ସାହିତ୍ୟିକା ସୁସ୍ମିତା ବେହେରାଙ୍କ ସହିତ ସହ-ସମ୍ପାଦିକା ନୀଳିମା ନିବେଦିତାଙ୍କ ଏକ ସାକ୍ଷାତକାର :
ଏକକ ପିତାମାତା ହେବା ସହିତ ଗୋଟିଏ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଲୋକ ସମ୍ପର୍କ ଓ ଯୋଗାଯୋଗ ବିଭାଗରେ ପରିଚାଳକ ରୂପେ କାର୍ଯ୍ୟରତ ଲେଖିକା ସୁସ୍ମିତା ବେହେରା । କେବେଠୁ ଲେଖୁଛି ପ୍ରଶ୍ନ ଅପେକ୍ଷା ତାଙ୍କ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସେ କାହିଁକି ଲେଖନ୍ତି । ତାଙ୍କ କହିବାନୁସାରେ, ଯେତେବେଳେ ଭରସା ବାଟ ଭାଙ୍ଗେ ଠିକ ସେହି ସମୟରେ ଅତି ନିଜର ହେଇଯାଆନ୍ତି ଶବ୍ଦମାନେ। ଭାବାବେଗ ଉଛୁଳି ପଡ଼ନ୍ତି ଆପେଆପେ ଆଉ ଲେଖି ହେଇଯାଏ କବିତା, ପ୍ରବନ୍ଧ, ଗଳ୍ପ ଓ ଆଲୋଚନା ଇତ୍ୟାଦି । ପ୍ରଥମ କବିତା ସଂକଳନ ‘ମୁଁ ତାରାଟେ ହେବକୁ ଚାହେଁ’ ୨୦୧୧ ମସିହାରେ ପ୍ରକାଶିତ ହୋଇଥିଲାବେଳେ କୁନ୍ତଳା କୁମାରୀ ସାବତ, ରାଧାନାଥ ରଥ, ଗଙ୍ଗାଧର ମେହେର ପ୍ରଭୃତ କବିମାନେ ତାଙ୍କ ସାହିତ୍ୟର ମୂଳଦୁଆ ବୋଲି ସେ କୁହନ୍ତି । ଏଯାବତ ୩ ଖଣ୍ଡ ପୁସ୍ତକ ତାଙ୍କର ପ୍ରକାଶିତ ହୋଇସାରିଛି ଏବଂ ୪ ର୍ଥ ବହି ପ୍ରକାଶନ ଅପେକ୍ଷାରେ ।
୧ – ସାହିତ୍ୟରେ ଜୀବନ ନା ଜୀବନରେ ସାହିତ୍ୟ, କେମିତି ଦେଖନ୍ତି ଆପଣ ?
ଜୀବନ ଏକ ପ୍ରଖର ସ୍ରୋତ ପରି । ‘ସାହିତ୍ୟ’ ସେ ସ୍ରୋତରେ ସ୍ଥିରତା ଆଣିପାରେ । ସାହିତ୍ୟ ଜୀବନକୁ ବଦଳାଇ ପାରେନାହିଁ ସତ, କିନ୍ତୁ ସେଥିରେ ଉନ୍ମାଦନା ଭରି ଦେଇପାରେ । ଅନୁରାଗ ଅଜାଡ଼ି ଦେଇପାରେ ।
୨ – ଜୀବନ ଓ ଜୀବିକା ମଧ୍ୟରେ ସାହିତ୍ୟର ଭୂମିକା କେତେ ଗୁରୁତ୍ଵପୂର୍ଣ୍ଣ ?
ଜୀବନ ପାଇଁ ଜୀବିକା ନିତାନ୍ତ ଜରୁରୀ । ଭୋକିଲା ପେଟରେ ବା ଅତ୍ୟନ୍ତ ଦୁଃସ୍ଥ ଅବସ୍ଥାରେ ସାହିତ୍ୟ ବି ଭାବହୀନ ହୋଇପଡ଼େ । ଜୀବନ ଓ ଜୀବିକା ମଧ୍ୟରେ ସାହିତ୍ୟ ନଥାଏ । ଆମେ ଜୀବନକୁ କେଉଁ ଭାବରେ ଦେଖୁଛୁ ଓ ଭୋଗୁଛୁ ସେ ଦୃଷ୍ଟିକୋଣରେ ସାହିତ୍ୟ ଲୁଚି କରି ରହିଥାଏ । ଜୀବନର ପ୍ରତିଟି ମୂହୁର୍ତ୍ତକୁ ଆମେ ଶବ୍ଦରେ ଆଉଥରେ ବଞ୍ଚିବାର ଅନୁଭବ ଦେଇପାରୁ ।
୩ – ଜଣେ ସଫଳ ବ୍ୟକ୍ତିର ମାନଦଣ୍ଡ କଣ ?
ଜଣେ ବ୍ୟକ୍ତି ସେତେବେଳେ ସଫଳ ହୁଏ, ଯେତେବେଳେ ସେ ନିଜର ଜୀବନଶୈଳୀ, କର୍ମ, ଚିନ୍ତାଧାରା ଦ୍ଵାରା ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସମୂହଙ୍କ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆଣିପାରେ । ବ୍ୟକ୍ତି କେବଳ ଆତ୍ମକୈନ୍ଦ୍ରିକ ହେଲେ ସଫଳ ବୋଲି କୁହାଯାଇ ପାରିବ ନାହିଁ ।
୪ – ଚାକିରି, ପରିବାର ଓ ସାହିତ୍ୟ, ଏମାନଙ୍କ ଭିତରେ ସାମଞ୍ଜସ୍ୟ କଣ, କିପରି ଏକ ସୁସ୍ଥ ସନ୍ତୁଳନ ରକ୍ଷା କରିହେବ ?
ଜୀବନକୁ ସୁନ୍ଦର କରି ଗଢି ତୋଳିବାରେ ଚାକିରି, ପରିବାର ଓ ସାହିତ୍ୟ ସମସ୍ତଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । ପ୍ରତିଟି ଦିନ ୨୪ ଘଣ୍ଟା ବୋଲି ଆମେ ସମସ୍ତେ ଜାଣିଛୁ । ଚାକିରି କରିଥିବା ସବୁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଏକ ସମୟରେ ଅଫିସ/ କାର୍ଯ୍ୟାଳୟ/ କର୍ମକ୍ଷେତ୍ରକୁ ଯିବାକୁ ବାଧ୍ୟ ହୁଏ । ସେଥିରେ ସେ ଅବହେଳା କରିପାରିବ ନାହିଁ । ପରିବାର ଓ ସାହିତ୍ୟ ପାଇଁ ତେଣୁ ତାକୁ ସମୟକୁ ନେଇ ସନ୍ତୁଳିତ ହେବାକୁ ହେବ । ଯେଉଁଥିପାଇଁ ବିଧିବଦ୍ଧ ଯୋଜନା କରିବାକୁ ପଡ଼ିବ ।
୫ – ଜୀବନରେ ଆସୁଥିବା ସବୁଠାରୁ କଷ୍ଟ ସମୟରେ ସାହିତ୍ୟ କେତେ ସାହାଯ୍ୟ କରେ ଜଣଙ୍କୁ ?
ବହୁତ ସାହାଯ୍ୟ କରେ । ମୁଁ ଯଦି ନିଜର ବ୍ୟକ୍ତିଗତ କଥା କହିବି, ତେବେ ଯେତେବେଳେ ପାରିବାରିକ ହିଂସା ଆଉ ପ୍ରତାରଣାରେ ମୁଁ ସବୁଠୁ ଅଧିକ ବ୍ୟଥିତ ହୋଇଥିଲି । ମାନସିକ ଭାରସାମ୍ୟ ବଜାୟ ରଖିବା ପାଇଁ ଏଇ ସାହିତ୍ୟର ଆଶ୍ରୟ ନେଇଥିଲି । ମୋ ଆଖିର ଲୁହ ଓ କବିତାର ଶବ୍ଦ ମିଳିତ ଭାବରେ ମୋତେ ଏକ ଅସ୍ତିତ୍ଵ ଦେଇଥିଲେ । ଯନ୍ତ୍ରଣା ସବୁ ଶବ୍ଦ ହୋଇ ସ୍ୱରୂପ ନେଲାପରେ ମୁଁ ଅଦ୍ଭୁତ ଭାବେ ସବୁ ଅବସାଦରୁ ମୁକ୍ତ ହେଉଥିଲି । ସେଇ ପ୍ରକ୍ରିୟା ଏବେ ବି ଅବ୍ୟାହତ ।
୬ – ଜଣେ ଏକକ ମାଆ ବୋଲି କେବେ ହତାଶ ହୋଇଛନ୍ତି ? ନାରୀ ସୁରକ୍ଷା ଓ ସାହିତ୍ୟ ଭିତରେ କି ସମ୍ପର୍କ ରହିଛି ?
ହଁ, ବେଳେବେଳେ । ପିଲାକୁ ଉପଯୁକ୍ତ ଭାବେ ଲାଳନପାଳନ କରିବାରେ ଜଣେ ଏକକ ମା’ର ଭୂମିକା ସବୁବେଳେ ଚ୍ୟାଲେଞ୍ଜ ଭରା ଥାଏ । ବ୍ୟବହାରିକ ମନସ୍ତାତ୍ତ୍ଵିକ, ସାମାଜିକ ତଥା ତା ପାଇଁ ଆବଶ୍ୟକ ହେଉଥିବା ସଂଶାଧନ, ସବୁଥିରେ ଭାଗମାପକୁ ବଜାୟ ରଖିବା, ତାର ସୁରକ୍ଷା ଓ ଉନ୍ନତି ପାଇଁ ଯତ୍ନଶୀଳ ହେବା ଏତେ ଅଧିକ କଷ୍ଟକର ବ୍ୟାପାର ଯେ ମୁଁ ଶବ୍ଦରେ ସେସବୁ କହି ପାରିବିନି ।
ସାହିତ୍ୟ ଜୀବନକୁ ଉଦ୍ ବୁଦ୍ଧ କରିବା ସହିତ ଯନ୍ତ୍ରଣାକୁ ଉପଶମ କରେ । ସମାଜରେ ସଚେତନତା ସୃଷ୍ଟି କରେ ଓ ଏକ ପ୍ରମୁଖ ମାଧ୍ୟମ ପାଲଟେ । ଜୀବନର ଅଭିଜ୍ଞତାକୁ ନେଇ ଉନ୍ନତ ସାହିତ୍ୟ ସୃଷ୍ଟି କରିପାରିଲେ ସମ୍ମାନ ଆପେଆପେ ମିଳେ । କିନ୍ତୁ ସାହିତ୍ୟକୁ ନେଇ ଭୁଲ ଉପାୟରେ ପରିଚୟ ସୃଷ୍ଟି ଓ ଖ୍ୟାତି ପାଇଁ ଉଦ୍ୟମ କଲେ, ବିଶେଷ କରି ମହିଳାମାନେ ବିପଦରେ ପଡ଼ିବାର ଅନେକ ଉଦାହରଣ ରହିଛି । ତେଣୁ ନିଜର ସୁରକ୍ଷା ଦୃଷ୍ଟିରୁ ସେମାନେ ଏଥିରୁ କ୍ଷାନ୍ତ ରହିବା ଉଚିତ । ଏହା ମୋର ବ୍ୟକ୍ତିଗତ ମତ ।
୭ – ସାହିତ୍ୟ ସାଧନାରେ ବାଧା କହିଲେ କାହାକୁ ବୁଝାଏ ? ସେପରି କୌଣସି ଅପ୍ରୀତିକର ସ୍ଥିତି ସାମ୍ନା କରିଛନ୍ତି କି ?
ସାହିତ୍ୟ ସାଧନାରେ ବାଧା କହିଲେ, ପ୍ରଥମେ ଜଣେ ସାହିତ୍ୟିକ/ ଲେଖକର ମାନସିକତାକୁ ବୁଝାଏ । ଯଦି ଜଣେ ମାନସିକ ଭାବେ ପ୍ରସ୍ତୁତ ନୁହେଁ ତାହେଲେ ସାହିତ୍ୟର ଯେକୌଣସି ବିଭାଗ ଯଥା କବିତା, ଗଳ୍ପ ହେଉ ଅବା ପ୍ରବନ୍ଧ କି ଭ୍ରମଣ କାହାଣୀ, କିଛି ବି ଲେଖି ପାରିବ ନାହିଁ । ଲେଖାଲେଖି ପାଇଁ ଉପଯୁକ୍ତ ପରିବେଶ ଓ ସମୟ ଉଭୟ ବି କିଛିଟା ଗୁରୁତ୍ଵ ରଖେ ।
ଜୀବନ ପରି ସାହିତ୍ୟ ସାଧନାରେ ବି ଅପ୍ରୀତିକର ସ୍ଥିତି ଆସେ । ହଁ, ସାମ୍ନା କରିଛି ଏବଂ ତାକୁ ଚତୁରତାର ସହ ଆଡ଼େଇ ମଧ୍ୟ ଯାଇଛି । ସାହିତ୍ୟ ମୋ ପାଇଁ ଜୀବନ ଜିଇଁବାର ଏକ ଖୋରାକ । ଯଶ ଖ୍ୟାତିର ମରୀଚିକା ନୁହେଁ ।
୮ – ଜଣେ ସାହିତ୍ୟିକା ହିସାବରେ ପ୍ରେମ ଓ ସମ୍ପର୍କକୁ ନେଇ ଆପଣଙ୍କ ମତ କଣ ?
ପ୍ରେମ ଏକ ଅଦ୍ଭୁତ ଅନୁଭବ ଯାହା ଯନ୍ତ୍ରଣା ସହିତ ଖୁସି ଦେଇଥାଏ । ଜୀବନକୁ ଅଧିକ ଭଲ ପାଇବାର ମୋହ ଭରିଥାଏ । ସେହିପରି ସମ୍ପର୍କ ଏକ ବାସ୍ତବତା ଯାହା ଯୋଡ଼ି ହେଲେ ପୂର୍ଣ୍ଣତାର ଅନୁଭବ ହୁଏ ।