ବହି: ଆରୋଗ୍ୟ ସୂତ୍ର
ଲେଖିକା: ଡ଼ାକ୍ତର ଶାନ୍ତିଲତା ସାହୁ
ପ୍ରକାଶକ: ବଟକୃଷ୍ଣ ଖୁଣ୍ଟିଆ, ପୁରୀ ମୂଲ୍ୟ: ୧୫୦ ଟଙ୍କା
ସମସ୍ତେ ଚାହାଁନ୍ତି ରୋଗମୁକ୍ତ ଏବଂ ଆନନ୍ଦମୟ ଜୀବନ । କିନ୍ତୁ ବିଡ଼ମ୍ବନା ହେଲା – ଆଧୁନିକ ମଣିଷର ଜୀବନ ଶୈଳୀ ସ୍ୱାସ୍ଥ୍ୟ ଏବଂ ଆନନ୍ଦମୟ ଜୀବନ ଜିଇଁବାଭଳି ହେଇ ରହୁନାହିଁ । ଖାଦ୍ୟପେୟ ଶୟନ ଏସବୁ ଅତ୍ୟନ୍ତ ଅସମୟାନୁବର୍ତ୍ତୀ ହେଇ ଉଠୁଛି । ବର୍ତ୍ତମାନ ସମୟରେ ମାନସିକ ଚାପ ମଧ୍ୟ ବଢ଼ିଛି । ନାନା ପ୍ରକାର ନକାରାତ୍ମକ ଚିନ୍ତା, କାମନା ବାସନା, ଦୁଶ୍ଚିନ୍ତା, ଈର୍ଷା, ଦ୍ଵେଷ, ପରଶ୍ରୀକାତରତା ଇତ୍ୟାଦି ବଢ଼ୁଥିଲା ଭଳିଆ ଲାଗୁଛି । ଏସବୁର ପ୍ରଭାବ ସ୍ଵାସ୍ଥ୍ୟ ଏବଂ ଜୀବନ ଉପରେ ପଡୁଛି ।
ତେଣୁ ମଣିଷର ସ୍ଵାସ୍ଥ ଏବଂ ଜୀବନଶୈଳୀ- ଉଭୟ କ୍ଷେତ୍ରରେ ସଠିକ ମାର୍ଗଦର୍ଶନ କରୁଥିବା ବ୍ୟକ୍ତି ଏବଂ ପୁସ୍ତକର ଆବଶ୍ୟକତା ରହିଛି । ଇଂରାଜୀ ଭାଷାରେ ଏଧରଣର ଅନେକ ବହି ଅଛି । ଓଡିଆରେ ମଧ୍ୟ କେତୋଟି ଅଛି । ହେଲେ ଓଡ଼ିଆ ଭାଷାରେ ଆୟୁର୍ବେଦ ଦୃଷ୍ଟିକୋଣରୁ ଏଭଳି ଏକ ପୁସ୍ତକର ଅଭାବ ଥିଲା । ସେ ଅଭାବ ଡାକ୍ତର ଶାନ୍ତିଲତା ସାହୁଙ୍କର ଏ ବହିଟି କିଛିମାତ୍ରାରେ ପୂରଣ କରିବ ।
ଡାକ୍ତର ଶାନ୍ତିଲତା ସାହୁ ପେଷାରେ ଜଣେ ଆୟୁର୍ବେଦିକ ଡାକ୍ତର । ପୁରୀର ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟରେ ସେ ବରିଷ୍ଠ ଆୟୁ ଏବଂ ଭେଷଜ ବିଶେଷଜ୍ଞ ଭାବରେ କାମ କରୁଛନ୍ତି । ଆୟୁର୍ବେଦିକ ଚିକିତ୍ସା ବିଜ୍ଞାନ ଉପରେ ଆଦର୍ଶ ଚିକିତ୍ସକ ସମ୍ମାନ ୨୦୧୪ରେ ମଧ୍ୟ ସେ ସମ୍ମାନିତା । ଆୟୁର୍ବେଦିକ ଚିକିତ୍ସା ବ୍ୟବସ୍ଥା ଉପରେ ତାଙ୍କର ଯଥେଷ୍ଟ ଦଖଲ ଅଛି । ସେହି ଦୃଷ୍ଟିକୋଣରୁ ଏ ବହଟିକୁ ଲେଖା ଯାଇଛି ।
ତେବେ କୌଣସି ରୋଗର ନିଦାନଠାରୁ ଏ ବହିରେ ଜୀବନକୁ କେମିତି ଭଲ ଭାବରେ ଜିଇଁ ହେବ- ତା ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି । ନିଜ ମୁଖବନ୍ଧରେ ସେ ଲେଖିଛନ୍ତି ଯେ ମଣିଷ ସୁସ୍ଥ ରହିବା ପାଇଁ ଉତ୍ତମ ଏବଂ ସନ୍ତୁଳିତ ଆହାର, ବ୍ୟାୟାମ, ଶରୀରର ଯତ୍ନ ଏବଂ ବ୍ୟକ୍ତିର ଉପଯୁକ୍ତ କର୍ମ ସଂସ୍ଥାନ ଆବଶ୍ୟକ । ରୋଗ ପୂର୍ବରୁ, ରୋଗ ସମୟରେ, ରୋଗପରେ ତଥା ସୁସ୍ଥଥିବା ଅବସ୍ଥାରେ ମଣିଷକୁ ଆହାର ବିହାର ଔଷଧ ଏବଂ ଚିକିତ୍ସା ଆବଶ୍ୟକ । ଏ ପୁସ୍ତକରେ ସିଏ ରେଖାଙ୍କିତ କରିଛନ୍ତିଯେ ଆମର ଅନିୟମ ଏବଂ ଅସ୍ୱାଭାବିକ ଜୀବନଶୈଳୀ ବହୁ ରୋଗ ଏବଂ ଅସ୍ଵାଚ୍ଛନ୍ଦର କାରଣ । “କେତେକ ଖାଦ୍ୟଲୋଭୀ ହୋଇ ଅତିରିକ୍ତ ମାଛ ମାଂସ ତେଲ ଘିଅ ଚିନିରେ ପ୍ରସ୍ତୁତ ଖାଦ୍ୟ ଖାଉଛନ୍ତି । ଫଳ, ପନିପରିବା ଶାଗକୁ ଖାଉନାହାନ୍ତି । ଅଯଥା ମଉଜ ମଜଲିସ୍ରେ ଲିପ୍ତ ରହୁଛନ୍ତି । ଠିକ୍ ସମୟରେ ଶୋଉ ନାହାନ୍ତି, ଠିକ ସମୟରେ ଉଠୁ ନାହାନ୍ତି ଏହା ଫଳରେ ଶରୀରରେ ରୋଗପ୍ରତିରୋଧକ ଶକ୍ତିର ଅଭାବ ହୋଇଥାଏ ।”
ଦୈନଦିନ ଜୀବନରେ କେମିତି ଜଣେ ଖାଦ୍ୟ ପେୟ ଚାଲିଚଳନକୁ ଆକ୍ଷିରେ ରଖି ଦିନଚର୍ଯା କରିବ ଏ ପୁସ୍ତକରେ ସେ ସମ୍ପର୍କରେ ପରାମର୍ଶ ଦିଆଯାଇଛି । ଏ ପୁସ୍ତକରେ ଗୋଟେ କଥା ସ୍ପଷ୍ଟ ଭାବରେ କୁହାଯାଇଛିଯେ ଡାକ୍ତରଙ୍କ ବିନା ପରାମର୍ଶରେ ଓøଷଧ ସେବନ ହାନିକାରକ ହୋଇପାରେ । ଏ ପୁସ୍ତକରେ ରୋଗ ସମ୍ପର୍କରେ ସୂଚନା ଦିଆଯାଇଛି । କଣ କଲେ ଏପ୍ରକାର ରୋଗ ହେବ ନାହିଁ ତାହା କୁହାଯାଇଛି । ଔଷଧ ଦିଆଯାଇନାହିଁ ।
ଏ ବହିରେ ୬ଟି ଅଧ୍ୟାୟ । ପ୍ରଥମ ଅଧ୍ୟାୟ ହେଲା ‘ସ୍ୱାସ୍ଥ୍ୟ ଓ ଦିନଚର୍ଯା ତଥା ଆହାର’ । ଏଥିରେ ସାଧାରଣତ ଆମେ କିପରି ଭାବରେ ଆମେ ଦିନ ବିତାଇବା, କଣ ଖାଇବା ଇତ୍ୟାଦି ବିଷୟରେ କୁହାଯାଇଛି । ଦ୍ଵିତୀୟ ଅଧ୍ୟାୟ ହେଲା ‘କତିପୟ ବିଶିଷ୍ଟ ରୋଗ ସମୁହର ପଥ୍ୟାପଥ୍ୟ’ । ଏଥିରେ ଯକୃତ ରୋଗ, ବୃକକ ରୋଗ, ଆଲଜାଇମସ, ଥାଇରଏଡ, ହାଇପର ଥାଇରୋଡିଜିମ୍ ଇତ୍ୟାଦି ରୋଗ ବିଷୟରେ ଧାରଣା ଦିଆଯାଇଛି । ରୋଗଗୁଡ଼ିକର ପ୍ରାଥମିକ ଲକ୍ଷଣ କଣ, କାହିଁକି ଏ ରୋଗହୁଏ, ଏହାର ପ୍ରାଥମିକ ଉପଚାର କଣ- ଇତ୍ୟାଦି ବିଷୟରେ ଲେଖାଯାଇଛି । ତୃତୀୟ ଅଧ୍ୟାୟଟି ହେଲା ‘ମୁଖସୌନ୍ଦର୍ଯ୍ୟ ଓ କେଶର ଯତ୍ନ’ । ଏଥିରେ ସ୍ତନର ଯତ୍ନ କେମିତି ନିଆଯିବ, କେଶର ଯତ୍ନ କେମିତି ନିଆଯିବ, ସୌନ୍ଦର୍ଯ୍ୟବର୍ଦ୍ଧକ ଆହାରଗୁଡିକ କଣ । ଶୈଶବ ଅବସ୍ଥାରେ ଦେହର କେମିତି ଦେହର ଯତ୍ନ ନିଆଯିବ, କିଶୋର ଅବସ୍ଥାରେ କେମିତି ଦେହର ଯତ୍ନ ନେବାକୁ ପଡ଼େ, ବୃଦ୍ଧାଅବସ୍ଥାରେ କେମିତି ସ୍ଵାସ୍ଥ୍ୟରକ୍ଷାହେବ ଏସବୁ ସଂପର୍କରେ ଲେଖାଯାଇଛି । ପଞ୍ଚମ ଅଧ୍ୟାୟଟି ହେଉଛି ‘କେତେକ ଉପକାରୀ ଦ୍ରବ୍ୟ’ । ଏଥିରେ ଆମ ଆଖପାଖରେ ମିଳୁଥିବା କିଛି ଫଳ ଉଦ୍ଭିଦ ଇତ୍ୟାଦି କଥା ଲେଖାଯାଇଛି ଏବଂ କିଭଳି ତାହା ଆମକୁ ସାହାଯ୍ୟ କରିପାରିବ ସେ ବିଷୟରେ ମଧ୍ୟ ଲେଖାଯାଇଛି । ଯେମିତି ତୁଳସୀ, ପିଜୁଳି, ତିଳ ବା ରାଶି, ସୋରିଷ, ପାନମଧୂରୀ ଇତ୍ୟାଦି । ଷଷ୍ଠ ଅଧ୍ୟାୟରେ ଭିଟାମିନ୍ସ ବିଷୟରେ ଲେଖାଯାଇଛି । ସପ୍ତମ ଅଧ୍ୟାୟଟି ହେଲା: ସତବୃତ୍ତ ବର୍ଣର୍ନ । ଅଷ୍ଟମ ଅଧ୍ୟାୟଟି ହେଲା ଯୋଗଦ୍ୱାରା ସ୍ୱାସ୍ଥ୍ୟରକ୍ଷା । ଏଥିରେ ବିଭିନ୍ନ ପ୍ରକାର ଯୋଗାସନ ବିଷୟରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରାଯାଇଛି । ନବମ ତଥା ଶେଷ ଅଧ୍ୟାୟଟି ହେଲା ଯୋଗମୁଦ୍ରା । ଶେଷ ଦୁଇଟି ଅଧ୍ୟାୟରେ ଯୋଗ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଛି । କେଉଁ ଯୋଗ କଣ ପାଇଁ ଫଳଦାୟୀ ତାହାର ମଧ୍ୟ କୁହାଯାଇଛି । ବେଶ୍ କିଛି ରେଖାଚିତ୍ର ମାଧ୍ୟମରେ ଆସନ ଓ ମୁଦ୍ରାଗୁଡ଼ିକ ବୁଝାଇ ଦିଆଯାଇଛି ।
ସାଧାରଣ ଦୃଷ୍ଟିରୁ ଦେଖିଲେ ଏ ପୁସ୍ତକଟି ସାଧାରଣଭାବରେ ଜୀବନଚର୍ଯ୍ୟା ଏବଂ ସ୍ଵାସ୍ଥ୍ୟ ରକ୍ଷାପାଇଁ ବେଶ୍ ଉପଯୋଗୀ ।