ପୁଷ୍ପଲତା ଶତପଥୀ

ଭୁଲି ହୁଏନାହିଁ ଅଭୁଲା ଅତୀତ
ସ୍ମୃତି ହୋଇଯାଏ ରହି
ଯେତେ ଖୋଜିଲେ ବି ମିଳେନାହିଁ
ରହେ ପ୍ରଶ୍ନବାଚୀ ହୋଇ ।

ହେ ମୋର ଅତୀତ କାହିଁ ଚାଳିଗଲ
ମୋତେ କରିଦେଇ ଏକା
ଅଫେରା ରାଇଜେ ରହିଅଛି ମୁହିଁ
ସାଉଁଟୁଛି ପରିଭାଷା ।

ସ୍ନେହ, ପ୍ରେମ, ଶ୍ରଦ୍ଧା ଭଲପାଇବାରେ
ରହିଥାଏ ମାଧୁର୍ଯ୍ୟତା
ଯେତେ ଯାହା ଥାଏ ମନ ପରିଧିରେ
ଉଙ୍କିମାରେ ନିରବତା ।

ସ୍ମୃତିର ପାହାଚ ଅତିକ୍ରମ କରି
ରହିଲି ନିରାଶ ହୋଇ
ମନ ଉପବନେ ଘେରି ରହିଅଛି
ଆଶା ନିରାଶାର ଛାଇ ।

ଆନ୍ଦୋଳିତ ମନ ସନ୍ତାପିତ ପ୍ରାଣ
ଦୂର ଦିଗବଳୟ ସାକ୍ଷୀ
ଅତୀତର ସ୍ମୃତି ଅତୀତରେ ରହୁ
ଭିନ୍ନ ଏକ କାରୁବାକୀ ।

ଜଗତସିଂହପୁର

ଲେଖକ ପରିଚୟ

୧୯୯୦ ମସିହାରୁ ମୁଁ ଏଇ ଗପ, କବିତା ଲେଖାଲେଖି କରୁଛି । କଲେଜ ସମୟରେ ମୋର କବିତା ପତ୍ରିକା ବି ପ୍ରକାଶ ପାଉଥିଲା । ପ୍ରେରଣା ହେଉଛନ୍ତି ମୋ ବାପା ଓ ମାଆ । ସେମାନେ ଆଜି ଏଇ ଦୁନିଆରେ ମୋ ସହ ନାହାନ୍ତି ସତ କିନ୍ତୁ ଯାହା ସେମାନେ ମୋତେ ଶିଖେଇ ଯାଇଛନ୍ତି ତାକୁ ହିଁ ପାଥେୟ କରି ମୁଁ ମୋ ଜୀବନର ବାଟ ଚାଲୁଛି ।

Related Posts

Leave a Reply

Your email address will not be published. Required fields are marked *