ଅଭିଜିତ୍ ସାହୁ
ଲମ୍ବୋଦର ନାୟକ, ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅଧୀନରେ ଥିବା କୁଟୁରା ଅନ୍ତର୍ଗତ ଛଣପୁର ଗାଁରେ | ପେସାରେ ଶିକ୍ଷକ, ସ୍ୱଭାବରେ ଜଣେ ସଚ୍ଚୋଟ ଲୋକ ଓ କିନ୍ତୁ ଟିକେ ରାଗୀ । ସବୁ ଜିନିଷ ଠିକ ସମୟରେ ହେବ, ସେ ସକାଳୁ ଉଠିବା ହେଉ, ପ୍ରତ୍ୟୁଷରୁ ଉଠି ଚାଲିବା ସମୟ, ଚା’ ପିଇବା ସମୟ, ଗଛରେ ପାଣିଦେବା ସମୟ ସବୁ ନିର୍ଦ୍ଧାରିତ ସମୟରେ ହେବା କଥା ହେବ । ସୂର୍ଯ୍ୟ କେଉଁଦିନ ପାଗର ବାହାନା ଦେଇ ଉଇଁବାରେ ବିଳମ୍ବ କରିଦେବ କିନ୍ତୁ ଲମ୍ବୋଦର ବାବୁଙ୍କ ଦିନଚର୍ଯ୍ୟା ଏପଟସେପଟ ହେବନି । ସ୍ତ୍ରୀଙ୍କ ନାଁ ରୁକ୍ମଣୀ ନାୟକ, ପୂରା ଗାଁ ଯାକର ଲୋକେ ଦିଦି ଦିଦି ଡାକନ୍ତି । ରୁକ୍ମଣୀ ଦେବୀ ପେସାରେ ଶିକ୍ଷୟତ୍ରୀ ନୁହଁନ୍ତି, ଘରଣୀ । କିନ୍ତୁ ଯେହେତୁ ଲମ୍ବୋଦର ବାବୁ ଆଖପାଖ ପାଞ୍ଚ ଗାଁରେ ଥିବା ଗୋଦାବରୀଶ ବିଦ୍ୟାପୀଠର ପ୍ରଧାନଶିକ୍ଷକ, ସବୁ ଗାଁ ଲୋକେ ରୁକ୍ମଣୀ ଦେବୀଙ୍କୁ ଦିଦି ବୋଲି ଡାକନ୍ତି । ଲମ୍ବୋଦର ବାବୁ ୧୯୮୫ରେ ଚାକିରି ପାଇଲେ, ଆଉ ୧୯୯୨ ମସିହାରେ ବାହାହେଲେ । ତାଙ୍କର ସାନ ଭଉଣୀଟିଏ, ନାମ ତାଙ୍କର ସୌଦାମିନୀ ନାୟକ । ପିଲାଦିନ ଏତେ ସହଜ ନଥିଲା, ମା ଛୋଟବେଳୁ ନାହାନ୍ତି ଆଉ କଲେଜ ପଢିବାବେଳେ ବାପା ଆରପାରିକୁ ଚାଲି ଯାଇଥିଲେ । ସେବେଠାରୁ ସାନ ଭଉଣୀ ସୌଦାମିନୀର ଖାଇବାପିଇବା ବୁଝିବା ସହ ସେବେକାର ଯୁଗରେ ପିଜି କରିବା ଯାଏଁ ପଢିଥିଲେ । ଭାରି ସ୍ୱାଭିମାନୀ ଲୋକ ଲମ୍ବୋଦର ବାବୁ, ତାଙ୍କ ଭଉଣୀ ବାହାଘର ବେଳେ କାହା ପାଖରେ ହାତ ପତେଇ ନଥିଲେ । ପାଖରେ ରହିବେ ବୋଲି ବହୁ ଖୋଜାଖୋଜି ପରେ ଭଉଣୀ ସୌଦାମିନୀର ବାହାଘର ବି ସେହି ବାଲେଶ୍ୱରରେ ହିଁ କରିଥିଲେ । ସୌଦାମିନୀ ଦେବୀଙ୍କ ସ୍ୱାମୀଙ୍କ ନାମ ବିଶ୍ୱାଳ ମହାନ୍ତି, ରେଲୱେରେ କାମ କରନ୍ତି । ବିଶ୍ୱାଳ ବାବୁ ଦେଖିବାକୁ ଯେମିତି ବଳବାନ ମନ ଭିତରୁ ବି ସେମିତି ଦୃଢ, ଉଚ୍ଚତା ୬ ଫୁଟ ପରେ ହେବ ଆଉ ସ୍ୱାସ୍ଥ୍ୟ ମଧ୍ୟ ଭାରି ବଢିଆ । ସବୁବେଳେ ହସହସ ମୁହଁ, ଯେତେ ପ୍ରତିକୂଳ ପରିସ୍ଥିତି ଥାଉ ପଛକେ ତାଙ୍କ ମୋଟା ନିଶ ତଳେ ଥିବ ଏକ ସ୍ମିତହାସ୍ୟ ଓ ପରିସ୍ଥିତି ସହ ଲଢ଼ିବା ପାଇଁ ସାମର୍ଥ୍ୟ । ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ତେଲେଙ୍ଗା ସାହି ଅନ୍ତର୍ଗତ ରେଲୱେ କଲୋନୀରେ ତାଙ୍କ ଘର । ଉଭୟଙ୍କ ଘର ମଧ୍ୟରେ ବ୍ୟବଧାନ ମାତ୍ର ୮ କିଲୋମିଟର, ମୋଟେ ୨୦ ମିନିଟର ରାସ୍ତା । ୧୯୯୫ ରେ ଭଉଣୀ ବାହାଘର, ଆଉ ସେହି ବର୍ଷ ଲମ୍ବୋଦର ବାବୁଙ୍କର ପୁଅ ମାନସର ଜନ୍ମ । ମାନସ ଜନ୍ମ ପରେ ଗୋଟେ ବଡ଼ ଭୋଜି ଦେଇଥିଲେ ଲମ୍ବୋଦର ବାବୁ, ଆଖପାଖ ଗାଁରୁ ପ୍ରାୟ ୨୦୦୦ ଲୋକ ଭୋଜି ଖାଇଥିଲେ । ୧୯୯୬ରେ ସୌଦାମିନୀ ଦେବୀଙ୍କ ଔରସରୁ ଜନ୍ମ ହେଲା ବିଶୁ, ଭଲ ନାଁ ବିଶ୍ୱଜିତ ମହାନ୍ତି ।
ବିଶୁ ଓ ମାନସ ଛୋଟ ବେଳୁ ହିଁ ବହୁତ ଅଧିକ ସମୟ ବିତେଇବାକୁ ଲାଗିଲେ । ଦୁଇ ପରିବାର ମଧ୍ୟରେ ଭାରି ଭଲ ସମ୍ପର୍କ । ବିଶୁର ମାମୁଁଘର ଓ ମାନସର ପିଉସୀ ଘର ଯିବା କ୍ରମାଗତ ଭାବେ ଲାଗି ରହିଥିଲା, କିନ୍ତୁ ମାନସର ପିଉସୀ ଘର ଆସିବାର ସଂଖ୍ୟା ଟିକେ ଅଧିକ ଥିଲା । ଏକାଭଳି ଡ୍ରେସ ପିନ୍ଧିବାଠାରୁ ଆରମ୍ଭ କରି ସାଙ୍ଗରେ ଖେଳିବା, ମେଳା ଯିବା, ଘରେ ପାଠ ପଢିବା, ସାଙ୍ଗ ହୋଇ କାର୍ଟୁନ ଦେଖିବା, ଭିଡ଼ିଓ ଗେମ ଖେଳିବା ସବୁ ଜିନିଷରେ ବିଶୁ-ମାନସର ଯୋଡ଼ି ଜଗା-ବଳିଆ ଭଳି ଥିଲା । ଧିରେଧିରେ ଦୁହେଁ ବଡ଼ ହେଲେ, ସ୍କୁଲ ଗଲେ । ବିଶୁ ଟିକେ ବିଳମ୍ବରେ ପାଠ ପଢିବା ଆରମ୍ଭ କଲା, ଦୁହେଁ ଆଗ-ପଛ ବ୍ୟାଚ କିନ୍ତୁ ସ୍କୁଲ ଅଲଗା । ମାନସ ଲମ୍ବୋଦର ବାବୁ ହେଡମାଷ୍ଟର ଥିବା ଗୋଦାବରୀଶ ବିଦ୍ୟାପୀଠରେ ନାମ ଲେଖେଇଲା ବା ଲେଖାଗଲା କହିଲେ ଭଲ ହେବ । ଆଉ ବିଶୁ ଗଲା ଇଂରାଜୀ ମିଡ଼ିଅମ ସ୍କୁଲ, ଡିଏଭି ପବ୍ଲିକ ସ୍କୁଲ । ଦୁଇଟି ପରିବାର, କିନ୍ତୁ ଦୁଇ ପରିବାରର ହାବଭାବ, ଚାଲିଚଳନ, ରହଣି, ଜୀବନଯାପନ ଶୈଳୀ ଭିତରେ ଆକାଶ ପାତାଳ ଫରକ । ବିଶୁ ପାଠ ପଢିବା ସହିତ, ମ୍ୟୁଜିକ୍ କ୍ଲାସ୍, ଖେଳକୁଦ, ଭିଡିଓ ଗେମ୍, ସ୍ଵିମିଂ କ୍ଲାସ୍ ଯାଉଥିଲା । କିନ୍ତୁ ମାନସକୁ ସ୍କୁଲ୍ ବ୍ୟତୀତ ଯିବାକୁ ପଡୁଥିଲା ଦୁଇ ଦୁଇଟି ଟିୟୁସନ୍ । ସକାଳେ ନିଜ ଘରେ ବାପାଙ୍କ ପାଖକୁ ଆସୁଥିବା ପିଲାଙ୍କ ଗହଣରେ ବସିବାକୁ ପଡୁଥିଲା । ଆଉ ଅପରାହ୍ନରେ ଭୂଗୋଳ, ଇତିହାସ ଓ ସାହିତ୍ୟ ପଢିବାକୁ ଆଉ ଗୋଟିଏ ଜାଗାକୁ ଯାଉଥିଲା । ମାନସର ଉଠିବା ସମୟ ସକାଳ ୬ ଟା ମାନେ ୬ ଟା, ଆଉ ବିଶୁର ଉଠିବା ସମୟ ସେମିତି କିଛି ଠିକ୍ ନାହିଁ । ବିଶୁର ଯାହା ସୁବିଧା ଅସୁବିଧା ସେ ତା ବାପା ବିଶ୍ଵାଳ ବାବୁଙ୍କୁ ସବୁ କୁହେ । ସ୍କୁଲରେ କଣ ହେଲା, କଉ ଦିନ କ୍ରିକେଟ୍ ମ୍ୟାଚରେ ସେ ସେଞ୍ଚୁରୀ ମାରିଲା, ସବୁ କିଛି । ସେପଟେ ସ୍କୁଲ୍ ପିକନିକ୍ ଗୋଟେ ଯିବା ପାଇଁ ମାନସକୁ ପ୍ରଥମେ ବୋଉ ରୁକ୍ମଣୀ ଦେବୀଙ୍କୁ କହିବାକୁ ପଡୁଥିଲା, ରୁକ୍ମଣୀ ଦେବୀ ଲମ୍ବୋଦର ବାବୁଙ୍କୁ ବୁଝାଇବା ପରେ ହିଁ ଯାଇ ଅନୁମତି ମିଳୁଥିଲା । ମାନସ ବାପାଙ୍କୁ ଭାରି ଡରୁଥିଲା, ସବୁ କଥା ବାପାଙ୍କ ପାଖରେ ରୁକ୍ମଣୀ ଦେବୀଙ୍କ ଦ୍ଵାରା ହିଁ ପହଞ୍ଚୁଥିଲା । ମାନସ ଯେବେ ବି ପିଉସୀ ଘରକୁ ଯାଉଥିଲା, ପିଉସୀ ତାକୁ ନାନା ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ଖୁଆଇବା ସହ ପିଉସା ଦୁଇ ପିଲାଙ୍କୁ ନେଇ ସପିଙ୍ଗ ମଲ୍ ବୁଲେଇ ନିଅନ୍ତି, ପାର୍କ ଯାଆନ୍ତି ଓ ପିଜା ବର୍ଗର ଖୁଆନ୍ତି । ବିଶୁ ମାନସକୁ ନେଇ ଖେଳିବାକୁ ଯାଏ, ମାନସ କ୍ରିକେଟ୍ ଏତେ ଖେଳିବାକୁ ସୁଯୋଗ ପାଏନି କିନ୍ତୁ ବୋଲିଂ ବହୁତ ଭଲ କରେ । ୟା’ଛଡ଼ା ମାନସ ଭଲିବଲ୍ ବହୁତ ଭଲ ଖେଳେ, କିନ୍ତୁ ସୁଯୋଗ ହିଁ ମିଳେନି ଖେଳିବାକୁ ବେଶି । ଯେବେଯେବେ ମାନସ ବିଶୁ ପାଖରେ ଥାଏ, ମୁକ୍ତ ଆକାଶର ବିହଙ୍ଗ ବୋଲି ମନେକରେ । ଯେବେ ଘରକୁ ଫେରେ, ପୁଣି ଆରମ୍ଭ ହୋଇଯାଏ ତାର ସେଇ ବନ୍ଦୀ ଜୀବନ ।
ଏହିଭଳି ଭାବରେ ୧୫ ବର୍ଷ ବିତିଗଲା । ଦଶମ ଶ୍ରେଣୀ ପରୀକ୍ଷା ଫଳ ଆସିଥାଏ, ମାନସ ଷ୍ଟେଟ୍ ବୋର୍ଡରେ ୯୫ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଚତୁର୍ଥ ସ୍ଥାନରେ ରହିଥିଲା । ତାପର ବର୍ଷ ବିଶୁର ଦଶମ ପରୀକ୍ଷା, CBSE ବୋର୍ଡରେ ବିଶୁ ରଖିଥାଏ ୮.୫ ସିଜିପିଏ । ଏଇଠୁ ଦୁହିଁଙ୍କର ରାସ୍ତା ଅଲଗା ହେଲା । ମାନସକୁ ପଚରା ଯାଇନଥିଲା, ତୁ ପଢ଼ିବୁ କଣ ? ଲମ୍ବୋଦର ବାବୁ ସିଧା ତାର ଆଡ଼ମିଶନ କରିଦେଇ ଆସିଥିଲେ କଟକ ଏକ ଘରୋଇ ବିଜ୍ଞାନ କଲେଜରେ । ସେପଟେ ବିଶୁ ବାପାଙ୍କୁ କହି ରଖିଥିଲା କି ତାର ବିଜ୍ଞାନ ପାଇଁ ସେଭଳି ଆଗ୍ରହ ନାହିଁ, ବାଣିଜ୍ୟ ବିଭାଗରେ ପଢିଲା ସେ ବାଲେଶ୍ଵରର ହିଁ ଗୋଟିଏ ସରକାରୀ କଲେଜରେ । ବିଜ୍ଞାନ ନେବା ଦିନରୁ ହିଁ ଲମ୍ବୋଦର ବାବୁ ଆଇଆଇଟିର ଚାପ ପକେଇ ଚାଲିଲେ ମାନସ ଉପରେ । ମାନସ ଯେତିକି ପରିଶ୍ରମ ନିଜ ଭବିଷ୍ୟତ ପାଇଁ କରୁନଥିଲା, ସେତିକି ପରିଶ୍ରମ ବାପାଙ୍କ ଡରରେ କରୁଥିଲା । ବିଶୁ ଯୁକ୍ତ ୨ ପରେ, ଯୁକ୍ତ ୩ ରେ ନାମ ଲେଖାଇଲା, ସେହି ବାଣିଜ୍ୟ ବିଭାଗରେ । ସେ ଧିରେଧିରେ ମନସ୍ଥ କରି ସାରିଥିଲା କି ତାକୁ ଏହା ପରେ ଏମବିଏ କରିବାର ଅଛି ଫାଇନାନସରେ । ବାପା ବିଶ୍ଵାଳ ବାବୁ ଓ ମା ସୌଦାମିନୀ ଦେବୀଙ୍କ ବିଶୁ ନିଷ୍ପତ୍ତି ଉପରେ ପୂର୍ଣ୍ଣ ସମର୍ଥନ ରହିଥିଲା । ସେପଟେ ମାନସର JEE main ଓ Advance ପ୍ରବେଶିକା ପରୀକ୍ଷାର ସ୍କୋର ହିସାବରେ NIT Rourkela କଲେଜରେ ଆଡ଼ମିଶନ ହେଲା ଓ ସେ IT ବିଭାଗରେ ଇଞ୍ଜିନିୟରିଂ କରିବାକୁ ଲାଗିଲା । ଯେଉଁଦିନ ମାନସକୁ ରାଉରକେଲା ଛାଡ଼ିବାକୁ ଲମ୍ବୋଦର ବାବୁ ଓ ରୁକ୍ମିଣୀ ଦେବୀ ଆସିଥିଲେ, ଟ୍ରେନ୍ ଥିଲା ୧୨:୩୦ ଘଟିକାରେ, ଆଉ ନାୟକ ବାବୁଙ୍କ ପରିବାର ୧୦:୩୦ ରୁ ଷ୍ଟେସନରେ । କହିବା ବାହୁଲ୍ୟ ଯେ ଲମ୍ବୋଦର ବାବୁ ସମୟକୁ ନେଇ କେତେ ତତ୍ପର । ସେ ଯାହାହେଉ ସେଦିନ ରୁକ୍ମିଣୀ ଦେବୀ ଭାରି କାନ୍ଦୁଥିଲେ, ପୁଅ ୨ ବର୍ଷ ଘର ଛାଡ଼ି ରହିଲାଣି, ପୁଣି ୪ ବର୍ଷ ପାଇଁ ବାହାରକୁ ଯିବ ଏବେ । ଲମ୍ବୋଦର ବାବୁ ଗୋଟିଏ ହିଁ କଥା କହିଲେ କି କଷ୍ଟ ନକଲେ, ଘର ଛାଡ଼ି ବାହାରକୁ ନଗଲେ, ସଂଘର୍ଷ ନକଲେ ସଫଳତା ମିଳିବ କୁଆଡୁ । ବିଶୁର ଗ୍ରାଜୁଏସନ୍ ସରିଲା, ଗୋଟିଏ ବର୍ଷ ସେ CAT ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ଗଲା ଓ ପରବର୍ଷ CAT ପରୀକ୍ଷାରେ ୮୮ ପର୍ସେଣ୍ଟାଇଲ ରଖିଲା । ମାର୍କ ଅନୁଯାୟୀ ତାକୁ ବାଙ୍ଗାଲୋରର ଏକ ପ୍ରାଇଭେଟ୍ କଲେଜରେ ଆଡ଼ମିଶନ ମିଳିଲା । ବିଶ୍ଵାଳ ବାବୁ ଭାରି ଖୁସି, କାରଣ କଲେଜଟି ଫାଇନାନସ ପାଇଁ ଏକ ଭଲ ବିକଳ୍ପଟିଏ ଓ ବିଶୁ ଟାର୍ଗେଟ କରିଥିବା କଲେଜମାନଙ୍କ ଭିତରୁ ଗୋଟିଏ ଥିଲା ।
ଏବେ ଟିକେ ବର୍ତ୍ତମାନକୁ ଆସିଯିବା । ସମୟର ଡଙ୍ଗାରେ ଆମେ କୂଳରୁ ଆଉ ଟିକେ ଦୂରକୁ ପଳେଇ ଆସିଛେ, ପୂରାପୂରି ମଝି ନଈ କହିଲେ ଅତ୍ୟୁକ୍ତି ହୋଇଯିବ । ଯେଉଁ କୂଳରୁ ଡଙ୍ଗା ଛାଡିଥିଲା ସେଠୁ ୩୭%, ଆଉ ଆର ପାରିଠାରୁ ୬୩% । ଏବେ ଲମ୍ବୋଦର ବାବୁଙ୍କ ଜୀବନର କାର୍ଯ୍ୟସୂଚୀରେ ଆଉ ଏକ ଛୋଟିଆ କାମ ଯୋଡ଼ି ହୋଇଯାଇଛି; ପ୍ରତି ରବିବାର ସକାଳେ ନିଶକୁ କଳା କରିବା । ମାନସ ଏବେ ଚାକିରି କଲାଣି, ବାପଆଟଲା (ଆନ୍ଧ୍ରପ୍ରଦେଶ) ରେ ତାର ଅଫିସ୍ । ଗୋଟିଏ ତେଲୁଗୁ ସହରର ପାଣି ପବନ ସହ ନିଜକୁ ଖାପଖୁଆଇବାକୁ ଚେଷ୍ଟା କରୁଛି ମାନସ । ଦରମା ମାସକୁ ୭୫୦୦୦, ଲମ୍ବୋଦର ବାବୁ ଭାରି ଖୁସି । ଯିଏ ପଚାରୁଛି ଗର୍ବର ସହ କହୁଛନ୍ତି ପୁଅ ମୋର କୋଡ଼ିଂ କରୁଛି, ତୁମେ ଫୋନରେ ଯଉ ଆପ୍ଲିକେସନ୍ ସବୁ ଚଲାଉଛ ମୋ ପୁଅ ସେସବୁ ବନାଉଛି । ସେପଟେ ବିଶୁର ଏମବିଏ ସରିବା ଉପରେ, ଆଉ ଗୋଟିଏ ଟ୍ରାଇମିଷ୍ଟାର ବାକି ଅଛି ବାସ୍ । ଖୁସିର କଥା ହେଉଛି ଯେ ବିଶୁର ବି କ୍ୟାମ୍ପସ ପ୍ଲେସମେଣ୍ଟ ରେ PWC ବୋଲି ଗୋଟିଏ କମ୍ପାନୀରେ ଜବ୍ ହୋଇ ଯାଇଛି । ଅଗଷ୍ଟ ୨ ରେ ତାର ଜଏନିଂ, କୋଲକାତାରେ । ବିଶୁ ୟା ଭିତରେ ଗୋଟିଏ ଝିଅକୁ ଭଲ ପାଇଛି, ଦିଲ୍ଲୀପଟର ଝିଅ ବୋଲି ସୌଦାମିନୀ ଦେବୀ କାଳେ ବାହାଘର ପାଇଁ ରାଜି ହେବେନି ସେଥିପାଇଁ ସେ ମାନସକୁ ବହୁ ଆଗରୁ କହିଛି । ମାନସ କଥା ତା ପିଉସୀ ନିଶ୍ଚୟ ଶୁଣିବେ, ବିଶୁର ଚାକିରିକୁ ଯାହା ଅପେକ୍ଷା ଥିଲା, ଏଇଥର ଘରକୁ ଗଲେ ମାନସ ପିଉସୀ ମାଙ୍କୁ ବୁଝେଇଦେବ ବୋଲି ଆଶ୍ୱାସନା ଦେଇଛି ସାନ ଭାଇକୁ । ଆସୁଛି ଓଡ଼ିଶାର ଜାତୀୟ ପର୍ବ ରଜ ଆଉ ୩ ଦିନ ପରେ ରଥଯାତ୍ରା । ବିଶୁ ମାନସ କଥା ହେଲେ ସାଙ୍ଗ ହୋଇ ଘରକୁ ଆସିବେ ଏକା ଟ୍ରେନରେ । ମାନସ ନୂଆନୂଆ ଜଏନ କରିଛି, ଛୁଟି ମିଳିବ ନମିଳିବ ଠିକ୍ ନାହିଁ ତଥାପି ଚେଷ୍ଟା କରିବ ବୋଲି ପ୍ରତିଶ୍ରୁତି ଦେଇଛି ସାନ ଭାଇ ବିଶୁକୁ । ବିଶୁ ମ୍ୟାନେଜର ବି ସମାନ କଥା କହିଲା, ଏବେ ବା ଜଏନ କରିଛ ଆଉ ଘରକୁ ଯିବା କଥା କହୁଛ; ଏତେ ଜଲ୍ଡି ଛୁଟି ମିଳିବନି । ବିଶୁ ବାଧ୍ୟ ହୋଇ ତା ରେଲୱେ କୋଟାରେ ଟିକେଟ କଲା ଆଉ କନ୍ଫର୍ମ ବି ହୋଇଗଲା । ମାନସ ଅଫିସରେ ଗୋଟିଏ ବାଲେଶ୍ଵର ଲୋକ ଥିଲେ, ଅଜିତ୍ ଦାସ । ମାନସ ତାଙ୍କ ସହ କଥା ହେବାରୁ ଜଣାପଡ଼ିଲା, ସେ ବ୍ୟକ୍ତି ଜଣକ ଲମ୍ବୋଦର ବାବୁଙ୍କ ଅଧୀନରେ ପାଠ ପଢ଼ିଥିଲେ । ଲମ୍ବୋଦର ବାବୁ ଥରେ ଫୋନ୍ ମାଧ୍ୟମରେ କଥାହେଲେ ଆଉ ଅଜିତ୍ ମାନସର ମ୍ୟାନେଜର ସହ ଥରେ କଥା ହେବ ବୋଲି କହିଲା । ଅଜିତ୍ କଥାବାର୍ତ୍ତା ପରେ ଶେଷରେ ଏହା ନିଷ୍ପତ୍ତି ହେଲା ଯେ ଯେହେତୁ ମାନସ ପ୍ରୋବେସନ୍ ରେ ଅଛି ଛୁଟି ତ ମିଳିପାରିବ ନାହିଁ, ୧୫-୨୦ ଦିନ ପର୍ଯ୍ୟନ୍ତ ୱର୍କ୍ ଫ୍ରମ୍ ହୋମ୍ (ଘରୁ କାମ କରିବା) ପାଇଁ ଅନୁମତି ମିଳିଗଲା । ଏବେ ଟିକେଟ ଦେଖିଲା ବେଳକୁ ସବୁ ୱେଟିଂ, ଯେହେତୁ ରଜ ପାଖେଇ ଆସିଲାଣି କନ୍ଫର୍ମ ହେବାର ସମ୍ଭାବନା ବି କ୍ଷୀଣ । ମାନସ ଅପେକ୍ଷା କରିଥିଲା ତତକାଳରେ ଟିକେଟ କରିବା ପାଇଁ, ସେପଟେ ବିଶୁକୁ ବି କହି ରଖିଥିଲା । ମାନସ ନିଜେ କରି ପାରିଲା ନାହିଁ, କିନ୍ତୁ ବିଶୁ ଚେଷ୍ଟା କରି ଗୋଟିଏ ଟିକେଟ ଥାର୍ଡ ଏସିରେ କରିଦେଲା । ଏବେ ଦୁଇ ଭାଇଙ୍କ ଖୁସି କହିଲେ ନସରେ, ବହୁତ ଦିନ ପରେ ଦୁହେଁ ଦେଖାହେବେ ଆଉ କଣ କରିବେ କୁଆଡେ ଯିବେ ସେ ସବୁର ବି ପ୍ଲାନିଂ ଆରମ୍ଭ ହୋଇଗଲା ।
ତାରିଖ ୧ ଜୁନ ୨୦୨୩ । ଯଶୋବନ୍ତପୁର ସୁପରଫାଷ୍ଟ ସକାଳ ଦଶଟା ତିରିଶ ମିନିଟ୍ ସମୟରେ ଏସଏମଭିଟି ବେଙ୍ଗାଲୁରୁ ଷ୍ଟେସନରୁ କୋଲକାତା ଅଭିମୁଖେ ଛାଡ଼ିଲା । ଶେଷଥର ଆସିଲେ ବହୁତ ଲଗେଜ ହୋଇଯିବ ବୋଲି, ବିଶୁ ଏଇ ଥର ହିଁ ତାର ଅଧିକାଂଶ ଜିନିଷ ହଷ୍ଟେଲରୁ ଘରକୁ ନେଇ ଆସୁଛି । ମାନସ ସେହି ଟ୍ରେନ୍ ରେ ବାପଆଟଲାରୁ ଉଠିବ, ପାଖାପାଖି ରାତି ୯ ଟା ବେଳେ । ଲମ୍ବୋଦର ବାବୁ ୨ ଦିନ ଆଗରୁ ଫୋନ୍ କରି କହିଛନ୍ତି ସେହି ଦିନ ହାଫ୍ ଡେ ନେଇଯିବୁ, ଆଉ ସନ୍ଧ୍ୟା ୬-୬:୩୦ ରୁ ଷ୍ଟେସନ୍ ପଳେଇବୁ । ଗାଡିମଟର କଥା, ହାତରେ ସବୁବେଳେ ସମୟ ରଖିବା ଭଲ । ମାନସର ଅଫିସ୍ ସମୟ ହେଉଛି ଦିନ ୧୧ ରୁ ସନ୍ଧ୍ୟା ୮ । ହାଫ୍ ଡେ ନେବା ସମ୍ଭବ ହୋଇ ପାରିଲା ନାହିଁ, କାମ ସରୁସରୁ ସନ୍ଧ୍ୟା ସାଢେ଼ ସାତଟା ହୋଇଗଲା । ମାନସ ତୁରନ୍ତ ଘରକୁ ଆସି ଡ୍ରେସ୍ ଚେଞ୍ଜ କରି କ୍ୟାବ୍ ବୁକ୍ କରି ଷ୍ଟେସନ୍ ବାହାରିଗଲା । ଯାଉଯାଉ ଗୋଟେ ଟ୍ରାଫିକ ଜାମ୍ ରେ ଫସିଗଲା । ସେପଟେ ଲମ୍ବୋଦର ବାବୁଙ୍କ ଘନଘନ ଫୋନ୍ । ଫୋନ୍ ଉଠେଇଲେ ଗାଳି ନଉଠେଇଲେ ପରେ ଆହୁରି ଗାଳି । ସାହାସ କରି ମାନସ କହିଲା, ଅଫିସ୍ କାମ ସରୁ ସରୁ ଲେଟ୍ ହୋଇଗଲା, ଏବେ ଯାଉଛି ଆଉ ୫ ମିନିଟ୍ ଭିତରେ ପହଞ୍ଚିଯିବି । ଲମ୍ବୋଦର ବାବୁ କହିଲେ ଟ୍ରେନ୍ ରେ ବସିକି କଲ୍ କରିବା ପାଇଁ । ଏପଟେ ଟ୍ରାଫିକ ଜାମ୍ ହଟିବାର ନଥାଏ । ଶେଷକୁ ଷ୍ଟେସନ୍ ପାଖାପାଖି ହୋଇ ଆସିବାବେଳେ, ମାନସ କ୍ୟାବ୍ ରୁ ଓହ୍ଲାଇ ଦୌଡ଼ି ଦୌଡ଼ି ପ୍ଲାଟଫର୍ମ ରେ ପହଞ୍ଚିଗଲା । ଟ୍ରେନ୍ ୩ ନମ୍ୱର୍ ପ୍ଲାଟଫର୍ମରେ ଥିଲାବେଳେ, ମାନସ ୧ ନମ୍ୱର୍ ପ୍ଲାଟଫର୍ମରେ । ମାନସ ବହୁତ ଚେଷ୍ଟା କଲା, ୨ ବଗି ଆଗରେ ଥିବା ବିଶୁ ବି ଗେଟ୍ ପାଖରେ ଠିଆ ହୋଇ ହାତ ଠାରି ଜଲଦି ଟ୍ରେନରେ ଚଢ଼ି ଯିବାକୁ କହୁଥିଲା । ହେଲେ ମାନସର ଟ୍ରେନ ମିସ୍ ହୋଇଗଲା । ବାପା ଫୋନ୍ ପରେ ଫୋନ୍ କରି ଚାଲିଛନ୍ତି । ମନଦୁଃଖ ଆଉ ଡର ଭିତରେ ଫୋନ କରି ସତ କହିଲା, ବହେ ଗାଳି ଶୁଣିଲା, ମନ ଦୁଃଖ କରି ଘରକୁ ଫେରିଲା ଓ ଶୋଇ ପଡିଲା । ପୂର୍ବାହ୍ନରେ ବିଶୁ ଭିଡିଓ କଲ କରିଥିଲା, ଦୁଇ ଭାଇ ଟିକେ ସମୟ କଥା ହେଲେ | ମାନସର ମନ ଭାରି ଦୁଃଖ, ଘରକୁ ଟିକେ ଯାଇଥାନ୍ତା ରଜ ପର୍ବରେ ବାଲେଶ୍ୱରରେ ଯାତ୍ରା ଓ ମେଳା ବି ହୁଏ । ନିଜ ଭାଗ୍ୟକୁ ଦୋଷ ଦେଇ ମାନସ ଅଫିସ ଗଲା । ପୁଣି ସନ୍ଧ୍ୟାରେ ବିଶୁ ଭିଡିଓ କଲ କରି ଖୁସିରେ ଗଦଗଦ ହୋଇ କହୁଥାଏ ଭଦ୍ରକ ପହଞ୍ଚିବ, ଆଉ ଘଣ୍ଟେ ପରେ ବାଲେଶ୍ୱର । ମାନସ ବି ନିଜ ଦୁଃଖ ଭୁଲି ହସି ହସି ଉପଦେଶ ଦେଲା ଭଳି ବିଶୁକୁ କହିଲା ଭଲରେ ଏନଜୟ କରିକି ଆସିବୁ, ଚାକିରି କଲାପରେ କଷ୍ଟ ହେଇଯାଏ ଜୀବନ । ଏହାପରେ ମାନସ ଅଫିସ କାମରେ ଲାଗିଗଲା ଓ କାମ ସାରି ଘରକୁ ଫେରିଲା । ଗାଧୁଆ ଘରୁ ବାହାରି, ଫୋନ ଟିକେ ଚଲାଉଥିଲା । ହଠାତ ବିଚଳିତ ହୋଇଉଠିଲା ସେହି ଖବର ଶୁଣି ଯଉଟା ସେ କେବେ ସ୍ୱପ୍ନରେ କଳ୍ପନା କରିନଥିଲା । ଯଶୋବନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନ, ଯେଉଁଥିରେ ବିଶୁ ବସିଥିଲା; ବସିଥିଲା କଣ ଆଉ ଘଣ୍ଟେ ପରେ ବାଲେଶ୍ୱରରେ ଓହ୍ଲେଇ ଥାଆନ୍ତା, ଟ୍ରେନଟି ଦୁର୍ଘଟଣା ଗ୍ରସ୍ତ ହୋଇଯାଇଛି । ଏଥିସହ ଚେନ୍ନାଇ ଅଭିମୁଖେ ଯାଉଥିବା ଅନ୍ୟ ଏକ ଟ୍ରେନ କରମଣ୍ଡଳ ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତ୍ୟ ସଂଖ୍ୟାର ଅପଡେଟ ପ୍ରତି ୫ ମିନିଟକୁ ବଢିବଢି ଚାଲୁଛି । ସେପଟେ ବିଶୁ ଫୋନ ଲାଗୁନି, ରିଙ୍ଗ ଯାଉଛି ହେଲେ କେହି ଉଠାଉ ନାହାନ୍ତି । ମାନସ ତରବର ହୋଇ ବୋଉକୁ କଲ କଲା, ବୋଉ କହିଲା ତୋ ବାପା ଓ ପିଉସା ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି, ବିଶୁର ଏଯାଏଁ କିଛି ଖୋଜ ଖବର ମିଳିନି । ବିଶୁର ଥିଲା A1 କୋଚ୍(GC କୋଚ୍ କୁ ଲାଗିକି) । ସେ ପାଖରୁ ମୃତଦେହ ଗୁଡିକୁ ଆଉ ଗୋଟେ ଘରକୁ ନିଆଯାଇ ରଖା ଯାଇଥିଲା । ବିଶୁ ବେକରେ ରୂପାର ଏକ ହନୁମାନ ଲକେଟ ଥିଲା, ବିଶ୍ୱାଳ ବାବୁ ଚିହ୍ନିପାରିଲେ ବିଶୁକୁ । ପ୍ୟାଣ୍ଟ ପକେଟରୁ ମନିପର୍ସ ବାହାର କରି ସେଥିରେ ଆଧାର କାର୍ଡ ଓ କଲେଜ ଆଇଡି ଦେଖି ବିଶ୍ୱାଳ ବାବୁ ହତବାକ ହୋଇଗଲେ । ଲମ୍ବୋଦର ବାବୁ ତାଙ୍କୁ ସମ୍ଭାଳି ଗୋଟିଏ ଜାଗାରେ ବସାଇଲେ ଓ ବିଶୁର ମରଶରୀର ଘରକୁ ନେବା ପାଇଁ ବ୍ୟବସ୍ଥା କଲେ । ରାତିଯାକ ସେଦିନ କେହି ଶୋଇ ନାହାନ୍ତି । ଭୋର ପାଞ୍ଚଟା ହେବ, ମାନସର ଟିକେ ଆଖି ଲାଗିଯାଇଥିଲା । ହଠାତ ତା ଫୋନ ବାଜି ଉଠିଲା ଓ ବୋଉ ସେ ପଟେ କାନ୍ଦିକାନ୍ଦି କହିଲେ ମାନସ ତୁ ଆଜି ଫ୍ଲାଇଟ ଟିକେଟ କରି ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ପଳେଇ ଆସେ । ମାନସ ପଦୁଟିଏ ପଚାରିଲାନି, ଧଡ଼ କିନା ବସି ପଡିଲା ତଳେ । ତା ଭାଇ ବିଶୁ ଆଉ ନାହିଁ, ତା ପିଲାଦିନର ସାଙ୍ଗ, ତା ଭାଇ, ତା ବେଷ୍ଟ ଫ୍ରେଣ୍ଡ ଯାହା ସହ ସେ ସବୁ କଥା ଶେୟାର କରେ ସେ ଆଉ ନାହିଁ । ମାନସ ତରବର ହୋଇ ପ୍ୟାକିଂ କଲା, ଫ୍ଲାଇଟରେ ଭୁବନେଶ୍ୱର ଆସିଲା ଓ ଘରେ ସନ୍ଧ୍ୟା ସୁଦ୍ଧା ପହଂଚିଗଲା । ଦାଣ୍ଡରେ ବିଶୁର ମରଶରୀର ପଡିଥାଏ, ମୁଁହର ଏମିତି ଅବସ୍ଥା ହୋଇଥାଏ ତାକୁ ପୂରା ଘୋଡ଼ା ହୋଇ ରଖାଯାଇଥାଏ । ମାନସ ପିଉସୀଙ୍କ ପାଖକୁ ଗଲା ଆଉ ଜୋରରେ ଚିତ୍କାର କରି କାନ୍ଦି ଉଠିଲା, ସୌଦାମିନୀ ଦେବୀଙ୍କ ଆଖିର ଲୁହ ମରୁଡିର ବିଲ ଭଳି ଶୁଖି ସାରିଥିଲା, ହେଲେ ମାନସକୁ ଦେଖି ସେ ଆଖି ଦୁଇରୁ ପୁଣି ଲୁହର ଧାର ଆରମ୍ଭ ହୋଇଗଲା । ବିଶ୍ୱାଳ ବାବୁ ସ୍ତବ୍ଧ ହୋଇ ଯାଇଛନ୍ତି, ଆଖିରେ ଲୁହ ନାହିଁ କିନ୍ତୁ ହୃଦୟ ବୋଧେ କାନ୍ଦି କାନ୍ଦି ହାଲିଆ ହୋଇ ଶୋଇପଡିଛି । ପଦୁଟିଏ ପଚାରିଲେ ଖାଲି ମାନସକୁ – ସେଠୁ କେତେବେଳେ ବାହାରିଲୁ ଆଉ କେତେଟା ବେଳ ଫ୍ଲାଇଟରେ ଆସିଲୁ । ମାନସ ୨୬ ବର୍ଷର ପିଲାଟିଏ, ବିଶୁ ଶବକୁ ଯେବେ କାନ୍ଧେଇ ନେଉଥିଲା, ତା କାନ୍ଧ ଜୀବନରେ ପ୍ରଥମଥର ପାଇଁ ଏତେ ଭାରି ଲାଗୁଥିଲା । ମାନସର ମନେ ପଡିଯାଉଥାଏ ପିଉସୀ ଘର ଗାଁ ଦୋଳ ପୁର୍ଣିମା ମେଲଣ ବେଳେ ପାଲିଙ୍କି ନେଇ ଗାଁ ବୁଲିଲା ବେଳେ ବିଶୁ ଆଉ ସେ କିଭଳି ଆଗପଟ ଭାର ସମ୍ଭାଳନ୍ତି । ବିଶୁର ଶବ ସତ୍କାର ସରିଲା, ସବୁ କାମ ସରୁ ସରୁ ସନ୍ଧ୍ୟା ହୋଇ ଯାଇଥାଏ । ବିଶ୍ୱାଳ ବାବୁ ଓ ସୌଦାମିନୀ ଦେବୀ ନିଜ ଘରକୁ ଗଲେ କାରଣ ବିଶ୍ୱାଳ ବାବୁଙ୍କ ବହୁ ସମ୍ପର୍କୀୟ ଘରକୁ ଆସିଥାନ୍ତି । କାହା ପାଟିକୁ ଖାଦ୍ୟ ଯାଇନି ସକାଳୁ । ଚୁଡ଼ା କଦଳୀ ଖିଆ ହେଲା, ଯେହେତୁ ରନ୍ଧା ଖାଦ୍ୟ ରୋଷେଇ ହେବନି ଓ ପରଦିନ ଠାରୁ ବେଳିକିଆ ଖିଆଯିବ । ହଲ ଘରେ ବୋଉ ପାଖରେ ମାନସ ବସିଥାଏ । ମାନସ ବୋଉକୁ କୁଂଢ଼େହି ପକେଇ କହିଲା ବୋଉ ମୁଁ ବଞ୍ଚିଗଲି ସିନା ବିଶୁକୁ ବଞ୍ଚେଇ ପାରିଲି ନାହିଁ । ଲୁହଭରା ଆଖିକୁ ମଳିମଳି ବୋଉ କହିଲା ଆମ ବିଶୁଟା ବି ତୋ ଭଳି ଟ୍ରେନଟା ମିସ କରି ଦେଇଥାନ୍ତା କି, ବିଶ୍ୱାଳ ବାବୁଙ୍କ ମେଘନାଦ ପାଚେରୀ ଭଳି ଛାତି ଆଜି ଭାଙ୍ଗି ପଡିନଥାନ୍ତା । ଏହି ସମୟରେ ଲମ୍ବୋଦର ବାବୁ ହଲ ରୁମକୁ ଆସିଲେ, ମୌନ ବ୍ରତ ପାଳନ କଲାଭଳି ପଦୁଟିଏ କହିଲେ ନାହିଁ । ମାନସ ମୁଣ୍ଡରେ ହାତ ବୁଲେଇ ଦେଇ ସେ ଜାଗାରୁ ଚାଲିଗଲେ । ଆଜି ଯାଏଁ ସେ ମାନସକୁ ଖାଲି ଗାଳି ହିଁ କରିଛନ୍ତି, ପ୍ରତି କଥାରେ ରୋକିଛନ୍ତି । ଛୋଟବେଳୁ ମାନସ ବାପାଙ୍କର ସବୁ କଥା ମାନି ଆସିଛି । ତାଙ୍କ ହିସାବରେ ଯଦି ଆଜି ମାନସ ୩ ଘଣ୍ଟା ଆଗରୁ ଷ୍ଟେସନ ବାହାରି ଆସିଥାନ୍ତା ତେବେ ହୁଏତ ଆଜି ସେ ଘର ଦାଣ୍ଡ ଆଗରେ ଆଉ ଗୋଟିଏ ମୃତଦେହ ଦେଖିଥାନ୍ତେ ।
ଖଣ୍ଡଗିରି, ମୋବାଇଲ – ୮୯୧୭୫୦୦୯୩୪, ଇମେଲ୍- sabhijit05@gmail.com
ଲେଖକ ପରିଚୟ
ଓଡ଼ିଆ ଭାଷାକୁ ସବୁବେଳେ ପ୍ରାଧାନ୍ୟ ଦେଇଆସିଛି । ନିଜ ମାତୃଭାଷା ପ୍ରତି ପ୍ରଗାଢ ପ୍ରେମ ଓ ସମ୍ମାନ ମୋର, ତାକୁ କିଭିଳି ଉଚ୍ଚକୁ ନେବି ସେନେଇ ସର୍ବଦା ପ୍ରଯତ୍ନ ଥାଏ । ମୋତେ ଭଲଲାଗେ କବିତା, ଗଳ୍ପ ଲେଖିବାକୁ ଏବଂ ପଢିବାକୁ । ଓଡ଼ିଶାର ଇତିହାସ,ସଂସ୍କୃତି ବିଷୟରେ ଜାଣିବାକୁ ସବୁବେଳେ ମନରେ ଜିଜ୍ଞାସା ରହିଥାଏ । ଭବିଷ୍ୟତରେ ଓଡ଼ିଆ ଭାଷା, ସାହିତ୍ୟ, କଳାକୃତି କିପରି ବିଶ୍ଵସ୍ତରରେ ଲୋକପ୍ରିୟ ହୋଇପାରିବ ସେନେଇ କିଛି କରିବାକୁ ମୋର ଇଚ୍ଛା ଓ ଉଦ୍ଦେଶ୍ୟ ।