ସତ୍ୟନାରାୟଣ ଗନ୍ତାୟତ

“ଦେଖାଇବା” ବୋଇଲେ ଏଇଆ ବୁଝି ହୁଏ ଯେ, କିଛି ଅଛି ଓ ଯାହା ପାଖରେ ଅଛି, ସିଏ ଦେଖାଉଛି । ଦେଖାଉଛି ଅର୍ଥ ଅନ୍ୟୁନ କେହିଜଣେ ଦେଖିବା ପାଇଁ ବି ରହିଛି । ଯେବେ ସିଏ ତା ଆପଣାଛାଏଁ ନଦେଖାଇ ତାକୁ କେହି “କାଇଁ ଦେଖାନି” କହିଥିବାରୁ ହିଁ ଦେଖାଉଛି ତ କିଛି କଥା ନାଇଁ । ତେବେ କେହି ଦେଖାଇବାକୁ କହି ନଥିଲେ ସୁଦ୍ଧା ଯଦି ସେ ଦେଖାଉଛି ତ ଏଇଠୁ ଦେଖାଇହେବା ସୁରୁ ବୋଲି ଜାଣିବାକୁ ହେବ । କାରଣ ଏଭଳି ନିଜଆଡୁ ଦେଖାଇବା ଓ ଏହାର ପୌନଃପୁନିକତା ହିଁ ପ୍ରକାରାନ୍ତରେ ଦେଖାଇ ହେବା ।
ଆପଣ କହିପାରନ୍ତି ଏହି ଦୁଇ କିସମର ଦେଖାଇବା ତ ପ୍ରାୟ ସବୁ ମଣିଷଙ୍କ ସହ ଜଡ଼ିତ । ହଁ ଆଜ୍ଞା, ଛୋଟ ପିଲାଟିଏକୁ ଥରୁଟେ ନିରେଖନ୍ତୁ । ଦେଖିବେ ସେ କେମିତି ତା ହାତରେ ଧରାଇ ଦିଆ ଯାଇଥିବା ଖେଳଣାଟିକୁ ହଲାଇ ତହିଁରୁ ନିର୍ଗତ ଆବାଜ ମାଧ୍ୟମରେ ତା ହାତରେ ସେଇ ଖେଳଣାଟିକୁ ଯିଏ ଧରାଇଛନ୍ତି ଖୋଦ୍ ତାଙ୍କରି ଦୃଷ୍ଟି ଆକର୍ଷଣ ପୂର୍ବକ ତାଙ୍କୁ ହିଁ ଦେଖାଇବାକୁ ଚାହୁଁଛି !
ସରଳ ନିରୀହ ଓ ନିଷ୍ପାପ ଶିଶୁଟିର ଏଭଳି ଦେଖାଇବା କିନ୍ତୁ ଖୁବ୍ ଶୀଘ୍ର ଦେଖାଇ ହେବାରେ ବଦଳିଯାଏ, ଯେତେବେଳେ ତାକୁ ଗୋଟେ ସୁଦୃଶ୍ୟ ସିଂହାସନ ବାଗିଆ ଦାମୀ ଚକଲଗା ଚୌକିରେ ବସାଇ ତା ଯତ୍ନ ନେଉଥିବା ବ୍ୟକ୍ତି ଜଣକ ତାକୁ ଧରି ବାହାରେ ଘେରାଏ ଘୁରାଇ ଆଣି ଏଇଆ ଜଣାଇ ଦିଅନ୍ତି ଯେ ଦେଖ, ଆମ ସମ୍ପନ୍ନତା ! ପରେ ସେ ଶିଶୁଟି ନିରାପଦରେ ଚାଲି ଶିଖିବା ପାଇଁ ଦାମୀ ସରଞ୍ଜାମ ସୁଦୃଶ୍ୟ ବେବି ସାଇକେଲ ଆଦି କିଣା ହୋଇ ଶିଶୁଟି ସେସବୁ ବ୍ୟବହାର କରୁଥିବାବେଳେ ବି ସଭିଏଁ ଯେମିତି ଦେଖିବେ ସେଥକୁ ନଜର ଥାଏ ।
ଏମିତି ଏମିତି ଶିଶୁଟି ଅଢେ଼ଇ ବର୍ଷର ହେଉ ନହେଉଣୁ ତାକୁ ସ୍କୁଲରେ ଭର୍ତ୍ତି କରି ଦିଆଯାଏ । ସେ ସ୍କୁଲ ବି ଯେ କେମିତି ଅସାମାନ୍ୟ ଓ ସେ ସ୍କୁଲକୁ ସେ ମାମୁଲି ସ୍କୁଲ ବସରେ ନଯାଇ ପରିଚାରକ ସହ ଦାମୀ କାରରେ ଯାଆସ କରୁଛି ଦେଖାଇ ସଭିଙ୍କ ଆଖି ଟେରା କରଇବା ସହ ସେ ଗୋଟେ ଯୋଡ଼େ ରାଇମ୍ ଶିଖୁଶିଖୁ ତାକୁ ସବୁଠି ତା କାରନାମା ପେଶ୍ କରିବାକୁ ପୁନଃପୁନଃ କହି ଜଣାଇ ଦିଆଯାଏ ଯେ ସେ ମୂଳରୁ ବ୍ରହ୍ମଜ୍ଞାନୀ ଜାତୀୟ । ଏମିତି ବଢିବା ଭିତରେ ପିଲାଟି ଜାଣିଯାଏ ଯେ ଦେଖାଇ ହେବା ଭଳି ଅନେକ କିଛି ତାଠି ଓ ତା ପରିବାର ଜନଙ୍କଠି ରହିଅଛି । ତେଣୁ ସେ ବି ସେହି ଦେଖାଇହେବା କର୍ମଟି କରିବାରେ ଲାଗିପଡ଼େ ।
ମୋଟାମୋଟି ଭାବେ କହିଲେ ଊଣାଅଧିକେ ଅନେକ ମଣିଷଙ୍କ ଭିତରେ ଥିବା ଏହି ଦେଖାଇ ହେବା ଯେ ଏକ ପ୍ରବୃତ୍ତି ଯାହାର ଆଖିବୁଜା ପରିପ୍ରକାଶ ଯଥା ଶୀଘ୍ର ଅନେକଟା ବିକୃତି ପର୍ଯ୍ୟାୟକୁ ନେଇଯାଏ । ହେଲେ ଏମାନେ ଆପଣାକୁ ଏଥିରେ ଏତେ ସରିକି ବୁଡ଼ାଇ ପକାଇଥାନ୍ତି ଯେ ସେଥକୁ ହେଜ ନଥାଏ ।
ଆଗ କଥା ଅଲଗା ଥିଲା । କିଛି ଥିବାଲୋକ ଏମିତି ଚଳୁଥିଲେ ଯେ ସେମାନଙ୍କ ସମ୍ପନ୍ନତା ସ୍ୱାଭାବିକ ମନେହୋଇ ସେମାନେ ସବୁରି ଗ୍ରହଣୀୟ ଓ ଆଦରଣୀୟ ହୋଇ ପାରୁଥିଲେ । କିନ୍ତୁ ଯେବେଠୁ ବିଜ୍ଞାପନ ଓ ପ୍ରଦର୍ଶନର ଅଦୌତି ଆରମ୍ଭ ହୋଇଗଲା, ପଡ଼ୋଶୀ ସହ ପ୍ରେମପୂର୍ଣ୍ଣ ସହାବସ୍ଥାନ ତେଣିକି ଥାଉ, ଜଣକ ପ୍ରାପ୍ତି ତା ପାଇଁ ଏଡ଼େ ଘାଏଁ ଗର୍ବର ପ୍ରତୀକ ପାଲଟିଗଲା ଯେ ତହିଁରେ ତା ପଡ଼ୋଶୀଙ୍କ ପାଇଁ ଘୃଣା ଓ ହିଂସା ଉପୁଜାଇଲା ।
ଏବ କାଳରେ ତ ଆମକୁ ଲାଗେ ଯେ ସମ୍ଭବତଃ ଏ ଦେଖାଇ ହେବା ବ୍ୟାପାରକୁ ଆହୁରି ବ୍ୟାପକ କରିବାକୁ ବୋଧହୁଏ ତଥାକଥିତ ସାମାଜିକ ଗଣମାଧ୍ୟମ ନାମଧେୟ ଚିଡ଼ିଆଟି ଉଦ୍ଭବ ହୋଇ ଅହର୍ନିଶ ଫଡ଼ଫଡ଼ ହେଉଛି । ଫଳତଃ ତହିଁରେ ପଶି ସାରିଥିବା ଜନଙ୍କ ଏକମାତ୍ର ପରମ କର୍ମ ହେଉଛି ଦେଖାଇ ହେବା । ଏହାକୁ ଏକ ମହାନ କର୍ମ ରୂପ ପ୍ରଦାନାର୍ଥେ କୁହାଯାଏ ତଥାଚର୍ଚିତ ପୋଷ୍ଟ ମାଧ୍ୟମରେ ସେୟାର କରିବା । ସତେଅବା ବିନା କାର୍ପଣ୍ୟରେ କୋଟିନିଧି ବାଣ୍ଟି ପକାଉ ଅଛନ୍ତି୍ । ଘରକୁ ନଜାତକଟିଏ ଆସିଲେ ସେ ନର୍ସ ହାତରୁ ଆସିବା ମାତ୍ରକେ ସେକ୍ଷଣି କରି ପକାଅ ପୋଷ୍ଟ । ଆପଣ କହି ପାରନ୍ତି ବଂଶରକ୍ଷା ବା ବୃଦ୍ଧି ହେଲା ତ ଜଣାଇ ସେ ଆନନ୍ଦ ବିତରିଲେ କଣ ହୋଇଗଲା ?
ହେଉ ଆପଣଙ୍କ କଥା ମାନିଗଲୁ । ତେବେ ହେଇ ଦେଖନ୍ତୁ ଆଉଜଣେ କେମନ୍ତ ନିଜ ଭାବୀ ଶ୍ୱଶୁର ଘର ଗ୍ୟାରେଜର ଗୌରବ ବଢାଇବାକୁ ଯାଇ ସେ କିଣିଥିବା ଅର୍ଖ ନୂଆ ଚତୁର୍ଚକ୍ର ବୋଲେ ତୋ ତୁମ ଆମ ଭାଷାର ନୂଆ କିସମର କିଞ୍ଚିତ ଦାମୀ କାରଟିକୁ ନୂଆ ଅତିଥି ଭାବେ ବର୍ଣ୍ଣନା କରି ତାର ଏହେ ବଡ଼ ଚାବି ଗ୍ରହଣ ଓ ତା ଉପରର ଘୋଡ଼ଣୀ ଉଠାଣକୁ ରୀତିମତ ଏକ ପର୍ବ ଭାବେ ପାଳିବା ଦେଖାଇଛନ୍ତି ସାମାଜିକ ଗଣମାଧ୍ୟମର ପର୍ଦ୍ଦାରେ । ସେମିତି ନଦେଖିଲା ଲୋକଙ୍କୁ ଝୁରିଝୁରି ମାରିବା ମତଲବରେ କି କଣ “କିଛି କେବେ ନଦେଖିଲା ଲୋକେ” ପହିଲିଥର ବିମାନରେ ବସି ଯାତ୍ରା କରୁଥିବାବେଳେ ସେମାନେ ବିମାନରେ ଉଡ଼ି ଯାତ୍ରା କରିବାର ପ୍ରତିଟି ମୃହୁର୍ତ୍ତ ଏମିତି ଦେଖାଇ ହୁଅନ୍ତି ଯେ କହନ୍ତୁ ନାହିଁ । ଏହା ଭିତରେ ଆମର ଜନୈକ ବନ୍ଧୁଙ୍କ ପୁଅ ଅତ୍ୟନ୍ତ କାରୁଣିକ ହୋଇ ତା ମନାନୀତ ଝିଅ ସହ ତା ଦ୍ୱାରା ପୂର୍ବ ସ୍ଥିରୀକୃତ ବିବାହକୁ କେବଳ ସାମାଜିକ ସମ୍ମତି ପ୍ରଦାନ ପୂର୍ବକ ତା ଇଚ୍ଛାମତେ ସମ୍ପନ୍ନ କରିବାକୁ ଆମ ବନ୍ଧୁଙ୍କୁ ସୁଯୋଗ ଦିଅନ୍ତେ ସେ ଅଦ୍ୟାବଧି ନିଜ ମନ ଗହନରେ ସାଇତା ହୋଇଥିବା ତାଙ୍କ ଜମାନାରେ ସେ ସେଇ ପୁଅର ମାଆ ସହ ଅଗତ୍ୟା କରିଥିବା ତାଙ୍କ ଯାହିତାହି କିସମର ବିବାହାୟୋଜନର ଅପୂର୍ଣ୍ଣତା ଦୂରୀକରଣାର୍ଥେ ଏହାକୁ ହିଁ ସୁବର୍ଣ୍ଣ ସୁଯୋଗ ମଣି ପୁଅର ତଥା ବିଦିତ ରିଂ ସେରିମୋନି, ଦୀର୍ଘକାଳ ଆଗରୁ ଡେ ନୋଟିଂ, ଡେ’ର କାଉଣ୍ଟ ଡାଉନ, ହଳଦୀ, ସଙ୍ଗୀତ, ଡାନ୍ସ, ବାରାତ୍ ଓ ପ୍ରି ଆଣ୍ଡ୍ ପୋଷ୍ଟ ଉଏଡିଂର ଯାବତ ଲୀଳାଙ୍କୁ ନେଇ ନିଜେ ଏକରକମ ନାଚିକୁଦି ଉଠିଲେ ଓ ସେତେଟା ଅନଭ୍ୟସ୍ତା ତାଙ୍କ ପତ୍ନୀଙ୍କୁ ବି ଆଧୁନିକା ସମୁଦୁଣୀ ମହୋଦୟାଙ୍କ ସମକକ୍ଷା ଭାବେ ଦେଖାଇ ହେବାକୁ ହମହମ ହେଲେ । ଏସବୁର ଚିତ୍ରୋତ୍ତଳନ ନିଜ ମଧ୍ୟରେ ସୀମିତ ରଖିଥିଲେ କଥା ସରିଥାଆନ୍ତା । କିନ୍ତୁ ସେ ପୁଅବୋହୂ ସେମାନଙ୍କ ମହାର୍ଘ ବାହାଘରର ଫି’ ମାସ ପୂର୍ତ୍ତି ଦେଖାଇ ହେବା ସହ ସମ ତାଳରେ ଆମ ବନ୍ଧୁ ବି ତାଙ୍କ ନିଜ ନାଚଗୀତ, ତାଙ୍କ ପତ୍ନୀ ଓ ସମୁଦୁଣୀଙ୍କ ବେଶ, ପୁଅବୋହୂଙ୍କ ନାଚ ଗୀତାଦିର ଛୋଟ ଛୋଟ ଅଂଶ ମାନ ମାସ ମାସ ଧରି ସେଇ ସାମାଜିକ ଗଣମାଧ୍ୟମରେ ଏମିତି ପରଷି ଚାଲିଲେ ଯେ ଲାଗିଲାଯେମିତି ସେ ନିତି ଗୋଟେ ବାହାଘର କରୁଛନ୍ତି !!
ଆମର ଏସବୁ ବଚନିକା ମାନ ଶୁଣି ଆପଣ ଭାବୁଥିବେ ଯେ କଣ ଏଥିରୁ ନିସ୍ତାର ନାହିଁ ? ଆପଣଙ୍କ ଏ ସମ୍ଭାବ୍ୟ ଜିଜ୍ଞାସା ଆମ ମଗଜରେ ବି ଖୁଜୁବୁଜୁ ହୁଅନ୍ତେ ଆମେ ଏନେଇ ଢେର୍ ଭାବିବା ପରେ କିଞ୍ଚିତ ହାଲୁକା ମନେକଲୁ ଯେ ଏମିତି ଭାଗରୁ ବଳକା ହୋଇ ସଭିଙ୍କୁ ଜଳକା ଦେଖାଇ ଚାଲୁଥିବା କାରଣରୁ ହିଁ ତ “ହିସାବ ବହିର୍ଭୁତ ସମ୍ପତ୍ତି”ର ଅଧିଶ୍ୱର ମାନଙ୍କୁ ମାଡ଼ି ବସି ଧରାଯାଉଛି । ତେଣୁ ଆମେ ଭାବୁ ସେମନ୍ତ ଅଧୀଶ୍ୱର ହୋଇଥିଲେ ହେଁ ଏଣିକି ନିଜ ବାଟରେ ନିଜେ ବରଂ ମିଛିମିଛିକା ନଥିବାପଣ ଦେଖାଇ ହେବାକୁ ସେମାନେ ଚାହିଁପାରନ୍ତି ।
ଆଉ ନିଜ କଷ୍ଟ ଲବ୍ଧ ଓ ସାଧୁ ପ୍ରୟାସରେ ଯେଉଁ ସଚ୍ଚୋଟ ଜନେ ସେମାନଙ୍କ ଅର୍ଜିତ ପ୍ରାପ୍ତିକୁ ନେଇ ପୁଲକିତ ହେଲେ ହେଁ ଏମିତି ଉଦବାର୍ଯ୍ୟ ହୋଇ ଦେଖାଇ ହେବେନି ବୋଲି ଆମ ମନ କହୁଛି । କାରଣ ସେମାନେ ଜାଣନ୍ତି ଏଠି ଜଣେ ଖୁସି ହେଲେ ପଣେ କେମିତି ଛାତି ଫଟା ଦୁଃଖରେ ସେ ସୁଖ ଉପରେ ସେମାନଙ୍କ ଡାଆଣା ଆଖି ପକାନ୍ତି । ଅବଶ୍ୟ ନୂଆ ପାଣିରେ କେଞ୍ଛୁଆ କିସମର ଅନେକ ତୁଚ୍ଛାକୁ ଏତେ ନିଶ୍ଚେ ହେବେ ହିଁ ହେବେ ଓ ତା ସହ ସେକଥା ତୁରିତେ ସଭିଙ୍କୁ ଦେଖାଇ ହେବେ । ଆମ ମତରେ “ଅଳପ ଧନ, ବିକଳ ମନ” କଥାଟି କୁହାଯାଇଛି ଖାସ୍ ଏଇମାନଙ୍କ ପାଇଁ ।
ତେବେ ସାହା ହେବା ଦୂରେ ଥାଉ, ଜୀବନର ସାୟାହ୍ନରେ ମନବୋଧ କାରକ କଥା ପଦେ କହିବାକୁ କେହି ବି ମିଳୁ ନଥିବା ସମକାଳରେ ତଥାପି ପାର୍ଥିବ ପ୍ରାପ୍ତିରେ ଆସକ୍ତ ଓ ମୋହାଗ୍ରସ୍ତ ହୋଇ ଦେଖାଇ ହେବା ପ୍ରବୃତ୍ତିର ଅଧୀନ ଏମାନଙ୍କୁ ଆମେ “ଅଳିପିକିଆ ଲୋକ” ବୋଲି କହି ପାରିବା ଓ ସେମାନଙ୍କ ସେଇ ଦେଖାଇ ହେବା ପ୍ରବୃତ୍ତିଠୁ ନିଜକୁ ଦୁରେଇ ରଖିବା !!
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନମଗ୍ନ ।
