ନୀଳିମା ନିବେଦିତା
ଝରକା ଦେଇ ପଶିଲା । ଆସି ଛୁଇଁଲା ମୁକୁଳା କେଶରାଜି । ତା’ପରେ ଧୀରେଧୀରେ ବଢିଲା ମୁହଁ ଆଡ଼େ । ଆଖି, ଗାଲ, ଓଠ ଦେଇ ଆଗେଇଲା । ଆଗେଇଲା ବେକ ଦେଇ ଦେହର ଅବଶିଷ୍ଟ ଅବୟବ ଆଡ଼କୁ । ତା’ ଉଷୁମ ସ୍ପର୍ଶ ଓ ଆଲିଙ୍ଗନକୁ ଏଡାଇବା ସମ୍ଭବ ନଥିଲା । ନ ଚାହିଁଲେ ବି ଖୋଲିବାକୁ ପଡିଲା ମୁଦ ଆଖି ।
– ଈଶ୍ ! ଏତେ ଖରା !!! ସମୟ କେତେ ହେଲାଣି କି ?
ନିଜକୁ ପଚାରିବାକୁ ହିଁ ପଡିବ, କାରଣ ଦିନ ନଅଟାବେଳେ ଘର ଚଳଚଞ୍ଚଳ ନିଜ ବାଟରେ । ଟେବୁଲ୍ ଉପରେ ଥିବା ଘଡ଼ି ବି ରଡି କରିକରି ଚୁପ୍ ପଡିସାରିଛି । ଆଉ ଯିଏ ଉତ୍ତେଜନା ଭରି ଜନ୍ମାଇଲା ଜୀବନ ଏ ଦେହରେ, ସିଏ ବି ଛିଗୁଲେଇ ହେଇ ହସୁଛି ଝରକା ବାହାର ମନ୍ଦାରଗଛ ପତ୍ର ଆଢୁଆଳରୁ । ଏବେ କ’ଣ କରିବ ଯେ ଲୀନା ? ଭିଡ଼ିମୋଡ଼ି ହେଲା । ହାଇ ମାରିଲା । ତକିଆ ତଳୁ ଫୋନ୍ ଉଣ୍ଡାଳିଲା । କ୍ଲଚରକୁ ଟାଣି ଆଣି ଚୁଟିରେ ଖୋସିଲା । ଭାବିଲା,
– ସମୟ ତ ଅନେକ ଅଛି ଏଗାର ବାଜିବା ଯାଏଁ । ତା’ଛଡ଼ା, ସମୟ ଥିଲା ଏଗାରଟା ଏଗାର । ମାନେ ଏଗାର ମିନିଟ ଏକ୍ସଟ୍ରା, ମାନେ ବୋନସ୍ । ତେବେ ତରବର କାଇଁ ଯେ?
– “ଆରେ, ଉଠିଲୁଣି ? ଯା’ ଗାଧେଇ ପଡି ମନ୍ଦିର ଯାଇ ଟିକେ ପୂଜା କରି ଆ’ ।“ ଧୂପ ବୁଲଉ ବୁଲଉ କହିଲେ, ବାପା । ହେଲେ ଲୀନା କେମିତି ବୁଝେଇବ ଯେ ଏଯାଏଁ ତ ସେ ସଂସାରକୁ ହିଁ ଆସିନି । ମା ଗର୍ଭର ସୁରକ୍ଷିତ ଓ ଆନନ୍ଦିତ ସ୍ଥିତି ଛାଡି ଆସିବାକୁ ବି ତାର ଆଦୌ ଇଚ୍ଛା ନାହିଁ ।
– “ମୋତେ ଟିକେ ମନ୍ଦିର ଯିବାର ଥିଲା, ହେଲେ ତୁ ତ ଯିବୁନି ସେକଥା ମୁଁ ଜାଣେ ।“ ମୁହଁ ଶୁଖେଇ ସୁନୟନା କହିଲାବେଳେ ଅପେକ୍ଷା କରିଥିଲେ ଲୀନାର ହଁ କୁ ।
– “ଚାଲୁନୁ”, ଲୀନା ଉତ୍ତର ଫେରେଇଲା । କାରଣ ଲୀନାର ତିରିଶି ବର୍ଷର ଅଭିଜ୍ଞତା କହୁଛି- “ମଣିଷ କେବେ ବି ଫେରେଇପାରେନା ମାର ମମତା, ଯଦିବି ସେ ସାରିଦେଇଥାଏ ତା ସମ୍ପୂର୍ଣ ଜୀବନ ସେବା ଓ ସ୍ନେହରେ ।”
ମଉଳି ଯାଇଥିବା ଫୁଲ କି କେବେ ପୁଣି ସତେଜ ହେବ ? କିନ୍ତୁ ହେଲା । ସେଦିନ ହେଲା । ତିରିଶି ପୁରି ଏକତିରିଶି ଚାଲିଲା ଲୀନାକୁ ଏସନ । ବାଇଶି ବର୍ଷ ତଳେ ଯିଏ ପୂଜା କରି କରି ପଥର ପାଲଟି ଯାଇଥିଲା, ସିଏ ଆଜି ତରଳିଲା ଓଠ ଦେଇ, ଆଖି ଦେଇ । ହଁ ମ ! ସୁନୟନା । ଲୀନାର ମା ।
– “ଚାଲୁନୁ ।” ଲୀନା ପୁଣିଥରେ ଦୋହରାଇଲା କଥା ।
ସ୍ଥାଣୁ ସୁନୟନା ଦେହରେ ଶିହରଣ ହେଲା କି କ’ଣ ? ହଲିଲା ପାଦ, ହଲିଲା ହାତର ଆଙ୍ଗୁଠିମାନ । ମିଟି ମିଟି ଆଖିରେ ଆଜି ଥିଲା ଏକ ଅଲଗା ଚମକ । ଓଠରେ ଧାରେ ହସ । ଦେଖୁ ଦେଖୁ, ସୁନୟନା ଉଠିବାର ପ୍ରୟାସରେ ହୁଇଲ ଚେୟାରକୁ ଧରିବା ଦେଖି, ଧୂପ ଓ ଘଣ୍ଟି ଫୋଫାଡି ଅତନୁ ଆସି ଧରି ପକାଇଲେ ତା’ ଖୁଆକୁ । ନିଷ୍ଠୁର ଓ ନିରବ ଅତନୁ ଆଜି ସୁନୟନାକୁ ସାହାରା ଦଉଥିଲେ, ତାକୁ ଠିଆ କରାଉଥିଲେ । ଲୀନା, ଅବାକ୍ । ଭାବୁଥିଲା, ଦୁଇଟା ପଥର ଏକାବେଳେ କେମିତି ଜୀବଦାନ୍ ପାଇଗଲେ ? ବାପାମା’ଙ୍କ ମିଳନରେ ସନ୍ତାନ ନା ସନ୍ତାନଟିଏର ଜନ୍ମରେ ହୁଏ ବାପାମା’ଙ୍କ ମିଳନ ???
କଳିଙ୍ଗ ବିହାର, ଭୁବନେଶ୍ୱର, ମୋ – ୯୬୬୮୯୯୬୩୮୯
ଲେଖକ ପରିଚୟ
ଯଦିଓ ୨୦୦୧ (ଯୁକ୍ତ ଦୁଇ ପଢାପଢି କଲାବେଳ)ରୁ ଲେଖାଲେଖି ଆରମ୍ଭ କରିଥିଲି, କିନ୍ତୁ ଲେଖକୀୟ ପରିଚୟ ମିଳିଲାବେଳକୁ ୨୦୧୧ । ମୋ ପାଇଁ ସୋସିଆଲ ମିଡ଼ିଆ ହିଁ ଏକ ମାତ୍ର ମାଧ୍ୟମ ଥିଲା, ପାଠକୀୟ ସ୍ୱୀକୃତି ପାଇବାକୁ । ତେବେ ଏହାପରେ ପରେ ଅନେକ ପତ୍ରପତ୍ରିକା, ଖବରକାଗଜ ଆଦିରେ ଲେଖା ପ୍ରକାଶିତ ହୋଇ ପାଠକୀୟ ଆଦୃତି ସାଉଁଟିଛି । ଦୁଇଖଣ୍ଡ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇସାରିଛି । ଆଉ ଏକ କବିତା ସଂକଳନ ପ୍ରକାଶିତ ହେବା ପଥରେ ।
ଶବ୍ଦ ଉପରେ ଦଖଲ ପ୍ରବଳ..କିରଣକୁ ଏତେ ସୁନ୍ଦର ଉପଭୋଗ କରି ଲେଖିବା କଳା ପ୍ରଶଂସନୀୟ…କୌଣସି ରହସ୍ୟ ଉପନ୍ୟାସରୁ ଫର୍ଦ୍ଦଟିଏ ପଢିଲା ଭଳି ଲାଗିଲା
ଆପଣଙ୍କ କେଇପଦ ଶବ୍ଦ ଗାଳ୍ପିକାଙ୍କୁ ଉତ୍ସାହିତ କରିବା ସହିତ ଆହୁରି ଲେଖିବାକୁ ପ୍ରେରଣା ବି ଦେବ । ଧନ୍ୟବାଦ