ଛବିରାମ ସେଠି

ସବୁଜ ସୁନ୍ଦର ଧରଣୀର କୋଳେ
ସୃଷ୍ଟିର ଅପୂର୍ବ ଲୀଳା
ଆଦିମ କାଳରୁ ମହୀ ମଣ୍ଡଳରେ
ବୃକ୍ଷ ଲତା ଗିରିମାଳା ।
ମଣିଷ ସମାଜ ବଞ୍ଚିବା ପାଇଁକି
ଲୋଡ଼ା ହୁଏ ଗଛଲତା
ବାତ୍ୟା ମହାବାତ୍ୟା ପ୍ରଳୟଙ୍କରୀରେ
ଭାଙ୍ଗିପଡ଼େ ବୃକ୍ଷ ମଥା ।
ଋତୁ ସମୟରେ ହେଉନାହିଁ ବର୍ଷା
ଚାଷ କାମ ହୁଏ ବାଧା
ତଥାପି ମଣିଷ ବୁଝିପାରେ ନାହିଁ
ଗଛ କରୁଛନ୍ତି ପଦା ।
ସଡ଼କ ତିଆରି ନିତିଦିନ ଚାଲେ
ନୂତନ ପ୍ରଣାଳୀ ନେଇ
ବହୁତ ପୁରୁଣା ବଡ଼ବଡ଼ ଗଛ
ବଳି ପଡ଼େ ଚାହିଁଚାହିଁ ।
ପାହାଡ଼ ପର୍ବତ ଦେଖାଯାଉ ନାହିଁ
ଗଲାଣି କୁଆଡ଼େ ଉଡ଼ି
ପଶୁ ପକ୍ଷୀଙ୍କର ଶୁଭୁନାହିଁ ସ୍ୱର
ଅକାଳେ ଗଲେଣି ଝଡ଼ି ।
ମଉସୁମୀ ବର୍ଷା ଆସେନି ଋତୁରେ
ଆସେ କାଳ ବଇଶାଖୀ
ବୃକ୍ଷଶୂନ୍ୟ ଭୂଇଁ ବାଢୁଅଛି ଖେଦ
ସମୟ ତାହାର ସାକ୍ଷୀ ।
ଆସ ଭାଇମାନେ ଏକାଠି ହୋଇବା
ଲଢିବା ମାଟିର କୋଳେ
ନାନା ଜାତି ଗଛ ଲଗାଇ ଦେବାରେ
ସ୍ଥାନ ଦେଖି ନଦୀ କୂଳେ ।
ନିଜ ଅଗଣାରେ ବାଡ଼ି ବଗିଚାରେ
ଚାରା ମଞ୍ଜି ଦେବା ପୋତି
ଯତନରେ ତାକୁ ଜଳ ମୁନ୍ଦେ ଦେଇ
ଗଛକୁ ଦେବାରେ ଶକ୍ତି ।
ଆସିବ ସୁଦିନ ବୃକ୍ଷ ହିଁ ଜୀବନ
ହୋଇବ ସବୁଜ ବନ
ଆକାଶୁ ଝରିବ ଅମୃତର ବାରି
ପଶୁ ପକ୍ଷୀ ଆଗମନ ।
ଧନ୍ୟ ଏ ମଣିଷ ଧନ୍ୟ ଏ ଜୀବନ
ନଦିଅ ବୃକ୍ଷକୁ ତାଡ଼ି
ଗୋଟିଏ ଗୋଟିଏ ଗଛକୁ ଲଗାଅ
ବଞ୍ଚିବେ ନୂତନ ପିଢି ।
ବାରଙ୍ଗ, କଟକ, ମୋ – ୯୮୬୧୬୦୬୧୪୮
ଲେଖକ ପରିଚୟ
ପିଲାଦିନୁ ରେଡ଼ିଓ ଶୁଣିବାକୁ ଭଲପାଏ । ସାହିତ୍ୟ ପ୍ରତି ଆଗ୍ରହ ବଢାଇଲା ୨୦୧୯ ମସିହା କରୋନା ସମୟ ଯାହାକି ମଣିଷ ଜୀବନ ପ୍ରତି ଥିଲା ଏକ ସତର୍କ ଘଣ୍ଟି । ଏହି ତାଲାବନ୍ଦ ସମୟର ମୂଲ୍ୟ ବୁଝିବାକୁ ଯାଇ ଅନୁଭୂତିର ଏକ କବିତା ଆରମ୍ଭ କରିଥିଲି, ଯାହା ପାଇଁ ଆଜି ନିଜେ ମୁଁ ଗର୍ବିତ । କବିତା ମୋର ପେସା ନୁହେଁ କେବଳ ନିଶା । କ’ଣ ଲେଖେ ମୁଁ କିଛି ଜାଣିପାରେ ନାହିଁ, ସବୁ ସେହି ଲୀଳାମୟଙ୍କ ଇଛା ।