ବହି: ଇକୋନମିଷ୍ଟ ଗାନ୍ଧୀ:ଦି ରୁଟ୍ସ ଆଣ୍ଡ ସୀନ ରେଲେଭାନ୍ସ ଅଫ ଦି ପଲିଟିକାଲ୍ ଇକୋନମି ଅଫ ଦି ମହାତ୍ମା
ଲେଖକ: ଜୟତିରଥ୍ ରାଓ
ପ୍ରକାଶକ: ପେଙ୍ଗୁଇନ୍
ମୂଲ୍ୟ: ୪୮୧ଟଙ୍କା
ମହାତ୍ମା ଗାନ୍ଧୀଙ୍କୁ ସମସ୍ତେ ଦୀନ ଦରିଦ୍ରର ସାଥୀ ବୋଲି ଜାଣନ୍ତି । ତାଙ୍କର ବେଶ ପୋଷାକ, ଜୀବନ ଶୈଳୀ, ଆଚାର ବ୍ୟବହାରରୁ ତାହା ସ୍ପଷ୍ଟ। ତାଙ୍କର ଏଇ ଭାବମୂର୍ତ୍ତିରୁ କେତେକେ ଏ କଥା ବିଶ୍ୱାସ କରି ନିଅନ୍ତି- ଯେ ଗାନ୍ଧୀ ଅର୍ଥନୈତିକ ଉନ୍ନତି ଏବଂ ପ୍ରାଚୁର୍ଯ୍ୟର ବିରୋଧୀ ଥିଲେ । ଦରିଦ୍ରକୁ ଭଲ ପାଇବା ଆଉ ଦାରିଦ୍ର୍ୟକୁ ଭଲ ପାଇବା ଯେ ଏକ କଥା ନୁହେଁ – ଏଇ ଫରକଟା ଅନେକେ ପାଶୋରି ଦେଇ ଗାନ୍ଧୀଙ୍କୁ ଏମିତି ଜଣେ ସନ୍ଥର ମାନ୍ୟତା ଦେଇଛନ୍ତି, ଯିଏ ବାସ୍ତବ ଦୁନିଆର ଶିଳ୍ପ ଅର୍ଥନୀତି ଇତ୍ୟାଦି ବିଷୟରେ ଆଦୌ ଚିନ୍ତା କରନ୍ତି ନାହିଁ କିମ୍ବା ବୃହତ୍ ଶିଳ୍ପ-ବିରୋଧୀ ।
ଜୟତିରଥ୍ ରାଓଙ୍କ ଏ ବହିଟିର ମୁଖ୍ୟ ଯୁକ୍ତି ହେଲା – ଏ ଅବଧାରଣାଟି ଭୁଲ। ଗାନ୍ଧୀ ନିଜେ ସରଳ ଏବଂ ନିରାଡ଼ମ୍ବର ଜୀବନ ଯାପନ କରିବାକୁ ଭଲ ପାଉଥିଲେ । କିନ୍ତୁ ସେ ଦାରିଦ୍ର୍ୟକୁ ଆପଣାଇବା ସପକ୍ଷରେ କେବେ ନଥିଲେ। ବରଂ ସେ ଚାହୁଁଥିଲେ ଲୋକ ସମୃଦ୍ଧ ହୁଅନ୍ତୁ । ସେ ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ଚାହୁଁଥିଲେ। ପୁଞ୍ଜିର ଅଭିବୃଦ୍ଧି ଚାହୁଁଥିଲେ ।
୨୦୧୦ରେ ବାଲ ପାତିଲ ତାଙ୍କ ପ୍ରବନ୍ଧ ଗାନ୍ଧୀଜ୍ ଫିଲୋସଫି ଅଫ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ଇକୋନମିକ୍ ପ୍ରସ୍ପରେଟି (ପରେ ଏହା ଇ-ବୁକ୍ ଭାବେ ପ୍ରକାଶିତ ହୋଇଛି) ମଧ୍ୟ ଏହା ଲେଖିଥିଲେ । ତେବେ ବାଲ୍ ପାତିଲ ଏକଥା ରେଖାଙ୍କିତ କରିଥିଲେ ଯେ ଗାନ୍ଧୀ ଅର୍ଥନୈତିକ ସାମ୍ୟ ଚାହୁଁଥିଲେ । ବସ୍ତୁତଃ ସେ ଅର୍ତନୈତିକ ସାମ୍ୟକୁ ଅହିଂସ ବିପ୍ଳବର ମାଷ୍ଟର୍-କି ବୋଲି କହୁଥିଲେ । ସେ ଏକଥା ବି କହିଥିଲେ ଯେ ଧନୀ ଏବଂ କ୍ଷୁଧାର୍ତ୍ତ ଗରିବ ଭିତରେ ଦୀର୍ଘ ବିଭେଦ ରହିଲେ ଅହିଂସ ଉପାୟରେ ଶାସନ ଅସମ୍ଭବ ହୋଇଯିବ ।
ରାଓଙ୍କ ବହିର ଅନ୍ତଃସ୍ୱର ଏବଂ ଉଦ୍ଦେଶ୍ୟ ଭିନ୍ନ । ଏ ବହିରେ ରାଓ ଦେଖାଇବାକୁ ଚାହିଁଛନ୍ତି କେମିତି ବର୍ତ୍ତମାନ ସମୟକୁ ପର୍ଯ୍ୟାଲୋଚନା କଲେ ଦେଖାଯିବ ଅର୍ଥନୀତିକୁ ନେଇ ଗାନ୍ଧୀଙ୍କ ଚିନ୍ତାଭାବନା ଅତ୍ୟନ୍ତ ଆଧୁନିକ । ହୁଏତ ତାଙ୍କ ସମୟରୁ ଅନେକ ଆଗୁଆ ଥିଲା ।
ଏ ପୁସ୍ତକର ଲେଖକ ଜୟତୀରଥ ରାଓଙ୍କର ଜନ୍ମ ୧୯୫୨ରେ । ଜେରି ରାଓ ଭାବେ ସେ କର୍ପୋରେଟ୍ ମ୍ୟାନେଜମେଣ୍ଟ୍ ଏବଂ ଗଣମାଧ୍ୟମ ଜଗତରେ ପରିଚିତ । ଆଇଆଇଏମ୍ ଅହମଦାବାଦ ଏବଂ ଆମେରିକାରେ ସିକାଗୋ ବିଶ୍ୱବିଦ୍ୟାଦୟର ଛାତ୍ର ଥିଲେ ସେ । ବିଶ୍ୱର ଅନେକ ଜଣାଶୁଣା ବାଣିଜ୍ୟିକ ସଂସ୍ଥାରେ ସେ କାମ କରିଛନ୍ତି । ନିଜେ ଏମ୍ଫାସିସ୍ ନାଁରେ ଏକ ଅତ୍ୟନ୍ତ ସଫଳ ସଫ୍ଟେଓ୍ୟାର କମ୍ପାନି ତିଆରି କରିଛନ୍ତି । ହାଭାର୍ଡ ବିଜ୍ନେସ୍ ସ୍କୁଲରେ ଏଣ୍ଟରପ୍ରେନର୍-ଇନ-ରେସିଡେନ୍ସ ଥିଲେ । ଆଇଆଇଏମ୍ ଅହମଦାବାଦ, ଆଇଆଇଟି ବମ୍ବେରେ ପାଠ ପଢେଇଛନ୍ତି । ନାସ୍କମ୍ (ନ୍ୟାସନାଲ୍ ଆସୋସିଏସନ୍ ଅଫ ସଫ୍ଟୱେର ଆଣ୍ଡ ସର୍ଭିସ କମ୍ପାନିଜ୍)ର ଅଧ୍ୟକ୍ଷ ଥିଲେ । ଖବରକାଗଜରେ ସ୍ତମ୍ଭ ଲେଖନ୍ତି । ତାଙ୍କର କବିତା ସଙ୍କଳନଟିଏ ମଧ୍ୟ ପ୍ରକାଶ ପାଇଛି । ଦୁଇଟି ପ୍ରବନ୍ଧ ସଙ୍କଳନ ତାଙ୍କର ପ୍ରକାଶିତ ହୋଇଛି – ନୋଟ୍ସ ଫ୍ରମ୍ ଆନ୍ ଇଣ୍ଡିଆନ କନ୍ଜରଭେଟିଭ୍(୨୦୧୨) ଏବଂ ଦି ଇଣ୍ଡିଆନ କନ୍ଜରଭେଟିଭ୍: ହିଷ୍ଟ୍ରି ଅଫ ଇଣ୍ଡିଆନ୍ ରାଇଟ୍ ଉଇଙ୍ଗ୍ ଥଟ୍ (୨୦୧୯) ।
ବ୍ୟବସାୟ ବାଣିଜ୍ୟ ଓ କର୍ପୋରେଟ ଜଗତରେ ନିଜର ଦୀର୍ଘ ଅଭିଜ୍ଞତାର ଭିତ୍ତିରେ ଜୟତିରଥ ରାଓ ଅର୍ଥନୀତି ସମ୍ପର୍କରେ ଗାନ୍ଧୀଙ୍କ ଚିନ୍ତା ଓ ଦର୍ଶନ କେମିତି ବର୍ତ୍ତମାନ ସମୟକୁ ଠିକ୍ ଖାପିବ- ସେକଥା ଆଲେଚନା କରିଛନ୍ତି ।
ଗାନ୍ଧୀ ହ୍ୟୁମାନ୍-କ୍ୟାପିଟାଲ୍ ବା ମାନବ ସମ୍ବଳର ବିକାଶ ଉପରେ ଗୁରୁତ୍ୱ ଦେଉଥିଲେ । ‘ନୟୀ ତାଲିମ’୍ ବା ନୂଆ ପ୍ରଶିକ୍ଷଣ କଥା କହୁଥିଲେ । କୁଟୀର ଶିଳ୍ପ ଏବଂ ସାଧାରଣ ଲୋକର ମାଲିକାନା ଭିତ୍ତିକ ଛୋଟ ଶିଳ୍ପ କଥା କହୁଥିଲେ । ବର୍ତ୍ତମାନ କରୋନା ପରବର୍ତ୍ତୀ ନୂତନ ସ୍ୱାଭାବିକ ସମୟରେ ପୁଣି ଥରେ ଏହା ଉପରେ ଗୁରୁତ୍ୱ ଦେବା କଥା ଚିନ୍ତା କରାଯାଉଛି । ଗାନ୍ଧୀ ପ୍ରକୃତିର କ୍ଷତି ସାଧନ କରି କଳକାରଖାନା ବସେଇବାକୁ ନାପସନ୍ଦ କରୁଥିଲେ । ପ୍ରକୃତିର ସନ୍ତୁଳନ ଠିକ୍ ରଖିବା ଉପରେ ଜୋର ଦେଉଥିଲେ । ବର୍ତ୍ତମାନ ପାଣିପାଗର ପରିବର୍ତ୍ତନର କୁ-ପ୍ରଭାବ ଆମେ ଯେତେବେଳେ ଅଙ୍ଗେ ନିଭଉଛି- ତାଙ୍କ କଥା କେତେ ପ୍ରାସଙ୍ଗିକ ତାହା ସମସ୍ତେ ଅନୁଭବ କରୁଛୁ ।
ଏ ବହିଟି ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ଏବଂ ମନୀଷାର ଆଉ ଏକ ଭିନ୍ନ ଦିଗ ଉପରେ ଆଲୋକପାତ କରେ । ଅର୍ଥନୀତି କ୍ଷେତ୍ରରେ ଗାନ୍ଧୀଙ୍କର ଚିନ୍ତା ଯେ ଅତ୍ୟନ୍ତ ଆଧୁନିକ ଏବଂ ଭବିଷ୍ୟତ-ଉପଯୋଗୀ ଥିଲା- ତାହା ଏ ବହିରେ ବାର ବାର କହିବାକୁ ଚାହଁଛନ୍ତି ଲେଖକ ।
ଗାନ୍ଧୀ ବ୍ୟକ୍ତିତ୍ୱର ଏକ ନୂଆ ଦିଗକୁ ଏ ପୁସ୍ତକ ଉଦ୍ଭାସିତ କରିଛି ।
+++
ବହୁତ ଭଲ କାହାଣୀଟିଏ