ଅଭିମନ୍ୟୁ ଧଳ
ଏକ ମେଳାର ଜନଗହଳି ଭିତରେ ବାପା, ତାଙ୍କର ପାଞ୍ଚବର୍ଷର ପୁଅ ସହ ମେଳା ଦେଖିବାକୁ ଆସିଥାନ୍ତି । ପୁଅ ବାପାଙ୍କ ହାତକୁ ଧରିଥାଏ । ଅଧିକ ଗହଳି ଦେଖି ପୁଅ କହିଲା, ‘‘ବାପା ! ମୁଁ ଏତେ ଗହଳି ତୁମ ହାତ ଛାଡ଼ିଦେଇ ପାରେ, ତେଣୁ ତୁମେ ମୋ ହାତ ଧର । ଯେତେ ଗହଳି ହେଲେବି ବାପା ହାତ ଛାଡ଼ନ୍ତିନି !’’
ସଂସାରରେ ବାପାଙ୍କଠାରୁ ମହାନ କେହି ନୁହନ୍ତି, ସନ୍ତାନ ବା ସନ୍ତତି ମା’ଗର୍ଭରେ ରହିବା ଦିନଠାରୁ ତାଙ୍କର କର୍ତ୍ତବ୍ୟ ଆରମ୍ଭ ହୋଇଯାଏ । ମା’ ଗର୍ଭରେ ପିଲାଟି କିପରି ସୁରକ୍ଷିତ ରହିବ, ଶିଶୁ ଜନ୍ମ ବେଳେ ମା’ ଓ ପିଲା ସୁରକ୍ଷିତ ରହିବେ ତାଙ୍କର ବିରାଟ ଚିନ୍ତା ଥାଏ । ସନ୍ତାନ ବା ସନ୍ତତି ଜନ୍ମ ପରେ ଜୀବନସାରା ତାଙ୍କ ହାତ ଧରିଥାନ୍ତି, ଠିକ୍ ରାସ୍ତାର ଦିଗ୍ଦର୍ଶନ ଦେଇଥାନ୍ତି ବାପା ! ଯେତେ ଅଭାବ ଅସୁବିଧା ଆସୁପଛକେ ସେ ନିଜର ଦୁର୍ବଳତା, ପ୍ରକାଶ ନକରି ହିମାଳୟ ପରି ସ୍ଥିର ରହିଥାନ୍ତି । ନିଜ ରକ୍ତ ନିଗାଡ଼ି ପିଲାଙ୍କୁ ମଣିଷ କରନ୍ତି । ବଂଧୁର ରାସ୍ତାରେ ସୁରକ୍ଷିତ ଭାବେ କିପରି ଚାଲିବାକୁ ପଡ଼େ ବାପା ହିଁ ଶିଖାଇଥାନ୍ତି । ପୁଅଟି ସିନା ତାଙ୍କ ପାଖରେ ରହିଥାନ୍ତି, ପରନ୍ତୁ ଝିଅଟି ବାହା ହୋଇଗଲା ପରେ ବାପା ତା’ ପ୍ରତି ଅଧିକ ଦୃଷ୍ଟି ରଖିଥାନ୍ତି । ନିକଟରେ ନଥାଇ ବି ଝିଅର ମିଠାମିଠା କଥା ସମ୍ୱେଦନଶୀଳତା, ତାଙ୍କୁ ଅଧିର କରେ । ସୁଖଦୁଃଖରେ ବାପା ଦୌଡ଼ି ଯାଆନ୍ତି । କନ୍ୟା ହେଉ ବା ପୁତ୍ର ବାପା ବଂଚିଥିବା ଯାଏ କାହାରି ହାତ ଛାଡ଼ନ୍ତିନି ।
ନିଶାର୍ଦ୍ଧରେ ପତ୍ନୀ ତାଙ୍କ ପତିଙ୍କୁ ପଚାରିଲେ, ଆମ ପୁଅ ଶ୍ରେଣୀରେ ପ୍ରଥମ ହେଉଛି । ଶିକ୍ଷକଙ୍କଠାରୁ ଆରମ୍ଭ କରି ଗ୍ରାମର ସମସ୍ତ ଲୋକଙ୍କ ମୁହଁରେ ତା’ର ପ୍ରଶଂସା, ଅଥଚ ତୁମ ମୁହଁରେ କେବେ ତା’ର ପ୍ରଶଂସା ଶୁଣି ନାହିଁ । ଏଥିପାଇଁ ସେ ବହୁତ ମନଦୁଃଖ କରେ ।’’ ପତି କହିଲେ, ସେ କଥା ମୁଁ ଭଲ ଭାବରେ ଜାଣେ । ନିଜ ପ୍ରଶଂସାରେ ସେ ଯଦି ଗର୍ବ ଓ ଅହଂକାରରେ ଆଚ୍ଛନ୍ନ ହୋଇଯାଏ, ତା’ର ସ୍ୱପ୍ନ ସହିତ ଆମର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଯିବ । ୯୯ ଜଣ ତାକୁ ପ୍ରଶଂସା କରନ୍ତୁ, ଜଣେ ଅର୍ଥାତ୍ ମୁଁ ଯଦି ପ୍ରଶଂସା ନକରେ ସେ ଆଗକୁ ଆହୁରି ତ୍ରୁଟିଶୂନ୍ୟ ଭାବେ ଆଗେଇବ । ଜୀବନରେ ସମାଲୋଚନାକୁ ସ୍ୱୀକାର ନକଲେ କେହି ଭଲ ମଣିଷ ହୋଇ ପାରେନା ।’’ ଦୁଆର ପାଖରେ ବସିଥିବା ପୁତ୍ରର କ୍ରନ୍ଦନରୋଳ କାନରେ ବାଜିବାରୁ କବାଟ ଖୋଲିଲା ପରେ ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ବାପାଙ୍କ ପାଦ ଧରି କ୍ଷମା ପ୍ରାର୍ଥନା କଲା । ବାପା ଛାତିକୁ ଆଉଜାଇ ଆଣି ଆଉଁସି ଦେଲେ । ବାପା ପିଲାଙ୍କ ମୁହଁରେ ପ୍ରଶଂସା କରନ୍ତି ନାହିଁ, ବରଂ ଆଉ କିଛି ବାକି ଅଛି କହି ଆଗକୁ ଆହୁରି ଭଲ କରିବାକୁ ଉତ୍ସାହିତ କରିଥାନ୍ତି । ବାପାଙ୍କ ଗେହ୍ଲା ହୃଦୟରେ ଥାଏ ତାହା ପଦାକୁ ଆସେ ନାହିଁ । ସେ ଜାଣିଥାନ୍ତି, ‘‘ଅତି ଗେଲ୍ଲା ପୁଅ ମନମୋଟିଆ, ଅତି ଗେହ୍ଲା ଝିଅ ଦାଣ୍ଡରେ ଠିଆ ।’’
ବାପା ହେଉଛନ୍ତି ଆଖିକୁ ଦିଶୁଥିବା ଏକ ଦୃଢ଼ ପଥର ଖଣ୍ଡ, ପରନ୍ତୁ ଏହି ପଥର ଖଣ୍ଡର ଆଭ୍ୟନ୍ତରରେ ତରଳ ଅବସ୍ଥାରେ ଥାଏ ସ୍ନେହ, ପ୍ରେମ ଓ ମମତା । ବାପା ହେଉଛନ୍ତି ଦୂର ପାହାଡ଼, ପାଖରେ ରୁକ୍ଷ ପରି ଦୃଷ୍ଟ ହେଲେ ମଧ୍ୟ ଦୂରରୁ ଦିଶନ୍ତି ଖୁବ୍ ସୁନ୍ଦର ଅର୍ଥାତ୍ ଅନ୍ୟମାନେ କହିଥାନ୍ତି ଅମୁକ ଦେଖିବାକୁ ସିନା ଟାଣ କିନ୍ତୁ ତା’ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସିଦ୍ଧହସ୍ତ । ବାପା କେଇଦିନ ବାହାରେ ରହିଗଲେ ତାଙ୍କର ମନ ଯେପରି ପିଲାଙ୍କ ପାଖରେ ରହିଥାଏ । ସେହିପରି ମା’ଙ୍କ ଆଦରସ୍ନେହ ସତ୍ତ୍ୱେ ବାପାଙ୍କ ଅନୁପସ୍ଥିତି ପିଲାଏ ଉପଲବ୍ଧି କରିଥାନ୍ତି । ପିତା ହେଉଛନ୍ତି ସନ୍ତାନଙ୍କ ପରିଚୟ । କଥାରେ ଅଛି ଯାହା ବାପା ଚଢ଼ିଥାଏ ଘୋଡ଼ା, ତା’ ପୁଅ ଚଢ଼େ ଥୋଡ଼ାଥୋଡ଼ା । ବାପାଙ୍କ କାର୍ଯ୍ୟଶୈଳୀ ପିଲାଙ୍କ ମନରେ ଗଭୀର ପ୍ରଭାବ ପକାଇଥାଏ । ବାପା ଚାହାନ୍ତି, ସନ୍ତାନମାନେ ତାଙ୍କ ଠାରୁ ଅଧିକ ଦକ୍ଷ, କର୍ମକୁଶଳୀ ହୁଅନ୍ତୁ । ବଂଶର ସୁନାମ ରକ୍ଷା କରନ୍ତୁ । ‘‘ବାପା ଥିବା ପୁଅ ସଭାରେ ହାରେନା’’ ପୁତ୍ର ଯେଉଁଠି ହଡ଼ବଡ଼େଇ ଯାଆନ୍ତି ବାପା’ ଉତ୍ସାହିତ କରନ୍ତି । ବାପାଙ୍କ ସାହସ ପ୍ରେରଣା ଯୋଗାଏ । ପୁଅ ଭୁଲ କଲେ ବାପା ତା’ର ସମାଧାନ କରିଦିଅନ୍ତି । ପରିବାର ରୂପକ ନୌକାକୁ ସ୍ରୋତର ଅନୁକୂଳ ବା ପ୍ରତିକୂଳରେ ଚଳାନ୍ତି ବାପା ଦକ୍ଷ ନାବିକ ସାଜି । ସନ୍ତାନମାନେ ଅଭିନେତା, ଅଭିନେତ୍ରୀ ହେଲେ ପିତା ପ୍ରଚ୍ଛଦପଟ ଗାୟକ । ବାପାଙ୍କ ରାଗିଣୀର ମନମତାଣିଆ ମହକ ସନ୍ତାନଙ୍କ ପରିଚୟ ସୃଷ୍ଟି କରେ । ଯେତେ ଦୁଃଖ ଆସିଲେ ବି ବାପାଙ୍କ ଆଖିରେ ଲୁହ ଆସେନି । ସୁଦ୍ଧ ସୁବର୍ଣ୍ଣ ପରି ବିପଦ ରୂପକ ଅଗ୍ନିରେ ପୋଡ଼ି ହୋଇ ଉଜ୍ୱଳତା ପ୍ରକାଶ କରିଥାନ୍ତି ।
ମା’ଙ୍କର ଭଲପାଇବା ଦୃଶ୍ୟମାନ ଥିଲାବେଳେ, ବାପାଙ୍କର ଭଲପାଇବା ଅଦୃଶ୍ୟ, ଅସୀମ । ମା’ ତାର ସନ୍ତାନସନ୍ତତି ରୂପକ ରଂଗିନ୍ ପାଖୁଡାକୁ ନେଇ ଏକ ଗୋଲାପଫୁଲ ହୋଇଥିବାବେଳେ ବାପା ସାଜିଥାନ୍ତି କଣ୍ଟା ଏହାକୁ ସୁରକ୍ଷା ଦେବାକୁ । ବାପାଙ୍କ ସହିତ ଭୟଲାଗେ କଥାହେବା ପାଇଁ । ଜଣାପଡ଼ନ୍ତି ସେ ଭାରି କଡ଼ା ଓ ରାଗି । ଏଥିରୁ ଧାରଣା ହୁଏ ମା’ ପରି ବାପା ସ୍ନେହ କରନ୍ତି ନାହିଁ । ପରନ୍ତୁ ବାପା ଗଭୀର ଭାବେ ଭଲପାଉଥିଲେ ବି ଆଖିରେ ତାଙ୍କର ପରିପ୍ରକାଶ ନଥାଏ । ସନ୍ତାନ କିପରି ସମାଜରେ ଜଣେ ଭଲ ମଣିଷ ହୋଇ ବଂଶ, ଗ୍ରାମ ଓ ଦେଶର ଟେକ ରଖିବ ସେ ଦାୟିତ୍ୱ ବାପାଙ୍କର । ତେଣୁ ପ୍ରକୃତ ପକ୍ଷେ ବାପା ହିଁ ସନ୍ତାନ ସନ୍ତତିଙ୍କୁ ଗଢ଼ନ୍ତି । ମା’ ମାଟିରେ ଏକ ମୂର୍ତ୍ତୀର ଆକୃତି କରୁଥିବାବେଳେ ବାପା ତାହାକୁ ଏକ ଜୀବନ୍ତ ପ୍ରତିମାର ରୂପ ଦିଅନ୍ତି । ସନ୍ତାନସନ୍ତତି କିପରି ଦୁନିଆରେ ନିଜ ପରିଚୟ ସୃଷ୍ଟି କରିବେ ସେ କାମ ବାପାଙ୍କର । ତେଣୁ ପିତା ହେଉଛନ୍ତି ଜଣେ କୁଶଳୀ ମୂର୍ତ୍ତିକାର । ସଂସାରକୁ ବଦଳାଇବାର ବାପାଙ୍କର ନାହିଁ, ତେଣୁ ସନ୍ତାନଙ୍କ ମଂଗଳପାଇଁ ସେମାନଙ୍କୁ ବଦଳାଇଥାନ୍ତି । ବାପା ନୂଆନୂଆ କଥା ଶିଖାନ୍ତି, ଯାହା କଳ୍ପନାସମ୍ଭୂତ ନୁହେଁ, ବାସ୍ତବତା, ଶୃଙ୍ଖଳା ଜ୍ଞାନ ଶିଖାନ୍ତି, ଏଥିପାଇଁ ସେ ପଥର ପରି ଟାଣ ଦିଶନ୍ତି । ‘‘ବଳା ପାରିଲେ କଳା ଛାଡ଼େ’’ ପିଲାଙ୍କ ପାଇଁ କରଜରେ ବୁଡ଼ିଥିଲେ ବି ବାପାଙ୍କର ଶୋଚନା ନଥାଏ ।
ବାପାଙ୍କ ଛାଟ ଜୀବନରେ ପରିବର୍ତ୍ତନ ଆଣେ । ପାରମ୍ପରିକ ଶଗଡ଼ ଗୁଳାରେ ଚାଲୁଥିବା ସନ୍ତାନସନ୍ତତିଙ୍କୁ ନୂତନ ଗୁଳା କରି ଚାଲିବା ପାଇଁ ଉପଦେଶ ଦେଇଥାନ୍ତି । ପିଠିରେ ରହିଯାଇଥିବା ଛାଟର ଦାଗ ମୃତ୍ୟୁ ପର୍ଯ୍ୟନ୍ତ ମନେରୁହେ । ତାଙ୍କର ଆକଟ ହୁଏତ ଆମେ ଗ୍ରହଣ ନକରିପାରୁ, ପରନ୍ତୁ ଏହା ସନ୍ତାନଙ୍କ ଜୀବନର ଚଲାପଥକୁ କଣ୍ଟକ ମୁକ୍ତ କରିଦିଏ । ପିଲାଙ୍କ ସଫଳତାକୁ ନେଇ ହୃଦୟରେ ଅପାର ଆନନ୍ଦ ଲାଭ କରୁଥିଲେ ମଧ୍ୟ ପ୍ରକାଶ କରନ୍ତି ନାହିଁ କାଳେ ପିଲା ପଥ ହୁଡ଼ିଯିବେ । ସେଇଥିପାଇଁ କୁହାଯାଇଛି ‘‘ପିତା ଧର୍ମ, ପିତା ସ୍ୱର୍ଗ, ପିତାହିଁ ପରମତପଃ, ପିତରି ପିତୃମାପନ୍ନେ ତୁଷ୍ୟନ୍ତି ସର୍ବଦେବତାଃ ।’’
ଜୀବନ ସାରା ପିଲାଙ୍କ ହାତ ଛାଡ଼ୁନଥିବା ମହାନ ଦେବତାଙ୍କୁ ଅଧମ ସନ୍ତାନମାନେ ଅସମ୍ମାନ କରନ୍ତି । ତାଙ୍କ ହାତ ମୁଠାରୁ ଜୋର୍ କରି ନିଜ ହାତ ବାହାର କରିନିଅନ୍ତି । ସନ୍ତାନ ଯେତେବେଳେ ପିତାମାତାଙ୍କ ବାର୍ଦ୍ଧକ୍ୟରେ ଅନ୍ଧର ଲଉଡ଼ି ସାଜିବା କଥା ଠିକ୍ ସେଥିକିବେଳେ ସେମାନେ ନିଜର ସ୍ୱାର୍ଥପାଇଁ ଦୂରେଇ ଯାଆନ୍ତି, ଏମାନେ କେବେ ହେଲେ ଉତ୍ତମ ସନ୍ତାନ ପଦବାଚ୍ୟ ନୁହନ୍ତି । କୂଳର କଳଙ୍କ, ଅପଦାର୍ଥ, ପାଷାଣ୍ଡ, ଗାଳିଗୁଲଜ କରିବା, ମାଡ଼ଦେବାକୁ ପଛାନ୍ତି ନାହିଁ । ନିଜେ ସୌଖିନ୍ ଜୀବନ ବଞ୍ଚିବା ପାଇଁ ତୀର୍ଥ ସ୍ଥଳରେ ଛାଡ଼ି ଦେଇ ଆସିବା, ତାଙ୍କଠାରୁ ଅଲଗା ହୋଇଯିବା, ଜରାଶ୍ରମରେ ଛାଡ଼ି ଆସିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।
ବୃଦ୍ଧାବସ୍ଥାରେ ପିତା, ପୁତ୍ରକୁ ଗୋଟିଏ କଥା ଜାଣିବା ପାଇଁ ଦୁଇଥର ପଚାରିବାରୁ, ପାଠ ପଢ଼ୁଆ ପୁଅ ବିରକ୍ତି ହୋଇ କହିଲା, ‘‘ତୁମେ କାଲ ହୋଇଗଲ ନା କ’ଣ ?’’ ପିତାଙ୍କ ଆଖିରେ ଲୋତକ ଆସିଗଲା, ସେ ଥରଥର କଣ୍ଠରେ କହିଲେ, ବାବୁ ! ଛୁଆଦିନେ କାଉକୁ ଦେଖି ତୁ ମୋତେ ଶହେଥର ପଚାରିଥିଲୁ ଏଇଟା କଣ ? ମୁଁ ବିରକ୍ତି ପ୍ରକାଶ ନକରି ଖୁସିର ସହିତ ତୋର ଉତ୍ତର ଦେଇଥିଲି । ବାସ୍ତବିକ୍ ବାପାଙ୍କୁ ଗୋଟିଏ କଥା ବାରମ୍ୱାର ପଚାରିଲେ ବି ସେ ବିରକ୍ତି ନହୋଇ ଉତ୍ତର ଦେଇଥାନ୍ତି । ସେହି ସନ୍ତାନ ଏମାନଙ୍କ ପଦେ କଥା ଶୁଣିବାକୁ କାନବନ୍ଦ କରିଦିଅନ୍ତି ।
ସନ୍ତାନ ଭଲ ବା ମନ୍ଦ ହୁଅନ୍ତୁ ବାପା ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ହାତ ଛାଡ଼ନ୍ତିନି । ଭଗବାନଙ୍କ ପାଖରେ ସର୍ବଦା ତାର କୁଶଳମଙ୍ଗଳ ମନାସନ୍ତି । ‘‘ଦେଇଥିଲେ ପାଇ ।’’ ଯେଉଁ ସନ୍ତାନ ପିତାମାତାଙ୍କ ପ୍ରତି ଅନାଦର ପ୍ରଦର୍ଶନ କରନ୍ତି, ସେ ତାଙ୍କ ସନ୍ତାନଙ୍କ ଦ୍ୱାରା ବାର୍ଦ୍ଧକ୍ୟରେ ଅବହେଳିତ ହୋଇଥାନ୍ତି, କାରଣ ଦାୟାଦ ପିତାଙ୍କ କାର୍ଯ୍ୟକୁ ଅନୁଶରଣ କରିଥାନ୍ତି ।
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ଲେଖକ ପରିଚୟ
ତିନୋଟି ଗଳ୍ପ ସଂକଳନ ସହିତ ଗୋଟିଏ କିଶୋର-ଶିଶୁ ସଂକଳନ ପ୍ରକାଶିତ ହୋଇସାରିଛି ଏଯାବତ । ତେବେ ଲେଖକ ଜଣେ ଜଣାଶୁଣା ସ୍ତମ୍ଭକାର ରୂପେ ପରିଚିତ ଓ ୨୩୦ରୁ ଉର୍ଦ୍ଧ୍ଵ ସ୍ତମ୍ଭ ତାଙ୍କର ଆଗ ଧାଡ଼ିର ଖବରକାଗଜ ଯଥା ଧରିତ୍ରୀ, ନିତିଦିନ, ସକାଳ, ସମ୍ବାଦ, ସମାଜ, ପ୍ରମେୟ, ପ୍ରଗତିବାଦୀରେ ପ୍ରକାଶିତ ।