ଅରବିନ୍ଦ ଦାସ
ବଲବଲ କରି ବାବୁମାନଙ୍କୁ ଏକ ଅବିଶ୍ଵାସ ଓ ଆଶଙ୍କା ଭରା ଚାହାଣୀରେ ଅନାଉ ଥିଲା ଦୁର୍ଗା । ଭଦ୍ରମୁଖା ପିନ୍ଧା ମଣିଷଗୁଡ଼ା ତାହାଲେ ଅସଲରେ ଏମିତି ଦିଶନ୍ତି ? ପୁଣିଥରେ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଖି ନେଲା ଦୁର୍ଗା ।
-ଏଇ ଦଶଲକ୍ଷ ଟଙ୍କା ରଖ । କାମରେ ଆସିବ । ତୋତେ ଓ ତୋ ଭାଇକୁ ସରକାରୀ ଚାକିରି ମିଳିବ । ଖାଲି ତୋ ବୟାନ ବଦଳାଇ ଦେ । ପ୍ରେସ୍ ବାଲାଙ୍କୁ କିଛି କହିବୁନି । ସରକାର ତୋର ସବୁ ସୁବିଧା କରି ଦେବେ ।
– ସରକାର କିଏ ବାବୁ ? ତାକୁ ଡାକ୍ ଥରେ ମୋ ସାମ୍ନାକୁ । ମୋ ବୟାନ ବଦଳାଇ ଦେବି ମାନେ ?
– ପୋଲିସବାଲା ନୁହେଁ, ବରଂ ସେମାନଙ୍କ ପୋଷାକରେ ମାଓବାଦୀମାନେ ତୋର ବଳତ୍କାର କରିଥିଲେ ବୋଲି ଏବେ କହିବୁ । ଅନ୍ୟ ସବୁ ଆମେ ସମ୍ଭାଳି ନେବୁ ।
ବିକଳ ହୋଇ ଦୁର୍ଗା ଅନେଇଲା, ବାବୁମାନଙ୍କ ପାଖରେ ଠିଆ ହୋଇଥିବା ନିଜ ବାପା ଓ ଭାଇଙ୍କୁ । ସାହିର କୁଜିନେତା ବିଶି ମଉସା କହିଲା,
– ତୁ ଆମର ସୁନା ଝିଅଟେ । ଅଯଥାରେ ବଦନାମ ହେଲେ କିସ୍ ମିଳିବ ? ବିରୋଧିବାଲାଙ୍କ କଥାରେ ପଡ଼ି ସେଇ ପୁଲିସକୁ ଦୋଷୀ କଲେ, ଆମ ଅସୁବିଧା ବେଳେ ପୁଲିସ ଆଉ ଆସିବନି । ମାଓ ଗୁଡ଼ାକଙ୍କର ତୋ ଉପରେ ଆଖି ଥିଲା । ଜାଣିଶୁଣି ପୋଲିସ ଡ୍ରେସ ପିନ୍ଧି ସେମାନେ ଏ ଦୁଷ୍କର୍ମ କରିଛନ୍ତି । ଏବେ ତୋତେ ଓ ତୋ ଭାଇକୁ ସରକାର ଚାକିରି ଦେଉଛି । ବାବୁ, ବାବୁଆଣୀ ହୋଇ ଚଳିବ । ତୋ ବା ଓ ବୋଉର ଭାଗ୍ୟ ବି ଖୁଲିଯିବ । ଟଙ୍କା ବି ଦେଉଛନ୍ତି । ଆହୁରି ଦେବେ ।
ଦୁର୍ଗା’ର ମନେ ପଡ଼ିଯାଉଥିଲା ସେଦିନ ସଂଧ୍ୟାବେଳ କଥା । ପାଖ ଗାଁ ମେଳାରେ ନିଜ ଘରେ ତିଆରି କରୁଥିବା ବିଭିନ୍ନ ମୁଖା ସବୁ ବିକି ଜଙ୍ଗଲିଆ ରାସ୍ତାରେ ଫେରିଲାବେଳେ ସେଇ ଅଘଟଣ । ଚାରିଟା ସଇତାନ ଜବରଦସ୍ତି ତାକୁ ମାଡ଼ିବସି…….ଓଃ…ରକ୍ତରେ ଜୁଡୁବୁଡୁ ନିଜ ଦେହକୁ କୌଣସି ମତେ ରାସ୍ତାକୁ ଓ ପରେ ଘର ଏବଂ ଡାକ୍ତରଖାନା । ତା ଦେହ ଶୀତେଇ ଉଠୁଥିଲା । ବଳତ୍କାରର ଶିକାର ହେବା ଗୋଟେ ଝିଅ ପାଇଁ ବୋଧେ ଦୁନିଆର ସବୁଠୁ ବଡ଼ ଅଭିଶାପ । ଏତେଦିନ ଧରି ସେ ସହିଥିବା ଶାରୀରିକ ଓ ମାନସିକ ଯନ୍ତ୍ରଣା ତାକୁ ତିଳତିଳ କରି ମାରୁଛି; ଅହରହ । ତାକୁ ନେଇ ପୁଣି ରାଜନୀତି । ଗତବର୍ଷ ପାଖ ଗାଁ ଝିଅ କୁମୁଦକୁ କାଳେ ଆର୍ମି ବାଲା ରେପ୍ କରିଥିଲେ । କଣ ହେଲା କୁମୁଦ’ର !
– ଆରେ ତୋ ଝିଅକୁ ବୁଝୋଉନୁ ? ବା’ ପାଖକୁ ଲାଗି ଆସି ଠିଆ ହୋଇଥିବା ଜଣେ ପୋଲିସ ବାବୁ କହୁଥିଲା ।
ବିକଳ ହୋଇ ଦୁର୍ଗା ମୁହଁକୁ ଅନେଇଥିଲା ସନିଆ । ବଳଶାଳୀ ପ୍ରଶାସନ ସାମ୍ନାରେ ଗୋଟେ ଅସହାୟ ବାପା; ଝଡ଼ ସାମ୍ନାରେ ଶୁଖିଲା ପତ୍ରଟେ ଭଳି ।
– କୁମୁଦ କଥା ଦେଖିଲୁ ତ ? ବିରୋଧୀଙ୍କ କଥାରେ ପଡ଼ି, ମହିଳା କମିଶନ ଆଗରେ ଇଆଡୁସିଆଡୁ ବୟାନ ଦେଲା ଓ ସରକାରୀ ସାହାଯ୍ୟ ଫେରାଇଦେଲା ।କଣ ପାଇଲା କୁମୁଦ ? ସୁଇସାଇଡ଼ କଲା । କଣ ଲାଭ ମିଳିଲା ?
ଦୁର୍ଗା’ର ମୁହଁଟା ଏଥର ଶକ୍ତ ହୋଇଉଠିଲା । ବାବୁଙ୍କ ହାତରୁ ଟଙ୍କା ନେଲା ସେ । ଖୁସିରେ ଝଲସି ଉଠିଲା ସବୁ ବାବୁଙ୍କ ମୁହଁ । ମିଶନର ସଫଳତା, ସେମାନଙ୍କ ପାଇଁ ପଦୋନ୍ନତି ବାଟ ଖୋଲିବ ନିଶ୍ଚୟ । କମାଣରୁ ବାରୁଦ ବର୍ଷଣ ହେଲା ଭଳି, ଗର୍ଜି ଉଠିଲା ଦୁର୍ଗା ।
– ବାବୁ, ଏଇ ପାଞ୍ଚ ଲକ୍ଷ ଟଙ୍କା ମୁଁ ତୋତେ ଦେଉଛି । ତୋ ନିଜ ଝିଅ ରେପ୍ ହେଲା ପରେ ଚୁପ୍ ରହିବୁ ତ ? ସରକାରର ଦଲାଲ, ବାହାର ଆମ ଘରୁ ।
ମାରିବାକୁ ହାତ ଉଠି ଆସୁଥିଲା ପୁଲିସ ବାବୁର । ନିଜକୁ ସମ୍ଭାଳିନେଲେ ସେ । ଘର ବାହାରେ ଗାଁ ଲୋକେ ଜମା ହେବାକୁ ଆରମ୍ଭ କରିଥିଲେ । ଅନ୍ଧାର ଭିତରେ ବାବୁମାନେ ଗାଡ଼ିରେ ବସି ଚାଲିଗଲେ । କାନ୍ଦୁଥିଲା ଦୁର୍ଗା । ଝିଅର ମୁଣ୍ଡକୁ କୋଳରେ ଧରି ଆଉଁସୁଥିଲା ଯମୁନା ।
– ମୁଁ କଣ ଭୁଲ କଲି ?
– ତୁ ବିଲକୁଲ ଠିକ୍ କରିଛୁ ଝିଅ । ଗାଁର ସବୁ ଝିଅ, ମାଇପେ ତୋ ସହିତ ଦୁର୍ଗା । ପଡ଼ିଶାଘର ବନଜା ମାଉସୀ କହୁଥିଲା ।
ପରଦିନ ଦାଣ୍ଡ ପିଣ୍ଡାରେ ବସି ମୁଖା ବନାଉଥିଲା ଦୁର୍ଗା । ସନିଆ ପାଖକୁ ଆସି କହିଲା,
– ଆରେ ମା ! ରାବଣ ପୋଡ଼ି ପାଇଁ ରାବଣ, ମହୀରାଵଣ, ଇନ୍ଦ୍ରଜିତଙ୍କ ପୁତୁଲା ବନେଇବାକୁ ପଡ଼ିବ । ଆଉ ତୁ ଏସବୁ କଣ କରୁଛୁ ମା ?
– ଆମେ ଫି ସନ, ଏଇ ରାକ୍ଷାସ’ଙ୍କ ପୁତୁଲା ବନୋଉଛେ । ପୋଡ଼ା ହେଉଛନ୍ତି ସେମାନେ । ହେଲେ ପୁଣି କେମିତି ଆଉ କଉଠୁ ଆସୁଛନ୍ତି ? କିଛି ଭୁଲ ଆମ ଦ୍ଵାରା ହେଉଛି । ଦେଖୁନୁ ! ପୁଲିସ, ଟେଷ୍ଟ କରିବାକୁ ନେଇଥିବା ମୋ ଜାମା, ପେଣ୍ଟ ବଦଳିଗଲା ଓ ସେଥିରେ ସେ ସଇତାନଙ୍କ ରକ୍ତ, ବୀର୍ଯ୍ୟ ବଦଳରେ ଖାଲି ମୋ ରକ୍ତ, ଖଙ୍କାର, ଛେପ ଦାଗ ଲାଗିଛି ବୋଲି ରିପୋର୍ଟ ଆସିଛି ।
– ତୁ ବାୟାଣୀ ଭଳି ହଅନାରେ ମା ।
– ଜମା ବ୍ୟସ୍ତ ହଅନା ବା । ମୁଁ କୁମୁଦ ନୁହେଁ ଯେ ଆତ୍ମହତ୍ୟା କରିବି । ସମସ୍ତେ ମୋ କଥା ଭୁଲି ଗଲେଣି । ସବୁଦିନ ବଳତ୍କାର ହେଉଛି ପରା ! ଖାଲି ମୋତେ କଥା ଦେ ବା, ରାଜଧାନୀରେ ତୁ ଆମ ସହ ଠିଆ ହେବୁ।
ଆଶ୍ଚର୍ଯ୍ୟ ହୋଇ ଅନେଇଥିଲା ସନିଆ । ସେଦିନ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱରର ରାଜରାସ୍ତାରେ । ଆବାକାବା ହୋଇ ସମସ୍ତେ ଦେଖୁଥିଲେ । ଜନସାଧାରଣଙ୍କଠାରୁ ଆରମ୍ଭ କରି ସାମ୍ବାଦିକ, ପୋଲିସ ସମସ୍ତେ ନିରବ ଦର୍ଶକ ସାଜିଥିଲେ । କାହା ମୁହଁରେ ଭାଷା ନଥିଲା । କାହିଁକି କେଜାଣି ଦେଖଣାହାରୀ ମାନେ ଆଜି ନିଜ ମୋବାଇଲରେ ଏ ଦୃଶ୍ୟକୁ ରେକର୍ଡ କରୁନଥିଲେ ବା ଫଟ ଉଠାଉନଥିଲେ ! ସେଇ ରାଜରାସ୍ତା ଦେଇ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ରାବଣ ପୋଡ଼ି ପାଇଁ ଯିବେ ବୋଲି ସୁରକ୍ଷାକର୍ମୀମାନେ ନିୟୋଜିତ ହୋଇଥିଲେ । କଣ୍ଟ୍ରୋଲ ରୁମକୁ ଫୋନ୍ କରୁଥିଲେ ପୋଲିସମାନେ ଆଉ କହୁଥିଲେ
– ସାର୍ ! ହାତରେ ପ୍ଲାକାର୍ଡ ଧରି କିଛି ମହିଳା ଏଇ ରାସ୍ତାରେ ଚାଲୁଛନ୍ତି ।
– ରାଲି ପାଇଁ ପରମିସନ ତ କାହାକୁ ଦିଆ ହୋଇନି । କି ପ୍ଲାକାର୍ଡ ଧରିଛନ୍ତି, କଣ ସ୍ଲୋଗାନ ଦେଉଛନ୍ତି ?
– ରେପ୍ ହୋଇଥିବା ସେଇ ଝିଅ ସପକ୍ଷରେ ସେମାନେ ବାହାରିଛନ୍ତି । ପ୍ଲାକାର୍ଡରେ ଲେଖା ହୋଇଛି, “ଆସ । ଆମକୁ ରେପ୍ କର ସରକାର । ଲାଞ୍ଚ ଯାଚି , ବଳତ୍କାରୀ ପୋଲିସକୁ ବଞ୍ଚାଅ ।”
– ଜଲଦି ସେମାନଙ୍କୁ ଆରେଷ୍ଟ କର ।
– ସାର୍, ଆପଣ ଶୀଘ୍ର ଆସନ୍ତୁ । ସେମାନଙ୍କ ପାଖକୁ ଯିବାକୁ ଭୟ ଲାଗୁଛି । ସେଇ ମହିଳାମାନଙ୍କ ଦେହରେ ଖଣ୍ଡେ ହେଲେ ଲୁଗା ନାହିଁ । ଏକଦମ ବିବସନା …. ( ମହିଷାସୁର ସେଦିନ କାହିଁକି ଅବଶ ହୋଇପଡ଼ିଥିଲା କେଜାଣି ?)
– ସେପଟୁ ପୁଲିସ ବଡ଼ ବାବୁ ବ୍ୟସ୍ତ ହୋଇ ପଚାରିଲେ, “କିଏ ସେମାନେ ?”
– ଏକାଭଳି ଦିଶୁଛନ୍ତି ସମସ୍ତେ ସାର୍ । ସମସ୍ତେ ମୁହଁରେ ମୁଖା ପିନ୍ଧିଛନ୍ତି । ମା’ଦୁର୍ଗାଙ୍କ ମୁଖା ।
ମହାରାଣୀପେଟା, ବିଶାଖାପାଟଣା-୫୩୦୦୦୨, ଆନ୍ଧ୍ରପ୍ରଦେଶ, ଦୂରଭାଷ-୯୧୭୭୬୦୫୧୦୫
ଲେଖକ ପରିଚୟ
ପେଶାରେ ଭାରତୀୟ ରାଜସ୍ଵ ବିଭାଗରେ ଅଧିକାରୀ ଭାବେ କାର୍ଯ୍ୟରତ ହେଲେ ହେଁ ନିଜକୁ ମୁଁ ସବୁବେଳେ ଜଣେ ଛାତ୍ର ହିଁ ଭାବେ । ପ୍ରତିଦିନ ଗୋଟାଏ ଗପ ଲେଖିବାକୁ ଚେଷ୍ଟା କରେ । ଏଯାବତ୍ ‘ପ୍ରଜାପତିର ନୂଆ ଠିକଣା’, ‘ବିଅର’, ‘ପେଦାପୁରମର ପଦ୍ମା’, ‘ବିଧର୍ମୀ’ ନାମକ ଗଳ୍ପ ସଂକଳନ ପ୍ରକାଶିତ ହୋଇଛି ।