ଶ୍ରୀପାଳ ପଣ୍ଡା
ମନେ ଇଚ୍ଛାଙ୍କ କୋଳାହଳ
ଚାଲିବାକୁ ସମାଜ-ପରିଜନ ସହ
କାନ୍ଧରେ କାନ୍ଧ ମିଳାଇ !
ବାସ ! କେଇପାଦ ଚାଲିବା କିନ୍ତୁ
ଉପେକ୍ଷିତ, ଅଗ୍ରାହ୍ୟ, ଅଯୋଗ୍ୟ
ସେଇ ଭୟରେ ମୁଁ ଅସ୍ଥିର, ଅଶାନ୍ତ
ମୁଁ ନିଃସଙ୍ଗ ପଥର ପଥିକ !
କର୍ତ୍ତବ୍ୟ ପାଳନେ ଦେଖେ ନାହିଁ
କେବେ ଉଚ୍ଚନୀଚ୍ଚ କି ଛୋଟବଡ଼
ପର ଦୁଃଖ ଦେଖିପାରେ ନାହିଁ ଜମା
ହୋଇଯାଏ ବ୍ୟଥିତ …
ମାଗେ ନାହିଁ କାହା ଅନୁମତି !
ଧାଇଁଯାଏ ହୋଇ ତତ୍ପର …
ଶୁଣେନି କାହା କଥା, ନମାନେ କାହା ବାରଣ
ଲୋକଙ୍କ ମତରେ ମୁଁ ଅମାନିଆ, ଅଝଟ
ମୁଁ ନିଃସଙ୍ଗ ପଥର ପଥିକ !
ହେଇନି କେବେ କାହା ଦୟା ,
ଅନୁକମ୍ପା, ସମବେଦନାର ପାତ୍ର
ନଥାଏ ମୋ ପରଜନେ ଆଶ
ନିଜ ଶିଙ୍ଗେ ଭୂଇଁ ତାଡିବାରେ ବିଶ୍ୱାସ
ନିଜ ଡେଣା ବଳେ ମୁଁ ଜିଣିପାରେ ନଭ
ନହୁଏ ବିଚଳିତ, ମଜବୁତ୍ ମୋର ଦମ୍ଭ
ମୁଁ ନିଃସଙ୍ଗ ପଥର ପଥିକ !
ଜୀବନର ଅଙ୍କାବଙ୍କା ପଥେ
ନାହିଁ ମୋର କିଛି ଅଭିଯୋଗ
ଯଦି ଆସେ କିଛି ଘାତପ୍ରତିଘାତ
ନହୁଏ ଚିନ୍ତିତ ! ବୁଝେଇଦିଏ
ଅବୁଝା ମୋ ମନକୁ ବଢେଇ କିଛି
ସମ୍ଭାବନାର କଅଁଳ ଆଲୋକ …
ମୁଁ ନିଃସଙ୍ଗ ପଥର ପଥିକ !
ରଖି ଦେଖେ ନିଜକୁ ପୁଣି
ଅନ୍ୟର ହୃଦୟେ ! ଲାଗେନି କିଛି
ଭୁଲ କେବେ କିଏ କରିଛି କାହାର …
ସମସ୍ତେ ତ ଏଠି ଖାଲି
ଅବସ୍ଥା, ସଂଯୋଗ, ଦୁର୍ଯୋଗର ଦାସ !
ମୁଣ୍ଡ ନୁଆଇଁନି କେବେ, ଛିଡ଼ା ହେଇ
ସବୁ ସହେ, କରେନି ତର୍ଜମା …
ଚାଲିଯାଏ ଦେଇ କିଞ୍ଚିତ ସ୍ମିତ ହସ
ସେଇ ତ ନିରୀହ ନିଷ୍କପଟ ମଣିଷ !
ମୁଁ ନିଃସଙ୍ଗ ପଥର ପଥିକ !
ହଁ, ବେଳେବେଳେ ହୋଇଯାଏ ଏକା
ଖାଲି ତ ଏକା ନୁହେଁ, ସଂପୂର୍ଣ୍ଣ ଏକା
କରିନିଏ ନିଜକୁ ଅର୍ଜୁନ !
ନିଃସଙ୍ଗ ଏ ଜୀବନେ ଶ୍ରୀକୃଷ୍ଣ ମୋ ସଖା
ମୁଁ ବି ଲଢିପାରେ ଜୀବନ ମହାଭାରତ
ହୋଇ ନିରସ୍ତ୍ର, ନିର୍ବିକାର …
ମୁଁ ନିଃସଙ୍ଗ ପଥର ପଥିକ !
ସାଲେପାଲି , ଦେଓଗାଁ , ବଲାଙ୍ଗୀର
ଲେଖକ ପରିଚୟ
ଭାଷା ସାହିତ୍ୟର ସମୁଦ୍ରରେ ମୁଁ କେବଳ ପହଁରା ଶିଖୁଥିବା ଗୋଟେ କୁନି ମାଛ । ଆକାଶରେ ଉଡ଼ିବା ପାଇଁ ଡେଣା ମଜବୁତ୍ କରୁଥିବା ଛୋଟ ଚଢ଼େଇ । ଲେଖାଲେଖି କରେ ହେଲେ ଜଣେ ପାଠକ ପ୍ରଥମେ । ଜଞ୍ଜାଳିଆ ଜୀବନ ଭିତରେ କାଗଜ କଲମ ସହ ଟିକେ ମିଶି ଯାଇ ଖୋଜେ ଗୋଟେ ନୂଆ ଠିକଣା ।