁ ଫାଟକ ସାମ୍ନାରେ ଥିବା ବତୀଖୁଣ୍ଟକୁ ଚାହିଁରହିଲି। ଆଷାଢର ଧାର ଧାର ବର୍ଷାରେ ବତୀଖୁଣ୍ଟ ଆଲୁଅର ସୁନେଲି ଜ୍ୟୋତି ଯେମିତି ଛାଣି ହେଇ ପଡୁଛି – ତା ଆଭାରେ ପାଖ ତରାଟ ଗଛର ଗାଢ ସବୁଜ ପତ୍ର ଆଉ ତାରାଫୁଲ ଗୁଡା ଚିକମିକ୍ କରୁଛି, ସ୍ୱପ୍ନିଳ ସୁନେଲୀ ଜଳଚିତ୍ରଟିଏ ତିଆରି ହେଇସାରିଥାଏ।

ମୁଁ ଅନୁଭବ କଲି ଶ୍ରୀ ପୁଣି ମୋ ଚେତନାକୁ ଆବୋରିବାକୁ ଆରମ୍ଭ କଲା। ମୁଁ ଓଜନିଆ ନିଶ୍ୱାସଟେ ଛାଡିଲି।

ନା, ଦିନ ଶେଷରେ ଛାଇ ଅନ୍ଧାରରେ ଶ୍ରୀ ଆଉ ଫେରିନି। ଆଖିରେ ଆଖିଏ ଜହ୍ନରାତି ନେଇ ସେ ଆଉ କେବେବି ଫେରିବନି। କେତେ ବର୍ଷ, ହଁ, ପ୍ରାୟ ତିନି ବର୍ଷ ପାଖାପାଖି ହେବ, ଆମର ଆଉ କୌଣସି ପ୍ରକାର କଥାଭାଷା ନାହିଁ। ପରସ୍ପରର ଅଂହକୁ ଛେଚି ଛେଚି ଦରମରା ଫୋପାଡି ଶେଷରେ କ୍ଳାନ୍ତ ହେଇ ଆମେ ନିରବି ଯାଇଛୁ। ମୁଁ କେତେ ଦୋଷୀ, କେତେବା ମୁଁ ତାକୁ କ୍ଷମା କରିପାରିଛି? ଏ ହିସାବ କରିବାକୁ ମୋର ଇଛା ନାହିଁ। ଅସଂଖ୍ୟ ସଂପର୍କ ପାଖରେ ବନ୍ଧାପଡଛି ମୁଁ। ଆପାତତଃ, ଜୀବନ ମୋର ଚମକୁଛି ଭୟାନକ ମଧ୍ୟମମାନର କଳା, ଆସର, ଗୁଲିଖଟି, ବୃଥା ଆଡମ୍ବର ଓ ଛାପଛାପିଆ ସ୍ମୃତିରେ।

“ମୋ ପାଖରେ ବହୁତ ଟଙ୍କା ଥିଲେ ମୁଁ ଗୋଟେ ସିନେମା କରିଥାନ୍ତି—ତୁମ ମୁହଁର ସବୁ ଛୋଟ ଛୋଟ ନିଖୁଣ ଅଭିବ୍ୟକ୍ତିକୁ କ୍ୟାମେରାରେ ଧରି ରଖନ୍ତି।”
“ସିନେମା ହଲରେ କୁଆ ଉଡନ୍ତେନି।” ଶ୍ରୀ ଖିଲିଖିଲି ହସିଲା।
“ମୁଁ ଏକା ବସି ଦେଖନ୍ତି।”
“ଗୋଟେ ଗୀତ ଗାଇବାକୁ କହିଲେ ତ ଦୁନିଆ ବାହାନା, କଣ ନା ସିନେମା କରିଥାନ୍ତି! ତୁମେ ସବୁବେଳେ ଗୀତ ଗାଇବା ଆଗରୁ ଏମିତି କାହିଁକି ବାଡେଇ ଛାଟି ହୁଅ କେଜାଣି?”
“ମୁଁ ଯେତିକି ଭଲ ଗାଇବାକୁ ଚାହୁଁଛି, ସେମିତି ଗାଇ ପାରୁନି। ସୁରରେ ସେମିତି କିଛି ସୁଧାର ଆଣିପାରୁନି। ନିଜର ଦୁର୍ବଳତା ମୁଁ ଭଲ ଭାବେ ଜାଣେ।”
“ଏମିତି ନିଜେ ନିଜେ ଭାବିଦେଲେ ହୁଏ ନା କଣ? ଦେଖ, ମୁଁ କେମିତି ନାଚୁଛି—ଏବେ ହରିଣ ଛୁଆଟେ ହେବି—”
ଏହା କହି ଶ୍ରୀ ହରିଣ ଛୁଆଟେ ଭଳି ଓଡିଶୀ ଠାଣିରେ ପାଦ ପକେଇ ଡେଇଁବାକୁ ଲାଗିଲା।
ଟିକେ ରହି କହିଲା ଦେଖ—“ମୁଁ ମୟୂର ହେଇ କେମିତି ନାଚିବି।”
ସେ ହାତ ମେଲେଇ, ମୟୂର ଭଳି ପୁଚ୍ଛ ମେଲେଇ ଦୁଇ ଗୋଡକୁ ସମ୍ଭ୍ରମରେ ଟେକି ମୂହୁର୍ତ୍ତକରେ ମୟୂରଟିଏ ପାଲଟିଗଲା।
ମୁଁ ସେମିତି ତାକୁ ଚାହିଁ ରହିଥାଏ।
“ଖାଲି ତ ମୁଗ୍ଧ ମୋହିତ ହେଲ, ମୁଁ କଣ କହୁଛି ଟିକେ ଶୁଣ।” ସେ ମୋ ପାଖରେ ବସି କହିଲା।
“ଛାଡ ସେକଥା। ଏମିତି ଏମିତି ହେଇ ସମୟ ଚାଲିଯିବ। ମୋର କିଛି ଉଚ୍ଚାକାଂକ୍ଷା ନାହିଁ । ସମସ୍ତେ ଯେ ଉଚ୍ଚକୋଟିର କଳାକାର ହେବେ, କିଛି କଥା ଅଛି?”
“ଓହୋଃ, ତୁମେ ଗୀତ ଗାଇଲେ ଯେମିତି ମୋ ବାପାଙ୍କର ନାଁ ହେଉଛି!” ଶ୍ରୀ କପାଳରେ ହାତା ଦେଇ କହିଲା।
“ନା, ମୋ ଦ୍ୱାରା ଆଉ ନୂଆ କିଛି ହେବନି, ନା ନୂଆ କିଛି କମ୍ପୋଜ କରିପାରୁଛି ନା ସେମିତି ଭଲ ଗୀତ ଗାଇବାକୁ ମିଳୁଛି…”
“ବସିକି ହାରମୋନିଆମରେ ସୁର ତୋଳିଲେ ସିନା, ଖାଲି ଭାଳିହେଲେ କଣ ହେବ? ଭାବିଥିଲି ଗୋଟେ କଳାକାରକୁ ମନ ଦେଇଛି, ମୋତେ ତା କଳାରେ ସାଇତି ରଖିବ।” ଶ୍ରୀ ମିଛିମିଛିକା ମୁହଁ ଶୁଖାଇ କହିଲା।
“ତୁମେ ଆରୋହଣ, ଅବରୋହଣ ତୁମେ …”
“ଆଉ ତୁମେ ଗୋଟେ ମସ୍ତବଡ ଠକ।” ଶ୍ରୀ ହସି ହସି କହିଲା ଆଉ ମୋ ମୁଣ୍ଡ ବାଳକୁ ସଜାଡିବାରେ ଲାଗିଲା। ମୋ ଆଡେ ମମତାଭରା ଆଖିରେ ଚାହିଁ କହିଲା, “ମୁଁ ଯଦି ଗୀତ ଗାଇପାରୁଥାନ୍ତି ତୁମ ସହ ଆହୁରି ବେଶୀ ସମୟ ବିତେଇ ପାରୁଥାନ୍ତି। ଆମେ ମିଶିକି ଗୀତ ଗାଆନ୍ତେ, ଏକାଠି କେତେ ଆଡେ ଗୀତ ଗାଇବାକୁ ଯାଆନ୍ତେ, ଷ୍ଟୁଡିଓରେ ରେକର୍ଡିଙ୍ଗ କରନ୍ତେ…”
“ଏକାଠି ରହିଲେ ମୁଁ ଆଉ କିଛି କରନ୍ତିନି। କୁଆଡେ ଦୂରରେ ଯାଇ ଜଙ୍ଗଲରେ ରୁହନ୍ତେ!”
ଶ୍ରୀ ହଠାତ୍ ଚୁପ୍ ହେଇଗଲା। ମୁଁ ତାକୁ ବିବାହର କଥା କେବେ କହିନଥିଲି ବା ବିବାହର ପ୍ରତିଶ୍ରୁତି ଦେଇ ନଥିଲି। ମୁଁ ନିଜେ ସେସବୁ ବିଷୟରେ ସନ୍ଦୀହାନ ଥିଲି। କିନ୍ତୁ ସେ କେବେ ମୋତେ ଦେଖେଇ ଏଥିପାଇଁ କିଛି କହିନି।
“ମୋ ଭଳି ଜଣେ ତୁମ ଜୀବନରେ ନ ଆସିଥିଲେ ଭଲ ହେଇଥାନ୍ତା। ମୁଁ ଜାଣି ନଥିଲି ଆମେ…” ମୁଁ ଭୟାର୍ତ୍ତ କଣ୍ଠରେ କହିଲି।
“କିଏ କଣ ଏ କଥା ଜାଣିଥାଏ ନା କଣ? ମୁଁ କୋଉ ଭାବିଥିଲି ଆମେ ଏମିତି ଯୋଡି ହେଇଯିବା!” ଶ୍ରୀ ଫିକା ହସି କହିଲା।
“ମୁଁ କିନ୍ତୁ ଭୀଷଣ ସ୍ୱାର୍ଥପର।”
ଛନ୍ଦିହୋଇଯାଏ ଆମର ଶିରା ପ୍ରଶିରା ଧମନୀ, ମିଶିଯାଏ ରକ୍ତର ପ୍ରବାହ…

ଶ୍ରୀ କଣ ମୋ ନୂଆ ଗୀତଟା ଶୁଣିଥିବ? ତା ସହ କଥା ହେଲେ ପୁଣି କନ୍ଦାକଟା କରିବ, ଛିଗୁଲେଇବ, ଯେତେ ବାଜେ କଥା କହିବ: ଜୀବନରେ, ମିଳନରେ, ପ୍ରତିହିଂସାରେ ତୁମେ ଯେମିତି ଚାହିଁଲ, ସେମିତି ହେଲା। ଯନ୍ତ୍ରଣାରେ, ଶୂନ୍ୟତାରେ, ମୃତ୍ୟୁରେ ମୁଁ ଯେମିତି ଚାହେଁ ସେମିତି ହେବ।

କଣ ଚାହେଁ ସେ? ନିଆଁ ଗୁଳାଟେ ଜଳି ପୋଡି ହଉଛି, ମୋତେ ବି ସାଙ୍ଗରେ ଜାଳୁଛି। ସବୁ ଜଳି ପୋଡି ପାଉଁଶ, ତା ଭିତରେ ହଜିଲା କସ୍ତୁରୀ ଖୋଜିଲେ କଣ ମିଳିବ?

ଏମିତି ଯେଉଁସବୁ ଜୀବନ ଗୀତ ଆକସ୍ମିକ ଭାବେ ଯୋଡି ହେଇଯାଏ, ସେସବୁର ସ୍ୱର ଲୟ ତାଳମେଳ କଣ ଶେଷ ପର୍ଯ୍ୟନ୍ତ ରହେ? ମୋର ଗୁଡେ ସାଙ୍ଗଙ୍କର ଚାକିରୀବାକିରି ହେଇନଥିଲା। ସ୍ୱପ୍ନସୁନ୍ଦରୀମାନେ ପରିବାର ଚାପରେ ଭଲ ପ୍ରସ୍ତାବ ଦେଖି ବାହାହେଇଗଲେ, ତାଙ୍କୁ ମନେ ପକେଇ ଦାଢିଫାଢି ବଢେଇ ଦଳେ କାନ୍ଦି କାନ୍ଦି ଦିନରାତି ଏକ କଲେ। ପୁଣି କିଛି ଝିଅ କହିଲେ ଆମକୁ ନେଇ ଯା, ବେକାର ପ୍ରେମୀମାନେ କହିଲେ ନା ଆମେ ନେଇ ଆଣି ଥୋଇ ପାରିବୁନି। କେତେବର୍ଷ ତଳେ ମୋର ଗୋଟେ ଦେବଦାସ ସାଙ୍ଗକୁ ବୁଝେଇଥିଲି: “ବାୟାଟାରେ, ଯିଏ ନିଜ ସୁରକ୍ଷା, ଭବିଷ୍ୟତ କଥା ଭାବି ବାଟ କାଟି ଚାଲିଗଲା, ସେ କଣ ଆଉ ଫେରିବ? ଯଦି ବା ଫେରେ, ସେ କଣ ତୋ ପାଇଁ ଫେରିବ? ଜଣେ ଯଦି ନିଜ କଥା ଭାବିଲା ସେଥିରେ କ୍ଷତି କଣ, ତୁ ତୋ କଥା ଭାବେ? ସେ ଥରୁଟିଏ ଡାକିଲେ ତୁ ସବୁ ଛାଡିଛୁଡି ତା ପାଖକୁ ପଳେଇବୁ କହୁଛୁ, ହେଲେ ସତରେ ଧାଇଁ ଯାଇପାରିବୁ? ଗଲେ ବି କଣ ପାଇବୁ?”

କିଛି ମାସ ପରେ ସେ ବାହା ହେଇ ସୁଖ ସଂସାର କଲା; ଆଉ ଏବେ ଗୋଟେ ଛନଛନିଆ ପ୍ରେୟସୀଟିଏ ଧରି ମହାଆନନ୍ଦରେ ବୁଲୁଛି।

ଶ୍ରୀ ଅନ୍ୟ କାହା ହାତ ଧରି ସଂସାର କଣ କରିନଥାନ୍ତା? କିନ୍ତୁ ତା ବୋଲି କଣ ସେ ଆଶା କରୁଥିଲା ମୁଁ ତା ସ୍ୱାମୀ ସୋହାଗ ଶୁଣିଥାନ୍ତି, ମୋର ଆଉ କିଛି ଧନ୍ଦା ନାହିଁ! ମୁଁ ନିଜ ସୁବିଧା ଦେଖେ, ନିଜ ଆରାମ ବାହାରେ ଆଉ କିଛି ବୁଝେନା। ମୋର ପ୍ରକୃତି ସେମିତି, ଆଜି ଆଉ ବଦଳେଇ ପାରିବି କି? ଏଥିପାଇଁ ମୋତେ କମ୍ କଥା ଶୁଣେଇନି ଶ୍ରୀ, ସେ ଅସମ୍ଭବ ଝିଅଟା।

କାମିନୀରଙ୍କା, ଠକ ଶିରୋମଣି!

କାଲି ସନ୍ଧ୍ୟାବେଳେ ଆମ ଘର ପାଖ ମା ମଙ୍ଗଳା ମନ୍ଦିର ଯାଇଥିଲି। ମନ୍ଦିର ଛକରେ ଗୋଟେ ଟ୍ରକ ପଛରେ ଲେଖା ପଢିଲି: ଏ ସଂସାରରେ କେବଳ ପାନବାଲା ହିଁ ସଚ୍ଚା, ସେ ପଚାରିକି ଚୂନ ମାରେ। ମୁଁ କଣ କରିବି ଯେ, ସେତିକି ବେଳୁ ମୋର ତୁମ କଥା ମନେ ପଡୁଛି। ଏକଥା ନ କହିକି ମୁଁ ଚୁପ୍ ରହିପାରିଥାନ୍ତି, କିନ୍ତୁ ତୁମ ମୋ କଥା ଆଉ କାହାକୁ କହିପାରିବିକି? ଏତେ ଦିନର ଯେଉଁ ଅଭ୍ୟାସ ସେ କଣ ସାଙ୍ଗେ ସାଙ୍ଗେ ଉଭେଇଯିବ? ମୁଁ ବେଳେ ବେଳେ ଭାବି ଆଶ୍ଚର୍ଯ୍ୟ ହୁଏ ତୁମେ ମୋ ଚିଠିସବୁକୁ ନପଢିକି ଇନବକ୍ସରୁ ହଟେଇ ଦେଉନ! କାହିଁକି ଯେ?
ମୁଁ ମନେ ମନେ ତୁମକୁ କେତେ ଶଁପିଛି: ସେ କଅଁଳକହି ପାନେ ଦେବ, ତାପରେ ନିଜ ଭୁଲ୍ ବୁଝିବ, ଅନୁତାପ କରିବ, ମୋ ପାଖକୁ ଫେରିଆସିବ। ମୁଁ ଖୁସି ହୁଏ ମୋ ପାଖକୁ ଆସିବାର ସବୁ ବାଟ ମୁଁ ବନ୍ଦ କରିଦେଇଛି। ସେତେବେଳେ ତୁମେ ଭୋଗିବ, ଛଟପଟ ହେବ, କଲବଲ ହେବ, ବୁଦ୍ଧି ଶିଖିବ। କେଜାଣି, ହୁଏତ ତୁମେ ଅନ୍ୟ ଉପାଦାନରେ ଗଢା, ତୁମେ ହୋହାଲ୍ଲା ଉଲ୍ଲାସରେ ଥିଲ, ହୋହାଲ୍ଲାରେ ରହିବ। ନିଜ ଅଂହକାର ଓ ସ୍ୱାର୍ଥର ପରିଧି ବାହାରେ ଅନ୍ୟକୁ ବୁଝିବାକୁ ହୁଏତ କେବେ ଚେଷ୍ଟା ବି କରିବନି। ଏ ଭାବେ ବି ଅନ୍ୟକୁ ବିଚାର କରିବାକୁ ହୁଏ ତୁମେ କଣ ସେ କଥା ଜାଣନା?

ତୁମ ସହ ଏ ଜନ୍ମ ବା ଜନ୍ମାନ୍ତରରେ ଆଉ କୌଣସି ପ୍ରକାର ମୁଁ ଯୋଡି ହେବି ନାହିଁ, ଏ କଥା ଦିନ ଆଲୁଅ ଭଳି ସ୍ପଷ୍ଟ। ବେଳେ ବେଳେ ମୁଁ ଅବାକ୍ ହୁଏ, ଖାଲି କଣ ଅଭ୍ୟାସ ଦୋଷରୁ ବା ଅସ୍ଥିମଜ୍ଜାର ଖୁନ୍ଦାଖୁନ୍ଦି ଶୂନ୍ୟତାକୁ ପାଶୋରିବାକୁ ତୁମ ସ୍ମୃତିର ସାହାଯ୍ୟ ନିଏ? ନା, ତା ଠିକ୍ ନୁହେଁ। କେତେ କେତେ ମୂହୁର୍ତ୍ତରେ ମୁଁ ତୁମକୁ ହିଁ ଲୋଡିଛି, ତୁମକୁ କେବଳ ତୁମକୁ ଖୋଜିଛି। ଆଉ ସେଥିପାଇଁ ମୁଁ ନିଜକୁ ଧିକ୍କାର କରିଛି, ଲଜ୍ଜାନାହିଁ ମୋତେ, ଯା ମନରେ ମୋ ପାଇଁ ଟୋପାଏ କରୁଣା ନାହିଁ, ଯିଏ ମୋ ବିଶ୍ୱାସର ମୂଳଦୁଆକୁ ହଲେଇ ଚାଲିଯାଇଛି, ମୁଁ ତାକୁ ଝୁରି ହେଉଛି, ତା କଥା ଭାବି ହେଉଛି। ସେ ତ ସବୁ ଭୁଲି ନୂଆ ଜୀବନ ଆରମ୍ଭ କଲାଣି। ନିଜକୁ ଧିକ୍କାର କରି କରି ମୁଁ କୁଆଡେ କେତେ ଦୂର ଚାଲିଯାଏ, ମନେ ହୁଏ ତୁମ ମୋ ଭିତରେ ପୃଥିବୀ ଅନ୍ତରୀକ୍ଷର ବ୍ୟବଧାନ—ବେଶ୍ କେତେ ଦିନ ମନ ହାଲୁକା ଲାଗେ, ମିଛ ମାୟା ସଂସାର ପାଇଁ ନୂଆ କୌତୂହଳ ଜାଗେ। କିଛି ଦିନ ପରେ ପୁଣି ଯୋଉ କଥାକୁ ସେଇ କଥା—ଜହ୍ନ ଦର୍ପଣରେ ତୁମ ମୁହଁ ଆଗଭଳି ସଫା ଦିଶିଯାଏ।
କି ଅଡୁଆ ସତେ—ଯିଏ ମନ ଦେଇଛି, ସେ ଜାଣିଛି!

(କ୍ରମଶଃ)

Related Posts

Leave a Reply

Your email address will not be published. Required fields are marked *