ବସନ୍ତ ବେହେରା

ମୁଁ ଗୋଟିଏ ଚିତ୍ର ଆଙ୍କୁଚି – ଅନ୍ଧାରର
ନିଃସଙ୍ଗତାର ତୂଳୀରେ
ବିଷାଦର ରଙ୍ଗ ଗୋଳେଇ
ଦୁଃଖର କ୍ୟାନଭାସ୍ ଉପରେ
ଅନ୍ଧାର ବଡ଼ ସୁନ୍ଦର ଲାଗୁଛି
ତାର ପ୍ରସ୍ତପ୍ରସ୍ତ ପ୍ରଲମ୍ବିତ ଛାଇ
କୃଷ୍ଣ ଅଜଗର ପରି ଗୁଡ଼େଇ ରଖିଛି
ଝର୍କା ସେପଟୁ ପଶି ଆସିଥବା ଗୋଟେ ଛିନ୍ନପ୍ରାୟ
ଆଲୁଅର ବାର୍ହା ଛୁଆକୁ
ବାର୍ହା ଛୁଆଟି ବିକଳରେ ବୋବାଳି ଛାଡୁଛି
ପ୍ରଚ୍ଛଦପଟରେ ନିରଙ୍କୁଶ ନିଦରେ
ଘୁଙ୍ଗୁଡ଼ି ମାରୁଛି ରାତିର ନିର୍ଦୟ ଅରଣ୍ୟ
ଅନ୍ଧାର ଯେତିକି ସୁନ୍ଦର ହେଉଛି
ସେତିକି ସତ୍ୟ ଲାଗୁଛି ପୃଥିବୀ
ଚିତ୍ରର ମଝି ମଝିରେ ବିକାରଗ୍ରସ୍ତ ଆକାଂକ୍ଷାଗୁଡ଼ିକ
ନଗ୍ନ, ବିକଳ ଦେଖାଯାଉଛନ୍ତି
ମୁଁ ଚିତ୍ର ଆଙ୍କିଚାଲିଛି … ।
ଚିତ୍ରପଟର ଅନତି ଦୂରରେ
ବିଛେଇ ପଡ଼ିଛି ସ୍ୱର୍ଣ୍ଣିମ ସୂର୍ଯ୍ୟାଲୋକ
ପ୍ରାନ୍ତର ସାରା ଚିତ୍ରିତ ରୌଦ୍ରଛାୟା
ସେ ଛାୟାଲୋକର ଆକର୍ଷଣରେ ଏକ ତୃଷାର୍ତ୍ତ ହରିଣ
ଶ୍ୟାମଳ ଅନ୍ଧାର ଛାଡ଼ି ଦୌଡୁଛି ଯେ ଦୌଡୁଛି ।
ମୁଁ ଚିତ୍ର ଆଙ୍କିଚାଲିଛି
ଆହୁରି ଗାଢ଼ କରି ରଙ୍ଗ
ଆହୁରି ସୂକ୍ଷ୍ମ କରି ତୂଳୀ
ନିରନ୍ଧ୍ର ଅନ୍ଧାରର ଅଜଗରଟି
ଆଲୁଅର ବାର୍ହା ଛୁଆଟିକୁ ଗିଳିବ ଗିଳିବ ହେଉଛି ।
ଅନ୍ଧାର ଯେତେ ବହଳ ହେଉଛି
ଆଲୁଅ ସେତେ ନଗ୍ନ ନିର୍ଲଜ ଲାଗୁଛି ।
ଆଲୁଅର ଛଦ୍ମାବରଣ ତଳେ
ଜୀଇ ଆସିଥିବା ମଣିଷଟେ ମୁଁ
ଅନ୍ଧାରର ଚିତ୍ର ଆଙ୍କିଚାଲିଛି ଯେ
ଶେଷ ସ୍ପର୍ଶ ଦେବାକୁ ନା ଅଛି ସାହସ
ନା ଅଛି ନୈପୁଣ୍ୟ
ଅସମ୍ପୂର୍ଣ ଚିତ୍ରାଙ୍କନଟିକୁ
ଦେଖିଲା ବେଳକୁ ଗୋଟିଏ ବିଚିତ୍ର
ବହୁରୂପୀ ପରି ମୁଁ ହିଁ ହସୁଛି ତାର କେନ୍ଦ୍ରବିନ୍ଦୁରେ
ମୁଁ କ’ଣ ମତେ ହିଁ ଆଙ୍କିଚାଲିଛି !
ସୁନାପୁର, ଗଞ୍ଜାମ
ଲେଖକ ପରିଚୟ
କବିତାର ପ୍ରାୟ ପ୍ରତ୍ୟେକ ବିଭାଗରେ ଲେଖନୀ ଚାଳନା କରୁଥିବା ଏହି କବି, ପିଲାଟିଦିନରୁ ବାପାଙ୍କ ମୁଖରୁ ବିଭିନ୍ନ କାବ୍ୟକବିତା, ପୁରାଣ ଆଦି ଶୁଣି ସାହିତ୍ୟ ସର୍ଜନାର ପ୍ରେରଣା ପାଇଛନ୍ତି । ଅକୃତ୍ରିମତା, ପ୍ରତ୍ୟକ୍ଷ ଜୀବନାନୁଭୂତି, ସିଧା ଓ ସରଳ ଭାବ ପ୍ରକାଶ ତାଙ୍କ କବିତାର ବୈଶିଷ୍ଟ୍ୟ । ଏଯାବତ ପ୍ରକାଶିତ ପୁସ୍ତକଗୁଡ଼ିକ : ‘କର୍ଣ୍ଣ’, ‘ଚିତ୍ରଖାତା’, ‘ବାଉଳାଚାଉଳା’ ଓ ‘ମାଛଧରାଳି ଗୀତ’ ।
