ଶରତ କୁମାର ରାଉତ

ଆଜିର ସମାଜରେ ସମୁଦ୍ରର ସ୍ରୋତ ପରି ପ୍ରଶଂସା ପିପାସୁ ଓ କ୍ଷମତାଲିପ୍‌ସୁ ମଣିଷର ଅରଣ୍ୟ । ସମାଜସେବା, ସାହିତ୍ୟିକତା, ଅଭିନୟ, ସଙ୍ଗୀତ, କ୍ରୀଡ଼ା, ଅସାଧାରଣ ବୈଜ୍ଞାନିକ କୌଶଳ, ଆଭିଜାତ୍ୟ ରାଜନୀତି କିମ୍ବା ପ୍ରଶାସନିକ କ୍ଷମତା ମାଧ୍ୟମରେ ସମାଜରେ ପରିଚିତ ହେବାକୁ ପ୍ରୟାସୀ ଆଜିର ମଣିଷ! ସେମାନଙ୍କ ଭିତରୁ ଇନ୍ଦ୍ରଜିତ୍ ଜଣେ ।

ବିବାହପରେ ବେକାରୀ ସମସ୍ୟାର ମୁକାବିଲା ପାଇଁ ସେ ବିଭିନ୍ନ ବେସରକାରୀ ସଂସ୍ଥାରେ କାମ କରିଛି । କିନ୍ତୁ ମାଲିକ ମାନଙ୍କର ଦୌରାତ୍ମ୍ୟ, ତାତ୍ସଲ୍ୟ ଓ ଅସଦ୍‌ବ୍ୟବହାର ସହ୍ୟ କରି ନ ପାରି ସବୁ କାମ ଛାଡ଼ି ଦେଇଛି । । ଶେଷରେ ଦରଜୀ କାମରୁ ମିତା ଯାହା କମାଏ, ସେଥିରେ ହିଁ ଘର ଭଡ଼ା ସହ ଦୁଇ ପ୍ରାଣୀକୁ ଚଳିବାକୁ ପଡ଼େ ।

ବେଳେବେଳେ ନିଜ ସମସ୍ୟା କଥା ଯଦି କାହାକୁ କହୁଥିଲା, କେହି କେହି ସହାନୁଭୂତି ଛଳରେ ଆହା ଚୁ ଚୁ କରୁଥିଲା ବେଳେ ଆଉ କେତେକ ପରିହାସ କରୁଥିଲେ । ଲୁଚେଇ ଲୁଚେଇ ଚୋରଙ୍କ ପରି କଅଣ କଥା ହେଉଥିଲେ । ଏତିକି ବେଳେ ପୃଥିବୀର ସବୁ ପାର୍ଥିବ ବସ୍ତୁ ପ୍ରତି ତା’ର ବିତୃଷ୍ଣା ଆସିଯାଏ । ତା ଭଳି ଗୋଟିଏ ଜୀବର ସୃଷ୍ଟି ହୋଇନଥିଲେ କଅଣ ଭାସିଯାଇଥାନ୍ତା ସ୍ରଷ୍ଟାଙ୍କର ବୋଲି ଭାବେ । କିନ୍ତୁ ତାର ଏଇ ଭାବନା ବେଶୀ ସମୟ ସ୍ଥାୟୀ ହୋଇ ରହେନା । ମନ ଭିତରେ ସୃଷ୍ଟି ହୁଏ ଅସୁମାରୀ ସାହାସ ଆଉ ନିଜକୁ ସାନ୍ତ୍ୱନା ଦେବାର ଶକ୍ତି । ହେଲେ କେବଳ ଛତା, ଯୋତା ହୀନ ବାଟୋଇ ପରି ଗ୍ରୀଷ୍ମର ପ୍ରଖରତା ମଧ୍ୟରେ ସେ ଆଗେଇ ଚାଲେ ।

କଡ଼ ପଟରେ ବିଗ୍ରହଟିଏ ଦେଖି ମନେ ମନେ ଖୁସି ହୋଇଗଲା ଇନ୍ଦ୍ରଜିତ୍ । ଏକ ଲୟରେ ଚାହିଁ ରହିଲା ସେ ଆଡ଼େ । କଅଣ ସବୁ ଭାବୁଥିଲା ବେଳେ ଅପରିଚିତ ଜଣକ ପଚାରିଲେ, “ବାବାଙ୍କ ଦୀକ୍ଷା ନେଇଛ କି? ମୁଁ ଆଠ ବର୍ଷତଳୁ ବାବାଙ୍କୁ ଧରିଲେଣି । ଇୟେ କମ୍ପ୍ୟୁଟର୍ ଟ୍ରେନିଙ୍ଗ ସଂସ୍ଥାର ମୁଁ ନିର୍ଦ୍ଦେଶକ, ମୋ ନାଁ ଅଭିଜିତ୍ ସାମନ୍ତରାୟ । ଏଇ ଜେଲ୍ ରୋଡ୍‌ ରେ ଗଲେ, ଯେଉଁ ଟିଉବ୍‌ୱେଲ ଅଛି, ପାଖରେ ଝଙ୍କାଳିଆ ବରଗଛଟେ ଏବଂ ପରେ ଜଣେ ଓକିଲଙ୍କର କୋଠା ଓ ତା ପାଖ ଆଜ୍‌ବେଷ୍ଟସ୍ ଘରଟି ମୋର!” ସଙ୍ଗେ ସଙ୍ଗେ ‘ଜୟଗୁରୁ’ କହି ନିଜର ପରିଚୟ ଦେଲା ଇନ୍ଦ୍ରଜିତ୍ ।

ଉଭୟ ପରସ୍ପରକୁ ଏକ ଲୟରେ ଚାହିଁ ରହିଲେ କିଛି ସମୟ । ଇନ୍ଦ୍ରଜିତ ଭିତରୁ କ’ଣ ଯେପରି ଖୋଜୁଥିଲା ଅଭିଜିତ୍‌ର ଆଖି ।

ଇନ୍ଦ୍ରଜିତ୍‌କୁ ଅନେକ କଥା ପଚାରିଲା ଅଭିଜିତ୍ । ନିଜ ମନର ସବୁ ଗୋପନ ଅଗୋପନ କଥା ବିନା ଦ୍ୱିଧାରେ କହିଗଲା ଇନ୍ଦ୍ରଜିତ୍ । ଏହା ହୁଏତ ଇନ୍ଦ୍ରଜିତ୍‌ର ସ୍ୱଭାବ । କାରଣ ତା ସମ୍ପର୍କରେ ଯିଏ କିଛି ପଚାରେ ସେ ଆଗପଛ ବିଚାର ନ କରି ସଫା କହିଦିଏ ନିଜର ଓ ପରିବାରର ସମସ୍ୟା ।

ଅଭିଜିତ୍ ସହାନୁଭଭୂତି ପ୍ରକାଶ କଲା । କମ୍ପ୍ୟୁଟର୍ ହୋଇଥିବା କାଗଜଟିଏ ଧରି ଫେରିଲା ଇନ୍ଦ୍ରଜିତ୍ ।
କ୍ରମେ ଅନ୍ତରଙ୍ଗତା ଘନେଇ ଉଠିଛି ଦୁହିଁଙ୍କ ଭିତରେ । ପ୍ରତିଦିନ ମିଳନ୍ତି ଏଇଠି । ଘଣ୍ଟା ଘଣ୍ଟା ବିତେଇ ଦିଅନ୍ତି ଆନନ୍ଦରେ ତ କେତେବେଳେ ଦୁଃଖରେ । ଏମିତି ଘଟଣା ମଣିଷ ଜୀବନରେ ପ୍ରାୟ ଆସେ । ହଠାତ୍ ଅଳ୍ପ ସମୟ ଭିତରେ ଦୁଇ ଅଚିହ୍ନା ମଣିଷ ଭିତରେ ଘନିଷ୍ଠ ସମ୍ପର୍କ ସୃଷ୍ଟି ହୋଇଯାଇଥାଏ ।

ଅଭିଜିତ୍ ଉ୍‌ଚ୍ଚଶିକ୍ଷିତ ଓ ଆଭିଜାତ୍ୟ ସମ୍ପନ୍ନ ପରିବାରର ଯୁବକ । ଏମ୍‌.ଏ. ପାଶ୍ ପରିବା ପରେ ଅଫିସ୍‌ରୁ ଅଫିସ୍ ଘୂରିଛି । ଇଣ୍ଟରଭ୍ୟୁ ପରେ ଇଣ୍ଟରଭ୍ୟୁ ଦେଇଛି । ସହରରୁ ସହରକୁ ବୁଲୁ ବୁଲୁ ରାସ୍ତାର ବୁଲା କୁକୁରଙ୍କ ଭଳି ତଡ଼ି ହୋଇଆସିଛି ଫୁଟ୍‌ପାଥ୍ ଉପରକୁ । ବାପ-ମାଙ୍କର ଗୋଟିଏ ବୋଲି ପୁଅ ସେ । ଯଥେଷ୍ଟ ବଡ଼ ହୋଇ ଯାଇଛି । ପରିବାର ପ୍ରତି ତା’ର ଦାୟିତ୍ୱ ଆସିଯାଇଛି ।

ଶେଷରେ ନିଜ ନିଷ୍ପତ୍ତି ବଦଳାଇଥିଲା । ସରକାରୀ ଚାକିରୀ ପଛରେ ନ ଧାଇଁ ଏକ କମ୍ପ୍ୟୁଟର୍ ଟ୍ରେନିଙ୍ଗ ସଂସ୍ଥା ଖୋଲିଥିଲା ।

କାଲିଠୁ ମିତାର ଦେହ ଖରାପ । ଦୁଇ ଦିନ ନିରମ୍ଭୁ ଉପବାସ । କାମ ବନ୍ଦ ତ ପଇସା ଆସିବ କେଉଁଠୁ? ମିତାକୁ ଅନେଇ ଦେଇ ସହି ପାରିଲାନି । ବାହାରି ଆସିଲା ଘରୁ । ମନେ ପଡ଼ିଲା ଅଭିଜିତ୍ କଥା । ସେ ତାର ସୁଖ, ଦୁଃଖର ସାଥୀ-ଶୁଭାକାଂକ୍ଷୀ! ସେ ଯିବ ତା’ରି ପାଖକୁ । ତାକୁ କିଛି ଟଙ୍କା ଉଧାର ମାଗିବ । ମିତା ଭଲ ହୋଇଗଲେ ସୁଝିଦେବ ବୋଲି କହିବ ।……

ପହଞ୍ଚିଲା ଅଭିଜିତ୍ ପାଖରେ । ତା’ କଥା ଶୁଣି ହସିଲା ଅଭିଜିତ୍‌,“ଏଇ ତମର ଦୁଃଖ! ଲୋକେ ଖାଇବାକୁ ନ ପାଇ ପିଲା ବିକୁଛନ୍ତି- ଅନାହାରରେ ପୋକ ମାଛି ପରି ମରୁଛନ୍ତି । ବ୍ରିଜ ତଳେ- ଗଛ ମୂଳେ ଦିନ କାଟୁଛନ୍ତି । ତମେ ତ ବରଂ ସେହି ହତଭାଗ୍ୟ ମଣିଷମାନଙ୍କଠାରୁ ଭଲରେ ଅଛ! ଆରେ, କେଇଟା ଦିନ ପରେ ତମର ଅବସ୍ଥା ବଦଳିଯିବ! ଭୁଲିଯାଅ ଦୁଃଖ-କଠିନ କର ହୃଦୟକୁ! ଦୁଃଖ ଆସୁଛି- ଆସୁ,ଭାଙ୍ଗିପଡ଼ନି । ତେବେ ତ ତମେ କିଛି କରିପାରିବନି । ନିଜ ଭବିଷ୍ୟତ ପ୍ରତି ଭରସା ରଖିପାରୁନ? ସବୁ ଆକାଂକ୍ଷା, କ୍ଷୁଧା, ଜ୍ୱାଳା, ପରମ ପ୍ରେମମୟଙ୍କ ନିକଟରେ ବିସର୍ଜନ ଦେଇପାରୁନ?”

ଅଭିଜିତ୍ ପାଖରୁ ଆଶ୍ବାସନା ପାଇ ଟିକେ ଆଶ୍ଵସ୍ତି ଅନୁଭବ କଲା ଇନ୍ଦ୍ରଜିତ । ସତରେ ଭଗବାନଙ୍କ ପ୍ରତି ସେ ପୂର୍ଣ୍ଣ ଭାବରେ ନିର୍ଭରଶୀଳ ହୋଇ ପାରିନି! ମନ ଉବୁଟୁବୁ ହେଲା, ମନେ ପଡ଼ିଗଲା, ବାବାଙ୍କର ମୁଖ ନିସୃତ ବାଣୀ । ଆଶା୍ୱସନା ପାଇଗଲା ମନ । କ୍ରମେ ତା’ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି ହେଲା । ସେ ନିଶ୍ଚୟ ଦିନେ ଘରେ ଘରେ ପରିଚିତ ହେବ । ସମସ୍ତେ କାନ ଡ଼େରିବେ ତା’ କଣ୍ଠସ୍ୱରରୁ ଗୀତ ଶୁଣିବାକୁ । ନିଜେ ସଙ୍ଗୀତ ଦଳ ଗଢ଼ିବ । କାହିଁକି ରହିବ ଅଭାବ ।…..

ଏଥର ଦୃଢ଼ମନା ହୋଇଗଲା ଇନ୍ଦ୍ରଜିତ୍ । କଥାରେ କଥା ଗୁନ୍ଥି ଦେଲା, “ସତରେ ମୁଁ ମୋର ସବୁ କିଛି ସମର୍ପି ଦେଇଛି ବାବାଙ୍କ ପାଦରେ । ବେଳେବେଳେ ସେମିତି କହିଦେଉଛି- ନା..” ହସି ହସି କହି ପକେଇଲା ଇନ୍ଦ୍ରଜିତ୍ । ଖୁସି ହେଲା ଅଭିଜିତ୍ । ଔଷଧପତ୍ର ଧରି ଘରକୁ ଫେରିଲା ସିଏ ।

ଚିଠି ଆସିଛି । ଇନ୍ଦ୍ରଜିତ୍ ଯିବ ଏକ ମେଲୋଡ଼ି ପାର୍ଟି ପକ୍ଷରୁ ଗୀତ ଗାଇବାକୁ । ଏଇ ସୁଯୋଗକୁ ସେ ଅପେକ୍ଷା କରିଥିଲା । ଏଥିପାଇଁ ତାକୁ କମ୍ ପରିଶ୍ରମ କରିବାକୁ ପଡ଼ିନି । ଦୌଡ଼ି ଦୌଡ଼ି ନିରାଶ ହୋଇଯିବାର ଅବ୍ୟବହିତ ପୂର୍ବରୁ ହିଁ ସୁଯୋଗ ଆସିଗଲା ।

ଖୁସିରେ ନାଚିଗଲେ ସ୍ଵାମୀ-ସ୍ତ୍ରୀ । ଫିଟିଗଲା ରୋଜଗାରର ବାଟ । ଠାକୁର ଶୁଣିଛନ୍ତି ଡ଼ାକ । ବଧେଇ ଦେଲେ ଈଶ୍ୱରଙ୍କୁ ।
ଏକଥା ଶୁଣି ଖୁସି ହେଲା ଅଭିଜିତ୍ । ତା’ର ଭବିଷ୍ୟତ ବାଣୀ ସତ ବୋଲି କହୁ କହୁ ୫୦ ଟଙ୍କା ଧରେଇ ଥିଲା ତା’ ହାତକୁ ଅଭିଜିତ୍ । ନାଇଁ କରୁ କରୁ ଧରିଥିଲା ଇନ୍ଦ୍ରଜିତ୍ । ମନେ ମନେ ଖୁସି ହୋଇଥିଲା, ଯେହେତୁ ବାଟ ଖର୍ଚ୍ଚ ୩୦ ଟଙ୍କା ପାଇଁ ତାକୁ ବୁଲିବାକୁ ପଡ଼ିଥାନ୍ତା । ହେଲେ ନ ମାଗିବା ପୂର୍ବରୁ ଅଭିଜିତ୍ ଯେମିତି ତା ମନର କଥା ଜାଣିପାରି ଧରାଉଛି । ସେ ମନେ ମନେ ଅଶେଷ ଧନ୍ୟବାଦ ଜଣେଇଲା ଅଭିଜିତ୍‌କୁ ।

ଇନ୍ଦ୍ରଜିତ୍‌ର ଗୀତଟିଏ ପାଇଁ ଆଜି ମେଲୋଡ଼ି ପାର୍ଟି ପ୍ରଶଂସିତ ହୋଇଛି । ପରିଚାଳକଙ୍କ ଧନ୍ୟବାଦ୍‌ର ପାତ୍ର ହୋଇଯାଇଛି ଇନ୍ଦ୍ରଜିତ୍ । ଏକଥା ଶୁଣି ମିତା ଯେ କେତେ ଖୁସି ହେବ, ସେ କଥା ସେ ଭାବିପାରୁନଥିଲା । ଖୁବ୍ ମନେ ପଡ଼ିଥିଲା ତା’ର ମିତା କଥା । ବାଟ ସାରା ଏଇ ଚିନ୍ତାରେ ଡ଼ୁବି ଯାଇଥିଲା ସିଏ ।

କ଼ିନ୍ତୁ ଇନ୍ଦ୍ରଜିତ୍‌ର ସବୁ କଳ୍ପନା-ଜଳ୍ପନା ଉଭେଇ ଯାଇଥିଲା, ଯେତେବେଳେ ମିତା ତା ଛାତିରେ ମୁହଁ ଗୁଞ୍ଜି କଇଁ କଇଁ କାନ୍ଦି ଉଠିଥିଲା । ସଶଂୟ ଭିତରେ ବୁଡ଼ିଗଲା ଇନ୍ଦ୍ରଜିତ୍ । ଚାପା-ଆହତ ସ୍ୱରରେ ମିତା ଯାହା ସବୁ କହିଲା, କଳ୍ପନାତୀତ ଥିଲା ତା’ର ।………

ଇନ୍ଦ୍ରଜିତ୍ ଯିବା ଦିନରାତିରେ ଅଭିଜିତ୍ ଓ ଜଣେ ଯୁବକ ଆସି ଅଭିନୟ କରିଥିଲେ ତା’ ବସାଘର ପାଖରେ । ମିତା କବାଟ ଖୋଲି ଦେବା ପରେ ଦେଖିଥିଲା ଇନ୍ଦ୍ରଜିତ୍ ପରିବର୍ତ୍ତେ ସେମାନଙ୍କୁ । ମିତା ପ୍ରତି ବଳାତ୍କାର ଉଦ୍ୟମ କରିବା ଭିତରେ ମିତାର ଭାଇ-ଭାଉଜ ପହଞ୍ôଚ ଯାଇଥିଲେ ସେତିକି ବେଳେ୍‌… ।

ଧୈର୍ଯ୍ୟଚ୍ୟୁତି ଘଟିଥିଲା ଇନ୍ଦ୍ରଜିତ୍‌ର । ଅନେକ ଛୋଟ ବଡ଼ ଘଟଣା ଉଙ୍କି ମାରିଲେ ତା’ ମାନସ ପଟରେ । ଆଶାର ଫୁଲଫଳ ଝଡ଼ି ପଡ଼ିଲେ ତା’ କଳ୍ପନା ଡ଼ାଳରୁ ।…. ‘ବାବାଙ୍କୁ ଆଶ୍ରୟ କରି ଏଭଳି କୁତ୍ସିତ କାର୍ଯ୍ୟ କରିପାରିଲା କିପରି ଅଭିଜିତ?…….. ଛିଃ……ଛିଃ…’ ବିଦ୍ରୁପ ହେଉଥିଲା ଇନ୍ଦ୍ରଜିତ୍ ଭିତରେ ।

‘ମୃତ୍ୟୁ ପରେ ପିଚାଶ ହୋଇ ତୁ କେବଳ ହାହାକାର କରିବୁ ଅଭିଜିତ୍ … ହାହାକାର! ଏଇ ତୋର ଶିକ୍ଷା-ଦୀକ୍ଷା- ଭଦ୍ରତାର ପରିଚୟ? ତୁ ତ ହୀନକାର୍ଯ୍ୟରେ ଧୂରନ୍ଧର! ଲଜ୍ଜା, ଅପମାନର ବହୁ ଉର୍ଦ୍ଧ୍ୱରେ ଆଉ ବର୍ବରତାର ବଳୟ ଭିତରେ!…. ତୁ ବା କ’ଣ ଉପଲବ୍ଧି କରିବୁ ମାନବିକତା ଆଉ ଭଦ୍ରତା?……’ ତା’ ମନ ଭିତରେ ଓହ୍ଲେଇ ଆସିଲା କ୍ରୋଧମିଶା ତାତ୍ସଲ୍ୟତା ।…… ମନେ ମନେ ହସିଲା ସେ ।

‘ଏମିତି ପାଷାଣ୍ଡ ହୋଇପାରୁ ତୁ ଅଭିଜିତ୍‌? ତୁ କାଳେ ଭଦ୍ର ଘରର ପୁଅ? ନା…. ତୋ ରକ୍ତରେ ତ ଅଛି ଅଭଦ୍ରତାର ଶିତ୍କାର । ମତେ ଓ ମିତାକୁ ତୁ ଚିହ୍ନିନୁ ଅଭିଜିତ୍ । ବହୁ ଦୁଃଖ ଯନ୍ତ୍ରଣା ଭିତରେ ମଧ୍ୟ ସଂଗ୍ରାମ କରି ଆମେ ବଞ୍ଚି ପାରୁ । ହେଲେ ତୋ ଭଳି ଅନ୍ୟକୁ ପ୍ରତାରଣା କରିପାରୁନା । ଆମେ ଲଢ଼ୁ ନିଜ ସହ-ଭାଗ୍ୟସହ! ଆଉ ତୁ ?…. ତୁ ତ ବଡ଼ ହତଭାଗା! ଏଇ ସୁନ୍ଦର ପୃଥିବୀରେ ଈଶ୍ୱରଙ୍କ ମନୋହର ସୃଷ୍ଟି ପ୍ରତି ଆକର୍ଷିତ ହୋଇପାରୁନୁ?… ଆରେ, ମଣିଷ ପାଇଁ ପରା ଈଶ୍ୱର ଅନେକ କିଛି ସୃଷ୍ଟି କରିଛନ୍ତି ।……..’

କେମିତି ଏକ ଅଜଣା ବିସ୍ପୋରଣ ଚରିଗଲା ତା’ ସାରା ଅଙ୍ଗରେ । ମିତାକୁ ଛାତି ଉପରକୁ ଟାଣି ଆଣି ତା’ ଆଖିରୁ ବୋହୁଥିବା ଅବାରିତ ଅଶ୍ରୁକୁ ରୋକିବା ପାଇଁ ଚେଷ୍ଟା କଲା ।

କୋରିଆପଲ୍ଲା, ଓଉପଦା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ-୯୩୩୭୩୬୯୪୪

Related Posts

Leave a Reply

Your email address will not be published. Required fields are marked *