ପୁରୁଷଟିଏ : ପଥର ନୁହେଁ

ଡମ୍ବରୁଧର ବେହେରା

“ସିଏ ପୁରୁଷଟିଏ : ପଥର ନୁହେଁ ……” ପିଲାଟି ଦିନରୁ ଶିଖାଇ ଦିଆଯାଏ… ଆରେ ଏଇ ତୁ ପରା ପୁଅ ପିଲାଟା କାନ୍ଦୁଛୁ କ ‘ଣ… ଛି..ଛି…. ପୁଅ ପିଲାମାନେ କେବେ କାନ୍ଦନ୍ତି…. ?
ତୋ ମୁହଁରେ ଟିକେ ଲାଜ ନାହିଁ କି ସରମ ନାହିଁ…? ବଡ଼ ହେଲେ ତୁ ପରା ଆମକୁ ସମ୍ଭାଳିବୁ…?

ପିଲାଟି ଦିନରୁ ଶିଖାଇ ଦିଆଯାଏ… ପୁଅ ପିଲାଟା ପରା କାନ୍ଦୁଛୁ କ ‘ଣ… ଛି… ଛି…ପୁଅ ପିଲାମାନେ କାନ୍ଦନ୍ତି…? ବଡ଼ ହେଲେ ଆମକୁ ସମ୍ଭାଳିବୁ… ବାସ୍‌ ସେହିଦିନଠାରୁ ହିଁ ଦାୟିତ୍ୱବାନ ହୋଇଯାଆନ୍ତି ପୁରୁଷମାନେ । ବିନା କୌଣସି ଅଭିଯୋଗରେ, ବିନା କୌଣସି ଆପତ୍ତିରେ ଦାୟିତ୍ୱର ବୋଝ କାନ୍ଧେଇ ନିଏ ତା ‘ ମୁଣ୍ଡ ଉପରକୁ । କାହିଁକି ନା ସେ ଜଣେ କାହାରି ବାପା…. କାହାରି ଜଣେ ପୁଅ… କାହାରି ଜଣେ ଭାଇ ଓ କାହାରି ଜଣେ ସ୍ୱାମୀ । ସର୍ବଶେଷରେ କହିବାକୁ ଗଲେ ସେ ଜଣେ ପୁରୁଷଟିଏ ଯେଉଁଥିପାଇଁ ତାକୁ ସହିବାକୁ ହୁଏ ହୋଇ ସବୁକିଛି ।

ବାପାଟିଏ ହୋଇଥିଲେ ଭୋକରେ ରହି ନିଜ ପିଲାଙ୍କ ଖାଇବା ଯୋଗାଡ଼ କରେ… ଭାଇ ହେଲେ ଭଉଣୀକୁ ସୁରକ୍ଷା ଦିଏ… ପୁଅ ହେଲେ ବୟସ ବଢ଼ିବା ସହ ବାପାମାଆଙ୍କ ସାହାର ପାଲଟି ଯାଏ … ଆଉ ସ୍ୱାମୀ ହୋଇଥିଲେ ସଂଘର୍ଷ ଭିତରେ ସ୍ତ୍ରୀ, ପିଲାଛୁଆ ଓ ପରିବାର କଥା ଭାବିଭାବି ଦିନ କାଟିଦିଏ… ହଁ ସିଏ ପୁରୁଷଟିଏ……।

ଏ ତମାମ ଦାୟିତ୍ୱ ଭିତରେ ତା କଥା କିଏ କେବେ ବୁଝିଛି କି…? କେବେ ତା ଚେହେରା ଭିତରେ ଲୁଚି ରହିଥିବା ଥକାପଣକୁ କିଏ ଦେଖିଛି କି ? କିଏ କେବେ ତାକୁ ପଚାରିଛି କି ସେ କେମିତି ଅଛି ? ଗୁମ୍‌ସୁମ୍ ରହୁଥିବା ପୁରୁଷର ବେଦନାକୁ କେହି କେବେ ବୁଝିଛି କି ? ନା, କେବେ ବୁଝିବା ସକାଶେ ଚେଷ୍ଟା କରିଛି ?କେହି ବି , କେବେ ବି….?

ପ୍ରତିଦିନ ନିଜକୁ କେତେଥର ଭାଙ୍ଗି କେତେଥର ସେ ନିଜକୁ ନିଜେ ଗଢ଼େ ତାର ହିସାବ ନାହିଁ । କେହି ଭାବନ୍ତି ନାହିଁ, କେହି ମନେରଖନ୍ତି ନାହିଁ ଯେ… ସେ ବି ମଣିଷଟିଏ… ତାର ବି ସେହି ପଥର ପାହାଡ଼ ଭିତରେ କୋରଡ଼ ଥିବାଭଳି ଛାତି ତଳେ ହୃଦୟଟିଏ ଅଛି । ଯେଉଁଠୁ ସେ ସ୍ନେହ ଦିଏ….ପ୍ରତିବଦଳରେ ସେ ବି ଭଲପାଇବା ଖୋଜିଥାଏ । ତାର ବି ବଞ୍ଚିବାର, କାନ୍ଦିବାର ଅଧିକାର ଅଛି… ଭାବନାର ସ୍ୱାଧୀନତା ତାର ବି ଅଛି । ତା କଥା ବି ଶୁଣିବା ସମାଜର ଦାୟିତ୍ୱ । କାରଣ ସେ ପୁରୁଷଟିଏ, ପଥର ନୁହେଁ ।

ତାକୁ ସାହାର ଦରକାର ହୁଏ… ତାକୁ ଭୟ ଲାଗେ… ତା ଆଖିରୁ ବି ଲୁହ ଝରେ… ତା ମନକୁ ବି କଷ୍ଟ ହୁଏ… ଦାୟିତ୍ୱ ବୋଝ ଭିତରେ ପୁରୁଷର ଖୁସି କେବେ ମଉଳି ନଯାଉ । ପୁରୁଷଟିଏ ପୁରୁଷ ହୋଇ ତା ସାର୍ଥକତ ଜୀବନ ଅତିବାହିତ କରୁ । ତେବେ ଯାଇ ଏ ସମାଜରେ ପ୍ରତ୍ୟେକ ପୁରୁଷ କେବଳ ପୁରୁଷ ନୁହେଁ ବରଂ ହୃଦୟ ଥିବା ମଣିଷ ଭଳି ଜୀବନ ବିତାଇବେ । କାରଣ ସେ ପୁରୁଷଟିଏ, କିନ୍ତୁ ପଥର ନୁହେଁ । ତାର ବି ମନ ଅଛି, ଭଲ ପାଇବା ଅଛି, ଅଛି ବି ସମସ୍ତଙ୍କ ଭଳି ଛାତି ତଳେ ହୃଦୟଟିଏ । ଯେଉଁ ଦୁଃଖ, ସୁଖ, ସ୍ନେହ, ଶ୍ରଦ୍ଧା, ଭଲପାଇବା, ବୁଦ୍ଧି, ବିବେକ ଖଟାଇ କାର୍ଯ୍ୟ କରିବାର ଥାଏ କୌଶଳ ।

ଯେ ନିଜେ ଭୋକିଲା ରହିଲେ ମଧ ଘର ଚଳାଏ, ନିଜ ଇଛା–ଆକାଂକ୍ଷାକୁ ମାରି ମଧ୍ୟ ସବୁଙ୍କୁ ଖୁସି ଦେଇଥାଏ । ଯାହାର ପରିଶ୍ରମକୁ ବୃଥା କୁହାଯାଏ, କିନ୍ତୁ ତାଙ୍କ ପୀଡ଼ାକୁ ଦୁର୍ବଳତା ବୋଲି ମନା ଯାଇଥାଏ । ଯାହାର ଉପାର୍ଜନରେ ସମସ୍ତଙ୍କର ଅଧିକାର ରହେ, କିନ୍ତୁ ତାଙ୍କ ଯନ୍ତ୍ରଣାରେ କେହି ସାଥୀ ହୋଇନଥାନ୍ତି ।
ମାଆବାପାଙ୍କ ସେବା ହେଉ, ଭଉଣୀ ବିବାହ ହେଉ, ସ୍ତ୍ରୀ ସପ୍ନ ହେଉ, କିମ୍ବା ପିଲାମାନଙ୍କ ଭବିଷ୍ୟତ୍ । ତାଙ୍କ ସମଗ୍ର ଜୀବନ କେବଳ ଦାୟିତ୍ଵରେ କଟିଯାଏ…!!
ତଥାପି ସିଏ ପୁରୁଷଟିଏ, ପଥର ନୁହେଁ…!!

ଜଗଦଳପୁର, ବସ୍ତର, ଛତିଶଗଡ଼ମୋ – ୯୪୩୭୭୮୮୪୬୪

ଲେଖକ ପରିଚୟ

ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।

Related Posts

Leave a Reply

Your email address will not be published. Required fields are marked *