ସତ୍ୟବତୀ ସ୍ଵାଇଁ

ଚିତ୍ରକର
ତାକୁ ମନେପକେଇ ବସିଗଲି ତାର ଚିତ୍ରଟିଏ ଆଙ୍କିବି ବୋଲି ।
ଆଖି ବୁଜି ଚେଷ୍ଟାକଲି ତାକୁ ମୋ ଆଖି ସମାନାରେ ଧରି ରଖିବାକୁ । ବାରମ୍ବାର ସେଇ ରୂପଟିକୁ ଅବିକଳ କାର୍ଡ଼ବୋର୍ଡ ଛାତିରେ ଉତ୍ତାରିବାକୁ ତୁଳୀ ଚାଳନା କରି ବିଫଳ ହେଉଥିଲି । କେବେ ଆର୍ କେ ଚିତ୍ର ଶିଳ୍ପୀ ଜୀବନରେ ଏପରି ଘଟି ନଥିଲା । କାହିଁକି ପାରୁନଥିଲି ଆଙ୍କି ସେ ରୂପଟିକୁ ? କୌଣସି ଦୃଶ୍ୟ ହେଉ ବା ବ୍ୟକ୍ତି, ଥରେ ମନପୁରେଇ ଦେଖି ନେଇଥିଲେ ପାଞ୍ଚ ମିନିଟରେ ଆଙ୍କିଦେବା ମୋ ଶିଳ୍ପୀ ଜୀବନର ପୁଞ୍ଜି । କ’ଣ ହୋଇଛି ମୋର ! ଆର୍ କେ ଚିତ୍ରଶିଳ୍ପୀ କ’ଣ ଶେଷ ହୋଇଗଲା ? ଭିତରୁ କରୁଣ ଧୂନ୍ ଟିଏ ମୋତେ ଅସ୍ତବ୍ୟସ୍ତ କରି ପକାଉଥିଲେ । ମୋ କଳ୍ପନା ଡେଣା ଯେମିତି କିଏ କାଟିଦେଇଛି । ଆର୍ କେ ଦ ବେଷ୍ଟ୍ ମଡ଼ର୍ଣ୍ଣ ଆର୍ଟିଷ୍ଟ ଆଜି ଜଣେ ପରାଜିତ ଚିତ୍ର ଶିଳ୍ପୀ ! ତା’ ତୁଳୀର ଚମତ୍କାରିତାର କଳା କେହି ହରଣ କରିନେଇଛି ଯେମିତି !
ହୋଇ ପାରୁନଥିଲି ନିବିଷ୍ଠ, ମଗ୍ନ । ଶିଳ୍ପୀ ଆତ୍ମା ମୋର ହେଉଥିଲା ଅମନଯୋଗୀ । ହଜେଇ ପାରୁନଥିଲି ମୋ ଆତ୍ମା ତା ଭିତରେ । ତୁଳୀ କାର୍ଡବୋର୍ଡ ଉପରେ ସେ ଛବି ଆଙ୍କିବା ଆଗରୁ ପ୍ରଥମେ ସେ ମୋ ଭିତରେ ଓହ୍ଲେଇବା କଥା । କିନ୍ତୁ କ’ଣ ହୋଇଛି ଆଜି ! ତୁଳୀ କିଛି ଆଙ୍କୁନି ? ରଙ୍ଗଗୁଡିକର ମୁହଁ ଶେତା ! ବିକ୍ଷିପ୍ତ ଚିନ୍ତାଧାରା !
ଚିତ୍ରଶିଳ୍ପୀ ଆତ୍ମା ମୋର ବିଚଳିତ, ବ୍ୟସ୍ତ, ନିରୁତ୍ସାହିତ ବି । ଆଖିବୁଜି ଆତ୍ମସ୍ଥ ହେବାକୁ ଚେଷ୍ଟାକଲି । ଆତ୍ମମଗ୍ନ ହୃଦୟରେ ବ୍ୟାଘାତ ଦେଇ କେହିଜଣେ ଡାକିଲେ – “ଶିଳ୍ପୀ ଇ ଇ ଇ.. !!!”
-‘କିଏ ତୁମେ ?’
-‘ଖିଲିଖିଲି ହସ ପହଁରିଗଲା ।‘
-‘ଆରେ କିଏ ତୁମେ ?’
-‘ଭଲ କରି ନିରୀକ୍ଷଣ କର ଶିଳ୍ପୀ ।‘
-‘ପାରୁନାହିଁ ଆଜି । ଖୋଲା ଆଖି କିମ୍ବା ବୁଜା ଆଖିରେ କିଛି ଦେଖି ।‘
-‘ଚେଷ୍ଟା କର । ଗଭୀର ମାୟାର ତନ୍ଦ୍ରା ତେଜି ଦେଖ ମୋତେ । ତୁମେ ସ୍ରଷ୍ଟା । ସୃଷ୍ଟି ତୁମ ଧର୍ମ । ବିମୁଖ ହେବା ତୁମ ତୁଳୀ ପାଇଁ ଅବମାନନା । ଉଠ୍ ଶିଳ୍ପୀ ଉଠ୍ ।‘
-‘କହିଲି ତ ପାରୁନାହିଁ ଆଜି । ସେ ମୋତେ ଶେଷ କରି ଦେଇଛି । ତାକୁ ଦେଖିଆସିଲା ପରେ ମୁଁ ଆଉ ଆର୍ କେ ବିଖ୍ୟାତ ଚିତ୍ର ଶିଳ୍ପୀ ହୋଇନାହିଁ । ଯାହା ତୁଳୀରେ କୁହୁକ । ଯାହାର ରଙ୍ଗରେ କୃଷ୍ଣଚୂଡ଼ା ହସ । ଯିଏ ନିଜେ ଗୋଟେ ସମୁଦ୍ର ଥିଲା । ଆଖି ଯାହାର ଏତେ ଶକ୍ତିଶାଳୀ ଏକ୍ସରେ ଯେ ଏଯାବତ ବାହାରିନାହିଁ ସେମିତି ଗୋଟେ ଯନ୍ତ୍ର କାହା ଭିତର ଫଟୋ ନେବାକୁ । ହୃଦୟ ଏକ ବିଶାଳ ରଙ୍ଗଭର୍ତ୍ତି ସବୁଜିମା ଘେରା ପୃଥିବୀ । ଆଜି କିନ୍ତୁ ସବୁ ନିରବ ନରମ ।‘

-‘କାହିଁକି ଶିଳ୍ପୀ ! କଣ ହୋଇଛି ତୁମର ? ଆସ ମୁଁ ଟିକେ ଆଉଁସି ଦିଏ ତୁମ ମୁଣ୍ଡ । ଥାପିଦିଏ ଆଖିରେ ସ୍ୱପ୍ନ । ରଙ୍ଗେଇଦିଏ ତୁମ ହୃଦ । ଆସ ଶିଳ୍ପୀ, ତୁଳୀ ଧର । ତୁମେ ପାରିବ, ଶିଳ୍ପୀ ।‘
-‘କିନ୍ତୁ ତୁମେ କିଏ ? ତୁମ ସାନିଧ୍ୟ ମୋତେ ଶୀତଳତାର ସ୍ପର୍ଶ ଦେଉଛି । ମୋ ବିଚଳିତ ବିଗଳିତ ମନକୁ ପ୍ରଶାନ୍ତି ଭରି ସ୍ଥିର କରୁଛି ? କିଏ ତୁମେ ? ଦେବୀ ନା ମାନବୀ ? ମୁଁ ତୁମକୁ ଦେଖି ପାରୁନାହିଁ ? କେଉଁଠି ତୁମେ ?’
-‘ମନମୋହକ ହସର ଆମନ୍ତ୍ରଣ ସହ ସେ କହିଲେ ମୁଁ !!! ମୁଁ ତ ତୁମ ଭିତର ଶିଳ୍ପୀ । ତୁମ ଚିତ୍ରର ରଙ୍ଗ, ଆକର୍ଷଣ, ନୂତନତା, ଚିନ୍ତା, ଚେତନା, କଳ୍ପନାର ଉତ୍ସ । ଏତେ ବିଷାଦ କାହିଁକି ଶିଳ୍ପୀ । ତୁଳୀ, ରଙ୍ଗ ତୁମର କ୍ରନ୍ଦନରତ !’
-‘ଆଜି ଦେଖିଲି ଜଣକୁ । ନୃତ୍ୟରତା ଥିଲା ସେ । ଆଃ ! ପ୍ରତି ଚିତ୍ରକରକୁ ପଛରେ ପକାଇ କେହି ଆଙ୍କିଛି ତା ସୁନ୍ଦର କପାଳ, ଚନ୍ଦ୍ରକଳା ପରି ଭ୍ରୁଲତା, କଥାକୁହା ହଳେ ମାଟିଆ ଆଖି, ତିଖ ନାକ, ତରଭୁଜ ରଙ୍ଗ ପରି ଓଠ, ମୟୁର ଗ୍ରୀବା, ପପେୟା ଅଣ୍ଟା, ପଦ୍ମ ପାଦ ଏବଂ ଏକ ସୁଢ଼ଳ ଶରୀର । ଥରେ ଦେଖିଲେ ବାରବାର ଦେଖିବା ତୃଷ୍ଣା ବଢିବ ପଛେ କମିବ ନାହିଁ । କିନ୍ତୁ….’
-‘କିନ୍ତୁ କ’ଣ ଚିତ୍ରଶିଳ୍ପୀ !’
-‘ସେଇ ତ ମୋ ଦୁଃଖର କାରଣ । ସବୁ ଅଛି ତାଠାରେ । କି ଚମତ୍କାର ନାଚ ! ରବୀନ୍ଦ୍ରମଣ୍ଡପରେ ଦେବଦାସୀ ହୋଇ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପି ଦେଇ ବିହ୍ଵଳିତ ମୁଦ୍ରାରେ ସେ ନାଚୁଥିଲା । ମନ୍ତ୍ରମୁଗ୍ଧ ଥିଲେ ଦର୍ଶକ । ନୃତ୍ୟ ଶେଷରେ ସେ କୃତଜ୍ଞତା ଜ୍ଞାପନ କଲା ଗୋଟିଏ ହାତରେ । ସେଯାଏ ତା’ ନୃତ୍ୟ ଭିତରେ ଏପରି ସମସ୍ତେ ହଜିଥିଲେ ଯେ କେହି ଜାଣିପାରିଲେ ନାହିଁ ସେ…’
-‘ଓଃ ! ମୋ ଛାତି ଫାଟିଗଲା । ଆହା ଘୁଙ୍ଗୁର ତାଳେତାଳେ ଦର୍ଶକ ଗ୍ୟାଲେରିକୁ ନିର୍ବାକ କରି ରଖିଥିବା ନୃତ୍ୟ ପ୍ରବୀଣା ସେଇ ସୌନ୍ଦର୍ଯ୍ୟ ବିମଣ୍ଡିତା ଝିଅଟି ଜଣେ ଦିବ୍ୟାଙ୍ଗ ! କହୁଣୀଠାରୁ ଡାହାଣ ହାତଟି ନାହିଁ !!’
-‘ଶିଳ୍ପୀ ତୁମେ ଅଧିକ ଭାବପ୍ରବଣ ହୋଇଉଠୁଛ । ତା’ ଠାରୁ ବି ଆହୁରି ଅନେକ ବିକଳାଙ୍ଗ ଦିବ୍ୟାଙ୍ଗ ଅଛନ୍ତି । ସୃଷ୍ଟିର ବିସ୍ମୟ ଇଏ । ଏପରି କାହିଁକି ହୁଏ, ତାର କାରଣ ନା ତୁମେ ଜାଣିଛ ନା ଅନ୍ୟକେହି । କିନ୍ତୁ ତା ଦିବ୍ୟାଙ୍ଗତା ଦେଖ ନାହିଁ । ଦେଖ ତାର ଦକ୍ଷତାକୁ । ମାପ ତାର ବିଶ୍ୱାସକୁ । ପଢ଼ ତାର ଦୃଢୋକ୍ତିକୁ । ଶିଖ ଜୀବନକୁ । ଯେକୌଣସି ପରିସ୍ଥିତିରେ ଯେତେ ଅଭାବବୋଧ ଥିଲେ ମଧ୍ୟ ଜଣେ କିପରି ଖୁସିରେ ଜୀବନକୁ ଜୀଇଁପାରେ !’
-‘ସତେ ତ ! ଝିଅଟି ମୁହଁ ଖୁସିରେ ଉଛୁଳୁଥିଲା । ଦିବ୍ୟାଙ୍ଗ ବୋଲି ତାର ପରବାୟ ନଥିଲା । ଏହାପରେ ଚଞ୍ଚଳ ହୋଇ ଉଠିଲେ ମୋ ରଙ୍ଗ, ତୁଳୀ ଏବଂ କଳ୍ପନାର ଆଖି ।‘
-‘କିଛିକ୍ଷଣ ପରେ ଖିଲିଖିଲି ହସୁଥିଲା ସେ ନୃତ୍ୟରତା ଦିବ୍ୟାଙ୍ଗ ଝିଅଟି ମୋ କାନଭାସ୍ ଉପରେ ।‘

ଶିକ୍ଷୟତ୍ରୀ, ଜଗତସିଂହପୁର

ଲେଖକ ପରିଚୟ

ଜଣେ ବିଦଗ୍ଧ ପାଠକ କହିଲେ ବେଶି ଠିକ ହେବ । ଜୀବନ, ଜଗତ ଓ ଜିଇଁବାକୁ ଲେଖେ । ଏଯାବତ ୪ ଖଣ୍ଡ କ୍ଷୁଦ୍ରଗଳ୍ପ ସଂକଳନ ପ୍ରକାଶିତ ହୋଇଛି ଏବଂ ଡିଜିଟାଲ ସାହିତ୍ୟ ପୋର୍ଟାଲ “ପ୍ରତିଲିପି”ରେ ଏକ ଧାରାବାହିକ ଉପନ୍ୟାସ ଲେଖି ପ୍ରଥମ ସ୍ଥାନ ଅଧିକାର କରିଥିଲି । ବାରମ୍ବାର ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଲା ପରେ ସେମାନେ “ସାରସ୍ଵତ ଗାଳ୍ପିକା ସମ୍ମାନ”ରେ ମଧ୍ୟ ଭୂଷିତ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *