ଭୁବନେଶ୍ଵର : କୋରାପୁଟ ସତ୍ତା ସାହିତ୍ୟ ସଂସଦର ୪୩ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସତ୍ତା ସାହିତ୍ୟ ସଂସଦ ସଭାପତି ଜଳଧର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସମାଜସେବୀ ତଥା ସୀତମ କଲେଜ ଅଧ୍ୟକ୍ଷ କୃଷ୍ଣ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଉଦ୍ଘାଟନ କରିଥିଲେ । ଚଳିତ ବର୍ଷ ସତ୍ତା ବିଷୁବ ସମ୍ମାନରେ ଅବସର ପ୍ରାପ୍ତ ସୂଚନା ଲୋକ ସମ୍ପର୍କ ଓ ସଂସ୍କୃତି ପରିଷଦର ପୂର୍ବତନ ନିର୍ଦ୍ଦେଶକ କବି ମାନସ ରଞ୍ଜନ ମହାପାତ୍ର ଓ ସାପ୍ତାହିକ ପତ୍ରିକାର ସମ୍ପାଦକ ତାରକ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ସାହିତ୍ୟିକ ବସନ୍ତ ନାଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଜଳଧର ସ୍ଵାଇଁ ସ୍ଵାଗତ ଅଭିଭାଷଣ ଦେଇଥିଲା ବେଳେ ସମ୍ପାଦକ ଜୟନ୍ତ କୁମାର ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।
ସୂଚନା ଅନୁସାରେ ପ୍ରଥମ ଅଧିବେଶନରେ ଶ୍ରୀମତୀ ମିନା ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ଶୈଳବାଳା ମହାପାତ୍ରଙ୍କ ସଭାପତିତ୍ୱରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ନାଟ୍ୟକାର ଉଦୟ ଶଙ୍କର ଜାନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ କବିତା ଆସରକୁ ସଂଯୋଜନା କରିଥିଲେ ଡ. ଅଶୋକ କୁମାର ମହାନ୍ତି ଓ ବିଜୟଲକ୍ଷ୍ମୀ ପାଣିଗ୍ରାହୀ । ଲକ୍ଷ୍ମୀକାନ୍ତ ପାଢୀ, ସୁଧାଂଶୁ ପଟ୍ଟନାୟକ, ଶାନ୍ତନୁ କୁମାର ସାମଲ, ନୀଳକଣ୍ଠ ଡଲିଆ, ରମେଶ ସାହୁ, ବାବାଜୀ ରାଉତ, ମହାଦେବ ଶତପଥୀ, ଅଜୟ ମଲ୍ଲିକ, ଅଜୟ ସାହୁ , ସ୍ନିଗ୍ଧା ମିଶ୍ର, ସନ୍ଧ୍ୟାରାଣୀ ପଟ୍ଟନାୟକ, ଚନ୍ଦ୍ରକାନ୍ତ ବିଶ୍ଵାଳ, ରଘୁନାଥ ବିଶ୍ଵାଳ, ଅବିନାଶ ମହାପାତ୍ର ଓ ପଦ୍ମନାଭ ସେଠୀ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ ।
ଏହାସହିତ ବସନ୍ତ ନାଥଙ୍କ ରଚିତ କବିତା ପୁସ୍ତକ ତପବନର ସୂର୍ଯ୍ୟାସ୍ତ ପୁସ୍ତକଟି ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଶୁଭ ନାରାୟଣ ସ୍ଵାଇଁ, ତନ୍ମୟ ପ୍ରଧାନ, ଉମା ଶଙ୍କର ଦାସ, ସାରଦା ଖୁଣ୍ଟିଆ, ପ୍ରଦୀପ୍ତ ବାରିକ, ସବିତା ଶତପଥୀ ଓ ସୌମେନ୍ଦ୍ର କୁମାର ସ୍ଵାଇଁ ପ୍ରମୁଖ ସହଯୋଗ କରିଥିଲେ ।