ସତ୍ୟନାରାୟଣ ଗନ୍ତାୟତ

ହଁ , ଏମିତିରେ ହଁ ନବୋଇଲେ ତ ନିସ୍ତାର ନାହିଁ ! ତେବେ ଏନେଇ ସେତେବେଳେ ଧନ୍ଦି ହୋଇଥାଉ ଯେବେ “ଆମ ବାପାଙ୍କ ବାପାଙ୍କ ବାପାଙ୍କ ବାପା…ଥିଲେ ଜଣେ ମାଙ୍କଡ଼” ଗୀତାଂଶଟି କେଜାଣି କେମିତି ଆମ ମଗଜ ଭିତରେ ଅଚାନକ ପଶି ଘାଣ୍ଟ ଚକଟ ସୁରୁ କରିଦିଏ ।
ଏମିତି ଉପରେ ଉପରେ ଗଲେ ଲାଗିବ ଯଦି ଆମ ପୂର୍ବ ବଂଶଜ ମାଙ୍କଡ଼ ଥିଲେ ଓ ଆମେ ସେ ରୂପରୁ ବିବର୍ତ୍ତିତ ହୋଇହୋଇ ଏବର ଏ ମଣିଷ ବୋଲାଉଥାଇଁ, ତେବେ ତ ଆମେ ଆଧୁନିକ ବୋଲାଇବା ନିଶ୍ଚେ ବଡ଼ ସହଜିଆ ।
ହେଲେ କଥାଟା ଏତେ ସହଜିଆ ନୁହଁଇ । କାରଣ ଏନେଇ ଯାବତ ଗଡ଼ବଡ଼ ଉପୁଜାଉଛି ତଥାପି ଆମ ସହ ସମତାଳରେ ଏଠି ମହଜୁଦ ରହି ଆପଣାକୁ ଶାଖାମୃଗ ବୋଲାଇ ଡାଳରୁ ଡାଳକୁ ଡେଇଁ ବୁଲୁଥିବା ଖୋଦ୍ ସେଇ ମାଙ୍କଡ ! ଏହା ଶୁଣି ଆପଣ ବି ପହିଲେ କିଞ୍ଚିତ ଧନ୍ଦି ହେବେ । ପଛନ୍ତେ ହୁଏତ କଥାକୁ ବାଆଁରେଇବାକୁ ଯାଇ କହିପାରନ୍ତି, ହେଉ ସେ ଡିଆଁନଚା କରି ଓ ଚିତପଟାଂ ମାରି ତା’ ଉପସ୍ଥିତି ଜାହିର୍ କରୁଛି ତ, କରୁଥାଉ ।
ଆମର ଆଧୁନିକତା ପଛରେ ଏ ସୃଷ୍ଟି ଆରମ୍ଭ ବେଳରେ ଆତଯାତ ହେଉଥିବା ଆମ ବିରାଦରିର ଆଦାମ୍ ଓ ଇଭ୍ ନାମଧେୟ ସେହି ମହାନ ଓ ମହୀୟସୀଙ୍କ କ’ଣ କିଛି ଅବଦାନ ନାହିଁ ? ତ’ ସେମାନଙ୍କ ପ୍ରସଙ୍ଗ ବରଂ ପଡୁ ।
ଆରେ ହେ; ସତକଥା ତ’ ! କୋଉ ବେଳାରେ ସୃଷ୍ଟିକର୍ତ୍ତାଙ୍କ ବାରଣ ନମାନି ଜ୍ଞାନ ଫଳ ଖିଆ ହେଲା କେଜାଣି ସେବଠୁ ନାନା ଇଚ୍ଛା କାମନା ବାସନା ମଣିଷ ଭିତରେ ପଶି ଯାଆନ୍ତେ, ମଣିଷର ମନ ଆଉ ସମ୍ଭଳା ନପଡ଼ି ପହିଲେ ଲାଜ କଣ ଶିଖାଇଲା ଓ ପରେପରେ ଆପଣା ମନ ମାଫିକ୍ ଦିହ ସଜାଇ ଦିହସୁଖ ଲାଭ ପାଇଁ ବିକଳ ହେବା ଭଳି ନାନାଦି କଥା ଆଡ଼ିକି ସଜୋର ଘେନି ଗଲା । ବେଳୁବେଳ ପ୍ରବଳ ଭାବରେ ମଣିଷକୁ ବଦଳାଇବା ଆରମ୍ଭ କରି ତା ମନ ମୁତାବକ ବସନ ଭୂଷଣ ହାବଭାବ ସବୁ ବଦଳାଇ ମାଡ଼ି ଚାଲିବା ଦିଗରେ ତାକୁ ଉସକାଇବା ସୁରୁ କରିଦେଲା ।
ଫେର୍ ଏହି ମହାନ ଆଦାମ୍ ଓ ଇଭ୍ ଯୁଗଳ ମୂର୍ତ୍ତିଙ୍କ କୃତ ଏତିକି କାଣ୍ଡ ଅଣ୍ଟି ନଥିଲା ଯେ ମଣିଷ କେଉଁ ଏକ ଅଉଲ ନମ୍ବରିଆ ମୂହୁର୍ତ୍ତରେ କେଜାଣି ପଥରକୁ ପଥର ଦିହରେ ଘଷି ତହିଁରୁ ନିର୍ଗତ ନିଆଁ ଝୁଲ ଦେଖି ତୁରିତେ ନିଆଁର ବ୍ୟବହାର କରତଃ ପହିଲେ କୁଆଡ଼େ ପୋଡ଼ା ମାଂସର ମଜା ଚାଖିନେଲା । ତଦୁତ୍ତାରେ ନିଜ ଲାଳୁଆ ଜିଭ ମାଧ୍ୟମରେ ପେଟର ଦାବି ବି କ୍ରମେକ୍ରମେ ନାନା ମତେ ବଢିବଢି ପେଟକୁ ପାପୀ ପେଟରେ ପରିଣତ କରି ଦିଅନ୍ତେ ତା’ ସନ୍ତୁଷ୍ଟି ପାଇଁ କିସମ କିସମର ଚବ୍ୟ ଚୋଷ୍ୟ ଓ ଲେହ୍ୟ ଜରୁରୀ ହୋଇପଡ଼ିଲା । ତ’ ମଣିଷ ସେଥକୁ ପାରିବାର ବନି ଯାଇ ଲାଗିପଡ଼ି ସେସବୁର ପ୍ରସ୍ତୁତିରେ ମାତି ଉଠିଲା । ଏମିତି ମଣିଷ ବଦଳି ଚାଲିବା ଭିତରେ ଉଭୟ ସାମାଜିକ ଓ ରାଜନୈତିକ ପ୍ରାଣୀରେ ପରିଣତ ହେବା ଥିଲା ତା’ ଆଧୁନିକତାର ସୋପାନାରୋହଣ ନିଶ୍ଚୟ ।
ବୋଲିବା ବାହୁଲ୍ୟ, ମଣିଷ ବୁଦ୍ଧି ବିବେକ ଥିବା କାରଣରୁ ସକଳ ଜ୍ଞାନ ଓ ବିଜ୍ଞାନ ଆୟତ୍ତ କରି ତା’ର ଉପଯୋଗ କରିବା ଫଳରେ ନିଜ ଅତୀତର ଅନୁନ୍ତତାବସ୍ଥାକୁ ପଛରେ ପକାଇ ଅଗ୍ରେ ଧାବମାନ ହୋଇ ପ୍ରତିକ୍ଷଣ ନୂତନ ଆବିଷ୍କାର ଓ ଉଦ୍ଭାବନ କରିଚାଲିଲା । କ୍ରମେ ଜଳ ସ୍ଥଳ ଗିରି ବନ ଆକାଶ ସବୁଠେଇଁ ତା ଲୀଳା ହେଲା ପ୍ରକାଶ । ତେବେ ଏସବୁ ପଶ୍ଚାତରେ ନିଜର ତଥା ଜଗତର ମଙ୍ଗଳ କାମନା ଯେତିକି ଜଡ଼ିତ ଥିଲା ସେତିକି ମାତ୍ର ହିଁ ଥିଲା ତା ଅଗ୍ରଗତି ଲବ୍ଧ ସୁଫଳ । ଚମତ୍କୃତ କରିବା ଭଳି ବହୁ ଅସାଧ୍ୟ ସାଧନ ମାଧ୍ୟମରେ ମଣିଷ ଜୀବନରେ କ୍ରମାଗତ ଭାବେ ସୁଖ ସ୍ୱାଚ୍ଛନ୍ଦ୍ୟ ଓ ସୁସ୍ଥତା ପରିଦୃଷ୍ଟ ହେଲା । ତଥାପି ମଣିଷ ଭିତରେ କୋଉ ଅନାଦି କାଳୁ, ଲୁଚି ରହି ଯାଇଥିବା ଯେନତେନ ପ୍ରକାରେଣ ସେଇ ଦୈହିକ ଓ ମାନସିକ କାମନା ବାସନାଙ୍କ ପରିପୂରଣ ତାକୁ ଲୋଭ ମୋହାଦିରେ ବୁଡ଼ାଇ ରଖିଲା ।
ଯେତେ ସମୁନ୍ନତ ହେଲେ ସୁଦ୍ଧା କଦାପି କୁତ୍ରାପି ସନ୍ତୁଷ୍ଟ ହୋଇ ନପାରି ସେ କେତେବେଳେ ଜଗତଟାକୁ କବଜା କରି ପକାଇବାକୁ ହମହମ ହୋଇ ଧ୍ୱଂସ ଲୀଳା ଭିଆଇ ନିଜ ଜାତିର ବିନାଶରୁ ବିନୋଦ ଲାଭର ଦୁଷ୍ଟ ପ୍ରବଣତା ଭିତରେ ଆବଦ୍ଧ ହୋଇ ନିଜ ଅଜାଣତରେ ନିଜେ ନିଜକୁ ପଛୁଆ କରି ପକାଇଲା, ଜାଣି ପାରିଲା ନାହିଁ । କାରଣ ଗୋଟେ ପରେ ଗୋଟେ ରୋଗ, ଏକକୁ ବଳି ଆରେକ ଦୁଶ୍ଚିନ୍ତାଙ୍କ ଘେର ଭିତରେ ସେ କ୍ରମାଗତ ଭାବେ ବନ୍ଦୀ ହୋଇ ରହିବା ଅବଶ୍ୟମ୍ଭାବୀ ହୋଇ ପଡ଼ିଲା । କିଛି ପାଇବା ଭିତରେ ଅନେକ କିଛି ହରାଇବା ହିଁ ସାର ହେଲା ।
ସୁତରାଂ ବହୁ ବେଳେ ଅତ୍ୟନ୍ତ ସ୍ୱାଭାବିକ ଭାବେ ଲାଗେ ଯେ ଆଧୁନିକତାର ସକଳ ଉନ୍ମେଷ ଓ ଉତ୍ତରଣ ସତ୍ତ୍ୱେ ଏ ସୃଷ୍ଟିର ଶ୍ରେଷ୍ଠ ଜୀବ ବୋଲାଇ ବି ଶୋକ ସନ୍ତାପ ମୁକ୍ତ ହୋଇ କିଞ୍ଚିତ ସୁଖ, ଚେନାଏ ଶାନ୍ତି ଓ ଏତେ ଟିକେ ସୌହାର୍ଦ୍ଦ୍ୟକୁ ଶାଶ୍ୱତ କରି ପାରି ନଥିବା ଆମେ କ’ଣ ସତରେ ଆଧୁନିକ ?
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।