ସତ୍ୟନାରାୟଣ ଗନ୍ତାୟତ

ଜାଣୁ, “ଆହେ ଦୟାମୟ ବିଶ୍ୱ ବିହରୀ….” ଏହି ପଦମାନ ଶୁଣୁଶୁଣୁ ଆପଣଙ୍କ ମନ ଆପଣଙ୍କୁ ଘେନି ଯିବ ଆପଣଙ୍କ ପ୍ରାଥମିକ ବିଦ୍ୟାଳୟକୁ ! କେବଳ ଆପଣ କାହିଁକି ଶୈଶବରେ ଖଡ଼ିଛୁଆଁ ପରେପରେ ବିଦ୍ୟାଳୟରେ ପ୍ରଥମ ପ୍ରବେଶ ଦିନରୁ ହିଁ ସଭିଏଁ ପରିଚିତ ହୋଇଯାଆନ୍ତି ପଢାରମ୍ଭ ପୂର୍ବରୁ ବୋଲା ଯାଉଥିବା ସାମୂହିକ ପ୍ରାର୍ଥନା କ୍ରମରେ “ଆହେ ଦୟାମୟ ବିଶ୍ୱ ବିହାରୀ.. ” ବା “ହେ ଆନନ୍ଦମୟ କୋଟି ଭୁବନ ପାଳକ…” ଭଳି ପ୍ରାର୍ଥନାଙ୍କ ସହିତ । ଏବଂ ଏମିତି ଏହି ପ୍ରାର୍ଥନାମାନ ପ୍ରାୟ ସଭିଙ୍କ କଣ୍ଠସ୍ଥ ହୋଇଯାଏ ।
କେବଳ ବିଦ୍ୟାଳୟରେ ହିଁ ନୁହେଁ, ଆଗେ ଆମ ଭଳି ଅନେକ ପରିବାରରେ ତ’ ବିଦ୍ୟାଳୟ ପଢା ପରେ ଖେଳାଖେଳି ସାରି ସଞ୍ଜ ହେବା ଆଗରୁ ଘରକୁ ଫେରିବା ନେଇ ଥିଲା କଡ଼ା ତାଗିଦ୍ । ଘରକୁ ଫେରି ଗୋଡ଼ହାତ ଧୋଇ ବୋଉ ସଂଧ୍ୟା ଦୀପ ଦେଉଥିବାବେଳେ ଆମେ ବି ପୂଜାଘର ଆଗରେ ଠାକୁରଙ୍କ ସାମନାରେ ଠିଆ ହୋଇ ଘୋଷା ହୋଇଥିବା “ସାବଧାନ ଶାନ୍ତି ପ୍ରାର୍ଥନା ଆରମ୍ଭ” ସୁଦ୍ଧା କହି ହାତ ଯୋଡ଼ି ଆଖି ବୁଜି ବିଦ୍ୟାଳୟରେ ଗାଇବା ଭଳି ପ୍ରାର୍ଥନା ଗାନ କରୁଥିଲୁ । ଏଭଳି ପ୍ରାର୍ଥନା ଗାନ ସହ ସମ୍ପୃକ୍ତି ପ୍ରାୟ ହାଇସ୍କୁଲ ଜୀବନ ଯାଏ ଚାଲୁ ରହିଥିବାବେଳେ କଲେଜ ପଢାବେଳକୁ ହୁଏତ ନାନା କାରଣରୁ ଆଉ ସମ୍ଭବ ହୋଇ ପାରିଲାନି ସିନା, ସେଯାବତ ପ୍ରାର୍ଥନା ମାଧ୍ୟମରେ ସବୁବେଳେ ସତ କହିବା, ସେବା ପରାୟଣ ହୋଇ ପାର୍ଥିବ ସୁଖ ପଛରେ ଧାବମାନ ନହେବା ଭଳି ନୀତି ଓ ଆଦର୍ଶମାନ ଅନ୍ତଃକରଣରେ ରହି ଯାଇଥିଲା । ଛାତ୍ର ଜୀବନର ଏଭଳି ନିତ୍ୟ ନୈମିତ୍ତିକ ପ୍ରାର୍ଥନା ଗତାନୁଗତିକ ଲାଗୁଥାଏ, ହେଲେ ଏହା ହିଁ ଥିଲା ଶୃଙ୍ଖଳିତ ଓ ନିୟମାନୁବଦ୍ଧ ଜୀବନାରମ୍ଭର ଭିତ୍ତି ।
ତେବେ ପରବର୍ତ୍ତୀ ସମୟରେ ନିୟମିତ ପ୍ରାର୍ଥନା କରିବା ସିନା ସମ୍ଭବ ହୁଏନି, ହେଲେ ପ୍ରାର୍ଥନାର ଗୁରୁତ୍ୱ କିନ୍ତୁ ଏଡ଼ାଇ ଦେଇ ହୁଏନି । କାରଣ ପ୍ରାର୍ଥନାର ଅର୍ଥ ହେଲା ଆତ୍ମିକ ସ୍ତରରେ ସୃଷ୍ଟ ଏକ ଆବଶ୍ୟକତା, ଯାହା ଆକୁଳ ନିବେଦନ ମାଧ୍ୟମରେ ପ୍ରକଟ କରିବାକୁ ହୋଇଥାଏ । ପ୍ରକାରାନ୍ତରେ ଏହା ଏକ ସାଧନା, ଯାହା ଦିବ୍ୟକୃପା ଲାଭ ପାଇଁ ଅଭିପ୍ରେତ । ଯିଏ ଏହି ବିଶାଳ ଓ ବୈଚିତ୍ର୍ୟ ବିମଣ୍ଡିତ ସୃଷ୍ଟିର କର୍ତ୍ତା ଓ କାରଣ ତାଙ୍କୁ ସୁମରି ତାଙ୍କ କୃପା ଧନ୍ୟ ହେବା ପାଇଁ ପ୍ରାର୍ଥନା ହିଁ ପ୍ରାଥମିକ ମାଧ୍ୟମ ଅଟେ । ଏହାର ନିତ୍ୟ ନୈମିତ୍ତିକ ଅଭ୍ୟାସ ଏକ ସ୍ୱୟଂସମ୍ପୂର୍ଣ୍ଣ ସାଧନା, ଯାହା ସଭିଙ୍କର ସର୍ବାଦୌ କାମ୍ୟ ହେବା ଉଚିତ ।
ଏହି ଜଗତରେ ଜୀବନଯାପନ କରିବା ଭିତରେ ଆମେ କେବେକେବେ କେବଳ କଥା ପ୍ରସଙ୍ଗରେ “ସତ କହିବାକୁ କିଆଁ ଡରିବି” ଜାତୀୟ ପ୍ରାର୍ଥନାଂଶକ ଉଲ୍ଲେଖ କରତଃ ପ୍ରାର୍ଥନା ସହ ଆମ ପରିଚିତି ଜାହିର୍ କରି ପକାଇଥାଉ ସିନା, ପ୍ରକୃତପକ୍ଷେ ପ୍ରାର୍ଥନାମଗ୍ନ କ୍ୱଚିତ ହୋଇଥାଉ । ହଁ, ଜଞ୍ଜାଳ ଓ ମାୟା ମୋହ ଭରା ଜାଗତିକ ଜୀବନରେ କେବେ ଥକି ପଡ଼ିଲେ, ପଥହୁଡ଼ି ବଣା ହେଲେ ବା ଅହେତୁକ ଆଶାରୁ ସୃଷ୍ଟ ନିରାଶାଘାତରେ ଜର୍ଜରିତ ହେଲେ କିନ୍ତୁ ଅଚିରେ ଏସବୁରୁ ମୁକ୍ତି ପାଇଁ ଆମର ସ୍ମରଣକୁ ଆସେ ପ୍ରାର୍ଥନା କରିବା । ଏଥୁ ଅନ୍ତେ ପ୍ରାର୍ଥନା ପରେ ଅସମୟ ସୁଧୁରି ଯାଇ ସବୁ ପୁଣି ଠିକଠାକ୍ ଚାଲିବା ମାତ୍ରେ ଇ’ ଆମେ ପ୍ରାର୍ଥନାକୁ ପୂର୍ବବତ ପାଶୋରି ପକାଇ ତା’ଠୁ ଦୂରରୁ ଦୂରକୁ ଚାଲିଯାଉ !

ଅନେକ ସମୟରେ ଆମେ ଆମର ବ୍ୟକ୍ତିଗତ ବା ନିଜସ୍ୱ ଅସରନ୍ତି ଆଶା ଆକାଂକ୍ଷାଙ୍କ ପରିପୂରଣ କରିବା ପାଇଁ ମାଗୁଣି କରିବାକୁ ହିଁ ପ୍ରାର୍ଥନା ମଣି ନିଜନିଜ ଇଚ୍ଛାମାନଙ୍କୁ ଏକରକମ ତାଲିକାଭୁକ୍ତ କରି ସଜାଗ ହୋଇ ରହିଥାଉ । କିନ୍ତୁ ପ୍ରାର୍ଥନା ଏକ ପବିତ୍ର ନିଃସର୍ତ୍ତ ସାଧନା ଏବଂ ଆଦୌ ମାଗିବା ସହ ଜଡ଼ିତ ନୁହେଁ । କାରଣ ଯେଉଁ ଦିବ୍ୟ ଶକ୍ତି ଦେଇଥାଏ ବୋଲି ଆମେ ଭାବି ଥାଉ, ସେ ତ ଆମରି ଭିତରେ ସମାହିତ ! ସୁତରାଂ ପ୍ରାର୍ଥନା ସେହି ଅନ୍ତର୍ନିହିତ ଐଶୀ ଶକ୍ତି ସହ ଆମକୁ ଯୋଡ଼ିବା ପାଇଁ ଏକ ପ୍ରୟାସ । ଏହା ନିଶ୍ଚେ ଏକ ମହତ୍ତର ସାଧନା ଯାହା ପାଇଁ ନିତିପ୍ରତି ନିରନ୍ତର ଓ ନିରବଚ୍ଛିନ୍ନ ଅଭ୍ୟାସ ନିତାନ୍ତ ଆବଶ୍ୟକ ।
ମନ ନିର୍ମଳ କରି ହୃଦୟେ ଆସୀନ ଈଶ୍ଵରଙ୍କୁ “ମୁଁ ସମ୍ପୂର୍ଣ୍ଣ ସମର୍ପିତ ଆପଣଙ୍କ ସହ, ମୋ ପାଇଁ ଯାହା କର୍ତ୍ତବ୍ୟ ମୋତେ ସୂଚାଇ ମୋ ଇଚ୍ଛା ନୁହେଁ, ବରଂ ଆପଣଙ୍କ ଇଚ୍ଛା ହିଁ ପୂରଣ କରନ୍ତୁ” ବୋଲି ଆକୁଳ ବ୍ୟାକୁଳ ପ୍ରାର୍ଥନା କରାଯିବା ଊଚିତ ।
ବୋଲିବା ବାହୁଲ୍ୟ ଯେ ଏଭଳି ପ୍ରାର୍ଥନା ଅଭ୍ୟାସ କରିବା ପାଇଁ ବି ପ୍ରାର୍ଥନା କରିବାକୁ ପଡ଼ିବ । ଏହି ଅଭ୍ୟାସ ବି କମ୍ ଆୟାସସାଧ୍ୟ ନୁହଁଇ । କାରଣ ନିଜ ଭିନ୍ନ ଜଗତ କଲ୍ୟାଣ ଇଚ୍ଛିବା ସହ ଆମ ଭିତରୁ କ୍ରୋଧ, ଅହଂକାର ଓ ଈର୍ଷାଦି ଦୁର୍ଗୁଣମାନଙ୍କୁ ଦୂରେଇ, ଧର୍ମ ଜାତି ସମ୍ପ୍ରଦାୟାଦିରେ ସୀମାବଦ୍ଧ ନହୋଇ , ସ୍ୱାର୍ଥପରତା ତ୍ୟାଗ କରି ମହାମାନବିକତାରେ ଉଦବୁଦ୍ଧ ହେବା ପାଇଁ ପ୍ରଥମେ ପ୍ରାର୍ଥନା କରିବାକୁ ହେବ । ଏଭଳି ଅନୁକ୍ଷଣେ ପ୍ରାର୍ଥନା କରିବା ପାଇଁ ମାନସିକ ସ୍ତରରେ ଯେଉଁ ପ୍ରସ୍ତୁତି ଆବଶ୍ୟକ,ତାକୁ ଉଜ୍ଜୀବିତ କରିବା ପାଇଁ ହିଁ ବ୍ୟାକୁଳତା ଭରା ପ୍ରାର୍ଥନା କରାଯିବା ଆବଶ୍ୟକ, ଯାହା ପ୍ରକୃତ ପକ୍ଷେ ଦିବ୍ୟକୃପା ପ୍ରାପ୍ତି ପାଇଁ ପ୍ରାର୍ଥନା !
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
