ସତ୍ୟନାରାୟଣ ଗନ୍ତାୟତ

ଯେ କେହି ‘ତୁ’ ଶବ୍ଦଟି ଉଚ୍ଚାରିବା ମାତ୍ରେ ମନକୁ ଆସିଯାନ୍ତି ମାଆ ! ପରେ ପରେ ବାପା ! କାରଣ ଜନ୍ମ ଦେଇଥିବା ଶିଶୁକୁ ଗୋଡ଼ରେ ଶୁଆଇ ତେଲ ମାଲିସ କରତଃ ସେକାସେକି କରିବା ବେଳଠୁ ଦୁଇ ଗୋଡ଼ ଯୋଡ଼ି ତା ଊପରେ ବସାଇ ଝୁଲାଇ ଝୁଲାଇ “ଗୁ ଗୁ ପାଞ୍ଚି” କରିବା ବେଳେ “ତୁ ମୋ ସୁନା, ତୁ ମୋ ଟଙ୍କା ତୁ ମୋ ଧନ” ଆଦି କହି ମାଆ ହିଁ ଶିଶୁଟିର ମନ ଭିତରେ ପ୍ରବେଶି ତାକୁ ମୋହି ନେଇଥାନ୍ତି ।

ସେବ କାଳର ଏକାନ୍ନବର୍ତ୍ତୀ ପରିବାର ମାନଙ୍କରେ ବୋଇଲା ପରି ଥିଲେ ‘ଗୋଠେ କୁଟୁମ୍ବ’ । ଜେଜେବାପା, ଜେଜେମାଆ, ବଡ଼ବାପା, ବଡ଼ମାଆ, ଦାଦା, ଖୁଡ଼ି ଆଦି କେତେ ଯେ ଗୁରୁଜନ, ଯେଉଁମାନେ ସେମାନଙ୍କ ହୃଦୟ ନିଗିଡ଼ା ପୋଷପୋଷ ସ୍ନେହାମୃତକୁ ଅବିରତ ଢାଳି ଦେଉଥିଲେ ପରିବାରର ଶିଶୁଙ୍କ ଉପରେ । ତ’ ଏମାନେ “ତୁ ଆ’ଟି ମୋ କୋଳକୁ” କହି କୋଳାଇ ନେଉଥିଲେ ।

ପୁଣି ପରିବାର ଭିତରେ ବି ଥିବା ଏହି ପରିବାର ମାନଙ୍କରେ ତ ଥିଲେ କେବଳ ପିଲା ହିଁ ପିଲା ! ଏକାଠି ଖାଇ, ଏକାଠି ଶୋଇ, ଏକାଠି ଖେଳି, ଏକାଠି ପଢି, ଏକାଠି ବଢିବା ଏହି ସମବୟସ୍କ ମାନଙ୍କ ଥିଲା ନିଜର ଗୋଟେ ଗୋଠ, ଯେଉଁଠି ତୁ ତା କହି ଡକାଡକି ଚାଲୁଥିଲା । ତେବେ ପରିବାରର ସାନ ହୋଇ ନିଜଠୁ କେଇ ମାସ, ଏପରିକି ବର୍ଷଟାଏ ବି ବଡ଼ ଭାଇ ବା ଭଉଣୀ ସହ କଥା ହେବାବେଳେ ଭୁଲରେ “ତୁମେ” ନ କହି “ତୁ” କହିଦେଲ ତ’ ସେମାନେ ଏହେ ବଡ଼ବଡ଼ ମୁହଁ କରି ଦେଉଥିଲେ ଓ ଆରମ୍ଭ ହୋଇ ଯାଉଥିଲା କଳି ! ଏହି କଳି ଭିତରେ ଅବଶ୍ୟ ‘ତୁ’ ପୁନଃ ପୁନଃ ଉଚ୍ଚାରିତ ହୋଇ ଅବଶେଷେ ଗାର୍ଜନଙ୍କ ତାଗିଦା ଭିତରେ ତୁ ତୁମେ ଓ ଆପଣ ଆଦି ସମ୍ବୋଧନଙ୍କ ବ୍ୟବାହାର ନେଇ ଯେଉଁ ଶିକ୍ଷା ମିଳୁଥିଲା, ତାହା ଆଜୀବନ ମନେ ରହିବା ଥିଲା ସ୍ୱାଭାବିକ ।

ଅଭିଭାବକ ମାନଙ୍କ ସୌଜନ୍ୟରୁ ଶୈଶବକାଳୀନ ଏମନ୍ତ ମହାର୍ଘ ଅନୁଭବଙ୍କ ମଧ୍ୟରୁ ଏହି “ତୁ” ଡାକର ଆବେଦନ ଅନନ୍ୟ ନିଶ୍ଚୟ । ତେଣୁ ତ ବୟସ୍କ ହେବା ପରେ ଯେତେବେଳେ ବି ଦେଖାହେଲେ ଏହି ଗୁରୁଜନମାନଙ୍କ ନଜରରେ ଚିରକାଳର ଶିଶୁଟିଏ ହୋଇ ରହିଥିବା କାରଣରୁ “ତୁ ପରା ଆମ ଗର୍ବ”, ” ତୁ ଲୋ ମାଆ ଆମ ଘରର ଲକ୍ଷ୍ମୀ” ଆଦି ଆଶୀଷୋପମ କଥାମାନ ଶୁଣିବା ଅହୋ ଭାଗ୍ୟ ପ୍ରତେ ହୋଇଥାଏ ।

‘ତୁ’ ସମ୍ବୋଧନ ସହ ଜଡ଼ିତ ବାଲ୍ୟକାଳ ସତରେ ଯାବତ ସମ୍ପର୍କାରମ୍ଭର ଏନ୍ତୁଡ଼ିଶାଳ ଅଟଇ । ବିଦ୍ୟାଳୟ ପ୍ରବେଶ ମାତ୍ରେ ପିଲାଟିଏ ଆଉ ଏକ ସମ୍ପର୍କ ସହ ଅବଲୀଳା କ୍ରମେ ଯୋଡ଼ି ହୋଇଯାଏ, ଯାହା ସାଙ୍ଗ ମାଧ୍ୟମରେ ଆରମ୍ଭ ହୋଇ ବନ୍ଧୁତା ଭଳି ଜୀବନର ଅନ୍ୟତମ ଅତି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାର ଆଦ୍ୟ ସୋପାନ ଭାବେ ପରିଗଣିତ । ସାଙ୍ଗ ସହ ଆପଣାର ହେବା ସହ ବିଦ୍ୟାଳୟ ବି ଶିଖାଏ ଜୀବନରେ ବାପାମାଆଙ୍କ ପରେ ସମତାଳରେ ହିତାକାଂକ୍ଷୀ, ଗୁରୁମାନଙ୍କ ଗୁରୁତ୍ୱ ! ବୋଲିବା ବାହୁଲ୍ୟ, ସାଙ୍ଗମାନେ ‘ତୁ’ ଡାକିବା ଛଡ଼ା ଆଉ କିଛି ଜାଣି ନଥାନ୍ତି, ଯେମିତି ଗୁରୁ ବା ଶିକ୍ଷକ ଶିକ୍ଷୟତ୍ରୀମାନେ ବି ଛାତ୍ରଛାତ୍ରୀଙ୍କୁ ଆପଣା ସନ୍ତାନ ମଣି ‘ତୁ’ ଡାକି ହିଁ ଶିକ୍ଷା ପ୍ରଦାନ କରିଥାନ୍ତି, ଯାହା ସତରେ ସମଗ୍ର ଜୀବନ ପାଇଁ ହୋଇଥାଏ ଅତ୍ୟନ୍ତ ମହାର୍ଘ ।

‘ତୁ’ ଡାକ ଯଦି ଏତେ ମାତବରିଆ, ତେବେ କିଆଁ କେହି କେହି ଚିହିଁକି ଉଠନ୍ତି ‘ତୁ’ ଡାକି ଦେଲେ ? : ଏମନ୍ତ ପ୍ରଶ୍ନ ମନରେ ଉଠେ । ଏନେଇ ଭାବିଲେ ଏହାର କାରଣ ଭାବେ ମନକୁ ଆସେ ଯେ ସବୁ ମଣିଷ ସବୁଥିରେ ସମାନ ନୋହିବା ହିଁ ଏଥକୁ ମୁଖ୍ୟତଃ ଦାୟୀ । ତ’ ନିଶ୍ଚେ କହିହେବ ଯେ ସବୁ ମଣିଷ କେମିତି ବା ସମାନ ହେବେ ? ଏନେଇ ଅନ୍ୟ କଥାମାନ ପଛକୁ ଥାଉ । ବୟସରେ ବଡ଼ ସାନ ତ ରହିବ ନା ନାଇଁ ?

ହଁ ଆଜ୍ଞା, ଠିକ୍ କଥା । ସୁତରାଂ ବଡ଼ଙ୍କୁ ଭୁଲରେ ବି “ତୁ” କହିବା କଥା ନୁହେଁ । ଅବିକଳ ଏହି କ୍ରମରେ ବୟସରେ ବଡ଼ ଲୋକଟିଏ ପଢାଶୁଣା, ଉପାର୍ଜନ ତଥା ଅନ୍ୟ ଅନେକ କ୍ଷେତ୍ରରେ ପଛୁଆ ହୋଇଥିଲେ ସେସବୁକୁ ଗୁରୁତ୍ୱ ଦେଇ କେହିକେହି ତୁମେ ବା ଆପଣ ନକହି ତୁ କହିବା ଶୁଣାଯାଏ, ଯାହା ଖରାପ ଅଟଇ । ଏଭଳି କ୍ଷେତ୍ରରେ ପାଟିରେ ଲଗାମ ଲଗାଇ ‘ତୁ’ କହି ନପକାଇ ତୁମେ ବା ଆପଣ କହିବା ବଡ଼ଙ୍କୁ ସମ୍ମାନ ପ୍ରଦର୍ଶନ ସହ ନିଜ ଗୌରବର ବି ବାହକ ହୋଇଥାଏ ।

ଏମିତି ଅସାମନତା ଜନିତ କାରଣରୁ ଆଉ କିଛି ସମ୍ପର୍କ ସାମନାକୁ ଆସି ଯାଉଛି । ହାଲରେ ଏକ ବହୁ ଜାତୀୟ କମ୍ପାନୀର ଆନ୍ତର୍ଜାତୀୟ ସ୍ତରର ଶୀର୍ଷ ପଦବୀରେ ରହି ସୁଖ୍ୟାତ ହୋଇଥିବା ଗୋବର୍ଦ୍ଧନ ନାମଧେୟ ଆମର ଜନୈକ ବାଲ୍ୟବନ୍ଧୁ ଆମ ମୋବାଇଲ ନମ୍ବର ସଂଗ୍ରହ କରି ଆମକୁ ଭିଡ଼ିଓ କଲ ମାଧ୍ୟମରେ ଯୋଗାଯୋଗ କରନ୍ତେ ଆମେ ପହିଲେ ଘାବରେଇ ଯାଇ “ଆପଣ କେମିତି ମୋ ନମ୍ବର ପାଇଲେ ?” କହିବା ମାତ୍ରେ ସେ ସେପଟୁ ସିଧା ଆମକୁ ଆମ ଘରୋଇ ଡାକ ନାମ “ବାବୁ” ବୋଲି ଆମକୁ ଜଣାଇ ଦେବା ସହ କହି ଉଠିଲା : ହୈରେ ବାବୁ, ତୁ କେବେଠୁ ମୋତେ ଏମିତି ଆପଣ ଡାକିବା ଶିଖିଲୁଣିରେ ? ତୁ ପରା ଆମର ସବୁ ସାଙ୍ଗଙ୍କୁ ମୋ ଡାକ ନାମ ଗୋବରା ବୋଲି ଜଣାଇ ଦେବାରୁ ସମସ୍ତେ ମୋ ଅସଲି ନାମ ଗୋବର୍ଦ୍ଧନ ଭୁଲି ମୋତେ ଗୋବରା ଗୋବରା ଡାକୁଥିଲେ ଓ ମୁଁ ବି ଏସବୁ ପାଇଁ ଦାୟୀ ତୋତେ “ତୁଟା ବାବୁ, ବିଲୁଆ ପରିକା ରାବୁ” ବୋଲି ଚିଡ଼ାଉ ନଥିଲି ?” ତା କଥା ଶୁଣି ହସି ଆମେ ଆମ ପିଲାଦିନକୁ ଫେରି ଯାଇଥିଲୁ ଓ ଢେର ସମୟ ଯାଏ ମନଭରି ଗପିଥିଲୁ ।

ଆମ ଏ ଆଳାପ ଶୁଣୁଥିବା ପତ୍ନୀ ମହୋଦୟା ଏଥର ଆମକୁ କହିଲେ : ତମକୁ ତମର ସେଇ ଡାକ ନାଆଁ ଧରି ଫିଲ୍ମ ଷ୍ଟାଇଲରେ ଡାକି ମୋ ମନକଥା କହିବାକୁ ମୋର ବି ଭାରି ଇଚ୍ଛା ଯେ, ତୁମେ ତ ବାହା ହୋଇ ତମ ଘରକୁ ଆସିବା ଦିନୁ ତମ ନନା ତମ ବୋଉଙ୍କୁ ଓ ମୋ ନନା ମୋ ବୋଉଙ୍କୁ ତୁ ବୋଲି ଡାକିବା ପରି ନଡାକି ମୋତେ ତମେ ତମେ ଡାକି ପକାଇଲ !

ଆମ ପରି ହିଁ ବିବାହ ପରେ ଯାଇ ପ୍ରେମ କଣ ଜାଣିବା ଆରମ୍ଭ କରିଥିବା ଆମ ପତ୍ନୀ ମହୋଦୟାଙ୍କ ମନରେ ଏତେଦିନ ଧରି ସାଇତା ଏହି ଏକାନ୍ତ ଗୋପନ ଇଚ୍ଛାକଥା ଶୁଣିବା ପରେ ଅଗତ୍ୟା ଆମେ ଅନୁମାନ କରିବାକୁ ଲାଗିଲୁ ଆମ ଡାକ ନାମରେ ଥିବା ଫିଲ୍ମ ବିଷୟରେ । ତ’ ମନକୁ ବଡ କଷ୍ଟରେ ଆସିଗଲା : ବାବୁ, ଆଇ ଲଭ୍ ୟୁ !

ସୁତରାଂ କିଞ୍ଚିତ ରସିକତା କରି ନିଜ ଆଡୁ ତାଙ୍କୁ କହିଲୁ, “ଆଇ ଲଭ୍ ୟୁ ପ୍ରିୟେ” । ତେବେ ତା ସହ ଏଇଆ ବି ଯୋଡ଼ିଲୁ : ଏହି ଇଂରାଜୀ ‘ୟୁ”ଟି କିନ୍ତୁ ‘ତୁ’ ବି, ‘ତୁମେ’ ବି !!”

ଏଥକୁ ଆମ ପରି ଚିରାଚରିତ ନିରସ ପ୍ରାଣୀଟିର ଏ ଅଚାନକ ରସିକତାରେ ଆଚମ୍ବିତା ହେବା ସହ ସଲଜ୍ଜ ହୋଇ ପତ୍ନୀ ବି କହି ଉଠିଲେ : ଓଃ ଓଃ ତେବେ ତ ମୁଁ ଯେ “ଇଡିଅଟ୍”ବୋଲି ଜାଣିରଖ !

ଆମେ ଏ ଇଡିଅଟ୍ ଚିଡ଼ିଆଟି ଫେର୍ କଣ ବୋଲି ଧନ୍ଦି ହେଉଥିବାବେଳେ ପତ୍ନୀ ପୁଣି ତାଙ୍କ ଫିଲ୍ମି ମିଜାଜ ବଜାୟ ରଖି କହିଲେ : ଘରଣୀ ସହ ବସି ଫିଲ୍ମ ଦେଖିବା ଅଭ୍ୟାସ ଥିଲେ ସିନା ଜାଣିଥାନ୍ତ, ଇଡିଅଟ୍ ବୋଇଲେ ଫିଲ୍ମ “ଆଇ ଡୁ ଇଶ୍କ ଓନଲି ତୁମସେ” ବୋଲି ?

ତ’ ତାଙ୍କ ରସରସିଆ କଥା ଶୁଣିବା ପରେ ପତିପତ୍ନୀଙ୍କ ସମ୍ପର୍କ ମାମଲାରେ ଉଭୟ ‘ତୁ’ ଓ “ତୁମେ” ଡକାଡକି ହେବା ଯେ ପାରସ୍ପରିକ ପ୍ରେମର ଗଭୀରତାର ମାପକ,ଏ କଥାଟି ଆମର ହୃଦବୋଧ ହୋଇ ସାରିଥିଲା ।

ଏଥର ଆମେ ପତ୍ନୀଙ୍କୁ କହିଲୁ : ହେଲା ହେଲା । ତମ କଥାରୁ ପ୍ରାଞ୍ଜଳ ହୋଇଗଲା ଯେ ତମ ଆମ ପ୍ରେମ ତେନ୍ତୁଳି ପରି, ପହିଲେ କଇଁଆ ହୋଇଥିବା ବେଳେ ଯେମିତି ଖଟା, ପଛନ୍ତେ ପାଚି ତେନ୍ତୁଳି ପାଲଟି ଯିବା ପରେ ସୁଦ୍ଧା ସେମିତି ଖଟାମିଠା !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନମଗ୍ନ ।

Related Posts

Leave a Reply

Your email address will not be published. Required fields are marked *