ବିଶ୍ୱେଶ୍ୱର ମାଝୀ
ମୁଁ -ଅହଂକାରୀକୁ ବିନାଶ କରାଏ କିନ୍ତୁ ସ୍ଵାଭିମାନୀକୁ ଆଗକୁ ବାଟ କଢାଏ । ଅତୀତ ଆଡ଼େଇ, ବହୁମୂଲ୍ୟ ପଦାର୍ଥ ସାଉଁଟିଲେ, ମୁଁ(ଅସ୍ମିତା), ପାଉଁଶ ତଳର ନିଆଁ ପରି ଦିକିଦିକି ଜଳେ । ବୁଦ୍ଧିମାନ ପିଢି ମତେ ସାଇତି ରଖେ ଓ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନିଏ ।
କୌଣସି ପୂଜାରମ୍ଭ ସମର୍ପଣରେ ସ୍ଥାନ କାଳ ବର୍ଣ୍ଣନା- ଜମ୍ବୁ ଦ୍ଵୀପେ, ଭାରତ ଖଣ୍ଡେ, ଭାରତ ବର୍ଷେ; ଏଭଳି ମନ୍ତ୍ର ପାଠରେ ମୁଁ ପ୍ରତୀୟମାନ ହୁଏ, ହୁକିଟୋଲା ନିକଟ କେନ୍ଦ୍ରାପଡ଼ାର ଛୋଟ ଦ୍ଵୀପ ନୁହେଁ, ଭାରତବର୍ଷର ପରିଚୟ । ପୃଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରୁ ମୋ ସଂସ୍କୃତି କେବଳ ଗୋଟିଏ ନୁହେଁ, ମୋ ସ୍ଥାନ ସ୍ଵତନ୍ତ୍ର । ସ୍ଵତନ୍ତ୍ର କଳାର ସୃଜନ (ଉତ୍କଳ) ହେତୁ ପଥର ନିହାଣରେ କିମ୍ବଦନ୍ତୀ ଗଢ଼ିଛି ମୋ କାରିଗର, କବି ଲେଖିପାରେ ଅବନା ରସ ତରଙ୍ଗ, ଜମକରାଜ, କଳା କଉତୁକ ପରି କାବ୍ୟ ।
ମୋ ଭାଷା ପୃଥିବୀର ଶ୍ରେଷ୍ଠ ସୃଜନଶୀଳ ଓ ସଂହତି ଭାଷା ଭିତରୁ ଗୋଟିଏ, ୩୭ତମ ସ୍ଥାନରେ । ମୋ କବି ଉପେନ୍ଦ୍ରଭଞ୍ଜ ଶବ୍ଦର ସାଗର ପାର କରିଥିଲେ, କାରଣ ମୋ ଶବ୍ଦକୋଷ ବିଶ୍ଵର ବୃହତ୍ତମ । ମୋ ଭାଷା, ଭାରତର ଷଷ୍ଠ ତଥା ଅଣଦକ୍ଷିଣର ଏକମାତ୍ର ସାଂସ୍କୃତିକ ଭାଷାର ମାନ୍ୟତା ପାଇଛି । ପୂର୍ବ, ପଶ୍ଚିମ ଓ ଉତ୍ତର ଭାରତରେ, ମୋ ଭାଷା ଏଭଳି ମହିମାବନ୍ତ ।
ବିଶ୍ଵ ନୃତ୍ୟମାନସରେ ମୋ ନୃତ୍ୟ (ଓଡ଼ିଶୀ) ଏକ ଉତ୍ତରଣ, ଭୂମିରୁ ଭୂମାକୁ, ନୃତ୍ୟର ଛନ୍ଦରେ କରେ ପ୍ରାଣର ଈଶ୍ୱରୀକରଣ । ସେଥିପାଇଁ ବିଦେଶିନୀ ଇଲିଆନା ଓଡ଼ିଶୀ ପ୍ରେମରେ ବନ୍ଧା ପଡ଼ିଗଲେ । ସମ୍ବଲପୁରୀ ନୃତ୍ୟ ଓ ଛଉ ନୃତ୍ୟର ତୁଳନା ନାହିଁ । ‘ରଙ୍ଗବତୀ ରଙ୍ଗବତୀ’ ତାଳରେ ଆମେରିକା ଇଉରୋପର ଯୁବକଯୁବତୀ ନୃତ୍ୟ କରନ୍ତି, କେଡ଼େ ସରାଗରେ !
ଅନନ୍ତ ମହାସାଗରର ବିଶାଳତାକୁ ଦେଖି ବିଶ୍ଵରେ ଅନ୍ୟମାନେ ଭୟରେ ଚାହିଁଥିଲା ବେଳେ, ଅଗସ୍ତି ମୁନି ସାତ ସମୁଦ୍ର ଚଳୁ କଲାଭଳି, ମୁଁ ପାଲଟଣା ଜାହାଜରେ ଦ୍ଵୀପରୁ ଦ୍ଵୀପକୁ ଯାଇ, ଦେଶବିଦେଶରେ ବୈଭବର ବଣିଜ କରିବା ସହ କଳା, ସଂସ୍କୃତି ଓ ସାହିତ୍ୟର ଆଦାନପ୍ରଦାନ କରିଥିଲି ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଆଦି ଦ୍ଵୀପରେ ।
ବିଶ୍ଵ ଆଧ୍ୟାତ୍ମ ବଡ଼ଦାଣ୍ଡରେ ମୁଁ ଗଢ଼ିଛି ଅଧାଗଢ଼ା ତିନିଠାକୁର । ମୁଁ ମଣିଷ ହୋଇ କିଭଳି ଗଢ଼ନ୍ତି ପୂର୍ଣ୍ଣାତ୍ ପୂର୍ଣ୍ଣ ଈଶ୍ଵରଙ୍କୁ ?
ସେଇ ସରଳ ଠାକୁର ଜଗନ୍ନାଥ, ଜଗତର ନାଥ ହେଲେ ବି, ମୁଁ ଶ୍ରଦ୍ଧା ଭକ୍ତିରେ କହେ କାଳିଆ । କେବଳ ମୋ ମନ୍ଦିରର ଦିଅଁ ନୁହେଁ; ମୋ ଜାତିର ଆତ୍ମା, ମୋ ଘରର ମୁରବୀ । ମୋ କବି ଗୋପବନ୍ଧୁ ଲେଖିଲେ:
“ଉତ୍କଳେ ନେତାର ନାହିଁ ପ୍ରୟୋଜନ
ଉତ୍କଳର ନେତା ସ୍ଵୟଂ ନାରାୟଣ ।”
ଏଇ ସରଳତାରେ ଗଢ଼ା ମୋ ପ୍ରାଣର ଠାକୁର ମଧ୍ୟରେ ସବୁ ଧର୍ମ, ସବୁ ମତ, ସବୁ ପନ୍ଥ ନିଜ ଅସ୍ତିତ୍ଵ ହରାଇଛି । ମର୍ତ୍ତ୍ୟରେ ବୈକୁଣ୍ଠ ପରିକଳ୍ପନା, କଣ କେହି କରିପାରେ ! ଶଙ୍କରାଚାର୍ଯ୍ୟଙ୍କ ଠାରୁ ରାମାନୁଜାଚାର୍ଯ୍ୟ, ନିମ୍ବାର୍କାଚାର୍ଯ୍ୟ, ମାଧ୍ୱାଚାର୍ଯ୍ୟ, ଚୈତନ୍ୟ, କବୀର, ନାନକ; ଖାଲି ମୋ ଆକର୍ଷଣରେ ବାନ୍ଧି ହୋଇ ଆସିନାହାନ୍ତି, ଅଧିକାଂଶ ଏ ମାଟିର ମୋହ ଛାଡ଼ି ଆଉ ଫେରି ଯାଇନାହାନ୍ତି । ମୋ ପବିତ୍ର ମାଟିକୁ ଛୁଇଁ କେବଳ ଚଣ୍ଡାଶୋକ ‘ଧର୍ମାଶୋକ’ ହୋଇ ନଥିଲା, କଳାପାହାଡ଼ର ହାତ ମଧ୍ୟ ଅଟକି ଯାଇଥିଲା । ମତେ ବିଲୁପ୍ତ କରିବାକୁ ତା’ ଶେଷ ପ୍ରୟାସ ପଣ୍ଡ କରିଥିଲି ମୁଁ ବିଶର ମହାନ୍ତି ସାଜି ।
ମୋ ପବିତ୍ର ମାଟି ଇତିହାସର ସରହଦ ଡେଇଁ ପୁରାଣ ପୃଷ୍ଠାରେ ଆଙ୍କିଛି କେତେ ପବିତ୍ର ପାଦ ଚିହ୍ନ । ଶ୍ରୀରାମଙ୍କୁ ରମଣୀୟ କରିଛି ମୋ ମାଟି । ଋଷିପୁତ୍ର, ବ୍ରାହ୍ମଣ, ପରମ ଶିବଭକ୍ତ, ରାବଣଙ୍କୁ ହତ୍ୟା କରିଥିବା ଧନୁ, ରଘୁବୀର ଲିଙ୍ଗରାଜ ପୀଠରେ ଶିବଙ୍କୁ ସମର୍ପଣ କରି ଶରଣ ପଶିଥିଲେ । ସେଇଥିପାଇଁ ଏକମାତ୍ର ଶୈବପୀଠ ଲିଙ୍ଗରାଜ ଚୂଡ଼ାରେ ଧନୁ ବିରାଜିତ ।
ମହାଭାରତ ଯୁଦ୍ଧ ସମାପ୍ତି ପରେ ପାଣ୍ଡବ ପାଞ୍ଚଭାଇ; ଭାତୃହତ୍ୟା, ପିତୃହତ୍ୟା, ଗୁରୁହତ୍ୟା ଓ ବ୍ରହ୍ମହତ୍ୟା ମହାପାପରୁ ମୁକ୍ତି ପାଇବା ପାଇଁ ଲୋମଶ ମୁନିଙ୍କ ପରାମର୍ଶରେ ଆସିଥିଲେ ମହାମାୟାଙ୍କ ନାଭିଗୟା ପୀଠ, ଗଦାକ୍ଷେତ୍ର, ମା ବିରଜାଙ୍କ ଅଭୟପଦରେ ଶରଣ ନେବାକୁ । ମୋ ମାଟିକୁ ଦ୍ଵାରକାରୁ ଶ୍ରୀକୃଷ୍ଣଙ୍କ ପୁତ୍ର, ଶାପଗ୍ରସ୍ତ ଶାମ୍ବ, ଋଷି ଆଦେଶ ଘେନି ଆସିଥିଲେ ଶାପ ମୁକ୍ତି ପାଇଁ । ଅର୍କଭୂମି କୋଣାର୍କର ପଙ୍କ କାଦୁଅ ଦେହରେ ବୋଳି ରବିନାରାୟଣଙ୍କ ଆରାଧନା କରି ହୋଇଥିଲେ ଶାପମୁକ୍ତ ।
ମୋ ମାଟିର ସୁଯୋଗ୍ୟ ଦାୟାଦ କନ୍ଧକବି ଭୀମଭୋଇଙ୍କ କବିତା ପଂକ୍ତି ସ୍ଵର୍ଣ୍ଣିମ ଅକ୍ଷରରେ ଜାତିସଂଘ କାନ୍ଥରେ ଲିପିବଦ୍ଧ ହୋଇଛି :”ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ଏହାକୁ କାର୍ଯ୍ୟରେ ଦେଖାଇଥିଲା ମୋ ମାଟିର ବାର ବର୍ଷର ଶିଳ୍ପୀ ପୁଅ ଧର୍ମପଦ; ଜାତି ପାଇଁ କାତିକୁ ଛାତି ପାତି, କୋଣାର୍କର ମୁଣ୍ଡି ମାରିଲା ପରେ ସେଇ ଚୂଡ଼ାରୁ ଲମ୍ଫ ଦେଲା ସାଗରକୁ- ବାରଶ ବଢେଇରେ ଦାୟ । ମୋର ମଣି ସଦୃଶ ଗୋପବନ୍ଧୁ ହିଁ କହିପାରେ:
“ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।” ମୋ ମାଟିର କବି ଜୟଦେବ, ଯେବେ କବିତାର ପଂକ୍ତି ପୂରଣ ପାଇଁ ମନର କଥା ଲେଖିବାକୁ ସାହସ ପାଆନ୍ତି ନାହିଁ, ଜଗନ୍ନାଥ ନିଜେ କବି ରୂପ ହୋଇ ପଂକ୍ତି ପୁରଣ କରନ୍ତି:
“ସ୍ମର ଗରଳ ଖଣ୍ଡନଂ ମମ ଶିରସି ମଣ୍ଡନଂ ଦେହି କର ପଲ୍ଲବ ମୁଦାରଂ ।”
ମୋ ମାଟିର ପୁଅ ସାମନ୍ତ ଚନ୍ଦ୍ରଶେଖର ବାଉଁଶ ନଳୀରେ ମାପି ପାରେ ହିମାଳୟର ଉଚ୍ଚତା ଓ ପୃଥିବୀରୁ ଚନ୍ଦ୍ରର ଦୂରତା, ଯିଏ ଲେଖିପାରେ:
“ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ
ନରଦେହେ ଥିବ ଯାବତ ହୃଦୟ ।”
ମୋ ମାଟିର ବୀରଗାଥା କେବଳ ବିସ୍ମୟ ନୁହେଁ, ଏହା ସ୍ଵର୍ଗୀୟ ତଥା ସ୍ଵାଭିମାନର ଜୟଯାତ୍ରା । ମୋ ରାଜା ଯୁଦ୍ଧ ପାଇଁ ବାହାରିଲେ, ମୋ ଠାକୁର ବାହାରେ କଳା ଆଉ ଧଳା ଘୋଡ଼ା ଚଢ଼ି । ବାରବାଟୀ ମୋ ବୀରତ୍ଵର ବିନ୍ଦୁଏ ମାତ୍ର; ଏଇମିତି ଅନେକ ବିନ୍ଦୁରେ ମୁଁ ବୀରତ୍ଵର ସିନ୍ଧୁ- ଖାରବେଳ, ଲାଙ୍ଗୁଳା ନରସିଂହ, କପିଳେନ୍ଦ୍ର, ଯଯାତିକେଶରୀ, ଜୟୀ ରାଜଗୁରୁ, ବକ୍ସି, ପିଣ୍ଡିକି, ସୁଭାଷ, ବିଜୁ ।
ସମଗ୍ର ଭାରତବର୍ଷ ଯେବେ ଇଂରେଜ ଶାସନ କବଳିତ ହେଲା, ମୋ ମାଟି ୧୮୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ, ପରାଧୀନତା ସ୍ଵୀକାର କରିନଥିଲା । ପୁଣି ୧୮୦୪ରେ ମୋ ମାଟିର ବୀର ଜୟୀ ରାଜଗୁରୁ କରିଥିଲେ ପ୍ରଥମ ସ୍ଵାଧୀନତା ସଂଗ୍ରାମ। ବ୍ରାହ୍ମଣ (ରାଜଗୁରୁ) ହୋଇ ମଧ୍ୟ ଖୋରଧା ଗଡ଼ରୁ ଇଂରେଜମାନଙ୍କୁ ଗୋଡ଼ାଇ ବିଦା କରିଥିଲେ । ଇଂରେଜ ବିରୁଦ୍ଧରେ ସିପାହୀ ବିଦ୍ରୋହ ପୂର୍ବରୁ ମୁଁ କରିଥିଲି ପାଇକ ବିଦ୍ରୋହ । ଗରିଲା ଯୁଦ୍ଧରେ ସଶସ୍ତ୍ର ଇଂରେଜ ସେନାକୁ କରିଥିଲି ଅସ୍ତବ୍ୟସ୍ତ ।
ସମଗ୍ର ଭାରତ ଇଂରେଜୀ ଶାସନର ଜୟଗାନ କଲାବେଳେ ସୁରେନ୍ଦ୍ର ସାଏ, ସମଲେଇ ମା’ର ମଥାରେ ସିନ୍ଦୁର ମାଖି ସ୍ଵୀକାର କରିନଥିଲେ ଦାସତ୍ଵ । ମୋ ମାଟିର ଶିଶୁ ବାଜି ରାଉତ ବୀରତ୍ଵ ଆଉ ସରଳତା ବିଶ୍ଵରେ ବିଦିତ । ମୋ ମାଟିର ପୁଅ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆ ସ୍ଵାଧୀନତା ସଂଗ୍ରାମୀ ନାୟକଙ୍କୁ ମୃତ୍ୟୁଦଣ୍ଡରୁ ରକ୍ଷା କରିବାକୁ ଗର୍ଭବତୀ ସ୍ତ୍ରୀ ସହ ଡାକୋଟା ଚଢ଼ି, ଆକାଶର ଚିଲ ହୋଇ ଉଠାଇ ଆଣିଥିଲେ ଭାରତକୁ । ପୁଣି କାଶ୍ମୀର ଉପରେ ପାକିସ୍ତାନର ଆକ୍ରମଣ ବେଳେ ଦୁଃସାହସର ସୀମା ଭାଙ୍ଗି ଜାହାଜ ଭର୍ତ୍ତି ସୈନ୍ୟ ଓହ୍ଲାଇ କାଶ୍ମୀରକୂ କରିଥିଲେ ଭାରତର ଅଙ୍ଗ ।
ନାରୀର ସମ୍ମାନକୁ ଶକ୍ତ ସମର୍ଥନ ଓ ଅସ୍ପୃଶ୍ୟତା ବିରୋଧରେ ମୋ ମାଟିର ପୁଅ ବଳରାମ ଦାସ ଲେଖିଲେ ‘ଲକ୍ଷ୍ମୀ ପୁରାଣ’ । ନାରୀର ଅନ୍ତଃ-ସାମର୍ଥ୍ୟର ପରିଚୟ ଦେବାକୁ ଯାଇ ବିଶ୍ଵ ମାନବକୁ ଏ ଜାତି କହିଛି : “ମୋ ବଡ଼ଠାକୁର ଭୋଗ କେବଳ ପ୍ରସାଦ ଆଉ ସେଇ ପ୍ରସାଦରେ ମାତୃରୂପିଣୀ ମା ବିମଳାର କୃପା ପ୍ରାପ୍ତ ହେଲେ, ତାହା ହୁଏ ମହାପ୍ରସାଦ । ଏତିକି ନୁହେଁ ! ମୁଁ ମାତୃମୟୀ ପ୍ରକୃତିର ଚିର ପୂଜାରୀ । ତେଣୁ ମୌସୁମୀ ଆଗମନରେ ପ୍ରକୃତିର ରଜବତୀ ସମୟରେ, ମୁଁ ଉଲ୍ଲାସରେ ପାଳେ ‘ରଜ’ ପର୍ବ । ଫସଲ ପାଚିଗଲେ କୃତଜ୍ଞତାରେ “ମା ସମଲେଇ”କୁ ଅର୍ପଣକରି ପାଳେ ‘ନୂଆଖାଇ’ । ଆଜିର ଗବେଷଣାଲବ୍ଧ ଶିକ୍ଷା ଅନୁସାରେ ମୋ ରାଜ୍ୟର କୋରାପୁଟରେ ହିଁ ମଣିଷ ପ୍ରଥମ କରି ଚାଷ ଆରମ୍ଭ କରିଥିଲା; ଧାନକୁ ଖାଦ୍ୟରୂପେ ଆବିଷ୍କାର କରି, ସଭ୍ୟତାର ଜନନୀ ପାଲଟିଥିଲା ।
ଘୃଣ୍ୟ ଜାତିପ୍ରଥା, କୁସଂସ୍କାର ବିରୁଦ୍ଧରେ ପଞ୍ଚସଖା ହୋଇ ନିଜକୁ ଶୁଦ୍ର, କ୍ଷୁଦ୍ର ଘୋଷଣା କରି ବିଶ୍ଵ ସମାଜ ସଂସ୍କାରରେ ସବୁଜିମା ଆଙ୍କିଥିଲା ମୋ ମାଟିର ପୁଅ । ଏ ମାଟିର ଗଜପତି ରାଜା ଠାକୁର ରଥରେ ଝାଡୁ ଧରି ଚଣ୍ଡାଳ ହୋଇପାରେ ।
ସମୟର କ୍ରୁର-ଚକ୍ରରେ ମୋ ଜାତି ଯେତେବେଳେ ହୋଇଛି ପରାଧିନ, ଶୋଷିତ, ନିର୍ଯ୍ୟାତିତ; ମୁଁ କିନ୍ତୁ ମୋ ନେତାକୁ ନଇଁବାକୁ ଦେଇନି । ମୋ ନେତା ନାରାୟଣକୁ ନେଇ ଶତୃ ବନ୍ଧନରୁ ମୁକ୍ତ ରଖିବାକୁ ନେଇଯାଇଛି ଚିଲିକା ହ୍ରଦ ମଝିକୁ ତଥା ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ।
ସେଇଥିପାଇଁ ତ ମୋ ମାଟିର ପୁଅ ମଧୁବାବୁଙ୍କୁ ଯେବେ ମୋତିଲାଲ ନେହେରୁ, ଦେଶବନ୍ଧୁ ଚିତ୍ତରଞ୍ଜନ କଂଗ୍ରେସର ଅଧ୍ୟକ୍ଷ ହେବାକୁ ଚୟନ କଲେ, ମଧୁର ଶଦ୍ଦରେ ବାରଣ କଲେ ମଧୁବାବୁ, “ମୁଁ ପଦପଦବୀରେ ବନ୍ଧା ନୁହେଁ, ସେଇଭଳି ପ୍ରାଚୁର୍ଯ୍ୟ ପାଖରେ ଦାସ ନୁହେଁ ।”
ଅନେକ କହନ୍ତି ମୁଁ କାଳେ ଦରିଦ୍ର- ଏହା ଶୁଣି ହସ ଲାଗେ । ସୂର୍ଯ୍ୟ ଚନ୍ଦ୍ର ନିତି ଦେଖନ୍ତି, ମୁଁ ଶାଗ ପଖାଳରେ ସନ୍ତୁଷ୍ଟ କିନ୍ତୁ ମୋ ଠାକୁରକୁ ଷାଠିଏ ପଉଟି ଖୁଆଏ । ନଅଙ୍କ ଦୁର୍ଭିକ୍ଷ ସମୟରେ ମଧ୍ୟ ବଜାୟ ରଖିଛି । କେବେବି, କେହି ଓଡ଼ିଆ ଘରେ ଅତିଥି ହୋଇ ଦେଖନ୍ତୁ- ଜୀବନରେ ଆଉ କହିପାରିବେ ନାହିଁ, “ଓଡ଼ିଆ ଦରିଦ୍ର” ବୋଲି । ‘ଅତିଥି ଦେବୋ ଭବଃ’ର ଯଥାର୍ଥ ପରିଚୟ ପାଇବେ ନିଶ୍ଚିତ ।
ପ୍ରତିବର୍ଷ ସାଇବେରିଆରୁ ଚିଲିକାକୁ ଅତିଥି ହୋଇ ଆସୁଥିବା ‘ସାରସ’ କହିବ, ମେରୁରୁ ମାଇଲ୍ ମାଇଲ୍ ଲଙ୍ଘି ଏ ମାଟିକୁ ଆସୁଥିବା ଅଲିଭ୍ ରିଡଲେ କହିବ; “ଓଡ଼ିଆ/ ଓଡ଼ିଶା ଦରିଦ୍ର କି” ?
ବନ୍ୟା / ବାତ୍ୟା / ବଢି/ ଅକାଳ ଭଳି ପ୍ରକୃତିର ରୁଦ୍ରନୃତ୍ୟ ସହି ସହି, ମୋ ମାଟି ଭୌତିକ ସ୍ଵଚ୍ଛଳ ହୋଇ ନପାରେ, କିନ୍ତୁ ଦାରିଦ୍ର୍ୟ ମୋ ଶବ୍ଦକୋଷରେ ନାହିଁ । ସେଇଥିପାଇଁ, ଆଠ କୋଟି ବିନିଯୋଗ କରି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ହେଲାବେଳେ, ଇଣ୍ଡୋନେସିଆ ଦେଇଥିବା ଆଠ ଶହ କୋଟିରୁ ଉର୍ଦ୍ଧ୍ଵ ‘ଚେକ୍’କୁ ଚିରି ଦେଇ ବିଶ୍ଵକୁ “ବିଜୁ ପଟ୍ଟନାୟକ” ବାର୍ତ୍ତା ଦେଇଥିଲେ,”ଓଡ଼ିଆ ପୁଅ ଦେଇ ଶିଖେ, ନେଇ ଶିଖେନି” । ସେଇ ବିଜୁଙ୍କ ଶବାଧାରରେ ଘୋଡା ହୋଇଥିଲା ତିନିଟି ଦେଶର ପତାକା, ମୋ ଦେଶ, ଇଣ୍ଡୋନେସିଆ ଓ ଋଷିଆ ।
ବିଶ୍ଵ ଯଦି ଓଡ଼ିଶାକୁ ଛୁଏଁ, ଅବିଶ୍ଵସନୀୟ ଭାରତର ଆତ୍ମାକୁ ଛୁଏଁ । ଏହା କେବଳ ଶବ୍ଦ ମାତ୍ର ନୁହଁ; ଶବ୍ଦ ଦ୍ଵାରା ସୃଷ୍ଟ ସବୁଠୁ ସରଳ ସତ୍ୟ ଅଟେ । ଏହା “ପରମାତ୍ମାଙ୍କ ଭୂମି” ବୋଲି ତ ଏଠି ଏତେ ଆକର୍ଷଣ; ଏଠି ଅବତାରୀ ବି ଅଟକି ଯାଏ ।
ମୋ ମାଟିରୁ ଆତ୍ମାର ଆଲୋକ ଅନୁଭବ କରି ତ ମୁନି କପିଳ ଲେଖିଥିଲେ :
“ଉତ୍କଳସ୍ୟ ସମଦେଶ, ଦେଶନାସ୍ତି ମହୀତଳେ ।”
ମହର୍ଷି କପିଳ ନିଜ ନଅ କନ୍ୟାଙ୍କୁ ଏଠାରେ ନଅଟି ଋଷିଙ୍କ ସହ ଋଷିକୂଲ୍ୟା ନଦୀ କୂଳରେ ବିବାହ ଦେଇଥିଲେ । ପୁଣ୍ୟତୋୟା ବୈତରଣୀ ଗଙ୍ଗା ସହ ସମାନ ।
ବେଦ, ଉପନିଷଦ, ଶ୍ରୀମଦଭାଗବତ ଶ୍ରୀମଦଭଗବତଗୀତା, ଆତ୍ମାର ପଥକୁ ସଦା ମଧ୍ୟମ ପଥ, ସମନ୍ଵୟ ଓ ସଂହତିର ପଥ ଦର୍ଶାଇଛି । ଗବେଷଣା କହେ; ଦକ୍ଷିଣ ଭାରତ ଓ ଉତ୍ତର ଭାରତଳ ଅଦ୍ଭୁତ ସମନ୍ଵୟ ମୋ ମାଟି । ଏହାର ଖାଦ୍ୟ, ପୋଷାକ, ପରିପାଟୀ ନିଜର ସ୍ୱତନ୍ତ୍ରତା ସତ୍ତ୍ଵେ ଉତ୍ତର ଦକ୍ଷିଣର ଏକ ଅପୂର୍ବ ମହାମିଳନ । କେବଳ ଶ୍ରୀମନ୍ଦିରରେ ପୂଜା ପାଆନ୍ତି ପଞ୍ଚ ଦେବତା ।
ଆତ୍ମାର ଭୂମିରେ ହିଁ ଠିଆ ହୋଇ ମୋ ମାଟିର ସ୍ୱଭାବ କବି ଲେଖିପାରେ :
”ବିଶ୍ଵ ଦେଖ,ମଧୁମୟରେ ଭୂବନ, ବିଶ୍ଵ ଦେଖ ମଧୁମୟ”।
ମଧୁମୟୀ ମା ‘ଶ୍ରୀମା’ଙ୍କୁ କେହି ପ୍ରଶ୍ନ କରିଥିଲେ, ”ଅତିମାନସ ମହାଶକ୍ତିକୁ ଧାରଣ କରିବାକୁ କେଉଁ ଜାତିର ନାମ ପ୍ରଥମ ?” ମା କେଇ ମୁହୂର୍ତ୍ତ ନିରବ ରହି ଅସୀମ ଆକାଶକୁ ଚାହିଁ କହିଲେ, “ତାହା ଓଡ଼ିଶା ।”
ମୋ ମାଟି ବିଶ୍ଵକୁ ଶିଖାଇଛି, ଏ ଶରୀର ଅନ୍ନମୟ ପିଣ୍ଡ। ତେଣୁ ତ ଗଢିଛି ଦିଅଁ, କେବଳ ଦାରୁବ୍ରହ୍ମ (ବୃକ୍ଷ ଦେବତା) ନୁହେଁ, ଅନ୍ନବ୍ରହ୍ମ ମଧ୍ୟ । କାଳିଆ ଦିଅଁ ଜୀବଜନ୍ତୁ, ତୃଣତରୁ, ସମସ୍ତଙ୍କୁ ପାବନ କରିବାକୁ ଭକ୍ତ ସାଙ୍ଗରେ ନାଚି ନାଚି ଓହ୍ଲାଇ ଆସେ ବଡ଼ଦାଣ୍ଡକୁ , ନବ ଦିନ ପାଇଁ ନବଧା ଭକ୍ତି ଓ ଦଶାବତାର ପ୍ରତ୍ୟକ୍ଷ କରି । ସମସ୍ତଙ୍କ ଅସ୍ମିତା ଏଇ ମାଟିରେ ଏକାକାର । ସବୁ ଧର୍ମ, ମତ, ପନ୍ଥର ସାଧକ ଏଠାକୁ କେଉଁ ଅଦୃଶ୍ୟ ଆକର୍ଷଣରେ ଟାଣିହୋଇ ଆସିଛନ୍ତି ଓ ଅଧିକାଂଶ ମଠ ମନ୍ଦିର କରି ରହିଯାଇଛନ୍ତି । ତେଣୁ ତ ବିବେକାନନ୍ଦ ପଦବ୍ରଜରେ ସମଗ୍ର ଭାରତବର୍ଷ ବୁଲିଥିଲେ, ପରିବ୍ରାଜକ ଓ ପ୍ରତିନିଧି ହୋଇ ସମଗ୍ର ବିଶ୍ଵ ବୁଲିଥିଲେ ; କିନ୍ତୁ ଓଡ଼ିଶା ଆସି ଥିଲେ; କାରଣ ଗୁରୁ ରାମକୃଷ୍ଣ କହିଥିଲେ, “ମୁଁ ଯାଇନି, ତୁ ବି ଯିବୁନାହିଁ; ଗଲେ ସେଇଠି ଅଟକି ଯିବୁ। ଯେଉଁ କାମ ପାଇଁ ଆସିଛୁ ତାହା ଆଉ କରିପାରିବୁ ନାହିଁ ।”
ହିମଗିରି ପରି ସମୁଚ୍ଚ, ମହୋଦଧି ପରି ଗଭୀର, ମହାକାଶ ପରି ଅନନ୍ତ, ଏ ଜାତିର ଆତ୍ମା ସାଗର ପରି ଫେନିଳ, ଚିଲିକା ଜଳ ପରି ସରଳ, ତରଳ, କଳକଳ, ଉଚ୍ଛଳ, ଉତ୍ତାଳ, ଉଦବେଳ ପୁଣି ସୂର୍ଯ୍ୟଙ୍କ ପରି ସମୁଜ୍ଜ୍ଵଳ; ଆସ ବିଶ୍ଵ ସମୁଦାୟ ସହଳ ସହଳ ବିଳମ୍ବ କରିବାକୁ ନାହିଁ ଆଉ ବେଳ ।
ବୈକୁଣ୍ଠ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୪୩୭୬୯୭୧୬୧
ଲେଖକ ପରିଚୟ
ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି । ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।