ସୁପ୍ରିୟା ପ୍ରଶାନ୍ତ
ଭାଗ –୧୧
ସକାଳର ବାର୍ତ୍ତା
ଆଜି ସକାଳୁ ଶୀଘ୍ର ନିଦ ଭାଙ୍ଗିଗଲା। ଗୋଟେ ଦାୟିତ୍ୱ ମୁଣ୍ଡରୁ ଓହ୍ଳାଇଲା ପରେ ପ୍ରାୟ ଯେମିତି ଲାଗେ ଠିକ୍ ସେମିତି। ମୁଁ ନିଜ କମ୍ପୁଟର ଖୋଲି ବାଙ୍ଗାଲୁରୁ ପାଇଁ ଉଡାଜାହାଜ ଟିକେଟ୍ ଦେଖିଲି। ଅଗଷ୍ଟ ୨୨ ତାରିଖ ରାକ୍ଷୀ ପୂନେଇଁ। ମୁଁ ଅଗଷ୍ଟ ୨୧ ତାରିଖ ଦଶଟା ବେଳକୁ ଯିବା ଟିକେଟଟା କଲି। ଫେରିବା ଟିକେଟ୍ ୨୮ ତାରିଖରେ କଲି। ସପ୍ତାହେ ଭଣଜା ଭାଣିଜୀ ଦିଟାଙ୍କ ସହ ଖେଳି କୁଆଡେ କଟିଯିବ। କୁସୁମ ବି ଖୁସି, ନନାବି ଖୁସି। ବର୍ଷେ ଉପରେ ହେଲାଣି ମୁଁ ତା ଘରକୁ ଯାଇନି ବୋଲି କୁସୁମ ଅଭିମାନ କରି ବସିଛି।
ମୁଁ ଟିକେଟ୍ କାଟି କୁସୁମକୁ ଜଣାଇବାକୁ ଫୋନ୍ କଲି।
“ଭାଇ, ମୁଁ ଏବେ ତୁମ କଥା ଭାବୁଥିଲି। କାଲି ସନ୍ଧ୍ୟାର ଭଜନ କେତେ ଭଲ ଲାଗିଲା,” କୁସୁମ କହିଲା।
ମୁଁ ହସିଲି। କୁସୁମ ପୁଣି କହିଲା, “ଭାଇ ତୁମେ କେବେ ଆସିବ କୁହତ?”
“ନାଁରେ, କାଇଁ ଯାଇପାରିଲା ଭଳି ଲାଗୁନି,” ମୁଁ ମିଛରେ କହିଲି, “ଦଶହରା ପରେ ଯାଇ ମୋର କାମ କମ୍ ହେବ। ମୁଁ ଦୀପାବଳି ବେଳକୁ ତୋ ପାଖକୁ ଯିବି।“ ମୁଁ କୁସୁମକୁ ଚିଡେଇବାକୁ କହିଲି।
“ଭାଇ, ମୁଁ ତୁମ ସାଙ୍ଗରେ କଥା ହେବିନି। ତୁମେ ସବୁବେଳେ ଏମିତି କଲେ କେମିତି ହେବ— ଭାଇ, ମୁଁ ତୁମକୁ କେତେ ଆଗରୁ କହିଲି, ନନା ବି ତୁମକୁ ଖୋଜୁଛନ୍ତି—” କୁସୁମ ଅଧୈର୍ଯ୍ୟ ହେଇ କହିଲା।
ମୁଁ ଜୋରରେ ହସିଲି।
“ଭାଇ, ତୁମକୁ ହସ ମାଡୁଛି?” କୁସୁମ ରାଗିକି କାନ୍ଦୁଣୁମାନ୍ଦୁଣୁ ହେଇ କହିଲା।
“ବାୟାଣୀଟା ମୋର, ଶୁଣ୍, ଏବେ ଅଗଷ୍ଟ ଏକୋଇଶ ତାରିଖକୁ ଟିକେଟ କାଟିଲି।” ମୁଁ ହସିକି କହିଲି।
କୁସୁମ ଟିକେ ଚୁପ୍ ହେଇଗଲା।
“ଭାଇ, ତୁମେ ମତେ ଚିଡଉଛ? ସତ କୁହ?”
“ସତରେ ଅଗଷ୍ଟ ୨୧ ତାରିଖକୁ ଟିକେଟ୍ କାଟିଛି। ଅଠେଇଶ ତାରିଖରେ ଫେରିବି।”
“ମାତ୍ର ସାତ ଦିନ!” କୁସୁମ କହିଲା, “ତୁମେ ଦି ସପ୍ତାହ ରହିଥିଲେ କଣ ଅସୁବିଧା ହେଇଥାନ୍ତା? ଗୋଟେ ସପ୍ତାହ ଜଣା ବି ପଡିବନି, କଟିଯିବ। ମୁଁ କେତେ କଥା ଯୋଜନା କରିଛି— ମୋଟେ ସାତଦିନରେ କଣ ହେବଯେ? ତୁମେ କାହିଁକି ଫେରିବା ଟିକେଟ୍ ଏତେ ଶୀଘ୍ର କଲ?”
“ସାତଦିନରେ କଣ ହେବ?” ମୁଁ କୁସୁମକୁ ବୁଝାଇଲା ଭଳି କହିଲା, “ସାତ ଦିନରେ କଣ ନହେବ କହିଲୁ? ଆଜି ଝିଅଦେଖା ହେଲେ କାଲିକୁ ବାହାଘର, ତାପରଦିନ ଭୋଜି ହେଲେ, ଆହୁରି ଚାରିଦିନ ବଳିଲାଣି ବୁଲାବୁଲି କରିବାକୁ!”
ମୁଁ ଯେ ତା ମନରେ ପାଞ୍ଚି ଥିବା ଯୋଜନାକୁ ଥଟ୍ଟା କରୁଛି, କୁସୁମର ବୁଝିବାରେ ଅସୁବିଧା ହେଲାନି।
“ଭାଇ, ତୁମେ ନା ମୋର କୌଣସି କଥାକୁ ଗୁରୁତ୍ୱ ଦିଅନା! ମୁଁ ଜାଣିଛି।” କୁସୁମ ଟିକେ ଅଭିମାନ କରି କହିଲା ପରି ମନେ ହେଲା।
ମୁଁ ହସି ହସି କହିଲି, “ମୁଁ ପୁରା ଗମ୍ଭୀରତା ସହ ଏ କଥା କହୁଛି ପରା! ତୁ ବିଶ୍ୱାସ ନକଲେ ମୁଁ କଣ କରିବି?”
“ଭଲ କଥା। ଏଥର ବାହାହେଇ ଏଇଠୁ ଫେରିବ। ହେଲା। ମୁଁ ଜାଣିଛି, ତାକୁ ତୁମର ପସନ୍ଦ ହେଇଛି।” କୁସୁମ ବି ମୋତେ ଚିଡେଇବାକୁ ହସି ହସି କହିଲା।
“ତୁ ସବୁ ଜାଣୁ।” ମୁଁ କହିଲି।
“ହଁ,” କୁସୁମ କହିଲା, “ମୋର ସକାଳୁ ବହୁତ କାମ। ମୁଁ ପରେ ଫୋନ୍ କରିବି। ବହୁତ କଥା କହିବାକୁ ଅଛି।” କୁସୁମ ରହସ୍ୟ କରି କହିଲା।
ତାର ସେ “ବହୁତ କଥା” ସବୁ କଣ ମୁଁ ଜାଣେ। ମୁଁ ଫୋନ୍ ରଖିବା ପରେ ଭାବିଲି, କେତେଦିନ ହେଲା ବର୍ଷା ପାଗ ଯୋଗୁଁ ସକାଳୁ ଦୌଡିବାକୁ ବାହାରକୁ ଯାଇନି। କଳିଙ୍ଗ ଷ୍ଟାଡିଅମ୍ ଆଡେ ଯାଇ ଘେରାଏ ବୁଲିଆସିଲେ ହେବ।
ମୁଁ କଳିଙ୍ଗ ଷ୍ଟାଡିଅମରେ ପହଞ୍ଚିଲା ବେଳକୁ ପାଖାପାଖି ଆଠଟା। କେତେ ଚିହ୍ନା ଲୋକ ଚାଲୁଥାନ୍ତି। କେତେଜଣ ମୋତେ ଦେଖି ଚାଲୁଚାଲୁ ଗତକାଲିର ଭଜନ ସନ୍ଧ୍ୟା ପାଇଁ ଅଭିନନ୍ଦନ ଜଣାଇଲେ। କିଛି ସମୟ କଅଁଳ ଖରାରେ ଚାଲିବାରୁ ମୋତେ ଭାରି ଫୁର୍ତ୍ତି ଲାଗିଲା।
ମୁଁ ପବନ ଖାଇବାକୁ ଟିକେ ବସିପଡିଲି। ହ୍ଵାଟ୍ସଆପରେ ଦେଖିଲି ଅନେକ ଗୁଡେ ଅଭିନନ୍ଦନ ବାର୍ତ୍ତା। ସେଥିରୁ ଗୋଟେ ବାର୍ତ୍ତା ରିତାର। ଅଭିନନ୍ଦନ ଜଣାଇ ଲେଖିଛି— ନଅଟା ପାଖାପାଖି କଥା ହେବି। ନିଜକୁ ଟିକେ ମୁକ୍ତ ରଖିଥିବ।
ମୁଁ ସମସ୍ତଙ୍କୁ ବାର୍ତ୍ତା ପାଇଁ ଗୋଟେ ପରେ ଗୋଟେ ଧନ୍ୟାବାଦ ଜଣାଇଲି। ସେତିକି ବେଳକୁ ରିତାର ଫୋନ୍ ଆସିଲା।
“କଣ ଖବର?” ରିତା ପଚାରିଲା, “ଘରେ ନା ବାହାରେ?”
“ଏଇ ଟିକେ ଷ୍ଟାଡିଅମ୍ ଆସିଛି,” ମୁଁ କହିଲି।
“ହୁଁ, ମୁଁ ସେଇଆ ଭାବୁଥିଲି। କାଲି ସନ୍ଧ୍ୟା କାର୍ଯ୍ୟକ୍ରମଟା ବଢିଆ ହେଲା ମ! ମୁଁ ଭାବିଲି ଅନେକ ଦିନ ହେଲାଣି ତୁମ ସହ କଥା ହେଇନି। ଟିକେ କଥା ହୁଏ କଣ ହାଲଚାଲ୍।”
“ହଁ, ଚାଲିଛି।”
“କଣ ଚାଲିଛି କହିବ ନା?” ରିତା ହସିକି ପଚାରିଲା।
“ଗୋଟେ ପୁରୁଣା ଗୀତର ଆଲବମ୍ କରିବୁ, ସେଇ କାମରେ ଟିକେ ବ୍ୟସ୍ତ ରହୁଛି?”
“ସେ କଟକର ଯୋଉ ଭଦ୍ରଲୋକ, କଣ ତାଙ୍କ ନାଁ ତ — ତୁମେ ବହୁତ ଦିନ ଆଗରୁ ଥରେ କହୁଥିଲ।” ରିତା ମନେ ପକାଇବାକୁ ଚେଷ୍ଟା କରି କହିଲା।
“ହଁ, ସେଇ କାମଟା, ବେଶୀ କିଛି ଆଗେଇନି। ଏଇ ବର୍ଷ ଶେଷ ସୁଦ୍ଧା କରିବୁ ବୋଲି ଭାବୁଛୁ।”
“ହଁ, ଭଲ ହେବ। ଶୁଣିବାକୁ ଅପେକ୍ଷା ରହିଲା।” ରିତା କହିଲା।
ମୁଁ କିଛି ନ କହି ହସିଲି। ରିତା ବୁଝିପାରିଲା ମୁଁ ଆଉ ବେଶୀ କଥା ହେବାକୁ ଚାହୁଁନି।
“କେବେ ଯଦି ରବିନ୍ଦ୍ର ମଣ୍ଡପ କି ସୂଚନା ଭବନରେ କିଛି ସଂଗୀତ କାର୍ଯ୍ୟକ୍ରମ ହୁଏ, ମତେ କହିବ। ତୁମ ସହ ବହୁତ ଦିନ ହେଲା ଦେଖା ହେଇନି। ରିତା କହିଲା।
“ହଉ, ଏ ଯାଏ ତ ସେମିତି କିଛି କାମ ଆସିନି।” ମୁଁ କହିଲି।
“ହଉ, ରଖୁଛି। ତୁମେ ବ୍ୟସ୍ତ ଅଛ। ପୁଣି ପରେ କେବେ କଥା ହେବି।” ରିତା ଫୋନ୍ ରଖିଲା।
ରିତା ଏମିତି ମଝିରେ ମଝିରେ ମୋର ଗୀତ ଶୁଣିଥିଲେ ଫୋନ୍ କରେ। ବର୍ଷକୁ ଅତି ବେଶୀରେ ତିନି, ଚାରି ଥର। ସେ ଏବେ ଗୋଟେ ସରକାରୀ ବାଳିକା ବିଦ୍ୟାଳୟରେ ସଂଗୀତ ଶିକ୍ଷୟିତ୍ରୀ ଅଛି। ରେଡିଓ କଳାକାର ହେବାକୁ ନିଜ ନାଁ ପଞ୍ଜୀକୃତ କରିବାକୁ ଚେଷ୍ଟା କରିଥିଲା, ହେଇପାରିନି। ତାକୁ ବୟସ ପାଖାପାଖି ଛବିଶ ସତେଇଶ ହେବ, ଏ ଯାଏ ବାହା ହେଇନି।
ଶ୍ରୀର ବାହାଘର ଠିକ୍ ହେବା ପରେ ମୁଁ ତା ସହ ବୁଲାବୁଲି ପୂରା ବନ୍ଦ କରିଦେଇଥିଲି। ରିତା ସହ ପରିଚୟ ଶ୍ରୀ ବାହାଘର ଆଗରୁ ଥିଲା। ସେତେବେଳେ ଗୋଟେ ଗୀତର ପାଳି ଧରିବାକୁ ଚାରିଜଣଙ୍କ ଭିତରେ ରିତା ଥିଲା। ରିତା ଚୁଲବୁଲୀ ଆଉ ସହଜ। ଶ୍ରୀର ବାହାଘର ପରେ ରିତା ସହ ସମୟ ବିତାଇବାକୁ ଭଲ ଲାଗୁଥିଲା। ତା ମୁହଁରୁ ମୋ ନିଜ ପ୍ରଶଂସା ଶୁଣିବାକୁ ଭଲ ଲାଗୁଥିଲା। ଆମେ ଦୁହେଁ ଜାଣିଥିଲୁ, ଆମେ ପରସ୍ପରକୁ ନେଇ ବା ଭବିଷ୍ୟତରେ ଆମ ଭିତରେ କୌଣସି ସଂଭାବ୍ୟ ସଂପର୍କକୁ ନେଇ ଗମ୍ଭୀର ନୁହେଁ। ରିତା ମୋତେ ନେଇ ତା ଭବିଷ୍ୟତ କଳ୍ପନା କରୁ ନଥିଲା ବା ମୁଁ ବି ସେମିତି ଭାବୁ ନଥିଲି।
ରିତା ସହ ପରିଚୟ ବଢିବା, ମିଳାମିଶା କଥା ମୁଁ ଶ୍ରୀକୁ କହି ନଥିଲି। ତା ବାହାଘର ପରେ ସେ କାହାଠୁ ଶୁଣିଲା କେଜାଣି! ସେକଥା ଶୁଣିଲା ପରେ ତାର ମୋ ପ୍ରତି ବ୍ୟବହାରରେ ପରିବର୍ତ୍ତନ ହେଇଗଲା। ବିବାହ ପରେ ଯେତେବେଳେ ଫୋନ୍ କରୁଥିଲା ମୋର ଗୀତ ଗାଇବା କଥା ନ ହେଲେ କଣ କରୁଛି ବା ସେ କଣ କରୁଛି ଏମିତି ସବୁ ଏଣୁ ତେଣୁ ଗପୁଥିଲା। ମୁଁ ତ ପ୍ରାୟ ବ୍ୟସ୍ତ ରହୁଛି ବୋଲି କହି ବେଶୀ କଥା ହେଉ ନଥିଲି। ମୁଁ ଯେ ଗୁଡେ କାମରେ ସେତେବେଳେ ଧନ୍ଦି ହେଉଥିଲି ନଥିଲି ତା ନୁହେଁ। କିନ୍ତୁ ଶ୍ରୀକୁ ଭୁଲିବାକୁ ଚାହୁଁଥିଲି। ସେ କେମିତି ରିତା କଥା ଜାଣିଲା, ତା ପରେ ସେ ମୋତେ ଦୁର୍ବ୍ୟବହାର କରିବା ଆରମ୍ଭ କଲା। ବାଜେ କଥା ଲେଖି ବାର୍ତ୍ତା ସବୁ ପଠାଇଲା। ଆମେ ଯେତେବେଳେ ବି କଥା ହେଲୁ ଖାଲି ଝଗଡା କଲୁ। ସେ ମୋତେ ୟାଡୁସ୍ୟାଡୁ କହିଲା, ମୁଁ ବି ତାକୁ ୟାଡୁସ୍ୟାଡୁ କହିଲି। ବର୍ଷେ ଦୁଇ ବର୍ଷ ଏମିତି ଚାଳିଲା। ଆମ ଭିତରେ କିଛି ଦିନ ଜୋର ଝଗଡା ହୁଏ, ମଝିରେ କିଛି ଦିନ ଶାନ୍ତ ପଡିଯାଏ, ପୁଣି କିଛି ଦିନ କଳି ଝଗଡା। ପ୍ରଥମ ଥର ରିତା ବିଷୟରେ ପଚାରିବା ବେଳେ ତ ରୀତିମତ ଜେରା କଲା ଭଳିଆ ସ୍ଵର।
“କଣ କରୁଥିଲ?” ଶ୍ରୀ ପଚାରିଲା।
“ହଁ, ଟିକେ ବ୍ୟସ୍ତ, ମୁଁ ଘାଣ୍ଟି ହେଇଯାଉଛି ପୁରା।” ମୁଁ ବହୁତ ବ୍ୟସ୍ତ ଥିବାର ଭାବ କରି କହିଲି ଯଦିଓ ସେଇ ମୁହୂର୍ତ୍ତରେ ମୁଁ କିଛି କରୁନଥିଲି।
“ହଁ, ସମୁଦ୍ରରେ ନିଆଁ ଲାଗିଛି, ତୁମେ ତାକୁ ଲିଭଉଛ। ବ୍ୟସ୍ତ ରହିବନି କେମିତି?” ଶ୍ରୀ ଉପହାସ କରି କହିଲା।
“ଆଉ କଣ କହିବ କୁହ? ନାଚ ଅଭ୍ୟାସ କରୁଛ?” ମୁଁ ଔପଚାରିକତା ରକ୍ଷା କରି ପଚାରିଲା ଭଳି ସ୍ୱରରେ କହିଲି।
“ସେ ରିତା କିଏ?” ଶ୍ରୀ ହଠାତ୍ ଜେରା କଲା ଭଳି ପଚାରିଲା।
ମୋତେ ବହୁତ ଚିଡି ମାଡିଲା। ଏମିତି ପ୍ରଶ୍ନଟିଏ ମୁଁ ତାଠୁ ଆଶା କରୁ ନଥିଲି। ତାକୁ କଣ ଉତ୍ତର ଦେବି ଠିକ୍ ନକରି ପାରି ମୁଁ କହିଲି, “ମୁଁ ବ୍ୟସ୍ତ ଅଛି। ପରେ କଥା ହେବା।”
“ପରେ ନାହିଁ, ଏବେ।” ଶ୍ରୀ ମୋତେ ହୁକୁମ ଦେଲା ଭଳି କହିଲା।
“କହିଲି ନା ମୁଁ ବ୍ୟସ୍ତ ଅଛି,” ମୁଁ ଚିଡିଯାଇ କହିଲି।
“ମୁଁ ଜାଣିଛି ତୁମେ କଣ ପାଇଁ ଏତେ ବ୍ୟସ୍ତ!” ଶ୍ରୀ ସେପଟୁ ତାତ୍ସଲ୍ୟ କରି କହିଲା, “ମୁଁ ସବୁ ଜାଣିଛି, ସେ ଟୋକୀ ସହ କଣ ଚାଲିଛି—ତୁମେ ଭାବିଥିଲ—” ସେ ଆଉ କଣ କହିବାକୁ ଯାଉଥିଲା ମୁଁ ଏପଟୁ କାଟିଦେଲି।
ଶ୍ରୀ ପୁଣି ଥରେ ଫୋନ୍ କଲା। ମୁଁ ଉଠେଇଲିନି। ସେ ପୁଣି କଲା। ଏମିତି ଚାରିଥର ଘଣ୍ଟି ବାଜି ବାଜି ରହିଲା, ମୁଁ ଉଠେଇଲିନି। ସେଠୁ ସେ ରାଗିକି ବାର୍ତ୍ତା ପରେ ବାର୍ତ୍ତା ପଠେଇବାରେ ଲାଗିଲା।
“ରସିକ ନାଗର, କଅଁଳକହି ରାଧାକୁ ଧରି ଦିନରାତି ବୁଲାହଉଛି! କୁହାହଉଛି କଣ ନା ମୁଁ ବ୍ୟସ୍ତ।”
“ମୋ ବାହାଘର ଠିକ୍ ହେବା ଆଗରୁ ଚାଲିଥିଲା ନାଟ!!!”
“ପ୍ରତାରକ!”
“ଏବେ ମୁଁ ଜାଣିଲି ୟାଙ୍କର ଅସଲ ରୂପ!
“ଇଏ ଭାବିଥିଲେ ମୁଁ କିଛି ଜାଣିପାରିବିନି!”
“ତୁମେ ନାଟକ କରୁନ, ଗୀତ ଗାଇବା ଛାଡିକି ନାଟକ କର। ଅଭିନୟରେ ତୁମ ଦକ୍ଷତା ଗାଇବା ଦକ୍ଷତାଠାରୁ ଲକ୍ଷେ ଗୁଣ ଅଧିକ। ପ୍ରେମର କି ଅଭିନୟ!”
“ସବୁ ଅଭିନୟ, ସବୁ ନାଟକ!”
ଶ୍ରୀଠୁ ଏମିତିକା ବାର୍ତ୍ତା ପାଇବା ନିତିଦିନିଆ ଘଟଣା ହେଇଗଲା। ଶ୍ରୀର ତିରସ୍କାର, ନିଜ କାମର ଚାପ ଆଉ ମୋ ନିଜର ମନର ଅବୁଝାପଣ — ମୁଁ ଅଧିକାଂଶ ସମୟ ବିରକ୍ତି ଓ କ୍ଲାନ୍ତି ଅନୁଭବ କଲି, ରିତା ସହ ସଂପର୍କ ଆଉ ଆଗକୁ କଣ ବଢିଥାନ୍ତା!
(କ୍ରମଶଃ)