ଭୁବନେଶ୍ୱର : ବୟୋଜ୍ୟେଷ୍ଠ ସାହିତ୍ୟିକ ତଥା ଆକାଶବାଣୀ, କଟକର ବରିଷ୍ଠ ଗୀତିକାର ଲକ୍ଷ୍ମୀଧର ମିଶ୍ରଙ୍କର ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସ୍ଵର୍ଗତ ମିଶ୍ର ୧୯୬୭ ମସିହାରୁ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ । ସେ ଓଡ଼ିଶାର ବହୁ ସରକାରୀ ହାଇସ୍କୁଲରେ ଶିକ୍ଷକତା କରିଛନ୍ତି । ଓଡ଼ିଆ ଲିପିରେ ରବୀନ୍ଦ୍ରନାଥଙ୍କ ‘ଗୀତାଞ୍ଜଳି’ କୁ ପ୍ରସ୍ତୁତ କରିବା ସହିତ ତାର ପଦ୍ୟାନୁବାଦ ପ୍ରକାଶ କରି ସେ ପାଠକମାନଙ୍କ ଆଦର ଲାଭ କରିଛନ୍ତି ।
ସୂଚନାଥାଉ ଯେ ଓଡ଼ିଶାର ପ୍ରସିଦ୍ଧ ଗାୟକମାନେ ଗାଇଥିବା ତାଙ୍କର ଗୀତିଗୁଡ଼ିକର ସଂକଳନ ‘ବିଚିତ୍ର ପଦାବଳୀ’ ଉଚ୍ଚ ପ୍ରଶଂସା ଲାଭ କରିଛି । ଏତଦବ୍ୟତୀତ ଆହୁରି ସାତଟି କାବ୍ୟଗ୍ରନ୍ଥର ରଚୟିତା ରୂପେ ସେ ମନେ ରହିବେ । ଖୋର୍ଦ୍ଧା ଜିଲ୍ଲା ହଳଦିଆ ପଞ୍ଚାୟତର ଭଗବାନପୁର ଶାସନ ଗ୍ରାମରେ ଜନ୍ମ ନେଇଥିବା ସ୍ଵର୍ଗତ ମିଶ୍ର ପଛରେ ତାଙ୍କ ପତ୍ନୀ, ଚାରି ପୁଅ ଓ ଚାରି ଝିଅଙ୍କୁ ଛାଡ଼ି ଯାଇଛନ୍ତି । ମୃତ୍ୟୁ ବେଳକୁ ପାଖରେ ତାଙ୍କର ପତ୍ନୀ ପଙ୍କଜିନୀ ମିଶ୍ର ଏବଂ ପୁଅ ଶାନ୍ତିନିକେତନର ପ୍ରଫେସର ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଅରୁଣ ରଞ୍ଜନ ମିଶ୍ର, ଡକ୍ଟର ଅନୁରୁ ରଞ୍ଜନ ମିଶ୍ର, ଡକ୍ଟର ଅନୁପ ରଞ୍ଜନ ମିଶ୍ର ଓ ଅସିତ ରଞ୍ଜନ ମିଶ୍ରଙ୍କ ସହ ସାନବୋହୂ ଓ.ୟୁ.ଏ.ଟି.ର ଡକ୍ଟର ରାଜଶ୍ରୀ ରଥ ଉପସ୍ଥିତ ଥିଲେ ।
