ସୁପ୍ରିୟା ପ୍ରଶାନ୍ତ

ଭାଗ –୭

ଜୀବନ ସଂଗୀତ

ଶ୍ରୀକୁ ୟୁଟ୍ୟୁବରେ ଦେଖୁ ଦେଖୁ କେତେବେଳେ ଆଖି ଲାଗି ଯାଇଛି ଜଣାନାହିଁ। ଭ୍ରାମ୍ୟଭାଷର ଘଣ୍ଟିରେ ମୋ ନିଦ ଭାଙ୍ଗିଗଲା — ରମେଶ। ସମୟ ଦିନ ଦିଟା ପନ୍ଦର।

“ହଁ,” ମୁଁ କହିଲି।
“ଭାଇ, ଖାଇସାରିଲଣି କି?”
“ନାଁ,”
“ତାହେଲେ ମୁଁ ଯାଉଛି ରୁହ, ମାଛ ତରକାରୀ ନେଇକି। ଏକାଠି ଖାଇବା। ତୁମେ ଚାଉଳ ଟିକେ ଧୋଇକି ପାଣି ଦେଇକି ରଖିଥା। ମୁଁ ଗଲେ ବସେଇବି।”
“ହଉ” କହି ମୁଁ ଫୋନ୍ ରଖିଲି।

ମୁଁ ଉଠିକି ଆଗେ ଚାଉଳ ଜାଗାରେ ଡବାଟେ (ଏ ମାପ ଡବାଟା ରମେଶ ରଖିଛି) ଚାଉଳ ଆଣି ଧୋଇ ପାଣି ପୂରେଇ ରଖିଲି।
ଭାବିଲି, ଯାଏ ଗାଧେଇ ଆସେ।
ଠିକ୍ ଗାଧୁଆ ସରିଛି, କବାଟ ଠକ୍ ଠକ୍ ହେଲା।
ରମେଶ ଗୋଟେ ହାତରେ ଇସ୍ପାତ ଜଳଖିଆ ଡବାଟେ ଧରି ଭିତରକୁ ପଶିଲା। ଦି ଥାକିଆ ଡବା।

“ଆଜି ସକାଳୁ ଭାଇ କୁଆଖାଇ ପାଖରୁ ଯାଇ ଭଲ ଇଲିଶି ଆଣିଥିଲେ। ବୋଉ ସୋରିଷ ବଟା ବସା ଦହି ଦେଇକି କରିଛି। ମୁଁ ଭାବିଲି, ତୁମ ସହିତ ଖାଇବି,” କହି କହି ରମେଶ ଭାତହାଣ୍ଡି ଗ୍ୟାସ୍ ଚୂଲା ଉପରେ ବସାଇଲା।

ମୁଁ ଫ୍ରିଜରୁ ଦୁଇଟା କାକୁଡି, ଗୋଟେ ବିଲାତି ବାଈଗଣ, ମୁଠେ କଞ୍ଚାଲଙ୍କା ଆଉ କିଛି ଧନିଆ ପତ୍ର ବାହାର କରି ରଖିଲି। ରମେଶ ତାକୁ ସବୁ ଧୋଇ ଚୁନ୍ ଚୁନ୍ କରି କାଟିଲା। ସେ ପିଆଜ ଗୋଟେ କାଟି ସେଥିରେ ପକାଇଲା।
“ଆଜି ପୁଣି କୋରାପୁଟ ସଂସ୍ଥା ମୋ ସହ ଯୋଗାଯୋଗ କରିଥିଲେ। ମୁଁ ତାଙ୍କୁ କହିଲି, ବ୍ୟସ୍ତ ହେବାର କିଛି ନାହିଁ, ଆମେ ନିଶ୍ଚୟ ଆସିବୁ।”
“ରଘୁ ଭାଇନା ତ କିଛି କହିନାହାନ୍ତି।” ମୁଁ କହିଲି।
“ସେ ଯେମିତି ହେଲେ କଣ କଣ କରିକି ଆସିବେ। ତୁମେ କଣ ତାଙ୍କୁ ଜାଣନା?”
“ହଁ।” ମୁଁ ଟିକେ ରହି କହିଲି, “ଭାବୁଛି, ବେଙ୍ଗାଲୁରୁ ଯାଇ ବୁଲି ଆସିବି। ରାକ୍ଷୀ ପୂର୍ଣ୍ଣିମାକୁ ଯିବାକୁ କୁସୁମ ଭାରୀ ବାଧ୍ୟ କରୁଛି।”

ରମେଶ କିଛି କହିଲାନି। ସେ ଭାତହାଣ୍ଡି ଘୋଡଣୀ କାଢି ଗୋଟେ କର୍ଚୁଲି ଧରି ତା ଭିତରେ ବୁଲଉଥିଲା।
“କୋରାପୁଟ କାର୍ଯ୍ୟକ୍ରମ ତ ଡେରି ଅଛି। ଆଉ ନୂଆ ଆଲବମ କାମ ତ ଧୀରେ ସୁସ୍ଥେ ଚାଲିଛି। ଭାବୁଛି ତିନି ଚାରିଦିନ ଯାଇ ବୁଲି ଆସିବି।” ମୁଁ ରମେଶ ଆଡକୁ ଚାହିଁ କହିଲି।

ସେ ମୋ ଆଡକୁ ଚାହିଁ ହସିଲା। ଭାତ ଚାରିଟା ଆଣି ଆଙ୍ଗୁଳିରେ ଟିପିଲା, ହେଇଯାଇଛି ଦେଖି ଗଳାକନା ଚାପି ଧରି ଭାତ ଗାଳିଲା।
ମୁଁ ତାକୁ ସାହାଯ୍ୟ କରିବାକୁ ଯାଇ ଦିଇଟା ଥାଳି ଧୋଇଲି, ଦିଇଟା ଗିନା ବି ଧୋଇଲି। ରମେଶ ଭାତ ଗାଳି ହାଣ୍ଡିକୁ ଟିକେ ଠୁକ୍ ଠୁକ୍ କରି ଥୋଇଲା।
ଆମେ ଦୁହେଁ ଖାଇ ବସିଲୁ। ଆମ ଖାଇବା ଟେବୁଲ ମୋ ଲାପଟପ ଟେବୁଲ ଭାବେ ଯୁଗ୍ମ କାମ କରେ। ରମେଶ ଘରୁ ଆଣିଥିବା ଡବା ଖୋଲିଲା।
ଗୋଟାକରେ ଇଲିଶି ଝୋଳ। ଆଉ ଗୋଟେ ଡବାରେ ପୋଟଳ ଆଳୁ ଭଜା।

ଆମେ ଦୁହେଁ ଖାଇ ବସିଲୁ। ସୋରିଷବଟା ଦେଇ ଇଲିଶି ମାଛ ମୋର ସବୁଠୁ ପ୍ରିୟ। ସେଥିରେ ପୁଣି କଳାଜୀରା ଆଉ କଞ୍ଚାଲଙ୍କା ଛୁଙ୍କ ମରାହେଇଛି—ନୈସର୍ଗିକ ସ୍ୱାଦ।
“ଇଲିଶି କେଜିକୁ ନଅଶହ। ଭାଇ କହିଲେ, ସେ ଯାହା ହେଉ, ଭଲ ମାପର ମିଳିଲା, ଦେଖିକି ଲୋଭ ହେଲା । ଭାବିଲି ଯେତେ ଟଙ୍କା ହେଉ ପଛେ ନେବି।”
“ଆଃ! କି ବଢିଆ ହେଇଛି।” ମୁଁ ଝୋଳ ଟିକେ ପାଟିରେ ମାରି କହିଲି।
“କଡେଇ ଗରମ କରି ଖଣ୍ଡ ଗୁଡା ଟିକେ ଥୋଇଛି କି ନାହିଁ, କି ତେଲ! ଅଧ କଡେଇରୁ ଟିକେ କମ୍ ହବ ତେଲ ବାହାରିଲା। ଭଲ ତଟକା ମାଛ।” ରମେଶ ଝୋଳ ଗୋଳା ଗୁଣ୍ଡେ ଭାତ ପାଟିରେ ପୂରେଇ ପୁଣି କହିଲା, “ଆଜି ସନ୍ଧ୍ୟାରେ ତ ରଘୁ ଭାଇ ଆସିବେନି। କହୁଥିଲେ କଟକ ଯିବେ, ଆକାଶବାଣୀରେ କାମ ଅଛି।”
“ହଁ, ମତେ ବି କହୁଥିଲେ। ସ୍ନାନ ପୂର୍ଣ୍ଣିମା ପାଇଁ ଆମେ ତ ପ୍ରସ୍ତୁତ। ମୁଁ ଟିକେ ଚିନ୍ତା କରେ କୋରାପୁଟ ପାଇଁ କଣ ଗାଇବା। ଆଉ ନୂଆ ଆଲବମଟା ଯଦି ଏଇ ବର୍ଷ ଭିତରେ ବାହାରନ୍ତା, ଭଲ ହୁଅନ୍ତା। ତା ପାଇଁ ଗୀତ ତିଆରି କରିବା କିନ୍ତୁ ସମୟ ନେଉଛି। କିଛି ନୂଆ ପ୍ରକାର ନ ହେଲେ କଣ ଶ୍ରୋତା ପସନ୍ଦ କରିବେ?” ମୁଁ କହିଲି।

ମୁଁ ତ ଗାୟକ, ଏଇ ବର୍ଷେ ହେଲା ସ୍ୱର ସଂଯୋଜନା ଓ ସଂଗୀତକାର ହେବାକୁ ଯାଇ ତିନୋଟି ଗୀତ ଏ ଯାଏ କରିପାରିଛି। ମନଛୁଆଁ ଗୀତ ଲେଖା ମିଳୁନି। ଏବେ ମୁଁ କରିବି କଣ? ସଂଗୀତର ସ୍ୱର୍ଣ୍ଣ ଯୁଗରେ ଗୀତିକାର, ସଂଗୀତକାର, ଗାୟକ ସମସ୍ତେ ଏକକୁ ଆରେକ ବଳି ଥିଲେ । ଆଉ ବର୍ତ୍ତମାନ ଅବସ୍ଥା କହିଲେ ନ ଚଳେ। ଆମକୁ ଜୀବିକା ପାଇଁ ବେଳେ ବେଳେ ଯାହା ମିଳୁଛି ତାକୁ ଗାଇବାକୁ ପଡୁଛି। ସେସବୁ ବି ଭାରୀ ଜୋରସର ଗଳିକନ୍ଦିରେ ମାଇକରେ ବାଜୁଛି। କି ଅରୁଚିକର ସତେ। ଆଉ କିଛି ବନ୍ଧୁସହକର୍ମୀ ମିଶି ଆମେ ପୁରୁଣା ଗୀତକୁ ନେଇ ନୂଆ ଭାବେ ଉପସ୍ଥାପିତ କରିବା ପ୍ରୟାସରେ ଅଛୁ। ସେଥିପାଇଁ ଆମେ କେତେଥର ଆଲୋଚନା ପାଇଁ ବସିସାରିଛୁ। କିଏ କୋଉ ଗୀତ ଗାଇବ, କାହା କଣ୍ଠରେ କୋଉ ଗୀତ ଭଲ ଲାଗିବ କଥା ହେଇଯାଇଛି। ମୁଁ ତାର ଯୁଗ୍ମ ପ୍ରଯୋଜକ ହେବି ବୋଲି ବି ସ୍ଥିର କରିଛି। ନୂଆ ପିଢି ପାଇଁ ନୂଆ ଭାବେ ଗୀତ ପରିବେଷଣ କରିବା ତଥା ପୁରୁଣା ଓଡିଆ ଲୋକପ୍ରିୟ ଗୀତର ପ୍ରସାର ଆମ ଉଦ୍ଦେଶ୍ୟ। ସେଥିପାଇଁ ବି ବିଶେଷ ପ୍ରସ୍ତୁତି ସ୍ନାନ ପୂର୍ଣ୍ଣିମା ପରଠୁଁ କରିବାକୁ ପଡିବ। ଇଲିଶିର ସ୍ୱାଦ ବା ରମେଶର ଶ୍ରଦ୍ଧା ଅଥବା ନୂଆ କିଛି କରିବାର ସୁଯୋଗ – ଏ ସବୁ ଏକାବେଳେକେ ଉପଲବ୍ଧି କରି ମୋ ଭିତରଟା ହଠାତ୍ ଉତ୍ସାହରେ ପୂରିଉଠିଲା ଭଳି ମନେ ହେଲା।
“ଖାଇସାରି ବସିବା କି?” ମୁଁ ରମେଶକୁ ପଚାରିଲି।

ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଲା।
ଆମେ ମନବୋଧ କରି ଅରୁଆ ଭାତ ସାଙ୍ଗକୁ ଇଲିଶି ଝୋଳ ଖାଇସାରିବା ପରେ ଅଭ୍ୟାସ ଘରେ ଆସି ବସିଲୁ। ମୁଁ ମୋର ଗୀତ ଖାତା ଆଣିକି ଖୋଲିଲି। ଏଥିରେ ସବୁ ଓଡିଆ ପୁରୁଣା ଲୋକପ୍ରିୟ ଗୀତ, ସୁଗମ ସଂଗୀତ, ଚଳଚିତ୍ର ଗୀତ ଲେଖା ହେଇରହିଛି। ଯେତେବେଳେ ଯିଏ ଖାଲି ଫର୍ଦ୍ଦଟେ ଗୀତ ଦିଏ, ମୁଁ ଆଣିକି ଏଥିରେ ଅଠା ମାରି ଲଗାଇଦିଏ।
ମୁଁ ସେଥିରେ ପୃଷ୍ଠା ପରେ ପୃଷ୍ଠା ଓଲଟାଇଲି।

“ଆଛା, ଆମେ ଯୋଉ ନୂଆ ଆଲବମଟା କରିବୁ, ସେଥିରେ କି କି ପୁରୁଣା ଗୀତ ଦେଲେ ଭଲ ହେବ କୁହ ତ?” ମୁଁ ରମେଶକୁ ପଚାରିଲି।
“ସୁକାନ୍ତ ଭାଇ କଣ କହୁଛନ୍ତି? ସେ ତ ବାଳକୃଷ୍ଣ ଦାସଙ୍କ ଭକ୍ତ। ଆଗେ ତାଙ୍କ ଗୀତ ରଖିବେ।”
ସୁକାନ୍ତ ଆଉ ଜଣେ ଯୁଗ୍ମ ପ୍ରଯୋଜକ। ସୁକାନ୍ତ ସାହୁ। ସେ ବ୍ୟବସାୟୀ, ଆଗେ ତାର କ୍ୟାସେଟ୍, ଡିଭିଡି ଦୋକାନ ଥିଲା ବହୁ ପ୍ରକାର ଆଲବମ୍ – ଶାସ୍ତ୍ରୀୟ ସଂଗୀତ, ସୁଗମ ସଂଗୀତ, ପାଶ୍ଚାତ୍ୟ ଶାସ୍ତ୍ରୀୟ ସଂଗୀତ – ତାର କଟକ ପ୍ରସିଦ୍ଧ ଦୋକାନ “ମା ଚଣ୍ଡୀ କ୍ୟାସେଟ୍ସ୍”ରେ ମିଳୁଥିଲା। ସମୟ ବଦଳିବା ସହ ସେ ବି ଏବେ ନୂଆ କାମ କରିବା ଦିଗରେ ଆଗ୍ରହ ବଢାଇଲା।
“ତାଙ୍କୁ ଛାଡି ଆଉ ଓଡିଆ ଲୋକପ୍ରିୟ ଗୀତ କଳ୍ପନା କରାଯାଇପାରିବ କି?” ମୁଁ ହସିକି କହିଲି।

ମୁଁ ଗୋଟେ ଗୀତ ଗୁଣୁଗୁଣେଇଲି – ମରମ ତଳେ ଅତୀତ ଯେ ମରେନା—ଦହନ ଯେ ସରେନା— ମରମ ତଳେ ଅତୀତ ଯେ ମରେନା—
ରମେଶ ଡୁବି ତାବଲା ବାହାର କରି ଠେକ ଦେବାକୁ ପ୍ରସ୍ତୁତ ହେଲା। ମୁଁ କିନ୍ତୁ ଗୀତ ଗାଇବା ବନ୍ଦ କରିଦେଲି। କହିଲି, “ଶୁଣ, ନୂଆ ଗୀତଟେ ଆମ ଗୀତିକାର ଦେବବ୍ରତ ପ୍ରଧାନ ଦେଇଛନ୍ତି। କୁହ ତ କେମିତି ଲାଗୁଛି,” ମୁଁ ଗୀତ ଖାତା ଦେଖି ପଢିଲି।

“ଏଇ ମନ ଫୁଲ ଫୁଟେ
ଏଇ ମନ ଫୁଲ ଝରେ
ମୁଁ ତୁମକୁ ଖୋଜୁଥାଏ ଗୋଧୂଳିର କ୍ଷୀଣ ଆଲୁଅରେ
ମୁଁ ତୁମକୁ ଖୋଜୁଥାଏ।
ଏଇ ମନ ସ୍ମୃତିନୀଡ
ଏଇ ମନ ଶୂନ୍ୟନୀଡ
ମୁଁ ତୁମକୁ ଖୋଜୁଥାଏ ଲମ୍ବା ଅମା ରାତିରେ
ମୁଁ ତୁମକୁ ଖୋଜୁଥାଏ।”

ରମେଶ ଶୁଣିକି ମୋ ମୁହଁକୁ ଚାହିଁଲା, ଉତ୍ତର ଦେବା ବଦଳରେ ପାଲଟା ପଚାରିଲା, “ତୁମକୁ କେମିତି ଲାଗୁଛି?”
“ଠିକ୍ ଅଛି। ସେତେ ବି ଭଲ ଲାଗୁନି। ମୁଁ କହିଛି ଆଉ ଟିକେ ବଦଳାଇ ବାଗେଇକି ଦେବାକୁ। କିଛି ତରତର ନାହିଁ। ଏ ଗୀତରେ ଅନ୍ତରାରେ ମୁଁ କେବଳ ପିଆନୋ ବ୍ୟବହାର କରିବାକୁ ଚାହୁଁଛି।”
“ହଁ, ସେ ଆଉ ଥରେ ଲେଖିକି ଦିଅନ୍ତୁ,” ରମେଶ କହିଲା, “ ତୁମେ ଏ କାମଟା ଯେମିତି ପରିକଳ୍ପନା କରିଛ, ସେମିତି ହେଲେ ନା ବେଶ୍ ଆଦୃତ ହେବ। ଏବେ ତ ସମସ୍ତେ ୟୁଟ୍ୟୁବରେ ବେଶୀ ଗୀତ ଦେଖୁଛନ୍ତି। ମୁଁ ଦେଖୁଥିଲି, ଗୋଟେ ଗୋଟେ ହିନ୍ଦୀ ଚଳଚିତ୍ର ଗୀତକୁ କୋଟିଏ, ଦିକୋଟି ଲୋକ ଦେଖିଛନ୍ତି। ଆମ ଓଡିଆ ଭଜନ ବି ବହୁତ ଲୋକପ୍ରିୟ। ତୁମେ ତ ମୋ କଥା ଶୁଣୁନ। ତୁମର ନିଜର ଗୋଟେ ୟୁଟ୍ୟୁବ୍ ଖାତା ଖୋଲୁନ।”
“ହଁ, ବେଳେ ବେଳେ ଭାବୁଛି ଖୋଲିବି, ପୁଣି ଭୁଲି ଯାଉଛି। କିନ୍ତୁ ଏ ମାଧ୍ୟମଟି ଲୋକଙ୍କ ପାଖରେ ପହଞ୍ଚିବାର ସବୁଠୁ ସୁବିଧା ମାଧ୍ୟମ! ଜଣେ ଯଦି ଲୋକଙ୍କ ମନକୁ ଥରେ ଛୁଇଁଦେଲା, ବାସ୍, ତା ଗୀତ ଲୋକେ ଶୁଣିବେ ହିଁ ଶୁଣିବେ।”
“କେତେ ଗାଧୁଆ ଘର ଗାୟକ ବି ଏଠି ପ୍ରସିଦ୍ଧ,” ରମେଶ ବିଶେଷ ଆଶ୍ଚର୍ଯ୍ୟ ପ୍ରକାଶ ନକରି କହିଲା, “ଆଉ ପୁରୁଣା ଗୀତ ପ୍ରତି ଲୋକଙ୍କ ଆଗ୍ରହ ଦେଖିବା କଥା।”
“ଭଲ ଗୀତ ଲୋକେ ସବୁବେଳେ ଶୁଣିବେ। ଆମେ ଭଲ ଗୀତ ବଦଳରେ ଚାଲୁ ଗୀତ ଶୁଣାଉଛେ, ସେମାନଙ୍କର କି ଦୋଷ! ରାତିରେ ହାତୀଏ ଆଣିବି ଭାବିଲେ କଳା ସାଧନା ହୁଏ ନା?ଆଉ ଆମ ଲୋକ ଖାଲି କହିବେ, କିଛି ହଉନି, କିଛି ହଉନି! ଯିଏ ଯାହା କରି ପାରିବ, କରୁଛି, କିଛି ହଉନି କହିଲେ ଚଳିବ? ସମସ୍ତେ ଆଉ ଗୁରୁକୃଷ୍ଣ ଗୋସ୍ୱମୀଙ୍କ ଭଳି ଲେଖିବେ ନା ସଙ୍ଗୀତ ସୁଧାକରଙ୍କ ଭଳି ସଙ୍ଗୀତ ଦେବେ?” ମୁଁ ଘର ଭିତରେ ଏପଟ ସେପଟ ହେଇ କହିଲି।
“ସତରେ ଯୁଆଡେ ଯାଅ, ଖାଲି ନକରାତ୍ମକ କଥାବାର୍ତ୍ତା। ଏଠି କିଛି ହଉନି, କିଛି ହେବନି! ଆଉ ପରଚର୍ଚ୍ଚା, ପରନିନ୍ଦା। ସେଥିରେ ଯେତେ ସମୟ ଦଳେ ଦେଉଛନ୍ତି, ଏମାନେ ନିଜ ସଂଗୀତ ସାଧନାରେ ଦେଲେ, କେତେ କଣ ହୁଅନ୍ତା।” ରମେଶ କହିଲା।
“ଟଙ୍କା କାହାର ଦରକାର ନାହିଁ? ଟଙ୍କା ସମସ୍ତଙ୍କର ଦରକାର। ଲୋକେ ମୋ ଗୀତ ଶୁଣନ୍ତୁ, ମୋ ଗୀତକୁ ଭଲ ପାଆନ୍ତୁ, ସେଥିପାଇଁ ତ ଆମେ ଏତେ ପରିଶ୍ରମ କରୁଛେ। ସ୍ୱୀକୃତି କିଏ ନ ଚାହେଁ ଯେ? କିନ୍ତୁ ସ୍ୱୀକୃତି ଆଉ ଟଙ୍କାଠୁଁ ଉପରେ ସଂଗୀତ। ସ୍ୱୀକୃତି ଆଉ ଟଙ୍କାକୁ ମୂଳ ଉଦ୍ଦେଶ୍ୟ କରି କଳାକୁ କେବଳ ଏକ ମାଧ୍ୟମ କଲେ ଫଳ କଣ ହେବ? ଯୋଉ ସବୁ ଚାଲୁ ଗୀତ ସବୁ ଚାଲିଛି! ଆମେ କହୁଛେ ଭଲ ଗୀତ ଲୋକେ ଶୁଣିବାକୁ ଭଲ ପାଉ ନାହାନ୍ତି, ଆଜିକାଲି ଲୋକଙ୍କ ରୁଚି ଖରାପ ହେଇଗଲାଣି। ତାହେଲେ ଏତେ ଲୋକ ୟୁଟ୍ୟୁବରେ ଶୁଣି ପୁଣି ମତ ଦେଉଛନ୍ତି କେମିତି?” ମୁଁ କହିଲି।
ରମେଶ ମୋ କଥାକୁ ସମର୍ଥନ କଲା।

ଆମେ ଗପସପ କରୁକରୁ ପାଞ୍ଚଟା ବାଜିଗଲା। ରମେଶ ସାଡେ ପାଞ୍ଚଟା ବେଳକୁ ପାଖରେ ତିନି ଜଣଙ୍କୁ ତବଲା ଶିଖାଇବାକୁ ଯାଏ। ରମେଶ ଯିବାକୁ ବାହାରିଲା। ମୁଁ ବି ଭାବିଲି ବାହାରୁଯାଇ ଟିକେ ବୁଲିଆସିବାକୁ, ପୁଣି କିଛି କାମ କରିବି ଭାବି ଆଉ ଗଲିନି।
ଓଃ, କୁସୁମ ପୁଣି କେତେଗୁଡାଏ ଛବି ହ୍ୱାଟ୍ସଆପ୍ କରିଛି। ଏଇ ଦେବଲୀନା ନାମ୍ନୀ ଝିଅଟି ସତରେ ସୁନ୍ଦରୀଟିଏ! କୁସୁମ ତୁଚ୍ଛାକୁ ଆଶା ବାନ୍ଧିନି!

(କ୍ରମଶଃ)

ପ୍ରତିମାସ ପ୍ରଥମ ଓ ତୃତୀୟ ଶୁକ୍ରବାରରେ ପଢନ୍ତୁ ବିଶିଷ୍ଟ ଲେଖିକା ତଥା ଅନୁବାଦିକା ସୁପ୍ରିୟା ପ୍ରଶାନ୍ତଙ୍କ ଏହି ନୂତନ ଉପନ୍ୟାସ କେବଳ www.odishasahitya.com ରେ

Related Posts

2 thoughts on “ଅସମାପ୍ତ

  1. Very relatable story!! Hilsa fish curry…… Music sittings……middle class aspirations…..& the word ଭ୍ରାମ୍ୟଭାଷର ଘଣ୍ଟି….Chamatkar ଲେଖନୀ
    You write the best

Leave a Reply

Your email address will not be published. Required fields are marked *