ଅଧ୍ୟାପକ ଚିତ୍ତରଞ୍ଜନ ଦାସ
ଜୀବନର ଦାୟିତ୍ୱକୁ ଏଡ଼ାଇବା ପାଇଁ ଜୀବନର ମୂଲ୍ୟକୁ ଯଥାର୍ଥଭାବରେ ବୁଝି ନ ପାରି ମଣିଷ ଜୀବନଠାରୁ ଦୂରକୁ ପଳାଏ, ଏଇ କଥା ମୁଁ କାଲି କହିଛି । ସେଇଥିଲାଗି ସେ ମଦ ପିଏ, ରାତି କ୍ଲବକୁ ଯାଏ, ନିଶା ଖାଏ । ସେଇଥିଲାଗି ସିଏ ପଦେ ଅକଥ୍ୟ କଥା କହିବାରେ ବା ଶୁଣିବାରେ ଏତେ ସନ୍ତୋଷ ପାଏ; ଗୋଟାଏ ଅଶ୍ଳୀଳ ଦୃଶ୍ୟ ଦେଖିବାକୁ ସେ ଏତେ ଆଗ୍ରହ ପ୍ରକାଶ କରେ । ଏସବୁ ଭିତରେ ବୁଡି଼ରହି କ୍ଷଣକ ପାଇଁ ସେ ଭାବେ, ଜୀବନଟା ବେଶ୍ ମଜାରେ କଟିଯାଉଛି । କିନ୍ତୁ ତା’କି ହୁଏ?
ଜୀବନକୁ ଡରି ଜୀବନଠାରୁ ଦୂରକୁ ପଳାଇଲେ କେହି ଜୀବନର ସମସ୍ୟା ସମାଧାନ କରିପାରିବ ନାହିଁ । ଯିଏ ପଳାଇବ, ତା’ରି ଭିତରେ ତାର ବିବେକ ତାକୁ ଖାଇ ଗୋଡ଼ାଇବ । ଆପଣା ଭିତରର ଅସନ୍ତୋଷ ତାକୁ ସଦାସର୍ବଦା ସନ୍ତପ୍ତ ଓ ବିବଶ କରି ରଖିବ । ମଣିଷର ଅସଲ ଦାୟିତ୍ୱକୁ ଫାଙ୍କିଦେଇ ମୁହୂର୍ତ୍ତକର ଉତ୍ତେଜନାରେ ଭୁଲିରହିବା ଲାଗି ଇଉରୋପରେ ଅନେକ ବିଳାସସାମଗ୍ରୀ ଓ ବିନୋଦବ୍ୟସନର ଆଡ୍ଡା ଅନୁଷ୍ଠାନ ରହିଛି । କିନ୍ତୁ ଯାଇ ୟୁରୋପରେ ପଚାର, ସେଠି କିଏ ସୁଖୀ, କିଏ ସେଠି ପରିପୂର୍ଣ୍ଣ ଜୀବନର ଉପଭୋଗ କରିପାରିଛି? ପେଟ ଓ ଶରୀରର କ୍ଷୁଧା ମେଣ୍ଟାଇବାର ସାମଗ୍ରୀ ଇଉରୋପରେ ଯେତିକି ଯେତିକି ବଢ଼ିଚାଲିଛି, ତାର ମନର ସନ୍ତାପ ଓ ଦୁଃଖ ସେତିକି ବଢ଼ି ଚାଲିଛି । ସ୍ନେହ, ପ୍ରେମ ଓ ଶ୍ରଦ୍ଧାଭରା ଆମର ଏଇ ସଂସାରରେ ସେତିକି ସିଏ ନିଜକୁ ଏକୁଟିଆ ବୋଲି ଭାବୁଛି; ନିଜ ପ୍ରତି ଓ ଆପଣର ପଡ଼ୋଶୀ ପ୍ରତି ତାର ଅବିଶ୍ୱାସ ସେତିକି ବଢ଼ିଚାଲିଛି । ଇଉରୋପର ସାହିତ୍ୟ, ଶିଳ୍ପକଳା, ସମାଜ-ବିଜ୍ଞାନ, ରାଜନୀତି ଆଉ ଦର୍ଶନ, ସବୁଠାରେ ଆଜି ଏହି ଦୁଃଖୀ ମଣିଷର ଆର୍ତ୍ତନାଦ ଶୁଣିବାକୁ ମିଳିବ । ବିଳାସ ଅୟସର ଇନ୍ଦ୍ରଭୁବନରେ ମଣିଷ ସେଠି ସୁଖୀ ହୋଇପାରୁ ନାହିଁ । ତାର ଆପଣାର ଅସନ୍ତୋଷର ନିଆଁ ତାକୁ ଆଜି ଗିଳି ରହିଛି ।
ଅଳ୍ପକରେ ସନ୍ତୁଷ୍ଟ ହୋଇଯିବା, ମୁହୂର୍ତ୍ତକର ଫୂର୍ତ୍ତି ଆଉ ବିନୋଦନ ଲାଗି କୀଟ ପରି ଆପଣାକୁ କୁକଥା, କୁଦୃଶ୍ୟ ଓ କୁଆଚରଣର ନର୍ଦ୍ଦମାରେ ଲୋଟାଇ ରଖିବା, ଏସବୁ ଆମ ଭିତରେ ଲୁଚି ରହିଥିବା ପଶୁପ୍ରବୃତ୍ତିର ଫିକର । ଯିଏ ମଣିଷ, ଯିଏ ଜାଗ୍ରତ, ତାର ଭୋକ ଏଇ କ୍ଷଣକର ଉପଭୋଗରେ ମେଣ୍ଟି ପାରିବ ନାହିଁ । ଯିଏ ଆଜି ସେ ଭୁଲ କରୁଛି, ଯିଏ ଜୀବନର ଶ୍ରେୟକୁ ଭୁଲି ଘଡି଼କର ବିନୋଦ-ସଭାରେ ବିଦୂଷକ ପରି ବୁଲିବାକୁ ଆଗ୍ରହ ରଖୁଛି, ମୁଁ କହିବି ସେ ଆପଣା ଭୋକକୁ ମାରିଦେଉଛି । ସିଏ ଆପଣା ହୃଦୟର ଅସଲ ଦୁଆରକୁ କିଳି ଦେଇ ବସୁଛି । ବାହାରକୁ ଯେତେ ମଜା ଓ ଆନନ୍ଦ ପରି ଦେଖାଯାଉଥିଲେ ମଧ୍ୟ ଏସବୁ ଭୋକକୁ ଭୁଲାଇ ରଖୁଛି, ଆମ ଭିତରର ଅସଲ ମଣିଷକୁ ଉପାସରେ ରଖୁଛି; ଆମ ଭିତରର ବିକାଶୋନ୍ମୁଖ ଫୁଲକୁ ଏହା ମଉଳାଇ ପକାଉଛି ।
ଉପନିଷଦରେ ମନ୍ତ୍ରଦ୍ରଷ୍ଟା ଋଷି ମଣିଷକୁ ‘ଅମୃତସ୍ୟ ପୁତ୍ରାଃ’ ବୋଲି ସମ୍ବୋଧନ କରିଛନ୍ତି । ଆମେ ସମସ୍ତେ ଅମୃତର ସନ୍ତାନ । ଘଡି଼କର କୀଟ ଜୀବନରେ ଆମେ ସନ୍ତୁଷ୍ଟ ହୋଇପାରିବା ନାହିଁ । ରଙ୍ଗରସର ହାଟ ଭିତରେ କ୍ଷଣ କ୍ଷଣକେ ଆପଣାକୁ ବିକିଦେଇ, ହଜାଇଦେଇ ଆମେ ନିଜ ପ୍ରତି ଭାରି ଅନ୍ୟାୟ କରିବା । ଆମର ଆଗ୍ରହ, ଆମର ବିଚାର ଯେଡି଼କି ବଡ଼ ହେବ, ଆମର ଜୀବନ ବଞ୍ଚିବା ସେତିକି ଗଭୀର ହୋଇପାରିବ । ଆମର ପ୍ରଭୁ ଯେଡ଼େ, ମନକୁ ସେତିକି ବଡ଼ କରି ଆମେ ତିଆରି କରିବା, ଏ କଥା ଓଡି଼ଶାର ଆଦିବାସୀ କବି ଭୀମ ଭୋଇ କହିଛନ୍ତି । ଯେତିକି ବଡ଼ ଆଦର୍ଶକୁ ଓ ଯେତିକି ବ୍ୟାପକ ଜୀବନକୁ ଆମେ ଆପଣାର ବୋଲି ଗ୍ରହଣ କରିବା, ଆପଣାର ଆଗ୍ରହ, ବିଚାର ଓ ଆଚରଣକୁ ଆମେ ସେତିକି ବଡ଼ କରିବାର ଚେଷ୍ଟା କରୁଛୁ କି? ଆମେ ଆଜି ଏଇ କଥାକୁ ଗମ୍ଭୀର ଭାବରେ ଚିନ୍ତା କରିବା ।
ପ୍ରଖ୍ୟାତ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ଲିଖିତ 'ଜୀବନ ବିଦ୍ୟାଳୟ'ରୁ ସଂଗୃହିତ ।