ବିନୟ ମହାପାତ୍ର

ଖବରକାଗଜ ଉପରେ ଆଖି ବୁଲଉ ବୁଲଉ ପ୍ରଥମେ ହେଡଲାଇନରେ ଅଟକି ଗଲେ ଅଭିମନ୍ୟୁ ବାବୁ, ଧେତ୍ କଣ ହେଉଛି ଏ ଦେଶରେ ? ପୁଣି ଗୋଟାଏ ଗଣଧର୍ଷଣ ! ଅପରାଧ ପରେ, ଅପରାଧୀମାନେ ପିଡ଼ିତାକୁ ଜୀବନ୍ତ ଜଳାଇ ଦେଲେ ! ଭୟ ଏବଂ ଘୃଣାରେ ଶିହିରି ଉଠିଲେ ଅଭିମନ୍ୟୁ ବାବୁ । କ୍ଷଣେ ସ୍ତବ୍ଧ ରହି କହିଲେ,

– ପ୍ରତି ଦିନ କେଉଁଠି ନା କୋଉଁଠି ଏମିତି କାଣ୍ଡ ଘଟୁଛି । ଦେଶ କୁଆଡ଼କୁ ଗଲାଣି ? ଦିନକୁ ଦିନ ଆମ ଯୁବ ସମାଜର ନୈତିକ ଅଧୋପତନ ଘଟୁଛି । କଣ କରୁଛି ଏ ଦେଶର ସରକାର ?

ଅନେକ ସମୟରେ ଦୋଷୀମାନେ ରାଜନୈତିକ ଶରଣରେ ଭୂମୀଗତ ହୋଇ ଯାଆନ୍ତି କିମ୍ବା ଟଙ୍କା କେତେଟା ବଦଳରେ ପୋଲିସ ବିକ୍ରି ହୋଇଯାଏ । ଯଦିବା କେସ କୌଣସି ପ୍ରକାରେ କୋର୍ଟରେ ପହଞ୍ଚି ଯାଏ, ତେବେ କଣ ହୁଏ ସେଠାରେ ? ଲୋଭି ଆଇନଜୀବି ଟଙ୍କା କେତେଟା ବଦଳରେ ନିଜର ଧର୍ମ ବିକ୍ରି କରି ଦିଏ, ମାନବିକତା ସମ୍ବେଦନାକୁ ଜଳାଞ୍ଜଳୀ ଦେଇ ଦିଏ । ବିଭିନ୍ନ ପ୍ରକାରର ଅସଭ୍ୟ ପ୍ରଶ୍ନ ବାଣରେ, ଭରା ଅଦାଲତରେ ଆଉଥରେ ସେଇ ନୀରିହ ଯୁବତୀର ବଳାତ୍କାର ହୁଏ, ଆଇନର ଗଳାବାଟ ଦେଇ ଦୋଷୀକୁ ଖସାଇ ନେବାକୁ ଚେଷ୍ଟା ହୁଏ । ବିଚାରୀ ଝିଅର ପରିବାର, ସମାଜର ଟାହିଟାପରା, ଦେଖାଣିଆ ସମବେଦନା ଏବଂ ପ୍ରଶାସନର ଅବହେଳାର ଶୀକାର ହୋଇଯାଆନ୍ତି । କେହି ବୁଝେନା ସେମାନଙ୍କର କଷ୍ଟ । ବର୍ଷବର୍ଷ ଧରି ତାରିଖ ପରେ ତାରିଖ ଗଡ଼ି ଚାଲେ, ପିଡ଼ିତା ଯଦି ଜୀବିତ ରହିଗଲା ତେବେ ସେଇ ଜୀବନ୍ତ ଶବ ସହିତ କଚେରୀର କାଠ ଗଡ଼ାରେ ବାରମ୍ବାର ଧର୍ଷଣ ହୁଏ । ବିରୋଧିଦଳ ରାଲି, ସଭା ସମିତି କରି ନିଜର ରାଜନୈତିକ ସ୍ୱାର୍ଥ ସାଉଁଟିବାରେ ଲାଗିଯାଆନ୍ତି । ଏବଂ ଶେଷରେ ଦୋଷୀ ନିର୍ଦୋଷରେ ଖଲାସ ହୋଇ ଯାଆନ୍ତି କିମ୍ବା ନାବାଳିକ କହି ବାଳସୁଧାର ଗୃହରେ ସୁରକ୍ଷିତ ରହନ୍ତି । ଏଇ ତ ଆମର ସମାଜ, ସରକାର ଆଉ ଆମର ନ୍ୟାୟ ବ୍ୟବସ୍ଥା !!!

କଥାଟା କିନ୍ତୁ ରବି ବାବୁଙ୍କର ମନକୁ ପାଇଲାନି, ଚାହା କପ୍ ରେ ସୁଡୁକିଟିଏ ଲଗେଇ କହିଲେ,

– ବୁଝିଲେ ଆଜ୍ଞା, ସବୁ କଥାରେ ସରକାରକୁ ମଝିରେ ପୁରାଇବା ଆମର ଗୋଟେ ବଡ଼ ଖରାପ ଅଭ୍ୟାସ ହୋଇଗଲାଣି । ନାରୀ ସମାନତା ପାଇଁ କେତେ ଆଲୋଚନା, ସମାଲୋଚନା, ଆନ୍ଦୋଳନ ପରେ ପୁରୁଷପ୍ରଧାନ ଆମ ସମାଜରେ ବଡ଼ କଷ୍ଟରେ ନାରୀଙ୍କ ପାଇଁ ସମାନ ଅଧିକାରର କାନୁନ୍ ଟିଏ ତିଆରି ହେଲା । ସେ ପୁଣି ଅଧାଅଧୁରା । ହେଲେ ଆଇନ୍ ତିଆରି କରିଦେଲେ କଣ ସବୁ କିଛି ବଦଳିଯିବ ? କେବଳ କାନୁନ୍ କଣ ଯଥେଷ୍ଟ ? ଆଜି ବି ପ୍ରତିଦିନ ଆମ ଦେଶରେ କେଉଁଠି ନା କେଉଁଠି ଗଣଦୁଷ୍କର୍ମ ହେଉଛି, ଆମରି ଭିତରୁ କିଏ ଜଣେ ପୁରୁଷ ଦୁଷ୍କର୍ମ କରୁଛି ଏବଂ ଆମରି ମାଆ ଭଉଣୀ ଅବା ଆଉ କାହାର ଝିଅଟିଏ ଏହି ଦୁଷ୍କର୍ମର ଶିକାର ହେଉଛି । ଅପରାଧୀ ମାନଙ୍କର ମାନସିକ ବିକୃତି କେତେ ନିମ୍ନ ସ୍ଥରରେ ପହଞ୍ଚି ଯାଇଛି । ଅପରାଧୀମାନେ ସେତିକିରେ ସନ୍ତୁଷ୍ଟ ନୁହନ୍ତି, ଶେଷରେ ଜୀଅନ୍ତା ମଣିଷ ଦେହରେ ନିଆଁ ଲଗାଇ ଜଳାଇ ଦେଉଛନ୍ତି । ମଣିଷର ମାନବିକତା, ସମ୍ବେଦନା ସତରେ ବହୁତ ତଳକୁ ଚାଲିଯାଇଛି । ତାଙ୍କ କଥା ସରି ନଥିଲା, ଏତିକି କହି ରବିବାବୁ ଟିକେ ଦମ୍ ନେଲେ । ମୁକୁନ୍ଦାକୁ ଡାକ ପକାଇଲେ, କହିଲେ,

– ଆରେ ମୁକୁନ୍ଦା ଆଉ ଚପେ ଚାହା ଦେ । କହି ଦେଇ ପୁଣି ଆରମ୍ଭ କଲେ, ଆମ ସମାଜରେ ଆମେ ନାରୀକୁ ଦେବୀ କହୁ, ଲକ୍ଷ୍ମୀ, ସରସ୍ୱତୀ, ଦେବୀ ଦୂର୍ଗା ରୂପରେ ପୂଜା କରୁ । କିନ୍ତୁ ସତରେ କଣ ଆମେ ନାରୀକୁ ସେ ସମ୍ମାନ ଦେଉ ?

ବୋହୁଟିଏ ଗର୍ଭବତୀ ହେଲେ ପ୍ରଥମେ ଗର୍ଭର ଲିଙ୍ଗ ପରୀକ୍ଷଣ କରିବାକୁ ଆମେ ବ୍ୟସ୍ତ ହୋଇଯାଉ । ଆଜିକାଲି ଆଇନ୍ ହିସାବରେ ଏଇଟା ବେଆଇନ୍, ତଥାପି ପୁରା ଚେଷ୍ଟା ରଖୁ, କେଉଁଠି କେମିତି ଲୁଚାରେ ଚୋରାରେ କାଳେ ପରୀକ୍ଷାଟା କରିଦେଇ ହେବ । ଯଦି କେବେ ପରୀକ୍ଷାରେ ଝିଅ ବୋଲି ଜଣା ପଡ଼ିଯାଏ, ତାହେଲେ କନ୍ୟାଭୃଣର ଗର୍ଭପାତ ତ ସୁନିଶ୍ଚିତ ବୋଲି ଜାଣ । ତଥାକଥିତ ଆମର ଦେବୀରୂପା କନ୍ୟାମାନଙ୍କ ପ୍ରତି ଏଇତ ଆମର ମନୋବୃତ୍ତି । ଏସବୁ ପରେ ବି ଯଦି ଝିଅଟିଏ ଜନ୍ମ ହୋଇଗଲା, ତେବେ ସରିଲା କଥା । ମାଆ ବାପା, ଜେଜେ ଜେଜମାଆ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ଯାଏ କେହି ବି ଖୁସି ହୋଇପାରନ୍ତି ନାହିଁ । ସତେଯେପରି ପରିବାର ଉପରେ ଗୋଟାଏ ମସ୍ତବଡ଼ ପାହାଡ଼ ଖସି ପଡ଼ିଲା । ମାତୃଜାତି ବୋଲି କେତେ କଥା ଶାସ୍ତ୍ର ପୁରାଣରେ ପଢୁ, କିନ୍ତୁ ସେତେବେଳକୁ କିଛି ମନେ ପଡ଼େନା । ମନ୍ଦିରରେ ପଥରର ଦେବୀ ପ୍ରତିମାକୁ ପୂଜା କରୁ, କିନ୍ତୁ ଦିନ ଦୁଇ ପହରେ ଜୀଅନ୍ତା ଦେବୀକୁ ଧର୍ଷଣ କରୁ । କେବେ ନୂଆବୋହୂଟି ଦେହରେ କିରୋସିନ ଢାଳି ଜାଳି ଦେବାକୁ ପଛାଉ ନାହିଁ । ଏଇ ତ ଆମେ, ଆଉ ଆମର ଧାର୍ମିକତା, ପରମ୍ପରା ନାଆଁରେ ପ୍ରତିଦିନ ନାରୀର ଅସନ୍ମାନ କରୁ ।

ଏହା କଣ ମାନବିକତା ? ମଣିଷ ଆଉ ପଶୁ ଭିତରେ ପ୍ରଭେଦ କଣ ? ମଣିଷ ବି ଗୋଟିଏ ପଶୁ, କିନ୍ତୁ କେବଳ ଗୋଟିଏ ଜିନିଷ ମଣିଷକୁ ପଶୁଠାରୁ ଅଲଗା କରେ, ସେଇଟା ହେଉଛି ମଣିଷର ବୁଦ୍ଧି ବିବେକ ବା ତାର ‘ଚେତନା’ (ନୈତିକତା ଓ ସମ୍ବେଦନଶୀଳତା) ଯାହାକୁ ଆମେ ସଂସ୍କାର ବୋଲି କହୁ । ଆଜିର ମଣିଷ ସଂସ୍କାର ବିହୀନ ହୋଇଗଲାଣି । କିନ୍ତୁ ଏ ସଂସ୍କାର ଆସିବ କେଉଁଠୁ, ପିଲାଙ୍କୁ କିଏ ଶିଖାଇବ ଏ ସଂସ୍କାର ? ଆଜିର ଏକକ ପରିବାର ବ୍ୟବସ୍ଥାରେ ପିଲାମାନେ ଘରର ବଡ଼ ବୁଢା ଜେଜେ, ଜେଜମାଆଙ୍କ ଠାରୁ ଦୂରରେ ରହିଲେ, ବାପା ମାଆ ପଇସା ପଛରେ ଦିନରାତି ବ୍ୟସ୍ତ ରହିଲେ, ସମୟ ମିଳିଲେ ସୋସିଆଲ ମିଡ଼ିଆରେ ହଜିଗଲେ, ପିଲାଙ୍କ ପାଇଁ ସମୟ ନାହିଁ । ଆଉ ରହିଲା ବିଦ୍ୟାଳୟ, ମହାବିଦ୍ୟାଳୟ, ଯେଉଁଠି ପିଲାଙ୍କୁ ସମସ୍ତ ଜ୍ଞାନ ମିଳିଥାଏ । ହେଲେ ଆଜି କଣ ସେପରି ବିଦ୍ୟାଳୟ ଅଛି ? ଯେଉଁଠି ପିଲାଙ୍କୁ ଏକ ସଂସ୍କାରୀ ସାମାଜିକ ପ୍ରାଣୀ ହିସାବରେ ବିକଶିତ କରାଯାଇ ପାରିବ ? ସ୍କୁଲ କଲେଜ ନାଆଁରେ ଆଜି କେବଳ ବ୍ୟବସାୟ ପ୍ରତିଷ୍ଠାନ ରହିଯାଇଛି । ଯେଉଁଠି ମୋଟା ଫିସ ଦେଇ ପିଲାଙ୍କୁ ପଠେଇ ଦିଆଯାଏ । ଏବଂ କିଛି ବର୍ଷ ପରେ ସେଠାରୁ କିଛି ପ୍ରୋଫେସନାଲ ବାହାରନ୍ତି, କେବଳ ଟଙ୍କା ରୋଜଗାରକ୍ଷମ କିଛି ପ୍ରୋଫେସନାଲ । ଯେଉଁମାନେ ଆଖି ସାମ୍ନାରେ ଅପରାଧ ହେଉଥିବାର ଦେଖି ମଧ୍ୟ ନିରବ ରହି ମୁଁହ ବୁଲାଇ ଚାଲି ଯାଉଛନ୍ତି । ଅପରାଧୀର ନା ଜାତି ଥାଏ, ନା ଧର୍ମ ଥାଏ, ନା କୌଣସି ଶିକ୍ଷା ଥାଏ । ଅପରାଧୀ କେବଳ ଏକ ଦୁର୍ବଳ, ବିକୃତ ମାନସିକତା ଏବଂ ପାଶବିକ ପ୍ରବୃତ୍ତିର ମଣିଷ । ଏହା ଭିତରେ ମୁକୁନ୍ଦା ଚାହା କପ୍ ଟିଏ ଆଣି ରବି ବାବୁଙ୍କ ସାମ୍ନାରେ ରଖି ଦେଇ କହିଲା,

– ଆଜ୍ଞା ଚାହା ।

ରବି ବାବୁ ମୁକୁନ୍ଦା ମୁହଁକୁ ଚାହିଁ କହିଲେ,

– କଣ କିରେ ମୁକୁନ୍ଦା, ମୁଁ ଯାହା କହିଲି, ସତ କହିଲି ନା’ ମିଛ ?
ମୁକୁନ୍ଦା ମୁଣ୍ଡ କୁଣ୍ଡଉ କୁଣ୍ଡଉ ଫିକ୍ କିନା ଟିକେ ହସି ଦେଇ ତାର ପାନଖିଆ ବତିଶ ନାଲିଆ ଦାନ୍ତକୁ ଦେଖେଇ କହିଲା,

– ଆଜ୍ଞା, ଆମେ ମଳିମୁଣ୍ଡିଆ ନୁକୋ । ଦିନ ସାରା ଏଇ ଚୁଲା ପାଖରେ ବସି ଚାହା କେଟିଲ, ନହେଲେ ତେଲ କରେଇ ସାଙ୍ଗେ ଦିନ ବିତୁଛି । ଆମେ କଣ ଜାଣୁ ଦେଶ ଦୁନିଆ କଥା ! ହେଲେ, ଆପଣ ଯାହା କହିଲେ ଷୋଳ ଅଣା ସତ । ଆମେ ବାହାରେ ଯେମିତି କହୁ, ଯେମିତି ଦେଖେଇ ହେଉ, ଘରେ କିନ୍ତୁ ସେମିତି କରିପାରୁନା । ବାହାରେ ତ ପୁରା ମଡର୍ଣ୍ଣ, କିନ୍ତୁ ଘରେ ପହଞ୍ଚିଗଲେ କୁଆଡ଼େ ଉଭେଇ ଯାଏ ଆମର ଏଇ ଆଧୂନିକ ରୂପ । ପୁଣି ସେଇ ସମାଜର ଡର । ଝିଅର ବାପ ସବୁଦିନ ବିଚରାଟିଏ ହୋଇ ରହିଯାଏ । ପୁଅଟିଏ ଭୁଲ କଲେ କେହି ଦେଖନ୍ତିନି, କହିବେ ପୁଅ ତ ପିତଳ ଘଡ଼ା, ଧୋଇମାଜି ଦେଲେ ପୁଣି ଚକମକ୍ କରି ଚମକି ଉଠିବ । କିନ୍ତୁ ଝିଅଟିଏ ତ ମାଟି ମାଠିଆ, କଣ ଟିକେ ବାଜି ଗଲେ ଦି’ଖଣ୍ଡ । ବେକାର ହୋଇଗଲା ସାରା ଜୀବନ ! କଳଙ୍କ ଟିପାଏ ନେଇ କେମିତି ବଞ୍ଚି ରହିବ ? କିଏ ତାକୁ ବୋହୂ କରିବ ?

ଝିଅଟିଏ ଯଦି ବଡ଼ ପାଟିରେ କଣ କହିଦେଲା କି ଜୋରରେ ଯଦି ଦି’ କଦମ ଚାଲିଗଲା ତାକୁ ଅଣ୍ଡିରାଚଣ୍ଡି କହିବାକୁ ମୁହୁର୍ତ୍ତେ ବି ଲାଗେନି କାହାକୁ । ଝିଅକୁ ତ କେହି ନିଜର ବୋଲି ଭାବେନି, କହିବେ ଯେତେ ହେଲେ ଝିଅ ପରଘରି, ପର ଘରକୁ ଯିବ । ଦେହରେ କି ଚରିତ୍ରରେ ଯେପରି ଦାଗଟିଏ ନଲାଗିବ ସେଥି ପାଇଁ ସମସ୍ତେ ବଡ଼ ଯତ୍ନରେ ପାଳନ୍ତି । ଝିଅ ପାଇଁ ବାପାର ଘରଟା କେବେ ନିଜର ହୋଇ ପାରେନା, ଶାଶୂଘର ଲୋକ କଥା କଥାକେ ପର ଘର ଝିଅ ବୋଲି କହିପକାନ୍ତି, ଶାଶୁ ଘରଟାକୁ ବି ନିଜର ବୋଲି କହିପାରେନା । ଦୁହିତା, ଦୁଇ କୂଳର ହିତ କଥା ଭାବୁ ଭାବୁ ନିଜ ହିତ କଥା ବିଚାରୀ ଭୁଲି ଯାଏ । ତାର ନିଜର ଘର କେଉଟା ବୋଲି ବୁଝିବା, ସାରା ଜୀବନ ତା ସାମ୍ନାରେ ଗୋଟିଏ ଯକ୍ଷ ପ୍ରଶ୍ନ ପରି ରହିଯାଏ । ତାର ନିଜର ଘର କେଉଁଟା ? ବାପାଘର ପାଇଁ ପରଘରି, ଶାଶୁଘର ପାଇଁ ପରଝିଅ । ସମସ୍ତଙ୍କ ପାଇଁ ସେ ପର, ତେବେ ତାର ନିଜର କିଏ ?

ଅଭିମନ୍ୟୁ ବାବୁ ମୁକୁନ୍ଦ ମୁହଁର କଥା ଛଡ଼ାଇ ନେଇ କହିଲେ,

– ସତ କଥା କହିଲୁ ମୁକୁନ୍ଦା, ଆମେ ବାହାରେ ତ କହିହେଉ ପୁଅ ଝିଅ ସବୁ ସମାନ । କିନ୍ତୁ ଘରେ ? କଥା କଥାକେ ଝିଅକୁ ପୁଅ ସହିତ ତୁଳନା କରିଦେଉ । କାମ ଯେପରି ବଣ୍ଟା ହୋଇଛି, ଏଇଟା ପୁଅଙ୍କ କାମ ଆଉ ଏଇଟା ଝିଅଙ୍କ କାମ । ଝିଅମାନଙ୍କୁ ସବୁ କାମରେ କହି ଦେଉ ‘ତୁ କଣ ପୁଅ ହେଇଛୁ’ ? ସେ ଯଦି କିଛି ପୁଅବାଲା କାମ କରିଦିଏ ତେବେ ତାକୁ କହୁ ଅଣ୍ଡିରାଚଣ୍ଡି, ଲାଜ ସରମ ଟିକେ ନାହିଁ ବୋଲି କହିବାକୁ ମୁହୁର୍ତ୍ତେ ବି ଡେରି କରୁନା । କେବେ ବି ଝିଅର ମନରେ ଆତ୍ମବିଶ୍ୱାସ ବଢାଇବାକୁ ଚେଷ୍ଟା କରୁନା, ତାକୁ ସ୍ୱାଭିମାନୀ ହେବାକୁ ଦେଉନା । ତା ମନରେ ‘ସେ ଶକ୍ତିଶାଳୀ ଏବଂ ସେ ସବୁ କିଛି କରି ପାରିବାର କ୍ଷମତା, ଦକ୍ଷତା ରଖେ’ ବୋଲି ତାକୁ ପ୍ରେରିତ କରୁନା ! ବରଂ ତୁ ଝିଅଟେ, ଏସବୁ କାମ ତୋ ଦେଇ ହେବନି, କହି ତାକୁ ନିରୁତ୍ସାହିତ କରୁ, ଏବଂ ଆଶା କରୁ ସେ ସମାଜରେ ମୁଣ୍ଡଟେକି ନିର୍ଭୀକ ଭାବେ ସୁରକ୍ଷିତ ରହିପାରିବ, କିନ୍ତୁ କିପରି ?? କେଉଁଠି ଗୋଟାଏ ପଢିଥିଲି, “ତୁମର ରକ୍ଷା କେବଳ ଗୋଟିଏ ଲୋକ କରିପାରିବ ଏବଂ ସେ ହେଉଛି କେବଳ ‘ତୁମେ ନିଜେ’ । ଆମେ ନାରୀକୁ କେବଳ ସୁନ୍ଦରତା, ସରଳତା, ମମତାମୟୀ, କଲ୍ୟାଣମୟୀ ରୂପରେ ଦେଖି ଆସୁଛେ । କିନ୍ତୁ ଭୁଲି ଯାଉଛେ ନାରୀ ଧରିତ୍ରୀ ପରି, ଉପରେ ଏତେ ସହନଶୀଳ ସୁନ୍ଦର ଦିଶୁଥିଲେ ମଧ୍ୟ ପୃଥିବୀର ମାଟି ତଳେ କେତେ ଯେ ଉତ୍ତପ୍ତ ଲାଭାର ସ୍ରୋତ ବୋହୁଛି ତାହା ଆମେ କଳ୍ପନା କରିପାରୁନା । ଠିକ୍ ସେମିତି ନାରୀ ଭିତରେ ଦେବୀ ଦୂର୍ଗା, ମହାକାଳୀ ରୂପରେ ଶୋଇଥିବା ସେଇ ଉତ୍ତପ୍ତ ଲାଭାକୁ ଆମେ ଦେଖିପାରୁନା, ସ୍ୱୟଂ ନାରୀ ମଧ୍ୟ ନିଜର ଏଇ ଶକ୍ତିକୁ ଭୁଲି ଯାଇଛି । ଉପରକୁ ଶାନ୍ତ ଦିଶୁଥିବା ଧରିତ୍ରୀ ଏବଂ ନାରୀ ଭିତରର ଏଇ ଉତ୍ତପ୍ତ ଲାଭା ନିଜ ଉପରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଯେଉଁଦିନ ଚରମ ପ୍ରଚଣ୍ଡତାର ସହିତ ଉଦଗୀରଣ କରିବ, ସେଦିନ ଏ ସଂସାରକୁ କେହି ରକ୍ଷା କରିପାରିବେ ନାହିଁ । ଆମେ କଣ ନାରୀର ସେହି ସଂହାରକାରିଣୀ କାତ୍ୟାୟନୀ ଅବତାର ଦେଖିବାକୁ ଅପେକ୍ଷା କରିଛେ ?

– ହଁ, ସତ କହିଲେ ଆଜ୍ଞା, କହି ରବି ବାବୁ ତାଙ୍କର ଅଧା କଥାକୁ ପୁରା କରିବାକୁ ଆରମ୍ଭ କଲେ । ଝିଅଟିଏ ତ ତା’ ଜୀବନର ପ୍ରଥମ ଦିନରୁ ନିଜ ଘରେ ଝିଅଟିଏ ବୋଲି ଅପମାନିତ ହୁଏ । ତାର ଅସ୍ମିତାର ହନନ ତାର ମାଆ, ବାପା, ଭାଇ ତଥା ପରିବାରର ଅନ୍ୟ ସଦସ୍ୟମାନେ ଜାଣିଶୁଣି ହେଉ ଅବା ଅଜାଣତରେ କରିଥାଆନ୍ତି । ସେ ଘରର ସଦସ୍ୟାଟିଏ ହୋଇ ମଧ୍ୟ ପରର ସମ୍ପତ୍ତିର ଆଖ୍ୟା ପାଇଥାଏ । ତାକୁ ସମାଜର ଯୋଗ୍ୟ ହେବା ପାଇଁ ଶିଖା ଯାଏନି ବରଂ ପର ଘର ପାଇଁ ଯୋଗ୍ୟ ହେଲା ପରି ଟ୍ରେନିଂ ଦେବା ଆରମ୍ଭ କରି ଦିଆଯାଏ । କେମିତି ବସିବ ଉଠିବ, କେମିତି ଚାଲିବ, କେମିତି କଥା କହିବ, କେମିତି ହସିବ ଏସବୁ ଶିଖା ଯାଏ । ଚୁପ୍ ରହି ପଥର ପରି ସବୁ କିଛି କିପରି ସହିବାକୁ ହୁଏ ତାହା ଶିଖା ଯାଏ । ଅନ୍ୟାୟ ବିରୁଦ୍ଧରେ କେମିତି ଲଢିବାକୁ ହୁଏ ତାହା କେହି କେବେ ତାକୁ ଶିଖାଏନି । ବରଂ ତାକୁ କୁହା ଯାଏ “ଝିଅ ଜନମ ପର ଘରକୁ” ! “ସଂସାର କରିଲେ, ପଥର ପଡ଼ିଲେ ସହି” ! ସବୁ ଅନ୍ୟାୟକୁ ମଥାପାତି ସହି ନେବା ପାଇଁ କୁହାଯାଏ । ଉତପ୍ତ ଲାଭା ଉପରେ ପୁରୁଷ ସମାଜ, ଅବଳା, ଦୁର୍ବଳାର ଚାଦର ଢାଙ୍କି ଦେଇଛି ନିଜର ସ୍ୱାର୍ଥ ପାଇଁ ତା ମୁହଁରେ ଶହନଶୀଳତାର ମୁଖା ପିନ୍ଧାଇ ଦେଇଛି । କଥା କଥାରେ, ପ୍ରତି ପଦକ୍ଷେପରେ ତାକୁ ମନେପକାଇ ଦିଆଯାଏ, ତୁ ଝିଅ, ତୁ ଦୁର୍ବଳ, କେହି ବି ତୋତେ ଅପମାନିତ କରିପାରେ ! ତୁ ଦୁର୍ବଳ, ତୁ ନିଜକୁ ରକ୍ଷା କରି ପାରିବୁନି ଇତ୍ୟାଦି ଇତ୍ୟାଦି କହି ପିଲାଟି ଦିନରୁ ତାର ମନରେ ଏକ ଅସୁରକ୍ଷିତ ଭାବନାର ମଞ୍ଜି ପୋତି ଦିଆ ଯାଏ । ଆମେ ଏପରି କରି ତାକୁ ଅସହାୟତାର ଭାବନା ଭିତରେ ଯେମିତି ବନ୍ଦ କରିଦେଉ । ସେ ତାର ଜୀବନର ପ୍ରତି ପଦକ୍ଷେପରେ ପରିବାରିକ ପ୍ରତିବନ୍ଧର ସାମନା କରିଥାଏ । ଝିଅଟିଏକୁ ସାହାସୀ ହେବା କେବେ ବି ଶିଖା ଯାଏନା । ନାରୀର ପ୍ରଥମ ଓ ଶେଷ ଶତ୍ରୁ ନାରୀ ହିଁ ହୋଇଥାଏ । ଜନ୍ମକଲା ମାଆ ଅତି ସ୍ନେହରେ ହେଉ ବା ସମାଜର ଡରରେ ହେଉ ଝିଅଟିକୁ ଦୁର୍ବଳା ଅବଳା କରି ଦେଇ ସହନଶୀଳାର ମୂର୍ତ୍ତିମନ୍ତ ନାରୀଟିଏ କରି ଗଢେ, ଏବଂ ଶାଶୁ ଘରେ ଶାଶୂ ନଣନ୍ଦ ଏବଂ ଯାଆମାନେ ଏହି ଦୁର୍ବଳତାର ସୁଯୋଗ ନେଇ ବୋହୂର ଶୋଷଣ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ ।

ଗୋଟିଏ ଝିଅ ଭିତରେ ଭଗବାନ କଣ ସେସବୁ ଦେଇନି, ଯାହା ସବୁ ପୁଅଙ୍କୁ ଦେଇଛି ! ଆଜି ଏମିତି କେଉଁ କାମ ଅଛି କୁହନ୍ତୁ ତ, ଯାହା କେବଳ ପୁଅ କରି ପାରିବେ, ଆଉ ଝିଅ କରି ପାରିବେନି ? ଘାସ କାଟିବାଠୁ ଆରମ୍ଭ କରି ଘୋଡ଼ା ଚଢିବା ଯାଏଁ ସବୁ କାମରେ ତ ଝିଅମାନେ ଆଜି ପାରଙ୍ଗମ । ଝିଅମାନେ ତ ବଦଳୁଛନ୍ତି । କିନ୍ତୁ ଆମେ କେବେ ବଦଳିବା ? ଆମେ ଆଜି ବି ସେଇ ମାନଧାତା ଅମଳର ପୁରୁଷଙ୍କ ପରି, ଝିଅଙ୍କର ପିନ୍ଧା ଲୁଗାରେ ଅଟକି ରହିଛେ । କିଏ ଟାଇଟ୍ ଜିନ୍ସ ପିନ୍ଧିଛି, କିଏ ଶାଢି ନପିନ୍ଧି ମିନି ସ୍କଟ ପିନ୍ଧିଛି । କାହାର ଜଙ୍ଘ ଦିଶୁଛି କାହାର ପେଟ ଦିଶୁଛି ! ଆମର ଆଖି କେବଳ ସେତିକି ଦେଖୁଛି । କିନ୍ତୁ ସେଇ ଝିଅ ଯେ ସେନାରେ ଫାଇଟର ପ୍ଲେନ୍ ଉଡ଼ାଉଛି କି କଲେକ୍ଟର ହୋଇ ଜିଲ୍ଲା ଚଳଉଛି ସେକଥା ଆମ ଆଖିକୁ ଆସୁନି । ଧୀକ୍ ଏଇ ମରଦ ପଣିଆକୁ, ଯିଏ ସଂସ୍କୃତି ଆଉ ପରମ୍ପରାର ଦ୍ୱାହି ଦେଇ ନାରୀକୁ ଗୋଟିଏ ଖୁଣ୍ଟିରେ ଛେଳି କି ଗାଈଟିଏ ପରି ବାନ୍ଧି ରଖିବାକୁ ଚାହୁଁଛି !

ଅଭିମନ୍ୟୁ ବାବୁ ଆଉ ସ୍ଥିର ରହି ପାରିଲେନି, ତାଙ୍କ ଦେହ ଭିତରେ ଯେପରି ରକ୍ତ ଗରମ ହୋଇ ଆସୁଥିଲା । ସେ ଭାବଉଦ୍ବେଳିତ ହୋଇ କହି ପକେଇଲେ,

– ବୁଝିଲେ ଅଜ୍ଞା, “ଆମେ ସବୁ ଗୋଟିଏ ଗୋଟିଏ ଧ୍ରୁତରାଷ୍ଟ୍ର, ଆମେ ପୁତ୍ର ପ୍ରେମରେ ଏପରି ଅନ୍ଧ ହୋଇ ଯାଇଛେ ଯେ ପୁରୁଷ ମାନଙ୍କର ଦୋଷକୁ ଆମେ ଧ୍ୟାନ ଦେଉନା ବରଂ ସବୁ ଦୋଷ ଝିଅର କହି କାନି ଝାଡ଼ି ଦେଉଛେ” । ସବୁ ଘଟଣା ପଛରେ ଝିଅର ଦୋଷ, କାରଣ ସେ ଉତ୍ତେଜକ ପୋଷାକ ପିନ୍ଧିଥିଲା, ସେ ସଂଧ୍ୟା ପରେ ଏକୁଟିଆ ବାହାରକୁ କାହିଁକି ଯାଉଥିଲା ଇତ୍ୟାଦି ଇତ୍ୟାଦି । ତାଛଡ଼ା, ହିନ୍ଦୁ ନାରୀ କିପରି ହେବା ଉଚିତ୍, ସେ କଣ ପିନ୍ଧିବ, କିପରି ଆଚରଣ କରିବ ଏସବୁ ତ ଶାସ୍ତ୍ର ଦେଖି ଆମେ ବଡ଼ ଜୋରରେ କହି ପକାଉ, ମାତା ସୀତା କିମ୍ବା ସତୀ ସାବିତ୍ରୀଙ୍କ ଉଦାହରଣ ଦେଇ ଦେଉ, କିନ୍ତୁ ପୁରୁଷର ତୁଳନା କେବେ ଶ୍ରୀରାମ କିମ୍ବା ସତ୍ୟବାନଙ୍କ ସହିତ କରୁନା, ଆଦର୍ଶ ପୁରୁଷର ଆଚରଣ ବିଷୟରେ ଆଲୋଚନା ବେଳେ ଏଭଳି ପୁରୁଷଙ୍କ କଥା କଣ କେବେ ମନେ ପଡ଼େନା ? ନା ସେସବୁ କିଛି ଆମ ଶାସ୍ତ୍ରରେ ଲେଖା ନାହିଁ ବୋଧହୁଏ ? ଅବା ଆମ ପୂର୍ବପୁରୁଷ ମାନେ ସେ ସବୁ ଲେଖିବାକୁ ଭୁଲି ଗଲେ ? କେତେ ଜଣ ପୁରୁଷ ଆଜି ନିଜ ଛାତିରେ ହାତ ରଖି କହିପାରିବେ ସେମାନେ ରାମଙ୍କ ପରି ସୁପୁରୁଷ ? ଲକ୍ଷ୍ମଣଙ୍କ ପରି ସଂଯମୀ ?? ନିଜର ଆଚରଣ ତ ରାବଣ ପରି କିନ୍ତୁ ନିଜ ପାଇଁ ସୀତାଙ୍କ ପରି ପତିବ୍ରତା ପତ୍ନୀ ଖୋଜୁଛନ୍ତି । ନିଜ ଦେହର ରଙ୍ଗ ପଛେ ଜହ୍ନିମଞ୍ଜି ପରି ମିଞ୍ଜି ମିଞ୍ଜି କଳା ହୋଇଥାଉ କିନ୍ତୁ ପତ୍ନୀ ଗୋରୀ ହେବା ନିହାତି ଦରକାର ।”

ମାଆ ମାନେ ବି କିଛି କମ୍ ନୁହଁନ୍ତି ଆଜ୍ଞା, ସେ ମାଆ ହେଉ କି ଶାଶୂ, ସବୁ ଜାଣିଶୁଣି ପୁତ୍ର ପ୍ରେମର ପଟି ଆଖିରେ ବାନ୍ଧି ନେଇ ଗାନ୍ଧାରୀ ପରି ହୋଇ ଯାଇଛନ୍ତି । କୁରୁସଭାରେ ଦ୍ରୌପଦୀର ବସ୍ତ୍ରହରଣ ସମୟରେ ତାର ଆର୍ତ୍ତକ୍ରନ୍ଦନ ଦେଖି, ଶୁଣି ମଧ୍ୟ ଗାନ୍ଦାରୀ ପରି ଅନ୍ଧ ହେବାର ଅଭିନୟ କରୁଛନ୍ତି, ପୁରୁଷ ବିରୁଦ୍ଧରେ ବିଦ୍ରୋହ କରିପାରୁ ନାହାନ୍ତି । ଝିଅର କଷ୍ଟ ତ ଦେଖୁଛନ୍ତି, ବୁଝୁଛନ୍ତି ହେଲେ ଅନ୍ଧ ହେବାର ଅଭିନୟ କରୁଛନ୍ତି, ସମାଜର ଦ୍ୱାହି ଦେଇ ନିରବ ରହୁଛନ୍ତି । ଶାଶୂମାନେ ନିଜ ଝିଅ ଆଉ ନିଜ ବୋହୂ, ଦୁଇଜଣଙ୍କୁ ସମାନ ଆଖିରେ ଦେଖିପାରନ୍ତି ନାହିଁ । କେମିତି ଭୁଲି ଯାଆନ୍ତି, ବୋହୂଟି ବି କେଉଁ ଏକ ମାଆର ଗେହ୍ଲି ଝିଅଟିଏ ! ସବୁ ଜାଣି ବି ଆଜି ଆମେ କେହି ବୁଝିବାକୁ ଚାହୁଁନେ, ଆମର ଏ ପୁତ୍ର ପ୍ରେମ ଦିନେ କୁରୁବଂଶ ପରି ଏ ସମାଜକୁ ଧ୍ୱଂସ କରିଦେବ । ପ୍ରତି ଝିଅର ପ୍ରତିଟି ବୁନ୍ଦା ଲୁହ ଦିନେ ନା ଦିନେ ଏଇ ସ୍ୱାର୍ଥପର ପୁରୁଷ ସମାଜକୁ ଜାଳି ଦେବ ।

ପ୍ରଥମେ ଆମେ ଆମ ନିଜ ଘରେ ଝିଅକୁ ଅପମାନିତ ହେବାକୁ ଦେଉ । ତାକୁ ଅବଳା ଦୂର୍ବଳା କରିଦେଉ । ପରେ ସେଇ ଝିଅ ରାସ୍ତାରେ ଅପମାନିତ ହୁଏ, ସେଥିପାଇଁ ସରକାର ଏବଂ ସମାଜ ଉପରେ ଦୋଷ ମଢି ଦେଉ । ନେତାଙ୍କୁ ନେତାଗିରି କରିବାକୁ ମଉକା ଦେଉ, ବିରୋଧି ଦଳର କାଠ କଣ୍ଢେଇ ସାଜି ତାଙ୍କ ନିଚ୍ଚ ରାଜନୀତିର ଅଂଶ ବନିଯାଉ ଏବଂ ବନ୍ଦ, ଷ୍ଟ୍ରାଇକ ଆଦି କରୁ । କିନ୍ତୁ କେବେ ବି ନିଜ ଘରେ ନିଜ ପୁଅମାନଙ୍କୁ ଏ କଥା ଶିଖାଉନା, କି ନାରୀ ଭୋଗର ବସ୍ତୁ ନୁହେଁ, ନାରୀ ମାଆ, ପ୍ରତିଟି ପୁରୁଷ ସେଇ ମାଆ ପେଟରୁ ଜନ୍ମ ହୋଇଛନ୍ତି, ତାର ସ୍ତନ ପାନ କରି ଜୀବନ ଧାରଣ କରିଛନ୍ତି, ତାରି କୋଳରେ ବଢି ତାର ପଣତ ତଳେ ସୁରକ୍ଷିତ ରହି ମଧ୍ୟ ଅନ୍ୟ ନାରୀକୁ ଅପମାନିତ କରିବାକୁ କିପରି ଭାବି ପାରନ୍ତି ଏଇ ନିଷ୍ଠୁର ପୁରୁଷମାନେ ? ଝିଅଟିଏ ବି ଏ ସମାଜର ଏକ ବଳିଷ୍ଟ ଅଙ୍ଗ । ନାରୀ, ଶକ୍ତିର ରୂପ, ନାରୀ ସୃଜନକାରିଣୀ, ନାରୀ ନଥିଲେ ସୃଷ୍ଟି ଅସମ୍ଭବ । ନାରୀ ପୂଜନୀୟା, ସମ୍ମାନୀୟା, ବନ୍ଦନୀୟା । ନାରୀଟିଏ ଜନନୀ, ଭଗିନୀ, ଜାୟା । ନାରୀରେ ମାଆକୁ ଦେଖିବା ପାଇଁ ପୁଅକୁ କେବେ ପ୍ରେରିତ କରିନୁ । ନାରୀକୁ ସମ୍ମାନ ଦେବା ତାକୁ ସୁରକ୍ଷା ଦେବା କଥା କେବେ ବି ପୁଅକୁ ଶିଖାଇ ପାରୁନା ।

“ଉପରକୁ ଶାନ୍ତ ଦିଶୁଥିବା ଧରିତ୍ରୀ ଏବଂ ନାରୀ ଭିତରର ଏଇ ଉତ୍ତପ୍ତ ଲାଭା ସୁପ୍ତ ଅବସ୍ଥାରେ ସବୁବେଳେ ରହିଥାଏ, କିନ୍ତୁ ନିଜ ଉପରେ ବାରମ୍ବାର ହେଉଥିବା ଅନ୍ୟାୟ ବିରୁଦ୍ଧରେ ଯେଉଁଦିନ ଏହି ଉତ୍ତପ୍ତ ଲାଭା ତାର ଚରମ ପ୍ରଚଣ୍ଡତାର ସହିତ ଅଗ୍ନି ଉଦଗୀରଣ କରିବା ଆରମ୍ଭ କରିଦେବ, ସେ ଦିନ ଏ ସଂସାରକୁ କେହି ବି ରକ୍ଷା କରି ପାରିବେ ନାହିଁ । ସ୍ୱୟଂ ଭଗବାନ ବି ନୁହେଁ । ଆମେ କଣ ନାରୀର ସେହି ସଂହାରକାରିଣୀ କାତ୍ୟାୟନୀ ଅବତାର ଦେଖିବା ପର୍ଯ୍ୟନ୍ତ ଅପେକ୍ଷା କରିଛେ ?”

ଆମେ କେବେ ଚିନ୍ତା କରୁନି, ଏଥିରେ ଆମର ବି ଦୋଷ ଅଛି, ଆମେ ବି ଦୋଷୀ । ସମାଜ କହିଲେ କଣ ବୁଝୁ ଆମେ ? ସମାଜରେ ପରିବର୍ତ୍ତନ କଥା କହୁ, ଆମେ ଏ କଥା କହିଲାବେଳେ କାହା କଥା ଭାବୁ ? କେଉଁ ସମାଜ କଥା କହୁ ? ମୁଁ, ଆପଣ, ସେମାନେ, ଆମେ ସମସ୍ତେ ମିଶିଲେ ତ ଗୋଟିଏ ସମାଜ ହୁଏ ! ନିଜକୁ ପଚାରନ୍ତୁ, “ମୁଁ ବଦଳିବାକୁ ଚାହୁଁଛି ? ମୁଁ କିଛି ବଦଳିଛି ?? ଝିଅମାନଙ୍କ ପ୍ରତି ମୋ ଦୃଷ୍ଟିକୋଣରେ କିଛି ପରିବର୍ତ୍ତନ ଆସିଛି” ??? ଯଦି ଆପଣଙ୍କ ଉତ୍ତର ‘ହଁ’ ତେବେ ଜାଣନ୍ତୁ ସମାଜ ବଦଳୁଛି ଏବଂ ଏହାକୁ ଆହୁରି ଦ୍ରୁତ ଗତିରେ ବଦଳେଇବା ପାଇଁ ଆପଣଙ୍କ ଆଖପାଖର ଲୋକଙ୍କୁ ବୁଝାନ୍ତୁ ଏବଂ ଏହି ପରିବର୍ତ୍ତନରେ ସାମିଲ କରାନ୍ତୁ । ଆଇନ୍ ତିଆରି କରିଦେଲେ କିଛି ବି ବଦଳେ ନାହିଁ, ନିଜେ ବଦଳିଲେ ଯାଇ ଦୁନିଆ ବଦଳେ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *