ଭବାନୀ ଶଙ୍କର ନାଥ

ମୁଷଳ ଧାରା ବର୍ଷା ସାଙ୍ଗକୁ, ଗଗନ ଫଟା ଘଡ଼ଘଡ଼ି ମନରେ ଶିହରଣ ସୃଷ୍ଟି କରୁଥାଏ । ଦଲକାଏ ଦଲକାଏ ଶୀତଳ ପବନ, ଭିଜାଭିଜା ଦେହକୁ ସ୍ପର୍ଶ ମାତ୍ରେ, ଭୟର ଏକ ନୂତନ ଶିହରଣ ଏବଂ ବ୍ୟସ୍ତତା ସୃଷ୍ଟି କରୁଥାଏ । ଅଫିସରୁ ଘରକୁ ଯିବା ସମୟରେ, ବର୍ଷାର ଏପରି ଉନ୍ମାଦ ସତେଯେପରି ଚିର ଶତ୍ରୁତା ପରି ମନେହୁଏ ।
ରେଳଷ୍ଟେସନର ଗୋଟେ କାନ୍ଥକୁ ଆଉଜି ଛିଡ଼ା ହୋଇ ଚାହିଁ ରହିଥାଏ, ବର୍ଷା ପ୍ରକୋପର ଅନ୍ତକୁ । ଲମ୍ବାଲମ୍ବା ହୁଇସିଲ ମାରି କେତେ ଯେ ରେଳଗାଡ଼ି ଚାଲିଗଲାଣି । ସମୟ ସନ୍ଧ୍ୟା ୫ ଟାରୁ ୬.୩୦ ହେଲାଣି । ତଥାପି ଇନ୍ଦ୍ରଦେବଙ୍କ କ୍ରୋଧର ଅନ୍ତ ହେଇନି । ସତରେ କଣ ଆଜି ଏ ବର୍ଷା କମିବ ? ଏମିତି ମନରେ ଅନେକ ଆଶା ଆଶଙ୍କା ଭିତରେ ନଜର ପଡ଼େ ପ୍ଲାଟଫମର ଗୋଟେ କୋଣକୁ, ଯୋଉଠି ଗୋଟେ ୧୦ କି ବାର ବର୍ଷର ବାଳକଟିଏ ୨ ବର୍ଷର ଛୋଟିଆ ଝିଅଟିକୁ କୋଳରେ ଧରି ତାକୁ ଶୁଣାଇବାକୁ ଚେଷ୍ଟା କରୁଥାଏ, କିନ୍ତୁ ଛୁଆଟିର ଅଝଟ ଆଗରେ ସେ ବାରମ୍ବାର ପରାଜୟ ସ୍ୱୀକାର କରୁଥାଏ ।
ଛୁଆ ଦୁଇଜଣଙ୍କୁ ଦେଖି ଲାଗୁଥାଏ, ସତରେଯେମିତି କୋଉ ଜନ୍ମରେ କି ପାପ କରିଥିଲେ କେଜାଣି, ତାଙ୍କର ଶୈଶବ ଏଇ ରେଳଷ୍ଟେସନରେ ବନ୍ଧା ପଡ଼ିଯାଇଛି । ବର୍ଷାକୁ କେହି ଚା, କଫି, ଗରମ ଗରମ ପକୋଡ଼ା ସହ ସେଲିବ୍ରେଟ କରୁଥିବା ବେଳେ, ବର୍ଷା କିନ୍ତୁ ଦୁଇ ଛୁଆଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ହେଲେ କଣ ପାଇଁ ଏ ଛୁଆ ଆଜି ଏପରି ଭାବେ ରାସ୍ତା କଡ଼ରେ ? କାହାର ପାପ ଏମାନେ ?
ମଣିଷ ତ ମଣିଷ, ପ୍ରକୃତି ବି ୟାଙ୍କ ଉପରେ ଦାଉ ସାଧୁଛି । ଭଉଣୀକୁ ବର୍ଷା ଦାଉରୁ ମୁକ୍ତି ଦେବା ପାଇଁ, କେତେବେଳେ ନିଜପିନ୍ଧା ଛିଣ୍ଡା ସାର୍ଟକୁ ତା ମୁଣ୍ଡ ଉପରେ ଢାଙ୍କି ଦଉଛି ତ, ଆଉ କେତେବେଳେ ପ୍ଲାଟଫାର୍ମର ଜରାଜୀର୍ଣ୍ଣ ଛାତରୁ ଖସି ପଡୁଥିବା ଠୋପାଠୋପା ପାଣିକୁ ତାର କୁନିକୁନି ହାତ ପାପୁଲିରେ ସାଉଁଟି କ୍ରନ୍ଦନରତ ଭଉଣୀକୁ ବୁଝାଇବାକୁ ଚେଷ୍ଟା କରୁଥାଏ ।
ପିଲାଟିର ଏଭଳି କାର୍ଯ୍ୟ ଦେଖି ସତରେ ତା ଭାଇପଣିଆକୁ ସାଲୁଟ ନକରି ରହି ହବନି । ରାଖିପୂର୍ଣ୍ଣିମାରେ ଭାଇଭଉଣୀର ପ୍ରକୃତ ସମ୍ପର୍କ ଆଜିର AI ଦୁନିଆରେ ଆଡ଼ଭାନ୍ସ ମୋବାଇଲ ସ୍ଟାଟସ ରେ ହିଁ ଦେଖିବାକୁ ମିଳୁଥିବା ବେଳେ, କୁନିକୁନି ଏ ଭାଇଭଉଣୀଙ୍କ ପ୍ରକୃତ ପ୍ରେମ, ଆଜିର ଭଦ୍ର ସମାଜକୁ ଦେଖି ମୁରୁକି ମୁରୁକି ହସି କଟାକ୍ଷ କରୁଥିବାର ମନେ ହଉଥିଲା ।
ବର୍ଷାର ପ୍ରକୋପ ଧୀରେଧୀରେ ଶିଥିଳ ପଡ଼ିଲାଣି, ତା’ ସାଙ୍ଗକୁ ଛୋଟ ଝିଅଟିର ଅଝଟ ପଣିଆ । ତଥାପି ଭାଇଟି ତାର ପାଖରେ ବସି କେତେବେଳେ ଛିଣ୍ଡା ଚପଲ ଭଙ୍ଗା ପ୍ଲାଷ୍ଟିକ ପାନିଆରେ ତାର ମନୋରଞ୍ଜନ କରୁଥାଏ, ତ କେତେବେଳେ ପେଣ୍ଟ ପକେଟରୁ ବିସ୍କୁଟ ଖଣ୍ଡ ତା ପାଟିକୁ ବଢ଼େଇ ଦେଉଥାଏ । ଧୀରେଧୀରେ ଯାଇ ଛୋଟ ପୁଅକୁ ପଚାରିଲି ..
ବାବୁରେ ତୋ ନାଁ କଣ ?
(ପିଲାଟି ମତେ ନିରବ ଏବଂ ଭୟଭୀତ ଚାହାଁଣୀରେ ଅନେଇ କହିଲା )
- ସୂର୍ଯ୍ୟ !
- ଏ କଣ ତୋ ଭଉଣୀ ? (କୁନି ଝିଅକୁ ଚାହିଁ ପଚାରିଲି)
- ହଁ, ଏ ମୋ ଭଉଣୀ ।
- ତୁମ ଘର କୋଉଠି ?
- ଜାଣିନି ଆଂଜ୍ଞା ! ବୋଉ ବଂଚିଥିବା ବେଳେ କହୁଥିଲା ମୁକ୍ତାପୁର ହେଉଛି ଆମ ଗାଆଁ ।
- ତୁମେ ଏଠାକୁ କେମିତି ଆସିଲ ?
ପିଲାଟି ନିଜର ଶୋକାତୁର ରୁଦ୍ଧ କଂଠରେ କହିଲା,
-ବୋଉ ମରିଗଲା ପରେ ବାପା ଆଉ ଗୋଟେ ମାଆ ଘରକୁ ଆଣିଲେ, ସେ ସବୁବେଳେ ଆମକୁ ମାଡ଼ଗାଳି କଲା ।
କୁନିକୁ ନେଇ ମୁଁ ଏଠି ରହୁଛି |
ବାବୁ ଗୋଟେ କଥା ପଚାରିବି ? ତୁମେ କଣ ପୋଲିସ ? - ନା ନା ମୁଁ ପୋଲିସ ନୁହେଁ, ଏମିତି ପଚାରିଦେଲି | ତୁ କଣ ଖାଇବୁ ?
ପିଲାଟି ଖାଇବା କଥା ଶୁଣି କହିଲା ମୋ ପାଇଁ ନୁହେଁ, କୁନି କାନ୍ଦୁଛି ସେ ଖାଇବ ।
ପାଖ ଦୋକାନରୁ ଦୁଇଜଣଙ୍କ ପାଇଁ କ୍ଷୀର ଏବଂ କିଛି ବିସ୍କୁଟ ଏବଂ ଫଳ ଆଣିଦେଲି । କୁନି ଝିଅଟି ସେମିତି ଅପଲକ ନୟନରେ ଚାହିଁ ରହିଥାଏ, ଆଉ ପୁଅଟିର ଆଖିରୁ ଧାର ଧାର ଲୁହ । ଘରକୁ ଆସିବା ପରେବି ସେ ଦୁଇଜଣଙ୍କ ମୁହଁ ମୋ ଆଖିରେ ନାଚି ଯାଉଥିଲା | ବାରମ୍ବାର ମନରେ ଗୋଟେ କଥା ଉଙ୍କି ମାରୁଥିଲା, କଣ ପାଇଁ ଭଗବାନ ସେ ଦୁଇଜଣଙ୍କୁ ମଣିଷ ରୂପେ ଜନ୍ମଦେଲେ ? ସଂସାର କଣ ଜାଣିବା ଆଗରୁ, ସଂସାର ର ସମସ୍ତ ବୋଝକୁ ସତେ ଯେପରି ତାଙ୍କ ମୁଣ୍ଡଉପରେ ଲଦିଦେଲେ |
ଧିକ ସେ ବାପା ଯିଏ ଏଭଳି ସନ୍ତାନ କୁ ଜନ୍ମ ଦେଇ ରାସ୍ତା କଡ଼କୁ ଫିଙ୍ଗି ଦେଇଛି | ସତଧିକ୍କାର ତା ମଣିଷ ପଣିଆ
ଆଉ ତା ମଣିଷତ୍ୱ କୁ | ସତେ ଯେପରି ମନେ ହେଉଥାଏ ଛୁଆ ଦୁଇଜଣଙ୍କ ଶୈଶବ ଆଜି ସମାଧି ନେଇଛି |
ଘରକୁ ଆସିବା ପରେବି ସେ ଦୁଇଜଣଙ୍କ ମୁହଁ ମୋ ଆଖିରେ ନାଚି ଯାଉଥିଲା । ବାରମ୍ବାର ମନରେ ଗୋଟେ କଥା ଉଙ୍କି ମାରୁଥିଲା, କଣ ପାଇଁ ଭଗବାନ ସେ ଦୁଇଜଣଙ୍କୁ ମଣିଷ ରୂପେ ଜନ୍ମଦେଲେ ? ସଂସାର କଣ ଜାଣିବା ଆଗରୁ, ସଂସାରର ସମସ୍ତ ବୋଝକୁ ସତେଯେପରି ତାଙ୍କ ମୁଣ୍ଡ ଉପରେ ଲଦିଦେଲେ ।
ଧିକ ସେ ବାପା ଯିଏ ଏଭଳି ସନ୍ତାନକୁ ଜନ୍ମ ଦେଇ ରାସ୍ତା କଡ଼କୁ ଫିଙ୍ଗି ଦେଇଛି । ଶତ ଧିକ୍କାର ତା ମଣିଷପଣିଆ ଆଉ ତା ମଣିଷତ୍ୱକୁ । ସତେଯେପରି ମନେ ହେଉଥାଏ ଛୁଆ ଦୁଇଜଣଙ୍କ ଶୈଶବ ଆଜି ସମାଧି ନେଇଛି ।
ସାମନ୍ତରାପୁର, ତିର୍ତ୍ତୋଲ, ଜଗତସିଂହପୁର
ଲେଖକ ପରିଚୟ
ମୁମ୍ବାଇରେ ପ୍ରାୟ ପାଞ୍ଚ ବର୍ଷ ଏକ କମ୍ପାନୀରେ କାର୍ଯ୍ୟ କଲାପରେ, ବର୍ତ୍ତମାନ ବିଦେଶରେ ଜଣେ ଇଞ୍ଜିନିୟର ରୂପେ କାର୍ଯରତ । ମାତ୍ର କେବଳ ପନ୍ଦର ବର୍ଷ ବୟସରୁ ହିଁ କବିତା ଓ କ୍ଷୁଦ୍ର ଗଳ୍ପ ଲେଖାରେ ପାରଦର୍ଶିତା ହାସଲ କରିଥିଲେ ଲେଖକ ମହାଶୟ । କ୍ଷୋବର ବିଷୟ ଏହିକି ଯେ ସେସବୁକୁ ପ୍ରକାଶିତ କରିବାର କୌଣସି ସୁଯୋଗ ତାଙ୍କୁ ମିଳି ପାରିନାଇଁ । ତଥାପି ସେ ଅବିରତ ଲେଖି ଚାଲିଛନ୍ତି ନିଜର ଆତ୍ମ ସନ୍ତୋଷ ନିମନ୍ତେ ।