ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ସପ୍ତମ ବାର୍ଷିକ ଉତ୍ସବ

ଭୁବନେଶ୍ଵର : କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ସପ୍ତମ ବାର୍ଷିକ ଉତ୍ସବ ପ୍ରସିଦ୍ଧ ଶୈବପୀଠ ଭୂତନାଥ ଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର “ଗାଁର ମହକ” ଲୋକାର୍ପଣ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । କବୟିତ୍ରୀ ଶକୁନ୍ତଳା ମଲ୍ଲିକଙ୍କ ସଂଯୋଜନାରେ ଆବାହନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲଙ୍କ ଓ ପ୍ରତିଷ୍ଠାତା ସଦସ୍ୟ ଲଲାଟେନ୍ଦୁ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ଓଡିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଶୈଳୀ ସମ୍ରାଟ ଦେବ୍ରାଜ ଲେଙ୍କା ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିଲେ । ସମାଜରେ ସାହିତ୍ୟିକ ଓ କବିମାନେ ଦ୍ୱିତୀୟ ଈଶ୍ୱର ଓ ସେମାନଙ୍କର ଅନବଦ୍ୟ ସୃଷ୍ଟି ସମାଜକୁ ଆଲୋକ ଦେଖାଇଥାଏ ବୋଲି ତାଙ୍କର ବକ୍ତବ୍ୟରେ ପରିପ୍ରକାଶ ସହିତ କବି ମୁରଲୀଧର ବେଉରାଙ୍କୁ କବି ଶିରୋମଣି ଉପାଧିରେ ଘୋଷଣା କରିଥିଲେ । ପ୍ରାରମ୍ଭରୁ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହା ସହିତ ସମ୍ମାନିତ ଅତିଥିଭାବେ ବରିଷ୍ଠ ସାହିତ୍ୟିକା ସରୋଜିନୀ ସାହୁ, ଶିଶୁକବି ବିଦ୍ୟୁଲତା ଭୂୟାଁ, କବୟିତ୍ରୀ ଶକୁନ୍ତଳା ମଲ୍ଲିକ, ମୁକ୍ତପ୍ରଭା ଆଚାର୍ଯ୍ୟ, ଚନ୍ଦ୍ରକାନ୍ତି ସିଂହ ପ୍ରମୁଖ ଯୋଗଦାନ କରି କବି ଓ କବିତା ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ । ଅନୁଗୁଳ, କଟକ, ଢେଙ୍କାନାଳ, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଆଦି ବିଭିନ୍ନ ଜିଲ୍ଲାରୁ ଶତାଧିକ କବି, କବୟିତ୍ରୀ, ସମାଜସେବୀ, ସଂସ୍କୃତି ପ୍ରେମୀ ଓ ସଂଗଠକମାନେ ଯୋଗଦାନ କରି ନିଜ ନିଜର ସ୍ୱରଚିତ କବିତାମାନ ପାଠ କରିଥିଲେ। କବିତା ପାଠୋତ୍ସବ ବରିଷ୍ଠ ସଂଯୋଜିକା ଚନ୍ଦ୍ରକାନ୍ତି ସିଂହ, କବୟିତ୍ରୀ ଶକୁନ୍ତଳା ମଲ୍ଲିକ ଓ ମୁକ୍ତପ୍ରଭା ଆଚାର୍ଯ୍ୟ ସଂଯୋଜନା କରିଥିଲେ ବେଳେ କବି ଲଲାଟେନ୍ଦୁ ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିକ୍ଷକ ରାଜକିଶୋର ପାଣିଗ୍ରାହୀ ଯୋଗଦାନ କରି ଗାଁ କୁ ସମ୍ମାନ ଓ ମା’ଙ୍କୁ ସମ୍ମାନ ଦେବାପାଇଁ ଆଜିର ପିଲାମାନଙ୍କୁ ଶିକ୍ଷା ଦେବା ଉଚିତ୍ ବୋଲି ବକ୍ତବ୍ୟରେ ପରିପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ଆମ ପରିବାର ଚକ୍ରର ପ୍ରତିଷ୍ଠାତା ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ (ବୁଲୁ ବାବା), ଯୁବ ସଂଗଠକ ଓ ସମାଜସେବୀ ଅବିନାଶ ପଟ୍ଟନାୟକ, କାଉନସିଲର ସବିତା ନନ୍ଦ, ବିଶିଷ୍ଟ କବି କୌଶିକ ନାୟକ, କବି କାଶୀନାଥ ରାଉତ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରି ସାହିତ୍ୟ ହେଉଛି ସମାଜର ପ୍ରତିବିମ୍ବ ଓ ସାହିତ୍ୟ ସୃଷ୍ଟିରେ ସମାଜ ଆଗେଇ ଚାଲେ ବୋଲି ମତପ୍ରକାଶ କରିଥିଲେ ।

ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଉପନ୍ୟାସିକ ତଥା ଶବ୍ଦର ଯାଦୁଗର ଦେବ୍ରାଜ ଲେଙ୍କାଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ଗାଁର ମହକ ସମ୍ମାନ ସହିତ ସାହିତ୍ୟ, ସଂସ୍କୃତି, ସମାଜ ସେବାରେ ନିଜକୁ ସାମିଲକରି ପାରଦର୍ଶିତା ଲାଭକରିଥିବା ତିଗିରିଆର ଜଗବନ୍ଧୁ ତୁଙ୍ଗ ସାମନ୍ତ, କାଦୁଅପଡାର ନାରାୟଣ ଦାସ, ରଘୁନାଥପୁରର ନିମାଇଁ ଚରଣ ମହାନ୍ତି, ବାଙ୍କୀର ବିଶିଷ୍ଟ ପାଲିଗାୟକ ବସନ୍ତ କୁମାର ରଥ, ଜଗତସିଂହପୁରର ସଂଯୁକ୍ତା ସାହୁ, ବେଦବ୍ୟାସ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ବିରିଡିର ପ୍ରତିମା କୁମାରୀ ମହାରଣା, ରେଢୁଆ, ଜଗତସିଂହପୁରର ସୁବାସ ଚନ୍ଦ୍ର ନାୟକ, ବାଲିକୁଦାର ଜ୍ୟୋତ୍ସ୍ନାରାଣୀ ମହାନ୍ତିଙ୍କୁ ସଂସଦ ତରଫରୁ ମାନପତ୍ର , ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *