ନୀହାରିକା ମଲ୍ଲିକ (ଅନୁବାଦ)

ହଲକୁ ଆସି ସ୍ତ୍ରୀକୁ କହିଲା

– ସହନା ଆସିଛି । ଆଣ, ଯୋଉ ପଇସା ରଖିଛ ତାକୁ ଦେଇ ଦିଏ । ଯେମିତି ହେଉ ତା’ଠୁ ମୁକ୍ତି ମିଳୁ ।

ମୁନ୍ନି ଝାଡୁ କରୁଥିଲା । ପଛକୁ ଫେରିଚାହିଁ କହିଲା

– ତିନି ଟଙ୍କା ହିଁ ତ ଅଛି, ଦେଇଦେଲେ କମ୍ବଳ କେମିତି କୋଉଠୁ ଆସିବ ? ମାଘ-ପୁଷର ରାତି ଖାଲି ଚଦରରେ କେମିତି କଟିବ ? ତାକୁ କହିଦିଅ, ଫସଲ କଟା ସରୁ ଦେଇ ଦେବା । ଏବେ ନୁହଁ ।

ହଲକୁ କିଛି ସମୟ କଣ କରିବ ଚିନ୍ତା କରି ନପାରି ଠିଆ ହୋଇ ରହିଗଲା । ପୁଷ ଆସି ମୁଣ୍ଡ ଉପରେ, କମ୍ଵଳ ବିନା ସେ ରାତିରେ କୌଣସି ପ୍ରକାରେ ଶୋଇ ପାରିବନି । କିନ୍ତୁ ସହନା ମାନିବନି, ଧମକ ଦେବ, ଗାଳି କରିବ । ଶୀତରେ ପଛେ ମରିବ, ଏ ଚିନ୍ତା ତ ମୁଣ୍ଡରୁ ଯିବ । ଏକଥା ଚିନ୍ତା କରି ସେ ନିଜର ଓଜନଦାର ଶରୀରକୁ ନେଇ(ଯାହା କି ତା ନାମକୁ ମିଛ ବୋଲି ପ୍ରମାଣିତ କରୁଥିଲା) ସ୍ତ୍ରୀ ପାଖକୁ ଆସିଲା ଓ ଖୋସାମତ କରି କହିଲା

– ଦେଇ ଦେ, ତା ଜାଳାରୁ ମୁକ୍ତି ମିଳୁ । କମ୍ଵଳ ପାଇଁ ଆଉ କିଛି ଉପାୟ ଭାବେ ।

ମୁନ୍ନି ତା ପାଖରୁ ଘୁଞ୍ଚିଗଲା ଓ ଆଖି ନଚେଇ କହିଲା,

– ଭାରି ଉପାୟ କରୁଛ ! ଟିକେ ଶୁଣେ, କି ଉପାୟ କରିବ ! କିଏ କଣ ମାଗଣାରେ ଦେବ କମ୍ବଳ ? କେଜାଣି କେତେ ବାକି ଅଛି, ଯାହା କେମିତି ବି ସୁଝି ହେଉନି ! ମୁଁ କହୁଛି, ତୁମେ କାହିଁକି ଚାଷ କରିବା ଛାଡ଼ି ଦେଉନ? ମରିମରି ଫସଲ କରିବ, ଅମଳ ହେଲେ ବାକି ସୁଝ…କାମ ଶେଷ । ବାକି ସୁଝିବାକୁ ହିଁ ଯେମିତି ଆମର ଜନ୍ମ ହୋଇଛି । ପେଟ ପାଇଁ ମଜଦୁରୀ କର । ଏମିତି ଚାଷ କରିବା ଠାରୁ ନକରିବା ଭଲ । ମୁଁ ଟଙ୍କା ଦେବିନି … ଦେବିନି ।

ହଲକୁ ଉଦାସ ହୋଇ କହିଲା,

– ତା ହେଲେ କଣ ଗାଳି ଶୁଣିବି ? ମୁନ୍ନି ବ୍ୟସ୍ତ ହୋଇ କହିଲା,

– ଗାଳି କାହିଁକି ଦେବ ? କଣ ତା ଇଚ୍ଛା? କିନ୍ତୁ ଏକଥା କହିବା ସହ ତା ମୁହଁ ବି ଝାଉଁଳି ଆସିଲା । ହଲକୁର ସେହି କଥାରେ ଯେଉଁ କଠୋର ସତ୍ୟ ଥିଲା, ତାହା ଏକ ଭୀଷଣ ଜନ୍ତୁ ପରି ତାକୁ ଚାହିଁ ରହିଥିଲା । ସେ ଯାଇ ଠଣାରୁ ଟଙ୍କା ବାହାର କଲା ଓ ଆଣି ହଲକୁର ହାତରେ ରଖିଦେଲା । ପୁଣି କହିଲା,

– ତୁମେ ଏବେଠୁ ଚାଷ ଛାଡ଼ି ଦିଅ । ମଜୁରୀ କଲେ ଶାନ୍ତିରେ ବକତେ ଖାଇବାକୁ ତ ମିଳିବ । କାହାର ଭୟ ତ ରହିବନି । ଭଲ ଚାଷ ଆଉ ! ମଜୁରୀ କରିକି ଆଣ, ସେତକ ପୁଣି ସେଇଠି ଅଜାଡ଼ି ଦିଅ, ସେଥିରେ ପୁଣି ଧମକ ! ହଲକୁ ଟଙ୍କା ନେଲା ଓ ଏମିତି ବାହାରକୁ ଗଲା ସତେଯେମିତି ନିଜ କଲିଜା ବାହାର କରି ଦେବାକୁ ଯାଉଛି । ସେ ମଜୁରୀରୁ ଗୋଟେଗୋଟେ ପଇସା ସଞ୍ଚି କମ୍ବଳ ପାଇଁ ତିନି ଟଙ୍କା ଜମେଇ ରଖିଥିଲା । ସେତକ ଆଜି ଚାଲି ଯାଉଥିଲା । ଗୋଟେ ଗୋଟେ ପାଦ ସହ ତା ମୁଣ୍ଡ ଦରିଦ୍ରତାର ଭାରାରେ ତଳକୁ ହୋଇଯାଉଥିଲା ।

ପୁଷର ଅନ୍ଧାର ରାତି ! ଆକାଶରେ ତାରାମାନେ ମଧ୍ୟ ଥରି ଯିବାପରି ଲାଗୁଥିଲେ । ହଲକୁ ନିଜ ଜମି ପାଖରେ ପତ୍ରରେ ତିଆରି ଏକ ଛାମୁଡ଼ିଆ ତଳେ ବାଉଁଶ ଖଟିଆ ଉପରେ ନିଜର ପୁରୁଣା ଚାଦର ଘୋଡ଼େଇ ହୋଇ ଶୀତରେ କମ୍ପୁଥିଲା । ଖଟିଆ ତଳେ ତା କୁକୁର ଜବରା ପେଟ ଭିତରେ ମୁହଁ ପୁରାଇ ଥଣ୍ଡାରେ କୁଁକୁଁ ହେଉଥିଲା । ଦି’ ଜଣଙ୍କ ଭିତରୁ ଜଣକୁ ବି ନିଦ ହେଉ ନ ଥିଲା । ହଲକୁ ଆଣ୍ଠୁକୁ ବେକ ପାଖକୁ ଜାକି ନେଇ କହିଲା

– କଣ ଜବରା ! ଶୀତ ଲାଗୁଛି ? କହିଥିଲି ତ, ଘରେ ଭାଡ଼ି ତଳେ ଶୋଇଥା’, ଏଇଠି ଆସିଲୁ କାହିଁକି ?ଏବେ ଖା ଶୀତ, ମୁଁ କଣ କରିବି ? ଭାବୁଥିଲୁ ମୁଁ ଏଠିକୁ ପୁରି-ହାଲୁଆ ଖାଇବାକୁ ଆସିଛି, ସେଥିପାଇଁ ଧାଇଁଧାଇଁ ଆଗରେ ପଳେଇ ଆସିଲୁ । ଏବେ ମଜା ପା’। ଜବରା ବିଛଣାରେ ପଡ଼ି ଲାଞ୍ଚ ହଲେଇଲା ଆଉ କୁଁକୁଁ ହେଲା । ହଲକୁ କହିଲା,

– କାଲିଠୁ ଆଉ ମୋ ସହ ଆସିବୁନି, ନହେଲେ ଥଣ୍ଡା ଧରିନେବ । ଏ ବରଷ କେଜାଣି କୋଉଠୁ ଏତେ ବରଫ ଆସିଲା ! ଉଠେ, ଆଉ ଗୋଟେ ଚିଲମ ଲଗାଏ । କେମିତି ଏ ରାତିଟା କଟୁ । ଆଠଟା ଚିଲମ ତ ପି’ସାରିଲାଣି । ଏଇଟା ହିଁ ଚାଷର ମଜା ! ଆଉଜଣେ ଭଗବାନ ଏମିତି ପଡ଼ିଛନ୍ତି ଯେ, ଯାହା ପାଖକୁ ଶୀତ ଆସିଲେ ବି ଗରମକୁ ଡରି ପଳେଇବ । ମୋଟାମୋଟା ଗଦି, ଶାଲ, କମ୍ବଳ । ଜାଡ଼ର ସାହସ କାଇଁ ପଶିବାକୁ ! ଭାଗ୍ୟର ଖେଳ ! ମଜୁରୀ ଲାଗିବୁ ଆମେ, ମଜାରେ ରହିବ ଆଉ କିଏ ! ହଲକୁ ଉଠିଲା, ଉହ୍ମେଇଁରୁ ଅଳ୍ପ ଟିକେ ନିଆଁ ବାହାରକରି ଚିଲମ ଭରିଲା । ଜବରା ମଧ୍ୟ ଉଠି ବସିଲା । ହଲକୁ ଚିଲମ ପିଉପିଉ କହିଲା,

– ପିଇବୁ ଟିକେ ଚିଲମ ? ଶୀତ କୋଉ ଯାଉଛି ! ଖାଲି ଟିକେ ମନ ବୁଝିବା କଥା । ଜବରା ତା ଆଡ଼କୁ ମୁହଁ କଲା ଏବଂ ପ୍ରେମଭରା ଦୃଷ୍ଟିରେ ଚାହିଁ ରହିଲା । ହଲକୁ କହିଲା

– ଆଜି ଆଉ ଟିକେ ଥଣ୍ଡା ସହିଯା’ । କାଲି ମୁଁ ଏଠି ନଡ଼ା ବିଛେଇ ଦେବି । ସେଇଥିରେ ପଶିକି ବସିବୁ, ଆଉ ଶୀତ ହେବନି । ଜବରା ନିଜ ଆଗ ଗୋଡ଼କୁ ତା’ ଆଣ୍ଠୁ ଉପରେ ଥୋଇଦେଲା ଓ ତା’ ମୁହଁ ପାଖକୁ ମୁହଁ ଲଗାଇଦେଲା । ଚିଲମ ପିଇ ସାରି ହଲକୁ ପୁଣି ଗଡ଼ି ଗଲା ଆଉ ଏକଥା ଭାବି ଗଡ଼ି ପଡିଲା ଯେ, ଯାହା ବି ହେଉପଛେ, ଏଥର ସେ ଶୋଇ ପଡ଼ିବ, କିନ୍ତୁ ପରମୂହୁର୍ତ୍ତରେ ତା’ ଛାତି ଥରିବାକୁ ଲାଗିଲା । କେତେବେଳେ ଏକଡ଼ ଲେଉଟାଇଲା ତ କେତେବେଳେ ଆର କଡ଼, କିନ୍ତୁ ଥଣ୍ଡା କୋଉ ପିଶାଚ ପରି ଯେପରି ତା’ ଛାତିକୁ ଚାପି ଧରିଥିଲା । ଯେତେବେଳେ କୌଣସିପ୍ରକାରେ ରହିପାରିଲାନି, ସେ ଜବରାକୁ ଆସ୍ତେ କରି ଉଠେଇଲା ଓ ତା ମୁଣ୍ଡକୁ ସାଉଁଳେଇ ନିଜ କୋଳରେ ଶୁଆଇଦେଲା । କୁକୁର ଦେହରୁ କେମିତି ଗୋଟାଏ ଦୁର୍ଗନ୍ଧ ଆସୁଥିଲା, କିନ୍ତୁ ସେ ତାକୁ ନିଜ କୋଳରେ ଜାକି ଧରି ଏପରି ସୁଖ ଅନୁଭବ କରୁଥିଲା ଯାହା ତାକୁ ମାସମାସ ଧରି ମିଳି ନଥିଲା । ଜବରା ବୋଧହୁଏ ଏକଥା ବୁଝିପାରୁଥିଲା ଯେ, ଏଇଠି ହିଁ ସ୍ଵର୍ଗ ଏବଂ ହଲକୁର ପବିତ୍ର ମନରେ ତ କୁକୁର ପ୍ରତି ଘୃଣାର ଗନ୍ଧ ଟିକେ ବି ନଥିଲା । ନିଜର କୌଣସି ଅନ୍ତରଙ୍ଗ ମିତ୍ର ବା ଭାଇକୁ ମଧ୍ୟ ସେ ଏତେ ଆତ୍ମୀୟତାର ସହ ଆଲିଙ୍ଗନ କରି ନଥାନ୍ତା । ସେ ନିଜର ଦରିଦ୍ରତା ପାଇଁ ଆହତ ନଥିଲା, ଯିଏ ଆଜି ତାକୁ ଏ ପରିସ୍ଥିତିରେ ପକାଇ ଦେଇଛି । ନା, ଏହି ଅମୂଲ୍ୟ ମିତ୍ରତା ଯେପରି ତା’ ଆତ୍ମାର ସମସ୍ତ ଦ୍ଵାର ଖୋଲି ଦେଇଥିଲା ଓ ତାର ପ୍ରତିଟି ଅଙ୍ଗ ତେଜୀୟାନ ହୋଇ ଉଠିଥିଲା । ସହସା ଜବରା କୌଣସି ଜନ୍ତୁର ଆଭାସ ପାଇଲା । ଏହି ବିଶେଷ ଆତ୍ମୀୟତା ତା ଭିତରେ ଏକ ନୂତନ ଶକ୍ତି ଭରି ଦେଉଥିଲା, ଯାହାକି ଥଣ୍ଡା କାଲୁଆ ପବନକୁ ମଧ୍ୟ ତୁଚ୍ଛ ମଣୁଥିଲା । ସେ ଝଟ୍ କରି ଉଠି ପଡ଼ିଲା ଏବଂ ଛାମୁଡ଼ିଆ ବାହାରକୁ ଆସି ଭୁକିବାକୁ ଲାଗିଲା । ହଲକୁ ତାକୁ ଅନେକଥର ଡାକିଲା, କିନ୍ତୁ ସେ ତା ପାଖକୁ ଆସିଲାନି । ଚାରିଆଡ଼େ ଧାଇଁଧାଇଁ ଭୁକିବାକୁ ଲାଗିଲା । ଟିକେ ସମୟ ପାଇଁ ଚାଲି ଆସି, ପୁଣି ଧାଇଁ ଯାଉଥିଲା ।

ଗୋଟେ ଘଣ୍ଟା ବିତିଗଲା । ରାତି ଯେମିତି ଶୀତକୁ ଆହୁରି ବଢେଇ ଦେଇଥିଲା । ହଲକୁ ଉଠି ବସିଲା ଏବଂ ଦୁଇ ଆଣ୍ଠୁକୁ ଛାତିରେ ଲଗାଇ ମୁଣ୍ଡକୁ ତା ଭିତରେ ପୁରାଇଦେଲା, ତଥାପି ଥଣ୍ଡା କମିଲାନି, ଏମିତି ଲାଗୁଥିଲା ଯେମିତି ରକ୍ତ ସବୁ ବରଫ ହୋଇଯାଇଛି, ଶିରାପ୍ରଶିରାରେ ରକ୍ତ ବଦଳରେ ବରଫପାଣି ବହୁଛି । ସେ ନଇଁପଡ଼ି ଆକାଶ ଆଡ଼କୁ ଚାହିଁଲା, ଏବେ ରାତି ଆହୁରି କେତେ ବାକି ଅଛି ! ସପ୍ତର୍ଷିମଣ୍ଡଳ ସେ ଆକାଶରେ ଅଧେ ବି ଉପରକୁ ଆସିନି । ଉପରକୁ ଆସିଲେ ଯାଇ ସକାଳ ହେବ । ଏବେ ଆହୁରି ଗୋଟେ ପହରରୁ ବେଶୀ ରାତି ବାକି ଅଛି । ହଲକୁ ଖେତର ମାତ୍ର କେଇ ପାହୁଣ୍ଡ ଦୂରରେ ଗୋଟେ ଆମ୍ବତୋଟା ଥିଲା । ପତ୍ରଝଡ଼ା ଆରମ୍ଭ ହୋଇସାରିଥିଲା । ତୋଟାରେ କୁଢକୁଢ ପତ୍ର ଜମା ହୋଇଥିଲା । ହଲକୁ ଭାବିଲା ,ଯାଇ ପତ୍ରସବୁ ଏକାଠି କରିବି ଓ ତାକୁ ଜଳାଇ ମନଭରି ସେକି ହେବି । ହେଲେ ରାତିରେ କେହି ମୋତେ ପତ୍ର ଗୋଟାଉଥିବା ଦେଖି ଭୂତ ବୋଲି ଭାବିବ । କେଜାଣି କୋଉ ଜନ୍ତୁଫନ୍ତୁ ଯଦି ଛପି ରହିଥିବ ! କିନ୍ତୁ ଏବେ ତ ଆଉ ରହିହେଉନି । ସେ ପାଖରେ ଥିବା ହରଡ଼ ଖେତରୁ କିଛି ଶୁଖିଲା ଗଛ ଓପାଡ଼ି ଆଣିଲା ଏବଂ ସେଥିରେ ଗୋଟେ ଝାଡୁ ବାନ୍ଧି ହାତରେ ଜଳନ୍ତା ଘସି ଖଣ୍ଡେ ଧରି ବଗିଚା ଆଡ଼କୁ ଗଲା । ଜବରା ତାକୁ ଆସୁଥିବାର ଦେଖି ପାଖକୁ ଆସି ଲାଞ୍ଚ ହଲେଇବାକୁ ଲାଗିଲା । ହଲକୁ କହିଲା

– ଏବେ ଆଉ ରହିହେଉନି ଜବରୁ, ଚାଲ୍, ବଗିଚାରେ ପତ୍ର ଜଳେଇ ସେକି ହେବା, ଟିକେ ଉଷୁମ ହୋଇଯିବା ପରେ ଆସି ଶୋଇବା । ଏବେ ତ ଆହୁରି ବହୁତ ରାତି ଅଛି । ଜବରା କୁଁକୁଁ ହୋଇ ସହମତି ଦେଲା ଓ ଆଗରେ ବଗିଚା ଆଡ଼କୁ ଚାଲିଲା । ଭିତରଟା ବହୁତ ବେଶୀ ଅନ୍ଧାରୁଆ ଥିଲା । ଗଛର ପତ୍ରରୁ କାକର ଟୋପା ଟପ୍ ଟପ୍ ହୋଇ ଖସୁଥିଲା । ଅଚାନକ ହାବୁକାଏ ପବନ ସହ ମେଞ୍ଜୁଆତି ଫୁଲର ବାସ୍ନା ଭାସି ଆସିଲା । ହଲକୁ କହିଲା

– କି ସୁନ୍ଦର ବାସ୍ନା ଜବରୁ ! ତୋ ନାକରେ ବାଜୁଛି ତ ? ଜବରାକୁ କୋଉଠୁ ଗୋଟେ ହାଡ଼ଟେ ମିଳି ଯାଇଥିଲା । ସେ ତାକୁ ଚାଟି ଚାଲିଥିଲା । ହଲକୁ ନିଆଁ ଖଣ୍ଡକୁ ତଳେ ରଖିଦେଲା ଓ ପତ୍ର ସାଉଁଟିବାକୁ ଲାଗିଲା । ହାତ ଥରିଯାଉଥିଲା । ଖାଲି ପାଦ କାଲୁଆ ହୋଇଯାଉଥିଲା । ଆଉ ସେ ପତ୍ର କୁଢେଇ ଚାଲିଥିଲା । କିଛି ସମୟ ଭିତରେ ନିଆଁ ଜଳି ଉଠିଲା । ତା ଧାସ ଗଛ ଡାଳର ପତ୍ରକୁ ଛୁଇଁ ଉପରକୁ ଉଠିଲା । ସେହି ନିଆଁରେ ଚମକିଉଠୁଥିବା ଗଛ ବିଶାଳ ଗଛ ଏପରି ମନେ ହେଉଥିଲେ, ସତେଯେମିତି ବିଶାଳ ଅନ୍ଧକାରକୁ ନିଜ ମୁଣ୍ଡରେ ଟେକି ଧରିଛନ୍ତି । ଅନ୍ଧକାରର ସେହି ଅନନ୍ତ ସାଗରରେ ଏହି ନିଆଁଧାସ ଏକ ନଉକା ସମ ହଲୁଥିବା ପରି ମନେ ହେଉଥିଲା । ହଲକୁ ନିଆଁ ଆଗରେ ବସି ସେକି ହେଉଥିଲା । ଅଳ୍ପ ସମୟ ଭିତରେ ସେ ଚାଦର ଚଉତି ଦେଇ କାଖତଳେ ଜାକି ଦେଲା, ପାଦ ଦୁଇଟିକୁ ନିଆଁ ଆଡ଼କୁ ଦେଖାଇ ଦେଲା । ସତେଯେମିତି ସେ ଶୀତକୁ ଆହ୍ଵାନ ଦେଉଛି…ଯାହା କରିବା କଥା କରେ । ଶୀତର ଅସୀମ ଶକ୍ତି ଉପରେ ବିଜୟ ଲାଭ କରି ସେ ଯେପରି ବିଜୟୋଲ୍ଲାସକୁ ନିଜ ଭିତରେ ଲୁଚାଇ ରଖିପାରୁ ନଥିଲା । ସେ ଜବରାକୁ କହିଲା,

– କଣ ଜବରୁ ! ଏବେ ଶୀତ ଲାଗୁନି ?

ଜବରା ଯେପରି କୁଁକୁଁ ହୋଇ ଉତ୍ତର ଦେଲା,

– ଏବେ କାହିଁକି ଥଣ୍ଡା ଲାଗିବ?

ହଲକୁ କହିଲା,

– ଆଗରୁ ଏ ବୁଦ୍ଧି ମୁଣ୍ଡରେ ପଶିଥିଲେ ଏତେ ଥଣ୍ଡା ସହିବାକୁ ପଡ଼ି ନଥାନ୍ତା । ଜବରା ସମ୍ମତିରେ ଲାଞ୍ଜ ହଲେଇଲା । ଆଚ୍ଛା, ଆସେ, ଏଇ ନିଆଁକୁ ଡେଇଁ ପାରି ହେବା । ଦେଖିବା, କିଏ ପାରି ହେଉଛି । ଆଉ ଯଦି ଫୋଟକା ହେଲୁ ନା ପୁଅ…ତେବେ ଔଷଧପତ୍ର କରିବିନି। ଜବରା ସେଇ ନିଆଁ ଆଡ଼କୁ କାତର ଦୃଷ୍ଟିରେ ଚାହିଁ ରହିଲା ।

– ମୁନ୍ନିକୁ କାଲି କହିଦେବୁନି ! ନହେଲେ ଝଗଡ଼ା କରିବ । ଏକଥା କହି ହଲକୁ ଡିଆଁଟେ ମାରି ସେ ନିଆଁକୁ ପାରି ହୋଇଗଲା । ପାଦରେ ଟିକେ ନିଆଁ ଧାପ ବାଜିଲା କିନ୍ତୁ ସେମିତି କିଛି ହୋଇ ନଥିଲା । ଜବରା ନିଆଁ ଚାରିପଟେ ବୁଲିଆସି ହଲକୁ ପାଖରେ ଠିଆ ହୋଇଗଲା । ହଲକୁ କହିଲା,

– ଏମିତି ନୁହଁ, ଯା’ ଉପର ଆଡୁ ଡେଇଁ କି ଆସେ । ସେ ପୁଣିଥରେ ଡେଇଁ ଏପାଖକୁ ଚାଲି ଆସିଲା ।

ପତ୍ରସବୁ ଜଳି ସାରିଥିଲେ । ବଗିଚାଟି ପୁଣି ଅନ୍ଧାର । ପାଉଁଶ ତଳେ ଅଳ୍ପଅଳ୍ପ ନିଆଁ ବାକି ଥିଲା, ଯାହାକି ପବନ ଦେଲେ ଧପ୍ କରି ଟିକେ ଜଳି ଉଠୁଥିଲା ।ହଲକୁ ପୁଣି ଚାଦର ଘୋଡ଼େଇ ହେଲା ଓ ଗରମ ପାଉଁଶ ପାଠରେ ଠିଆ ହୋଇ ଗୀତଟେ ଗୁଣୁଗୁଣେଇବାକୁ ଲାଗିଲା । ତା ଦେହ ଉଷୁମ ହୋଇଯାଇଥିଲା, କିନ୍ତୁ ଯେମିତି ଶୀତ ବଢିବଢି ଚାଲୁଥିଲା ତାକୁ ମାନ୍ଦା ଲାଗୁଥିଲା । ଜବରା ଜୋରରେ ଭୁକି କ୍ଷେତ ଆଡ଼କୁ ଧାଇଁବାକୁ ଲାଗିଲା । ହଲକୁକୁ ଲାଗିଲା ଯେମିତି ଦଳେ ଜନ୍ତୁ କ୍ଷେତରେ ପଶିଛନ୍ତି । ବୋଧେ ନୀଳଗାଈ ପଲ । ସେମାନଙ୍କ ଦଉଡାଧାଇଁବା ଶବ୍ଦ ପରିଷ୍କାର ଶୁଣାଯାଉଥିଲା । ପୁଣି ଲାଗିଲା ଯେମିତି କ୍ଷେତରେ ଚରୁଛନ୍ତି । ସେମାନଙ୍କ ଚୋବେଇବା ଶବ୍ଦ ଶୁଭୁଥିଲା । ସେ ମନେମନେ କହିଲା,

– ନା ନା, ଜବରା ଥାଉଥାଉ କୌଣସି ଜନ୍ତୁ କ୍ଷେତରେ ପଶି ପାରିବନି । ଝୁଣି ଦେବ । ମୋତେ ବୋଧେ ଭ୍ରମ ହେଉଛି । କାଇଁ,ଏବେ ତ କିଛି ଶୁଭା ଯାଉନି ! ସେ ଜୋରରେ ଡକା ପାରିଲା … ଜବରା..ଜବରା । ଜବରା ଭୁକି ଚାଲିଥାଏ । ତା ପାଖକୁ ଆସିଲାନି । ପୁଣି କ୍ଷେତରେ ଚରିବା ଶବ୍ଦ ଶୁଭାଗଲା । ସେ ଆଉ ଏହାକୁ ଭ୍ରମ ବୋଲି ଭାବିଲାନି । ତାକୁ ନିଜ ଜାଗାରୁ ଘୁଞ୍ଚିବା ବିଷ ପରି ଲାଗିଲା । ଏଇ ଶୀତକାକରରେ କ୍ଷେତକୁ ଯିବା, ଜଙ୍ଗଲୀ ପଶୁଙ୍କ ପଛରେ ଧାଇଁବା ତା’ପକ୍ଷେ ଅସମ୍ଭବ ମନେ ହେଉଥିଲା । ସେ ନିଜ ସ୍ଥାନରୁ ହଲିଲାନି । ସେ ଜୋରରେ ଗର୍ଜନ କଲା,

– ହେଃ! ହେଃ!, ଜବରା ପୁଣି ଭୁକି ଉଠିଲା । ପଶୁମାନେ କ୍ଷେତରେ ପଶି ଖାଇ ଯାଉଥିଲେ । ବହୁତ ସୁନ୍ଦର ଫସଲ ହୋଇଥିଲା । ହଲକୁ ମନ ଦୃଢ କରି ଉଠିଲା, ଦୁଇଚାରି ପାଦ ଚାଲିଲା, କିନ୍ତୁ କୋହଲା ପବନ ଦେହରେ ଛୁଞ୍ଚି ପରି ଫୋଡ଼ି ହୋଇଯାଉଥିଲା । ସେ ଆଉ ଆଗକୁ ନଯାଇ ଲିଭିଯାଇଥିବା ନିଆଁ ପାଖରେ ଆସି ବସିଲା ଓ ପାଉଁଶ ଖେଳାଇ ନିଜ ଦେହକୁ ଉଷୁମ କରିବାକୁ ଲାଗିଲା । ଜବରା ନିଜ ଗଳା ଫାଡ଼ି ଭୁକି ଚାଲିଥିଲା ଓ ନୀଳ ଗାଈମାନେ କ୍ଷେତ ସଫା କରି ଚାଲିଥିଲେ ଓ ହଲକୁ ଗରମ ପାଉଁଶ ପାଖରେ ନିର୍ବିକାର ହୋଇ ବସି ରହିଥିଲା । ଅସହାୟତା ତାକୁ ରଶି ପରି ଚାରିଆଡୁ ବାନ୍ଧି ରଖିଥିଲା । ସେହି ପାଉଁଶର ଗରମ ମାଟି ଉପରେ ଚଦର ଘୋଡ଼େଇ ହେଇ ସେ ଶୋଇ ପଡ଼ିଲା । ସକାଳୁ ଯେତେବେଳେ ତା ନିଦ ଭାଙ୍ଗିଲା, ସେତେବେଳେ ତା ଉପରେ ଖରା ପଡିଥିଲା ଓ ମୁନ୍ନି କହୁଥିଲା- କଣ ଆଜି ଖାଲି ଶୋଇରହିବ? ତୁମେ ଏଠିକୁ ଆସି ଶୋଇଗଲ ଆଉ ସେପଟେ ସବୁ ଫସଲ ଭାସିଗଲା । ହଲକୁ ନଉଠି କହିଲା,

– ତୁ କଣ କ୍ଷେତ ଦେଖି ଆସିଛୁ ?

ମୁନ୍ନି କହିଲା,

– ହଁ, ସାରା କ୍ଷେତର ସତ୍ୟାନାଶ ହୋଇଯାଇଛି । ଏମିତି କଣ କେହି ଶୁଏ ! ତୁମର ଏଠି ଛାମୁଡ଼ିଆ ବାନ୍ଧି ଆଉ କଣ ହେଲା ? ହଲକୁ ବାହାନା କରି କହିଲା,

– ମୁଁ ମରୁମରୁ ବଞ୍ଚିଲି, ତୋର ଫସଲ କଥା ପଡ଼ିଛି ? ପେଟ ଏତେ କାଟିଲା, ଏତେ କାଟିଲା ଯେ ସେକଥା ମୁଁ ହିଁ ଜାଣେ ! ଦୁହେଁ ପୁଣି ଜମି ହିଡ଼କୁ ଆସିଲେ, ଦେଖିଲେ ସାରା କ୍ଷେତ ଦଳାଚକଟା ହୋଇଛି ଏବଂ ଜବରା ଛାମୁଡ଼ିଆ ତଳେ ଚିତ୍ ହେଇ ପଡ଼ି ରହିଛି, ସତେଯେମିତି ପ୍ରାଣ ନାହିଁ । ଦୁହେଁ କ୍ଷେତର ଦୁର୍ଦ୍ଦଶା ଦେଖୁଥିଲେ । ମୁନ୍ନିର ମୁହଁ ଉଦାସ ହୋଇଯାଇଥିଲା କିନ୍ତୁ ହଲକୁ ପ୍ରସନ୍ନ ଥିଲା । ମୁନ୍ନି ଚିନ୍ତିତ ହୋଇ କହିଲା,

– ଏବେ ମଜୁରୀ କରି ହିଁ ପେଟ ପୋଷିବାକୁ ପଡ଼ିବ । ହଲକୁ ପ୍ରସନ୍ନ ମୁଖରେ କହିଲା,

– ରାତିରେ ଶୀତରେ ଏଠି ଶୋଇବାକୁ ତ ପଡ଼ିବନି ।

ମୂଳ ଲେଖା : ପ୍ରେମଚାନ୍ଦ

ବିନାୟକ ନଗର, ନବରଙ୍ଗପୁର

ଲେଖକ ପରିଚୟ

ଲେଖିକାଙ୍କ ପରିଚୟ ଜଣେ ଅନୁବାଦିକା । ତାଙ୍କ ଅନୁବାଦ ଗଳ୍ପ ଏବଂ କବିତା ସମ୍ବାଦ, ପ୍ରମେୟ, ସକାଳ, ପ୍ରତିବେଶୀ, ଶୈଳଜା, କଥା, କାଦମ୍ବିନୀ, ସୀମାନ୍ତ, ପୌରୁଷ ପରି ଅନେକ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ନିୟମିତ ପ୍ରକାଶ ପାଇ ଆସୁଛି । ପ୍ରକାଶିତ ଅନୁବାଦ ପୁସ୍ତକଗୁଡ଼ିକ ହେଲା, ‘ଆଧୁନିକ ହିନ୍ଦୀ ଗଳ୍ପମାଳା’, ‘ମୋ ପ୍ରିୟ କାହାଣୀ : ଚିତ୍ରା ମୁଦଗଲ’, ‘ମହାଦେବୀ ବର୍ମାଙ୍କ ନିର୍ବାଚିତ କବିତା’, ‘ଅସଭ୍ୟ ନଗର ଓ ଅନ୍ୟାନ୍ୟ କାହାଣୀ’, ‘ମୁଁ ଓ ମୁଁ’, ‘ଧୂସର ଶୈଶବ’, ‘ଏ ଜହ୍ନ ସାକ୍ଷୀ’ ଏବଂ ‘ମୋତେ ଚିହ୍ନ’ ।

Related Posts

Leave a Reply

Your email address will not be published. Required fields are marked *