ଡଃ ବିଭୁଦତ୍ତ ନାୟକ
ଉଡ଼ ପକ୍ଷିଣୀ
ଯେତେଦୂର ପାରିବୁ, ତୁ ଉଡ଼ !
ଏଇ ଉନ୍ମୁକ୍ତ ବିସ୍ତୀର୍ଣ୍ଣ ଆକାଶ
ବିଶାଳ ପୃଥିବୀରୁ ଅନ୍ତରୀକ୍ଷ
ସବୁ ତୋର, କେବଳ ତୋର …
ମୋର ସବୁତକ ଶୁଭେଚ୍ଛା ନେ,
ନିଜ ଉପରେ ଭରସା ରଖ
ତୁ ନିଶ୍ଚେ ପାରିବୁ, ମନ ଦୃଢ଼ କର !
ତୁ ଉଡ଼ ପକ୍ଷିଣୀ
ତୁ ଉଡ଼, ପାରିବୁ ଯେତେଦୂର !
ହେଲେ, ସତର୍କ ଥିବୁ ପକ୍ଷିଣୀ !
ଯାହା ତୁ ଦେଖିବୁ ଶୁଣିବୁ
ସବୁ ସତ ମଣିବୁନି,
ତୁ କି ଜାଣୁ, ତୋ ଉପରେ
କେତେ ଯେ ଲୋଲୁପ ନଜର …
ଯେତେ ଦୂରେ ଉଡ଼ିଲେ ବି ତୁ
ରଖନ୍ତି ତୋ ଟିକିନିଖି ବେଭାର,
ହୁଏତ ତୁ ଜାଣୁନାହୁଁ
ବଟା ରାଇ ବେସର ତୋ ପାଇଁ
କେତେ ଜନ୍ମାନ୍ତରର ଭୋକ କେଜାଣି
ତୋତେ ଯେତେ ଖାଇଲେ ବି
ସେମାନଙ୍କ ଭୋକ କେବେ ମେଣ୍ଟିବ ନାହିଁ ।
ଧ୍ୟାନ ରଖିଥିବୁ ପକ୍ଷିଣୀ !
ନକ୍ତଚରମାନଙ୍କ ଦୌରାତ୍ମ୍ଯ
ଏଠି କିଛି ଊଣା ନାହିଁ,
କେତେବେଳେ କେଉଁ ବାଜପକ୍ଷୀ
ତୋ ଗୀତକୁ ଖୁବ୍ ମିଠା କହିବ
ତୋ ଡେଣାର ଦୈର୍ଘ୍ଯ ପ୍ରସ୍ଥକୁ
ଭୂୟସୀ ପ୍ରଶଂସିବ,
ତୋ ରୂପ ଗୁଣକୁ ବର୍ଣ୍ଣି
ରଚିବ ବିଥୀକା ଅୟୁତେ ଛନ୍ଦର
ନୀଳବର୍ଣ୍ଣ ତୋ ଗ୍ରୀବାର ନେଇ
କଥାଦେବ, ଆଙ୍କିବ ଇନ୍ଦ୍ରଧନୁର ଶତଧାର ।
ତୁ ଅତି ନିରୀହ ଲୋ ପକ୍ଷିଣୀ !
ଶଠ ବ୍ୟାଧମାନେ ଫାନ୍ଦିଥାଆନ୍ତି ଯେଉଁ ଫାଶ
ତାକୁ ତୁ ବୁଝିପାରିବୁନି ଲେଶ,
ଲୋଭନୀୟ ଯେତେକ ତଣ୍ଡୁଳ କଣିକା
ସେ ତ ପ୍ରତାରଣାର କୁହେଳିକା…
ଧରାଦେବୁ ଭରସି ହାତେ ଯେବେ
ନରମ ଦେହକୁ ତୋର
ତତକ୍ଷଣାତ୍ ବିପକ୍ଷ କରିବେ,
ଛଟପଟେଇବୁ ଯେତିକି ତୁ
ସେମାନେ ସେତିକି ଉଲ୍ଲସିବେ ।
ତୁ କେବେ ଭାବିବୁନି ପକ୍ଷିଣୀ
ଉଡିବୁ ତୁ ଏତେ ଉପର ଯେ
ଶିଖରକୁ କାହା ହାତ ପାଇବନି,
ସେମାନଙ୍କ ହାତପାହାନ୍ତାରୁ ଦୂର
କେବେ ତୁ ଯାଇ ପାରିବୁନି,
ତୋ ପାଇଁ ସରିଲାଣି ଲେଖା
ନାନାବାୟା ଗୀତ …
ପ୍ରଲୋଭନର ସୁଆଙ୍ଗ
ତୋ ବଧର ଉତ୍ସବ ସଙ୍ଗୀତ,
କିଏ ଜାଣେ, ଏଇ ହେବ ତୋର
ଅନ୍ତିମ ଉଡ଼ାଣ
ତୋ କଳ୍ପନାର ଯବନିକା ପାତ ।
ତଥାପି ତୁ ଉଡ଼ ପକ୍ଷିଣୀ
ଯେତେଦୂର ପାରିବୁ, ତୁ ଉଡ଼ !
ଦେଖ, ଦିଗନ୍ତ ସେପାରିରେ
ତୋ ଈପ୍ସିତ ପୃଥିବୀ
ଡାକୁଛି ତୋତେ ହାତ ଠାରି
ହୁଏତ ଗଢିପାରିବୁ ତୁ
ତୋ ସ୍ଵପ୍ନର ଏକାନ୍ତ ଅଳକାପୁରୀ,
ତୁ ଉଡ଼ ପକ୍ଷିଣୀ
ଯେତେଦୂର ପାରିବୁ, ତୁ ଉଡ଼ !
ପାଟଣା, ବିହାର
ଲେଖକ ପରିଚୟ
ମନର ଭାବନାକୁ, ଚିନ୍ତନକୁ, ବେଦନାକୁ କବିତା ଭଳି କିଛି ପଂକ୍ତିରେ ପ୍ରକାଶ କରିବାକୁ ଭଲ ପାଉଥିବା ମଣିଷଟିଏ କବି ଡଃ ବିଭୁଦତ୍ତ ନାୟକ । ଗଂଜାମ ଜିଲ୍ଲାର ଏକ ଛୋଟ ଗାଁରେ ସାହିତ୍ୟରେ ରୁଚି ରଖିଥିବା ଏକ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ଜନ୍ମିତ ଛାତ୍ର ଜୀବନରୁ ସାହିତ୍ୟ ପ୍ରତି ଆକୃଷ୍ଟ ଥିଲେ ମଧ୍ୟ ବିଳମ୍ବରେ ଲେଖିବା ଆରମ୍ଭ କରନ୍ତି I ସେ ଇତି ମଧ୍ୟରେ ଚାରୋଟି କବିତା ସଂକଳନ ଏବଂ ଗୋଟିଏ ଗଳ୍ପ ସଂକଳନ ରଚନା କରିଛନ୍ତି I “ନିଃଶବ୍ଦର ଶବ୍ଦ” (୨୦୧୯) ତାଙ୍କର ପ୍ରଥମ କବିତା ସଙ୍କଳନ I ଜୀବନର ଯାବତୀୟ କର୍ମମୟତାରେ ବ୍ୟସ୍ତ ରହିବା ସତ୍ତ୍ୱେ ସେ ନିରନ୍ତର ନିଜ ଲେଖା ଜାରି ରଖିଛନ୍ତି I “ତୁମେ ଆସିବ ବୋଲି” (୨୦୨୧) “ଝର୍କା ପାଖର ଏକଲା ମଣିଷ” (୨୦୨୨) ଏବଂ “ଏଇ” (୨୦୨୪) ତାଙ୍କର ଅନ୍ୟ କବିତା ସଂକଳନ ଓ “କୂଅ କିଆରି” (୨୦୨୩) ପ୍ରଥମ ଗଳ୍ପ ସଙ୍କଳନ I