ସୌମ୍ୟ ସାରସ୍ଵତ ଦାଶ

ଜୀବନରେ ସମ୍ପୂର୍ଣ୍ଣତା ଖୋଜୁଥିବା ମଣିଷ, ସବୁବେଳେ ଅନୁଭବ କରେ କେଉଁଠି କିଛି ଗୋଟାଏ ବାକି ରହିଗଲା । କିଛି ଅବସୋସ, କିଛି ଶୂନ୍ୟତା । ଏହିଭଳି କିଛି ଦୃଶ୍ୟପଟ୍ଟରୁ ଆରମ୍ଭ ବହିର ଉତ୍ସର୍ଗ ।
“ଆକାଶ ଆଡ଼କୁ ଚାହିଁଲା ପରେ ବି
ଯିଏ ସମ୍ପୂର୍ଣ୍ଣ ଆକାଶ ଦେଖି ପାରିନାହିଁ
ସେଇ ଝରକାକୁ !!!”
ଜୀବନ କେବଳ ନକାଟି ଜୀଉଁଥିବା, ଭୋଗୁଥିବା ବ୍ୟକ୍ତି ହିଁ ସ୍ବୀକାର କରିପାରେ ଯେ, ତାଙ୍କ ଭିତରେ ଅନେକ କିଛି ଥିଲା କହିବା ପାଇଁ । ଆଉ ସେ ସବୁକୁ କବି କେଉଁଠି ନାକେଉଁଠି ଉତ୍ତାରିଛନ୍ତି ଶବ୍ଦରେ, କବିତାରେ….। ବହିଟିର ପ୍ରତ୍ୟେକ କବିତାରେ ଅଛି ନିଚ୍ଛକ ଜୀବନ, ଯେଉଁଗୁଡ଼ିକୁ ପଢ଼ିଲେ ଦିଶେ ଗୋଟେ ଅନୁଭବୀ ମଣିଷର ଶିଥିଳ ମୁହଁ । ଆଉ ସେଇ ମୁହଁଟି ହସି ହସି ଗୋଟିଏ ପରେ ଗୋଟିଏ ଗାଇ ଚାଲିଛି କେବଳ ନିରୁତା ଜୀବନର ଗୀତ । ପିଚ୍ଛିଳ ରାସ୍ତାରେ ବାଟ ଚାଲି ମଧ୍ୟ ହାରି ଯାଇନାହାନ୍ତି କବି, ବରଂ ଦେଖିଛନ୍ତି ଆଗକୁ ବଢ଼ିବାର ଆଶା । ଏଇ ଯେମିତି ଲେଖନ୍ତି :
“ଥରେ ଗୋଡ଼ କାଢ଼ିଲା ପରେ
ଈଶ୍ୱରଙ୍କର ବି ଶକ୍ତି ନାହିଁ
ରଫ ଖାତାକୁ ପରଖିବାରେ”
(ରଫ ଖାତାର ଜୀବନ)
“ଗୋଡ଼ ଶୁଖିଲାରେ ଖସୁଥାଉ ବାଟରେ,
କେବେକେବେ ବାଟ ବି ଜାଣୁ,
ବାଟବଣା ହେବା ଅପେକ୍ଷା
ଆହୁରି ଅନେକ ବିକଳ୍ପ ବି ଅଛି
ବାରବୁଲା ବାଟୋଇ ଗୋଡ଼ରେ ।”
(ବାଟୋଇର ପ୍ରାର୍ଥନା)
ମଣିଷର ସାମ୍ପ୍ରତିକୀ ଈଶ୍ଵରବାଦକୁ ଦର୍ଶାଇବାକୁ ଯାଇ ପୁଣି ଲେଖନ୍ତି,
“ଲୁହକୁ ପାଳି ଜାଣିବା ହିଁ ସଂସାର
ନହେଲେ ଭସେଇ ନନେଲେ କି ସୁଅ
ଦୁଃଖ ନଥିଲେ କି ଦିଅଁ !”
(କି ଦିଅଁ)
ଉପରୋକ୍ତ ପାଦାଂଶ ଭଳି ଅଧିକାଂଶ କବିତାରେ କବିଙ୍କର ବୋହେମିଆନ୍ ବେପରୁଆ ମନୋଭାବ ଦେଖିବାକୁ ମିଳେ । ଯେଉଁଥିରେ କେଉଁଠି ନାକେଉଁଠି ଗୋଟେ ଦୃଢ଼ ଆତ୍ମାଭିମାନ ଲୁଚି ରହିଥାଏ । “ହେଲେ ହେଲା ନହେଲେ ନାହିଁ” କହି ସବୁକିଛିକୁ ଫୁ’ କରି ଉଡ଼ାଇ ଦେଉଥିବା ଦୃଷ୍ଟିଭଙ୍ଗୀର ସଫଳ ଚିତ୍ରଣ ଦେଖିବାକୁ ମିଳେ ।
“ଅବଶ୍ୟ ଶୁଖି ଯାଇପାରେ ନଈ,
ପଙ୍ଗୁ ହୋଇ ଯାଇପାରେ ସାଗର
କିନ୍ତୁ ଜୀବନରେ କବିତା ଥିଲା ଯାଏଁ
କବିତାର ଦୀପରୁ ଦୁଃଖକୁ
କେହି ଲିଭେଇ ପାରିବେ ନାହିଁ
ତେଣିକି ମୁଁ ହୁଏ, କି ହୁଅନ୍ତୁ ଈଶ୍ଵର ।
ସମ୍ପୂର୍ଣ୍ଣ କବିତାକୁ ଦେଖିଲେ କେତୋଟି ସ୍ଥାନରେ ଥିବା ମେଟଫର୍ ଏବଂ ଶବ୍ଦର ବ୍ୟବହାର ଆଉ ଟିକିଏ ଶୁଦ୍ଧ ହୋଇପାରିଥାନ୍ତା ବୋଲି ଅନୁଭବ ହେଲା । ଏଇ ଯେମିତି “ପୋଖରିଆ ୱାନ ପିସ୍ (ବର୍ଷାର କବିତା), ଦଳିତ ଭାଲୁ ମାଙ୍କଡ଼ (ବିଜୟ ଉତ୍ସବ), ଟିକେ ସବର କର(କାଳିଜାଇ), ହୁଏତଃ ପକୁଡ଼ି ଖାଇ ସାରି ତେଲ ହୃଦୟ ପାଇଁ ଭଲ ନୁହେଁ…(ଯାଯାବର) ଇତ୍ୟାଦି । ତେବେ ଶେଷରେ ଏତିକି କହିବି ଯେ, ପ୍ରଣୟ ସୁଧା ଜଣେ ଆଶାବାଦୀ କବି ଏବଂ ପ୍ରେମ, ବିରହ ପୁଣି ସେ ବିରହରୁ ବାହାରି ଜୀବନ ଜୀଇଁବାର କଳା କବିଙ୍କୁ ଭଲ ଭାବେ ଜଣା ।
“କିନ୍ତୁ ଜାଣିଥା ଜୋକରର ବି ଦିନଟିଏ ଆସିବ
ଆଉ ମୁଁ ବି ଠୋ’ ଠୋ’ ହୋଇ ହସିବି ସେବେ
ଟିକେଟ କରି ମନୋରଞ୍ଜନ କରିବା
ପୃଥିବୀର ସର୍ବଶ୍ରେଷ୍ଠ ମଜା କଥାଥିଲା ବୋଲି
ଦର୍ଶକେ ନିଜ ଛାଇ ଦେଖି ବୁଝିଯିବେ ଯେବେ । “
ପକ୍ଷୀଏ ଯାହାର ବ୍ୟାକରଣ
କବି : ପ୍ରଣୟ ସୁଧା (ପ୍ରଣୟ ସୁଧା)
ପ୍ରକାଶକ : ପଶ୍ଚିମା (Paschima Publications)
ଚମ୍ପୁଆ, କେନ୍ଦୁଝର
ଲେଖକ ପରିଚୟ
ବୃତ୍ତିରେ ସଫ୍ଟୱେର ଇଂଜିନିୟର ଥିବା ସୌମ୍ୟ ସାରସ୍ୱତଙ୍କର ଲେଖାରେ ସାମାଜିକ ପରିସ୍ଥିତି ତଥା ମଣିଷର ସାମ୍ପ୍ରତିକ ମାନସିକ ଅବସ୍ଥା ପ୍ରତିଫଳିତ ହୁଏ । ବେଶ କିଛି ବର୍ଷ ହେଲା କବିତା ଲେଖୁଥିବା ସୌମ୍ୟଙ୍କ କବିତାରେ ବିଭିନ୍ନ ଚରିତ୍ର ଦର୍ଶନ ଏବଂ ବାସ୍ତବତା ପ୍ରତିଫଳିତ ହୁଏ । ‘ଝରାଫୁଲ’, ‘ମଲାଜହ୍ନର ଜ୍ୟୋତ୍ସ୍ନା’ ଏବଂ ‘ଶୂନ୍ୟପାଦ’ ତାଙ୍କର ତିନୋଟି କବିତା ବହି ।
