ସତ୍ୟନାରାୟଣ ଗନ୍ତାୟତ

ମଣିଷଙ୍କୁ ନନେଲେ ସମ୍ଫର୍କ ସମ୍ପର୍କରେ ଭାବିବାରମ୍ଭ ବି କରି ହେବନି । ତଦୁତ୍ତାରେ କିନ୍ତୁ ମଣିଷ ସହ ଜଡ଼ିତ ଏ ଜଗତର ବା ପ୍ରକୃତିର ଓ ସମାଜର ସମ୍ପର୍କ ପ୍ରସଙ୍ଗ ଉଠିବ ଇ’ ଉଠିବ । ସେ ବିବର୍ତ୍ତନବାଦ ହେଉ ବା ଆଦାମ ଇଭ୍ ଓ ଜ୍ଞାନ ଫଳ ଭକ୍ଷଣ ହେଉ ବା ହେଉ ଆମ ବାପାଙ୍କ ବାପାଙ୍କ ବାପା ଜଣେ ମାଙ୍କଡ଼ ହୋଇଥିବା ନେଇ ହେଉ, ମଣିଷ ସହ ଏ ପୃଥ୍ଵୀ ପ୍ରକୃତି ଓ ସମାଜ ସ୍ୱତଃ ସମ୍ପର୍କିତ ଅଟନ୍ତି । ଯଦି ମଣିଷ ଆପଣା ଛାଏଁ ଫି କଥା ଫି କାମକୁ ପାରିବାର ହୋଇ ଯାଇଥାନ୍ତା ତ ଆରିଷ୍ଟୋଟଲ ମହୋଦୟ ମଣିଷ ଏକ ସାମାଜିକ ପ୍ରାଣୀ ବୋଲି କଦାଚିତ୍ ଘୋଷଣା କରି ଯାଇ ନଥାନ୍ତେ !
ସୁତରାଂ ଜନମିବା ପରେ ପହିଲେ ଜଣେ ସନ୍ତାନ ଭାବେ ସମ୍ପର୍କିତ ହୋଇଯାଏ ଜନ୍ମଦାତା ଓ ଜନ୍ମଦାତ୍ରୀଙ୍କ ସହ । ସେହି କ୍ରମରେ ସେ ହୋଇଯାଏ କାହାର ଭ୍ରାତା ତ କାହାର ଭିଗିନୀ । ଏମିତି କେତେ ନା କେତେକଙ୍କ ସହ ସମ୍ପର୍କିତ ହୋଇଯାଏ, ଯାହା ସ୍ୱାଭାବିକ, ବାରାନ୍ତରେ ରକ୍ତ ସମ୍ପର୍କ ଜାତୀୟ ଅଟଇ ।
ତେବେ ଏହି ସମ୍ପର୍କ ବାଦ୍ ଆହୁରି ଅନେକ ସମ୍ପର୍କ ଯୋଡ଼ି ହୋଇଯାଏ ଧୀରେଧୀରେ, ପୂର୍ବୋକ୍ତ ସାମାଜିକ ପ୍ରାଣୀ ବୋଲାଇ ସମାଜରେ ଆତଯାତ ହେବା ଦାୟରେ । ‘ତୁମ ପଡ଼ୋଶୀଙ୍କୁ ବି ତୁମ ନିଜ ପ୍ରାୟେ ପ୍ରେମ କରିବାକୁ ପ୍ରଭୁ କହିଛନ୍ତି’ : ଏଥିରୁ ସୁସ୍ପଷ୍ଟ ଯେ ସାହି ଭାଇ, ପାଖ ପଡ଼ୋଶୀ ସମସ୍ତଙ୍କ ସହ ସପ୍ରେମ ଓ ସୁହୃତ ସୁଲଭ ସୁସମ୍ପର୍କ ନିଶ୍ଚିତ ଭାବେ ରଖିବା ଉଚିତ । ଜଣକ ପାଇଁ ଆରଜଣକ ସଦା ମହଜୁଦ ରହିଥିବା ଭଳି ପାରସ୍ପରିକତା ଏକାନ୍ତ କାମ୍ୟ ।
ପୁନଶ୍ଚ ଜୀବନ ନିର୍ବାହାର୍ଥେ ଆହୁରି ଅନେକ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିଥାଏ । ଫଳତଃ ବହୁବିଧ ସମ୍ପର୍କ ଆପଣାଛାଏଁ ଗଢି ଉଠେ । ବ୍ୟବସାୟ କରୁଥିଲେ ଗରାଖଙ୍କୁ ଯେମିତି ଈଶ୍ୱର ମଣିବା ଥୟ, ସେମିତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗୁରୁ ହିଁ ସାକ୍ଷାତ ଈଶ୍ୱର । ଏମିତିରେ କାର୍ଯ୍ୟାଳୟରେ ଉପରିସ୍ଥଙ୍କୁ ସତତ ସୁସମ୍ପର୍କ ପ୍ରଦର୍ଶନ ପୂର୍ବକ ଆପ୍ୟାୟିତ କରିବା ଯେମିତି ନୋହିଲେ ନଚଳେ, ଅନୁରୂପ ଭାବେ ସଗର୍ବ “ଘର ମୋ ବୈକୁଣ୍ଠ ପୁର” ବୋଲିବାକୁ ହେଲେ ଭାର୍ଯ୍ୟାଳୟରେ ବି ପତ୍ନୀଙ୍କୁ ପରମେଶ୍ୱରୀ ମଣି ତାଙ୍କ ସହ ଥିବା ଯଥୋଚିତ ପ୍ରୀତିର ବନ୍ଧନକୁ ଆହୁରି ସୁଦୃଢ଼ କରି ବୈବାହିକ ସମ୍ପର୍କର ମାଧୁର୍ଯ୍ୟକୁ ନିୟମିତ ଭାବେ ଗାଢରୁ ଗାଢତର କରୁଥିବା ଜରୁରୀ ।

ତେବେ ବିଶ୍ୱାସ ଓ ଭରସା ହିଁ ସକଳ ସମ୍ପର୍କର ଭିତ୍ତି । ଏଥିରେ କିଞ୍ଚିତ ଓଲମ ବିଲମ ହେଲେ ସମ୍ପର୍କ ତୁଟିଯାଏ, ଯାହା ଆଉ ପୂର୍ବବତ ଗଢା ହୋଇପାରିବା ଦୁଷ୍କର ହୋଇପଡ଼େ । ସୁତରାଂ ପରିସ୍ଥିତି ହିଁ ସମ୍ପର୍କକୁ ପରୀକ୍ଷା କରିଥାଏ । ବିଶେଷ ଭାବେ ବନ୍ଧୁମାନେ ଏଭଳି ସମୟ ସୃଷ୍ଟ ଆହ୍ୱାନ ମାନଙ୍କୁ ସାମନା କରନ୍ତି । କାରଣ ରକ୍ତ ସମ୍ପର୍କଠୁ ବଳି ବନ୍ଧୁତ୍ୱ ରୂପୀ ସମ୍ପର୍କ, ଯାହା ପୌରାଣିକ କାଳରୁ ଅଦ୍ୟାବଧି ସ୍ୱତଃ ପ୍ରତିପାଦିତ ହୋଇଆସୁଛି । ପ୍ରକୃତ ବନ୍ଧୁ ସିଏ, ଯିଏ ଦୁଃଖବେଳେ ଆପେ ଆସି ଉଭା ହୋଇଯାଇ କହେ, ‘ତୋ ଦୁଃଖରେ ମୁଁ ଦୁଃଖୀ ସିନା, ତୁ କିନ୍ତୁ ଦୁଃଖ କରନା ବନ୍ଧୁ, ମୁଁ ଅଛି ତୋ ସାଥିରେ !’ ସେମିତି ବନ୍ଧୁର ସୁଖବେଳେ ବି ସେ ବନ୍ଧୁଠୁ ବଳି ଖୁସି ହୋଇ ଉଛୁଳି ଉଠିଥାଏ ।
ସମକାଳର ସମ୍ପର୍କ କିନ୍ତୁ ବହୁ ବିଡ଼ମ୍ବିତ । ଆମେ ସଭିଏଁ ଜାଣୁ ଯେ ସବୁଠୁ ମହାନ ସମ୍ପର୍କ ପିତାମାତାଙ୍କର ସନ୍ତାନ ସନ୍ତତିଙ୍କ ସହ । ଏହା ବେଳୁବେଳ ଏତେ ତିକ୍ତ ହୋଇ ଚାଲିଛି ଯେ କହିଲେ ନସରେ । ସନ୍ତାନ ସନ୍ତତି ଓ ସକଳ ସମ୍ପନ୍ନାବସ୍ଥା ସତ୍ତ୍ୱେ କ୍ରମାଗତ ବଢି ଚାଲିଥିବା ବରିଷ୍ଠ ଜନଙ୍କ ନାହିଁ ନଥିବା ଦୁର୍ଦ୍ଦଶା ଓ ଏକ୍ଲାପଣରୁ ହିଁ ତ ଅନେକ ଜରାଶ୍ରମାଶ୍ରୟୀ ହେବାକୁ ବାଧ୍ୟ ହେଉଛନ୍ତି ।
ଅନୁରୂପ ଭାବେ ସମ୍ପର୍କ ବୋଳନ୍ତେ ସଚରାଚର ଯେଉଁ ପ୍ରେମ ସମ୍ପର୍କକୁ ହିଁ ବୁଝା ଯାଇଥାଏ, ତାହା ଏବ କାଳରେ ବିଶ୍ୱାସ ଭରସା ବିବର୍ଜିତ ହୋଇ ପ୍ରତାରଣା ଓ ପ୍ରତ୍ୟଖ୍ୟାନାକ୍ରାନ୍ତ ହୋଇ କ୍ଷଣସ୍ଥାୟୀ ହୋଇଗଲାଣି । ପବିତ୍ର ବିବାହ ବନ୍ଧନ ବି ଏହି କାରଣରୁ ବହୁ କ୍ଷେତ୍ରରେ ବିଚ୍ଛେଦାଦି ଦୁଃସ୍ଥିତି ଭିତରେ ଦୁର୍ବିସହ ହେବାରେ ଲାଗିଛି । ହଁ, ଆଜିକାଲିର ଯୁଗ ଡିଜିଟାଲ ଯୁଗ । ସମ୍ପର୍କ ବି ସମଭାବରେ ଅନ୍ ଲାଇନରେ ହିଁ ଉପଲବ୍ଧ ହୋଇଯାଇଛି । ସତସତିକା ଖୋଜିଲେ କେହି ନୁହଁନ୍ତି କାହାର । ସମ୍ପର୍କର ତାଲିକା ପରିପୂର୍ଣ୍ଣ, ବାସ୍ତବରେ କିନ୍ତୁ ସବୁ ଶୂନ୍ୟ ।
ସମ୍ପର୍କ ଆଜିକାଲି ଅହଂ ବିବର୍ଜିତ ଆଦୌ ନୁହଁଇ । ହମ୍ ବଡ଼ା, ମୁହଁ ଟାଣ, ଆତ୍ମଘୋଷିତ ମହାଜନ ସଭିଏଁ । ପାହୁଲାଏ ମାଗିଦେଲେ ନିଜ ଅସମୟରେ ପାଇଥିବା ସାହାଯ୍ୟ ପାଶୋରି ମୁହଁ ମୋଡ଼ି ସିନା ପାର୍ ହୋଇଯାଆନ୍ତି, ପରସ୍ପର ପ୍ରତି ନିମିଷେ ସମୟ ଭଲା କାହାର ଥାଆନ୍ତା ? ପରସ୍ପର ପ୍ରତି ସହନଶୀଳତା ଓ ସ୍ନେହ ଶ୍ରଦ୍ଧା ସମ୍ମାନ ଚେନାଏ ତ ଦୁର୍ଲଭ । ଅନ୍ୟୁନ ଏତିକି ଥିଲେ ସିନା ରକ୍ଷା କରି ହୁଏ ସମ୍ପର୍କ !
ତଥାପି ଦୁନିଆ ଚାଲିଛି ମାନେ ସମ୍ପର୍କ କୋଉଠି ନା କୋଉଠି କିଛି ନା କିଛି ନିଶ୍ଚେ ରହିଛି । ସେ ସମ୍ପର୍କ କେବେ କେଜାଣି କାହିଁକି ଦୂରେଇ ଯାଉଥାଏ ତ କେବେ ପୁଣି ଅତର୍କିତେ ପାଖେଇ ଆସୁଥାଏ । ତେଣୁ ତ ଏନେଇ ଏଇଆ କହିହେବ ଯେ ସମ୍ପର୍କ ପାଖଠୁ ଦୂରେଇ ଗଲେ ହେଁ ଦୂରଠୁ ଦୂରେଇ ଯାଇ ପାରେନା । ଅବିକଳ ସେମିତି ଦୂରରୁ ପାଖେଇ ଆସେ ସିନା ପାଖକୁ ପାଖେଇ ନପାରି ଅନିଶା କରିଥାଏ ପୁଣି ସମ୍ପର୍କିତ ହୋଇଯିବା ପାଇଁ !
ଏଇ ତ ସମ୍ପର୍କ !!
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

ସମ୍ପର୍କକୁ ନେଇ କେତେ କଥା ଲେଖିଲେ ବଡ଼ ଭାଇ ସତ୍ୟ ନାରାୟଣ। ହଁ, ଏଇ ସମ୍ପର୍କତ ଅଚିହ୍ନା ମଣିଷକୁ ଚିହ୍ନା କରିଦିଏ ପୁଣି ଚିହ୍ନା ମଣିଷକୁ ଅଚିହ୍ନା। ଏଇ ସମ୍ପର୍କ ପାଇଁତ ଈଶ୍ୱର ମାଟିକୁ ଓହ୍ଲାଇ ଆସନ୍ତି ଏବଂ ମଣିଷ ଆକାଶରେ ପାଲଟି ଯାଏ ଧ୍ରୁବତାରା। ଏଇ ସମ୍ପର୍କ କେତେ ପାଖ କେତେ ଦୂର ସେକଥାକୁ ଖୁବ୍ ଭଲରେ କହିଲେ ବଡ଼ ଭାଇ ସତ୍ୟ ନାରାୟଣ ଗନ୍ତାୟତ।
(ଇତି)
ଶୁଭ ନାରାୟଣ