ସତ୍ୟନାରାୟଣ ଗନ୍ତାୟତ

ମଣିଷ ଯେମିତି ଏକ ସାମାଜିକ ପ୍ରାଣୀ ସେମିତି ପକ୍ଷୀମାନଙ୍କ କଥା ଉଠିଲେ ଡାମରା କାଉକୁ ହିଁ ସର୍ବାଧିକ ସାମାଜିକ ପକ୍ଷୀ ବୋଲି କହିହେବ । ଏମିତି ଦେଖିଲେ ତଥାକଥିତ ସାମାଜିକ ପ୍ରାଣୀ ମଣିଷ ନାନା କାରଣରୁ କିଛି ପକ୍ଷୀଙ୍କୁ ପୋଷିଥାଏ । ସେଇ ପୋଷା ପକ୍ଷୀମାନଙ୍କ କଥା ଭିନ୍ନ । ତେବେ କାଉ ଓ କୋଇଲି ସମ୍ଭବତଃ ଯୋଡ଼ିଏ ପକ୍ଷୀ, ଯେଉଁମାନେ ପୋଷା ନହୋଇ ବି ମଣିଷଙ୍କ ସହ ସମ୍ପର୍କିତ । ମଣିଷ କୋଇଲିର କୁହୁ ତାନକୁ ମହୁ ପ୍ରାୟେ ଆଦରି ଥାଏ । ତେଣୁ ବସନ୍ତର ଆଗମନକୁ ଅନିଶା କରି ରହେ । ଅଥଚ କାଉ ସକାଳର ଆଗମକୁ ସୂଚାଇ ଦେବା ଭଳି ମହତ କାମ ନିତ୍ୟ ନୈମିତ୍ତିକ ଭାବେ କରତଃ କା କା ରାବିଥାଏ । ଏହା ଶୁଣି ଘରଲୋକେ ନିଦରୁ ଉଠି ପିଲାଙ୍କୁ ବି ଆଉ ମଠ ନ କରତଃ ତୁରିତେ ବିଛଣା ଛାଡ଼ି ଉଠିବା ପାଇଁ ଗୀତ ଫାନ୍ଦି ପକାଇଥାନ୍ତି ସିନା, କାଉର ରାବକୁ କୋଇଲିର କୁହୁ ଭଳି ସମାନୁପାତିକ ଭାବେ କ୍ୱଚିତ ଆଦରି ଥାନ୍ତି । କହୁ ନାହାନ୍ତି, ସେଇଆ କରୁଥିଲେ କଣ “କାଉ କୋଇଲି ଏକା ବର୍ଣ୍ଣ, ରାବ ବେଳକୁ ଭିନ୍ନ ଭିନ୍ନ” କହି କାଉକୁ ଭିନ୍ନ ଦୃଷ୍ଟିରେ ଦେଖୁଥାନ୍ତେ !
ଶୈଶବରୁ କାଉ ସହ ମଣିଷର ପରିଚିତି ଆରମ୍ଭ ହୋଇ ଯାଇଥାଏ । କାରଣ କେବଳ ଉଞ୍ଚ ପରବତର ଗଛରେ ବସି ହିଁ କାଉ ବୋବାଇ ନଥାଏ, ବରଂ ଘର ଅଗଣାକୁ ଆସି କା କା କରେ ବୋଲି ସିନା ମାଆଏ “ଡାମରା କାଉରେ ଡାମରା କାଉ, ମୋ ବାବୁ ପାଇଁ ମାଛଟିଏ ଆଣିଦେବୁ, ମାଛ କଣ୍ଟାକୁ କାଢ଼ିଦେବୁ, ମାଛ ଗଡ଼ିଆକୁ ଖୁଆଇ ଦେବୁ…” ଭଳି ରୋଚକ ଗୀତମାନ କାଉକୁ ଉଦ୍ଦିଷ୍ଟ କରି ଗାଇ ପିଲାକୁ ସହଜେ ଭୁଲାଇ ଖୁଆଇବା ଭଳି ଆପଣା ଅଭୀଷ୍ଟ ପୂରଣ କରି ପାରିଥାନ୍ତି ।
କାଉ ସହ ଶୈଶବରୁ ଆରମ୍ଭ ହୋଇଥିବା ଏହି ସୌଖ୍ୟ ପରବର୍ତ୍ତୀ କାଳରେ ମାଆଟିଏ ଅଗଣାରେ କାଉକୁ ଦେଖି ଦୂରରେ ଥିବା ପୁଅ ଝିଅଙ୍କ ଆଗମ ଇଛିଥିବା ବେଳେ ଅନୁରୂପ ଭାବେ ବାହାରେ ଘର ସଂସାର କରିଥିବା ନୁଆ ବୋହୁଟି ପୋଷେ ପୋଷେ ଚାଉଳ ଥୋଇ କାଉକୁ ମାଧ୍ୟମ କରି କେବେ ତା ପରାଣଧନ ପାଖକୁ ତା ମନ କଥା ପଠାଏ ତ ପୁଣି ବହୁବେଳେ ତା ଘରୁ ବାପାଭାଇ ବା ଆତ୍ମୀୟ କେହି ଆସିବା ନେଇ ଆଶାୟୀ ହୁଏ କା କା ରାବ ଶୁଣିବା ଭିତରେ । ଏଥିରୁ ସୁସ୍ପଷ୍ଟ ଯେ ସମ୍ପର୍କୀୟଙ୍କ ପ୍ରତି ଅପେକ୍ଷାର ପ୍ରାକୃତିକ ସୂଚନା ବହନକାରୀ ପକ୍ଷୀ ଭାବେ କାଉର ରାବ ଅତ୍ୟନ୍ତ ଆସ୍ୱସ୍ତିଦାୟକ ଆମ ପାଇଁ । ଅତଃ ଆମ ଆତିଥ୍ୟ ପ୍ରଦାନ କ୍ଷେତ୍ରରେ ମଧ୍ୟ କାଉ ଏକ ଦୂତ ବା ବାର୍ତ୍ତାବହ ସୁଲଭ ଭୂମିକା ନିର୍ବାହ କରିଥାଏ ବୋଲି ବିଶେଷ ଭାବେ ଆମ ଗ୍ରାମ୍ୟ ସଂସ୍କୃତିରେ ସଭିଏଁ ଗ୍ରହଣ କରିଥାନ୍ତି ।
ତେଣୁ ତ “କାଉରେ କାଉ, କେଉଁ କୂଳରୁ ତୁ ଆସିଲୁ ? ମୋ ମାମୁଁ ଘରର କୁଶଳ ଖବର କହିବୁ, ଯଦି ମୋ ମାମୁଁ ଆସୁଥିବେ, ନଡ଼ିଆ ଗଛରୁ ପଇଡ଼ଟିଏ ଝଡାଇବୁ” ଆଦି ଆବେଗ ବତୁରା ଗାୟନ ମାନ ସ୍ୱତଃ ପ୍ରମାଣିତ କରନ୍ତି ଯେ କାଉ ଏ ଦିଗରୁ ବିଚାର କଲେ ନିଶ୍ଚେ ଏକ ଆଧ୍ୟାତ୍ମିକ ସେତୁ ଓ ଶୁଭ ସୂଚକ ପକ୍ଷୀ ଅଟଇ ।
ଡାମରା କାଉଟିଏ ଦୈବାତ ରାଉ ରାଉ ହୋଇ ନରାବି ଗୁମସୁମ ହୋଇ ବସି ଯାଇଥିବା ବେଳେ ଲାଗେ ସତେ ଅବା ପ୍ରବୃଦ୍ଧ ଜଣେ ଭାବମଗ୍ନ ହୋଇ ବସି ସବୁ ନିରେଖୁ ଅଛନ୍ତି, ଯଥା କାଳେ ଅସଲ କଥା ଉଗାଳିବେ, ଯାହା କଦାଚିତ୍ କୁହୁତାନ ସୁଲଭ ନଶୁଭି ହୁଏତ କାଉର କା କା ରାବ ପ୍ରାୟେ ହିଁ କର୍କଶ ଶୁଭିପାରେ !!

ପୁନଶ୍ଚ କାଉ କୁଆଡ଼େ ଚତୁର ପକ୍ଷୀ । ହଁ ତୃଷାର୍ତ୍ତ ହୋଇ ତା ଜୀବନ ରକ୍ଷା ପାଇଁ ମାଠିଆର ତଳେ ଥିବା ପାଣିରେ ଗୋଡ଼ି ପକାଇ ପିଇ ନେଇଥିବା କାରଣରୁ ଯଦି ସେ ଚତୁର, ତେଵେ ତହିଁରେ ବରଂ ପ୍ରାଣ ରକ୍ଷାର୍ଥେ ଆତୁରତା ବେଶୀ ସନ୍ନିହିତ ବୋଲି ଆମେ କହିବୁ । ନଚେତ ‘କଲୁରୀ ବେଣ୍ଟ କଥା’ର ସେ କାଉଟି ତ ସରଳ ନିରୀହ ଭାବେ ସମାଜର ଅନେକଙ୍କ ଠେଇଁ କ୍ରୀଡ଼ନକ ହୋଇ ହୋଇ ଅବଶେଷେ ଜୀବନ ହାରିଥିବା କଥା ହେଜ ହୋଇଗଲେ ଏବେବି ଆମ ଆତ୍ମା ବିଳପି ଉଠେ ।
ଏମିତି ଶୈଶବରୁ ଆମ ଜୀବନ ସହ ଯୋଡ଼ି ହୋଇ ରହିଥିବା କାଉର ସମ୍ପର୍କ ଯେ ସତେ କେତେ ଆତ୍ମିକ ସ୍ତରୀୟ,ଏହା ଆମ ପାରମ୍ଫରିକ ପିତୃ ଶ୍ରାଦ୍ଧ ଭଳି ଆବେଗିକ ଅବସରରେ ବେଶ୍ ପ୍ରମାଣିତ ହୋଇଥାଏ । ଶ୍ରଦ୍ଧା ଭରେ ଅର୍ପିତ ଅନ୍ନ ଅର୍ପଣ ପୂର୍ବକ “ଆରେ ଡାମରା କାଉ, ଟିକେ ଛୁଇଁଦେଇ ଯା, ତେବେ ଯାଇ ଆମର ମୁକ୍ତି” ଆଦି କଥା ଅତ୍ୟନ୍ତ ଅନୁନୟ ଭରେ କହି କାଉର ଆଗମକୁ ଅପେକ୍ଷା କରାଯାଇ ଥାଏ ।
କାଉ ଆମ ପରି ଏକୁଟିଆ ସବୁ ଭୋଗି ନଥାଏ । ବରଂ କିଛି ମିଳିଲେ ସଭିଙ୍କୁ ବାଣ୍ଟି ଖାଇଥାଏ । ସେମିତି ଆପଦ କାଳରେ ଗୋଟେ କାଉ କା କା କରିବା ମାତ୍ରେ ଚାରିଆଡୁ କାଉମାନେ ଆସି ମିଳିତ ଭାବରେ ଲଢନ୍ତି୍ । ଏଥିରୁ ଆମେ ସ୍ୱାର୍ଥପରତା ଭୁଲି ସହଭାଗୀତା ଶିଖିବା ଉଚିତ ନୁହେଁ କି ?
କାଉ ବି ଏକ ପରିବେଶ ରକ୍ଷାକାରୀ ପକ୍ଷୀ ଭାବେ ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି । ଏଵେ କ୍ରମ ବର୍ଦ୍ଧିଷ୍ଣୁ କଂକ୍ରିଟ ଜଙ୍ଗଲ ସତ୍ତ୍ୱେ ଡାମରା କାଉ ସକାଳ ହେଉ ହେଉ ରାବି ଅମଣିଆ ମଣିଷମାନଙ୍କୁ ନିଦରୁ ଉଠାଇବା ଭଳି ତା ପାରମ୍ପରିକ କର୍ମଟି କଦବା କ୍ୱଚିତ କରୁଥିଲେ ହେଁ ସମ୍ଭବତଃ ସେ ମଧ୍ୟ ଯୁଗଧର୍ମାନୁସାରୀ ହୋଇ କିଞ୍ଚିତ ରସିକ ପକ୍ଷୀ ପାଲଟି ଯାଇଛି । ନୋହିଲେ ଗୋଟେ ଆଧୁନିକ ଭିଡ଼ିଓରେ ନାୟିକା ଜଣକ ଛାତରେ କ୍ଲିପ ଲଗାଇ ଶୁଖାଇ ଥିବା ତା ପ୍ରିୟ ନାଲି ଓଢଣୀଟିକୁ ନେଇ ଉଡ଼ି ଯାଇଥାନ୍ତା କି ?
ସୁତରାଂ ଡାମରା କାଉ ଆମ ପାଇଁ ଥାଉ । କେବଳ ଶ୍ରାଦ୍ଧ ଦିବସ ନୁହେଁ, ସବୁଦିନ ଆମ ଅଗଣାରେ ତା ଖାଇବା ପାଇଁ କିଛି ନା କିଛି ମିଳୁଥାଉ । ଆମ ଘର ପରିସରରେ ସରା ବା ମାଠିଆରେ ତା ପାଇଁ ପାଣି ନିଶ୍ଚେ ରହିଥାଉ ଓ ତୃଷାର୍ତ୍ତ ହୋଇ ସେ ଯେମିତି କେବେବି ଛଟପଟ ନହେଉ !
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
