ଛବିରାମ ସେଠୀ
ଶରତ ହେମନ୍ତ ଶୀତ ଓ ବସନ୍ତ
ଭାସି ଆସେ ମହୀ କୋଳେ
ଧରା କାନନରେ ହସିଉଠେ ଫୁଲ
ଶୀତର ଲହରୀ ଖେଳେ ।(୧)
ବରଷକ ବାର ମାସଲୋ ବଉଳ
ଅଟେ ପରା ଛଅ ଋତୁ
ଶୀତଋତୁ ଅଟେ ଥଣ୍ଡାର ପସରା
ଯନ୍ତ୍ରଣା ପାଆନ୍ତି ଜନ୍ତୁ ।(୨)
ଶୀତ ସକାଳର ସୂର୍ଯ୍ୟ କିରଣରେ
ଦେହରେ ବାଜିଲେ ତାତି
ଆନନ୍ଦ ଉଲ୍ଲାସେ ଜୀବନ ବିତଇ
ଆଲୋକର ଯେହ୍ନେ ପ୍ରୀତି।(୩)
ବନ ଉପବନେ ହ୍ରଦ ସରୋବରେ
ଶୋଭାପାଏ ଫୁଲ ଫଳ
ବରଫର ଖଣ୍ଡ ପର୍ବତରୁ ଆସେ
ଭୂଇଁ କରେ ଟଳମଳ।(୪)
ଶୀତର ପ୍ରକୋପ ବଢିବାରେ ଲାଗେ
ଅଥୟ ହୁଅନ୍ତି ଜନେ
ପଶୁପକ୍ଷୀ ନର ଜୀବନ ବିତାନ୍ତି
ରହି ଘରେ ଉପବନେ।(୫)
ବିଶାଳ ସଂସାରେ କେତେକ ସ୍ଥାନରେ
ହୁଏ ବରଫର ଝଡ଼
ପ୍ରଚଣ୍ଡ ମାତ୍ରାରେ ଥଣ୍ଡା ଲହରୀରେ
ଜୀବନ ହୁଅଇ ଜଡ଼ ।(୬)
ଶସ୍ୟକ୍ଷେତ ଧାରେ ସବୁଜ ଲହରୀ
ହସେ ଧରା ଉପବନ
ନାନା ଜାତି ଫଳ ପନିପରିବାକୁ
ଦେଖି ମନ ଛନଛନ ।(୭)
କେତେ ଓଷାବ୍ରତ ଲାଗି ରହିଥାଏ
ପିଠାପଣା ଘରେ ଘରେ
ମାଆ ଲକ୍ଷ୍ମୀଙ୍କର ମାଣବସା ହୁଏ
ଧବଳ ଝୋଟି ଚିତାରେ ।(୮)
ଲକ୍ଷ୍ମୀ ସାଆନ୍ତାଣୀ ବିଜେ କରିଥାନ୍ତି
ଶ୍ରୀମନ୍ଦିର ସ୍ଥାନ ଛାଡି
ପ୍ରବେଶ କରନ୍ତି ଘରେଘରେ ବୁଲି
କମଳରେ ଚିତା ମାଡ଼ି ।(୯)
ଶେଷ ଗୁରୁବାର ପୂଜାକୁ କରନ୍ତି
ଅନାଇ ଲକ୍ଷ୍ମୀଙ୍କ ମୁଖ
ମା’ସାଆନ୍ତାଣୀ ଘରକୁ ଆସିବେ
ଘରକୁ ଆସିବ ସୁଖ। (୧୦)
ଶୀତ ହେଉନାହିଁ ପଡୁନି କାକର
ବଦଳି ଗଲାଣି ଋତୁ
ଚାଷଜମି ସବୁ କୋଠା ପରିପୂର୍ଣ୍ଣ
ବଜାରେ ବୁଲନ୍ତି ଜନ୍ତୁ।(୧୧)
ସଡ଼କ ଉପରେ ଗାଡ଼ି ଗର୍ଜନରେ
ବଢିଚାଲେ ପ୍ରଦୂଷଣ
ଶୀତର ଲହରୀ ଆସୁନି ମାଟିକୁ
ବୃକ୍ଷ ନାହିଁ ଏଠି ଜାଣ।(୧୨)
ସଚେତନ ହେଲେ ଦେଶର ଜନତା
ନିଶ୍ଚୟ ଆସିବ ଶୀତ
ସମୟରେ ହେବ ଋତୁ ଆଗମନ
ଧରିତ୍ରୀ ଗାଇବ ଗୀତ ।(୧୩)
ବାରଙ୍ଗ, କଟକ, ମୋ – ୯୮୬୧୬୦୬୧୪୮
ଲେଖକ ପରିଚୟ
ପିଲାଦିନୁ ରେଡ଼ିଓ ଶୁଣିବାକୁ ଭଲପାଏ । ସାହିତ୍ୟ ପ୍ରତି ଆଗ୍ରହ ବଢାଇଲା ୨୦୧୯ ମସିହା କରୋନା ସମୟ ଯାହାକି ମଣିଷ ଜୀବନ ପ୍ରତି ଥିଲା ଏକ ସତର୍କ ଘଣ୍ଟି । ଏହି ତାଲାବନ୍ଦ ସମୟର ମୂଲ୍ୟ ବୁଝିବାକୁ ଯାଇ ଅନୁଭୂତିର ଏକ କବିତା ଆରମ୍ଭ କରିଥିଲି, ଯାହା ପାଇଁ ଆଜି ନିଜେ ମୁଁ ଗର୍ବିତ । କବିତା ମୋର ପେସା ନୁହେଁ କେବଳ ନିଶା । କ’ଣ ଲେଖେ ମୁଁ କିଛି ଜାଣିପାରେ ନାହିଁ, ସବୁ ସେହି ଲୀଳାମୟଙ୍କ ଇଛା । ଜୟ ଜଗନ୍ନାଥ ।