ସତ୍ୟନାରାୟଣ ଗନ୍ତାୟତ

ବର୍ଷାନ୍ତରେ ଆସେ ଡିସେମ୍ବର । ଏହା ଏଭଳି ମାସଟିଏ ଯେ ଏହି ମାସ ଆରମ୍ଭ ହେଉହେଉ ଆରମ୍ଭ ହୋଇଯାଏ ଏ ମାସ ସରିବା ନେଇ ନାନା ଚିନ୍ତା । ଏହି ଚିନ୍ତା ଭିତରେ ଏ ବର୍ଷକ ଭିତରେ ସମ୍ଭବ ହୋଇ ପାରିନଥିବା କିଛି କାମ ସାରିବା ପାଇଁ ତତ୍ପରତା ଦେଖାଇଲେ ଏକରକମ ଠିକ୍ ଲାଗିଥାନ୍ତା । ତେବେ ସେସବୁ ବଳକା କାମ କେଇ ବାକି ଥିବା କିଛି ଦିନ ଭିତରେ କରିବା ପାଇଁ ଉଦବେଗ ଓ ଉଦଯୋଗ ଦୂରେ ଥାଉ, ଆରମ୍ଭ ହୋଇଯାଏ କିଛି ଅଜବ ଚିନ୍ତା,nଯାହା ଫି' ସାଲ ଏହି ମାସରେ ହିଁ ହୋଇଥାଏ । ମାସ ଆରମ୍ଭରୁ କେଜାଣି କାହିଁକି ନାନାଦି ଇଚ୍ଛା ପୂରଣ ପାଇଁ ମନ ହାଇଁପାଇଁ ହୁଏ । ଧର୍ମୀୟ ଆବେଗ ନେଇ ବଡ଼ଦିନ ଆସେ ଏ ମାସରେ । ସାନ୍ତାଙ୍କ ଆଗମ ସହ ତାଙ୍କ ମୁଣିରୁ ବାହାରିବା ଉପହାର ବିଷୟକ ଭିନ୍ନ ଏକ ଉନ୍ମାଦନାରେ ଆବୋରି ନେଇଯାଏ ପିଲାଙ୍କଠୁ ଆରମ୍ଭ କରି ପ୍ରାୟ ସଭିଙ୍କୁ । ପିଲାଏ ସିନା ଖେଳଣା କଣ୍ଢେଇ ମିଠା ଏମିତି କିଛି ଇଚ୍ଛି ଅସଲରେ ଘର ଲୋକଙ୍କ ମାଧ୍ୟମରେ ହିଁ ହାସଲ କରି ଖୁସି ହୋଇଯାନ୍ତି; ବଡ଼ ଲୋକଙ୍କର କିନ୍ତୁ ଅନେକ କିଛି ଆଶା ଅପୂର୍ଣ୍ଣ ରହିଥାଏ । ସେମାନେ ସେସବୁ ଗତବର୍ଷ ଆରମ୍ଭରେ ଓ ବର୍ଷ ତମାମ ବିଭିନ୍ନ ସମୟରେ ଇଚ୍ଛି ପକାଇଥାନ୍ତି । ସୁତରାଂ ଡିସେମ୍ବର ମାସରେ ବଡ଼ଦିନ ଆସିଯିବା ପରେ ବି ସେସବୁ ଇଚ୍ଛାଙ୍କ ପରିପୂରଣ ନହୋଇ ପାରିବା ସମ୍ଭାବନା ଜଳଜଳ ଦିଶିଲେ ଅଗତ୍ୟା ସେସବୁ ଭୁଲିଯାଇ ବଳକା ଦିନମାନଙ୍କୁ ଅନ୍ତତଃ ମଉଜ ମଜଲିସରେ ବିତାଇ ଦେବାକୁ ସେମାନଙ୍କ ମନରେ ଇଚ୍ଛା ଜାଗ୍ରତ ହୁଏ । ଏହି କ୍ରମରେ ଆରମ୍ଭ ହୋଇଯାଏ ପିକନିକ୍ ବା ବଣଭୋଜିର ଋତୁ । ଘର ଲୋକ, ଦପ୍ତର ଲୋକ, ସାହି, କଲୋନୀ ବାସିନ୍ଦା, ସ୍କୁଲ କଲେଜ ଆଦି ବିଭିନ୍ନ ଗୋଷ୍ଠୀର ସଦସ୍ୟ ମିଳିତ ହୋଇ ବଡ ଉତ୍ସାହର ସହ ଆୟୋଜନ କରନ୍ତି ପିକନିକ୍ ।
ଏଇ ସମୟରେ ତଥାକଥିତ ପୁରୁଣା ସାଙ୍ଗମାନଙ୍କୁ ଅବଶ୍ୟ ମନେ ପକାଯାଏ । ଆଜିକାଲି ସୋସିଆଲ ମିଡ଼ିଆ ଦୟାରୁ ଉଦ୍ଭବ ହୋଇଥିବା ସ୍କୁଲ କଲେଜ ୟୁନିଭରସିଟି ଆଦିରେ ବିଭକ୍ତ ଅଗଣନ ଗ୍ରୁପମାନ ଏନେଇ ଆବଶ୍ୟକତା ଠଉଁ ଅଧିକ ସକ୍ରିୟ ହୋଇଊଠନ୍ତି । ବୋଇଲା ପରି "ଦିନେ ନାଇଁ କି କାଳେ ନାଇଁ, ପିକନିକ୍ ବେଳକୁ ହାଇଁପାଇଁ" ହୋଇ ଉଠନ୍ତି । ବର୍ଷ ସାରା ଅତି ବେଶୀରେ ଗୁଡ୍ ମର୍ଣ୍ଣିଂ, ଗୁଡ୍ ନାଇଟ୍ ଓ ହାପି ଆନିଭର୍ସାରି ଉଇସ୍ ଆଦିକୁ ନେଇ ମାତି ରହୁଥିବା ତଥାକଥିତ ମିତ୍ରଜନେ ଏବେ ମୁଣ୍ଡ ମୁଣ୍ଡକେ ରଜା ବନିଯାନ୍ତି । ଉପରେ ପଡ଼ି ନାହିଁ ନଥିବା ଉତ୍ସାହର ସହ ପିକନିକ୍ ପାଇଁ କେବେ କେଉଁଠାକୁ କେତେବେଳେ କେମିତି ଯିବା, କଣକଣ ଖାଇବା ପିଇବା ଓ ତା ସହ ଆଉ କଣକଣ କରି ତଥା ଈପସିତ ମସ୍ତି କରିବା ସେ ନେଇ ଏକାନଟେ ପ୍ରଗଳ୍ଭ ହୋଇ ଉଠନ୍ତି । ଲାଗେ, ବର୍ଷାନ୍ତ ବେଳେ ପିକନିକ୍ ନଗଲେ ଜୀବନ ସତେ ଯେମିତି ଅପୂର୍ଣ୍ଣ । ହଁ, ଗତାନୁଗତିକ ଘଷାପିଟା ଜଞ୍ଜାଳ ଭରା ଜୀବନରୁ କିଞ୍ଚିତ ସମୟ ବାହାର କରି ସହର ନଗରଠୁ ଦୂରରେ ଭେଦାଭେଦ ଭୁଲି ପ୍ରକୃତି କୋଳରେ ଏକଠାବ ହୋଇ ଆନନ୍ଦ ଲଭିବା ଆଦୌ ନାକରା କଥା ନୁହେଁ । ତଥାପି ଏନେଇ କେଜାଣି କାହିଁକି ଅଯଥା ହୋହୋ ଘୋଘୋ ହୋଇ ଅନେକ କ୍ଷେତ୍ରରେ ପରିସ୍ଥିତି ଗୋଳମାଳିଆ ହୋଇଯିବା ବି ବେଶ୍ ଲକ୍ଷ୍ୟଣୀୟ ହୋଇଥାଏ । କେତେକ ଏହି ମାହାର୍ଘ୍ୟ ପିକନିକ୍ ଆୟୋଜନଟି ଡିସେମ୍ବର ଶେଷ ସପ୍ତାହର ଆରମ୍ଭ ମାତ୍ରେ ହିଁ ଯେମିତି ହେଲେ ସାରି ଦେଇଥାନ୍ତି । କାରଣ ଡିସେମ୍ବର ମାସର ଶେଷ ଏକତ୍ରିଶ ତାରିଖଟିକୁ ବି ସେମାନେ ନିଜ ନିଜ କ୍ଲବ୍ ଗୋଷ୍ଠୀ ସଙ୍ଘ ଆଦିରେ ବା ହୋଟେଲ ମାନଙ୍କରେ ତଥା ଆୟୋଜିତ ଜିରୋ ଆୱ।ର ସେଲେବ୍ରେସନ ବା ମଧ୍ୟରାତ୍ରୀର ମହା ଉତ୍ସବ ଭାବେ ପାଳିବା ପାଇଁ ଦୃଢ ନିଶ୍ଚିତ ହୋଇ ଯାଇଥାନ୍ତି । ମନେହୁଏ ଏମିତି ମାତବରିଆ ଆୟୋଜନ କଲେ ହିଁ ପୁରୁଣା ବର୍ଷ ଖୁସି ଖୁସିରେ ବିଦାୟ ନେଇଯିବ, ନୋହିଲେ ଯେମିତି ନଯାଇ କାଳେ ରହିଯିବ ! ଫେର୍ ତା ସହ ନୂଆ ବର୍ଷ ବି ଓହ୍ଲାଇ ଆସୁଆସୁ ତା ଆସିବା ନେଇ ଏତେସବୁ ଖାନାପିନା ଗାନାଟାନାଦିର ଆୟୋଜନ ହୋଇଥିବା ଦେଖି ତା ଦିଲ୍ ମୂଳରୁ ଖୁସ୍ ହୋଇଯିବ ! ବାସ୍ ! ତା'ପରେ ?
ନୂଆ ବର୍ଷର ପ୍ରଥମ ଦିନ ଯାହାକୁ ଦେଖ ସିଏ ଆର ଜଣକୁ ବଡ଼ ଶରଧାରେ ଏକା ଅଭିନନ୍ଦନ ଜଣାଉଥିବ । ସାମାଜିକ ଗଣମାଧ୍ୟମ ତ ଫୁଲି ଉଠିବ ମେସେଜ ଓ ଗ୍ରୀଟିଂ ଦିଆନିଆରେ ! ତେବେ ଅନେକ ଏହିଦିନ ପ୍ରଭାତରେ ଦେବାଳୟାଦି ଯାଇ ପୂଜନ ମାଧ୍ୟମରେ ଦିବ୍ୟକୃପା ଲାଭ କରି ବର୍ଷଟି ସକୁଶଳ ବିତିବା ପାଇଁ ପ୍ରାର୍ଥନା କରନ୍ତି । ଏହା ଅତ୍ୟୁତ୍ତମ ନିଶ୍ଚୟ । ତେବେ ବର୍ଷ ସାରା ଏଭଳି ପ୍ରାତ୍ୟହିକ ପୂଜନ ପାଇଁ ଅଭୀପ୍ସା ରହିବା ଚାହି । ପୁଣି ଅନେକ ଏହି ନୂଆ ବର୍ଷରେ ଏୟା କରିବି, ସେୟା ଆଉ କରିବିନି ଆଦି ଜାତୀୟ ଗୁଡ଼ାଏ ଇଚ୍ଛା ପ୍ରତିବର୍ଷ ଆସିବା ସହ କରି ପକାଇଥାନ୍ତି । ଏଭଳି ଇଚ୍ଛି ପକାଇବା ଫୁଟକି ମାରିବା ପ୍ରାୟେ ପ୍ରତେ ହୋଇଥାଏ । ନିଜ ପାଇଁ ନିଜ ମାପଠୁ ବଡ଼ ଆଶାମାନ କରି ପକାଇବା ବି ସ୍ୱାଭାବିକ ଭାବେ ସହଜ । କିନ୍ତୁ ଏସବୁ ଇଚ୍ଛାମାନେ ନୂଆ ବର୍ଷର ପହିଲା ଦିନ ବା ଅତି ବେଶୀରେ ଦିନ କେଇଟା ଯାଏ ବଳବତ୍ତର ରହନ୍ତି । ତା’ପରେ ତ ସବୁ ନୂଆ ପରି ନୂଆ ବର୍ଷ ବି ତା ନୂଆପଣ ହରାଇବା ସହ ଏହି ଶପଥ ମାନେ ବି ଗତାନୁଗତିକତାର ପ୍ରଭାବରେ ଶକ୍ତି ହରାନ୍ତି । ଇଚ୍ଛା ନିୟମ ବା ଶପଥ ଯାହା କୁହନ୍ତୁ ପାଳନ କରିବା ପାଇଁ ଯଦି ମନରେ ଦୃଢତା ଓ ଶକ୍ତି ନରହେ, ତେବେ ସେସବୁ ସେମିତି ଅପୂର୍ଣ୍ଣ ହୋଇ ରହିବାକୁ ବାଧ୍ୟ, ହୁଏତ ପୁଣି ଆସନ୍ତା ଡିସେମ୍ବର ଯାଏ । ତେବେ ହଁ, ନିହାତି ନିଃସ୍ୱର୍ଥପର ହୋଇ କେବଳ ଅନ୍ୟର ହିତ ପାଇଁ ହିଁ ବର୍ଷକ ବିତାଇ ଦେବା କଥା ନୋହିଲେ ହେଁ ବର୍ଷ ସାରା କାହାରି ଅନିଷ୍ଟ ନଇଚ୍ଛି ନିଜ ଶକ୍ତିର ଯଥାର୍ଥ ଆକଳନ କରି ନିଜ ହିତ ସାଧିଲେ ତାହା ଆନନ୍ଦଦାୟୀ ହେବ । ଏହା ନକରି କେବଳ ବର୍ଷର ଆରମ୍ଭ ଓ ଅନ୍ତିମ ଦିବସକୁ ହିଁ ତୁଚ୍ଛା ମଉଜ ମଜଲିସରେ ବିତାଇ ତାହା ହିଁ ଅସଲି ଆନନ୍ଦ ମଣି ଚାଲିଥିଲେ ଏହି ଆନନ୍ଦ ଅଢେଇ ଦିନିଆ ହୋଇ ସ୍ୱତଃ ଉଭେଇ ଯିବ । ତେଣିକି ବର୍ଷ ସାରା ନିରାନନ୍ଦ ଭାବ ଆବୋରି ବସିବା ଯେ ଥୟ, ଏକଥା ବର୍ଷାରମ୍ଭରୁ ମନେରଖିବା ନିହାତି ଜରୁରୀ !
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
