ସତ୍ୟନାରାୟଣ ଗନ୍ତାୟତ

ବୋଇଲା ପରି ଇଚ୍ଛା କରି ପକାଇଲେ ଯଦି ଘୋଡ଼ା ଚଢା ବି ସମ୍ଭବି ଯାଉଥାନ୍ତା, ତେବେ କୁଆଡ଼େ ସୁଦ୍ଦୁ ମାଗତାଏ ସୁଦ୍ଧା ସେଥକୁ ହମହମ ହେଉଥାନ୍ତେ ! ହେଲେ ସେମିତି ହୁଏନା । ସଜୀବ ଇଚ୍ଛାଟେ ସହ ତହିଁକି ଲୋଡ଼ା ପଡୁଥିବା ବିନିଯୋଗ ଓ ଉଦଯୋଗ ଉଭୟ ମହଜୁଦ ଥିଲେ ହିଁ କୁଆଡ଼େ ତାହା ସତସତିକା ଇଛାରେ ଗଣା ହୋଇଥାଏ ବୋଲି ଅର୍ଥନୀତିରେ ଠାଏ କୁହାଯାଇଛି । ତଦୁତ୍ତାରେ ବି ଇଏ ସିଏ ସଭିଏଁ ଯଦି ଇଚ୍ଛା ହାସଲାର୍ଥେ ଲାଗି ପଡ଼ିବେ,ତେବେ ତ’ ତାହା କେବେ ମହରଗ ହୋଇ ଦୂରେଇ ଯିବ ତ’, କେବେ କାନ୍ତାରର କାରଣ ହୋଇ ଅମିଲକ ହୋଇ ଯାଇପାରେ !

ଆଉ ଠିକ୍ ଏଇବେଳେ ମନ କହେ : ନୋହିଲେ ନାହିଁ, ଯାହା ଅଛି ତହିଁରେ ଚଳାଇ ନେବା ! ଜାଣି ରଖନ୍ତୁ ଯେ ଥରେ ଏମିତି ଭାବୋଦ୍ରେକ ହେବାମାତ୍ରେ କେମିତି ଏକ କ୍ବଚିତ ଅନୁଭୂତ ପ୍ରଶାନ୍ତି ମନପ୍ରାଣ ହୃଦୟକୁ ଶାନ୍ତ ସମାହିତ କରିଦିଏ ।

ଏହି ସମାହିତାବସ୍ଥାର ଭିତ୍ତି ହେଲା ନିଜ ସହ ନିଜର ଆପୋଷ ବୁଝାମଣା । ଏହା ଆଦୌ ବିରସ ହୋଇ କରାଯାଇ ନଥାଏ । ସୁତରାଂ ନିରସ ଅନୁଭବିବା ବି ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ନଦାରଦ ଅଟଇ । ବରଂ “ଚଳାଇ ନେବା” ଅର୍ଥ ‘ନେତି ‘କୁ ‘ଅସ୍ତି’ବାଚକ ଚିନ୍ତନ ମାଧ୍ୟମରେ ଈପସିତ ‘ସ୍ୱସ୍ତି’ରେ ପରିବର୍ତ୍ତିତ କରିବା ଦିଗରେ ଏକ ଅଭିମନ୍ତ୍ରିତ ପ୍ରୟାସକୁ ବୁଝାଇ ଥାଏ ।

ଏମିତିକି ଆମର ଜନୈକ ସାଙ୍ଗ ଥରେ ତା’ ଲଞ୍ଚ ବକ୍ସର ଡାଲିଟି ଭୁଲରେ ଅଲଣା ହୋଇ ଯାଇଥିବା ସତ୍ତ୍ୱେ ମୁହଁ ଆମ୍ବିଳା ନକରି ସେମିତି ଗଳାଧଃକରଣାନ୍ତେ ଏନେଇ ପତ୍ନୀ ଦୋଷୀଦୋଷୀ ହୋଇ ଫୋନ କରି ଜଣାନ୍ତେ ସେ ଓଲଟି କେମିତି ଡାଲି ସହ ବକ୍ସରେ ଦେଇଥିବା ତରକାରି ଗୋଳାଇ ସାଲାଡ୍ ତକ ଚୋବାଇ ସେ ପେଟ ଭରି ଖାଇ ସାରିଛି ତା’ ପତ୍ନୀଙ୍କୁ ଜଣାଇଥିଲା । ତ ‘ଚଳାଇ ନେବା ପଣେ ତମେ ଗ୍ରେଟ୍, ମାଇଁ ଡିଅର୍’ କହି ପତ୍ନୀଙ୍କଠୁ ସେ ପାଇଥିବା ସାବାସି ଆମ ଆଗରେ ଏତେ ଥର କହିଛି ଯେ ଗଣି ହେବନି ! ଏମିତି ଚଳାଇ ନେବା ମଧ୍ୟ ଦେଇ ଅଭାବ ଭିତରେ ଭାବର ଆବିର୍ଭାବ ହୋଇଥାଏ ତ’ ପୁଣି କଦାକଦା ଅପୂର୍ଣତା ମଧ୍ୟ ସମ୍ପନ୍ନତା ପ୍ରାୟେ ପ୍ରତେ ହୋଇଥାଏ । “ସାନ ହିଁ ସୁନ୍ଦର” ବୋଲି ଅନୁଭବି “ସ୍ୱଳ୍ପରେ ସନ୍ତୋଷ ଲାଭ”ର ମହାମନ୍ତ୍ର ଏହି ଚଳାଇନେବା ମଧ୍ୟରେ ସୂକ୍ଷ୍ମାତିସୂକ୍ଷ୍ମ ଭାବେ ରହିଥାଏ, ଯାହା ଆପଣେଇଲେ ପ୍ରକଟିତ ହୁଏ ।

ବୃହତ୍ତର ମାନବୀୟ ଜୀବନ ପରିପ୍ରେକ୍ଷୀରେ ବିଚାର କଲେ ଜଣାଯାଏ ଯେ ଏଠି ସବୁବେଳେ ସବୁକିଛି ପ୍ରାପ୍ୟ ଅପ୍ରାପ୍ୟ ହୋଇ ରହିଆସିଛି । ପ୍ରତି କ୍ଷେତ୍ରରେ ଅଭାବ ଅନାଟନ ଘାତ ପ୍ରତିଘାତ ସଂଗ୍ରାମ ସଂଘାତ ଆପଦ ବିପଦାଦି ମଧ୍ୟରୁ କିଛିନା କିଛି ସଜିଲ ହୋଇ ରହିଥାନ୍ତି ମାମଲା ବିଗାଡ଼ି ଦେବା ପାଇଁ । ଏସବୁଙ୍କୁ ଅଗତ୍ୟା ନିଜର କରିବା ଲୋଡ଼ା । ଏହା ନକରି ନିଜେ ନିଜକୁ ବିଗାଡ଼ିଲେ ହାତ ପାଆନ୍ତାରେ ଯାହା କିଛି ଥାଏ, ତାହା ଥାଇ ବି ନଥିବା ପରି ହୋଇଯାଏ । ଅର୍ଥାତ ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇଥିବା ଆନନ୍ଦ ଅଚିରେ ନିରାନନ୍ଦରେ ପରିଣତ ହୁଏ । କିନ୍ତୁ ନିମିଷେ ଥମି ଯାଇ ଚଳାଇ ନେବା ପାଇଁ ନିଜକୁ ଟିକେ ନା’କୁ ପାକଳାପାକଳି କଲେ ଅଚାନକ ସବୁ ବେଠିକ୍ ଠିକ୍ ଲାଗିବାରମ୍ଭ ହୁଏ ଓ ଅଶାନ୍ତିରୁ ପ୍ରଶାନ୍ତି ଆଡ଼କୁ ପଥ ସୁଗମ ହୋଇଥାଏ।

ଏ ନେଇ କୁହାଯାଇଛି ଯେ କେହି ବି ସମ୍ପୂର୍ଣ୍ଣ ଠିକ୍ ନୁହଁନ୍ତି । ଭୁଲ କରି ବସିବା ଓ ଭୁଲ ହେବା ଗତାନୁଗତିକ ଭାବେ ମାନବିକ ବ୍ୟାପାର ହୋଇଥିବାରୁ ହିଁ ଏ କ୍ଷେତ୍ରରେ କ୍ଷମା କରିଦେବାକୁ ଏକ ଦିବ୍ୟ ଗୁଣ ଭାବେ ବର୍ଣ୍ଣିତ ହୋଇଛି । ତେଣୁ ତ ଦଣ୍ଡିବା ଶକ୍ତି ଥିଲେ ହେଁ କ୍ଷମାଚରଣ କରିବା ଚାହି ବୋଲି କହନ୍ତି । ଆଉ ଏସବୁର ଶୁଭାରମ୍ଭ ଏହି ସାମାନ୍ୟ “ଚଳାଇନେବା’ରୁ ସମ୍ଭବ ହୋଇଥାଏ । ଏମିତିରେ କହିବାଠୁ ସହିବା ସତତ ମହତ୍ତର ସିନା ! ଏମିତି ଚିନ୍ତନ ଫଳରେ ଅଚିରେ ମନକୁ ଆସେ ଯେ ସଂସାର ଭିତରେ ଥିଲେ ପଥର ବି ଅଭ୍ୟାସଗତ ସହିବାପଣ ଆଗରେ ପତର ଲାଗିବ ! ଏହି ମହତ୍ତର ସହନଶୀଳତା ହିଁ ଅବଲୀଳା କ୍ରମେ ସାଫଲ୍ୟର ଶୀର୍ଷରେ ପହଞ୍ଚାଇ ଥାଏ ।

ତେବେ ‘ଚଳାଇନେବା’ ବୋଲି କହିଦେବା ସହଜ । କିନ୍ତୁ କରିବା କଠିନ ! କାରଣ ଏଥକୁ ପାରସ୍ପରିକ ସଦ୍ଭାବ ସ୍ଥାପନ ସର୍ବାଦୌ ଆବଶ୍ୟକ । ଗୁଣୀଜନଙ୍କ ସମ ଆବଶ୍ୟକ ହେଲେ ବିନୟାବନତ ହୋଇପାରିବା ଭଳି ନିଜକୁ ନମନୀୟ ନକରି ପ୍ରତି କଥାରେ ଏକଜିଦିଆ ଓ ହାମବଡ଼ା ହୋଇ ରହିଲେ ପରିସ୍ଥିତି ଖରାପରୁ ଖରାପତର ହୋଇଯାଏ । ଚଳାଇନେବା ହେଉଛି ନମନୀୟ ବେତ ବାଡ଼ି ସଦୃଶ୍ୟ, ଯାହା ନିଜକୁ ସାମୟିକ ନୁଆଁଇ ପୁଣି ଆଗ ପରି ଠିଆ ହୋଇ ପାରିବାର ସାମର୍ଥ୍ୟ ରଖିଥାଏ ।

ଏ ଜଗତରେ କି ସୁଖ କି ଦୁଃଖ ସବୁ କ୍ଷଣିକ ପାଇଁ ହିଁ । ସୁତରାଂ ଭଲ ଭାବୁଭାବୁ ଖରାପ ହେଲା ବୋଲି ନଭାଳି ବରଂ ଏହା ବି ଛାଏଁ ଉଭେଇ ଯିବ ବୋଲି ସ୍ଥିତପ୍ରଜ୍ଞ ହେବାକୁ ହେବ । ‘ଯାହା ହେଲା, ତାହା ହେବାର ଥିଲା ଓ ଏଣିକି ଯାହା ହେବାର ଥିବ ତାହା ହିଁ ହେବ’ ବୋଲି ଭାବିନେବା ହିଁ ବାରାନ୍ତରେ “ଚଳାଇନେବା” !

ହଁ , ‘କରି କରାଉ ଥାଏ ସେହି’ କହି ସେହି ଅଦୃଶ୍ୟ କର୍ତ୍ତା ହର୍ତ୍ତା ଓ ବିଧାତାଙ୍କ ସହ ଏନେଇ ଯଦି ଜଡ଼ିତ ହୋଇପାରିବ, ତ’ ବଳେ ଜାଣିଯିବ ଯେ “ଚଳାଇନେବା’ କେଡ଼େ ଘାଏଁ ଦିବ୍ୟ ଗୁଣଟାଏ, ସତରେ !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *