ଭିଡ଼ିଓ ଦେଖାର ଆକର୍ଷଣ

ଡ. ଜ୍ୟୋତି ପ୍ରକାଶ ମହାପାତ୍ର

ଗାଆଁ ଆମର ଯିବାଆସିବା ଦୃଷ୍ଟିରୁ ପଛୁଆ । ନଈ ପାରି ଗାଆଁ । ଆଷାଢ଼ ମାସରେ ନଈ ବଢ଼ିଥିଲେ ଘାଟ ପାର ହେବାକୁ ଓଳିଏରୁ ଅଧିକ ସମୟ । ପୁଣି ନଈ ଡେଇଁଲେ କାଦୁଅ, ପାଣି ଭର୍ତ୍ତି ଅସରନ୍ତି, ଲମ୍ବା ବିଲ, ଭେଡ଼ା, ଆଖି ପାଉ ନଥିବା ପାଟ । ପାଖ ସିଙ୍ଗିପୁର କି ଗୋଢ଼ିଅ, ଯୋଉଠୁ ଆମେ ବସ ଧରୁ, ଗାଆଁରୁ ଦଶ କିଲୋମିଟରରୁ ଅଧିକ ରାସ୍ତା । ବଢ଼ି ପାଣି ଗାଆଁକୁ ନପଶିଲେ ବି ଚାରିପାଖ ଘୋଡ଼େଇ ଆଣେ, ଯୁଆଡ଼େ ଚାହିଁଲେ ମାଟିଆ ପାଣିର ସମୁଦ୍ର, ମୁଣ୍ଡ ଟେକି ତା’ରି ଭିତରୁ ଦମ୍ଭ ଦେଖେଇ ଛିଡ଼ା ହୋଇ ଥାଆନ୍ତି- କେତୁଟା ତାଳ ଗଛ, କଡ଼ରେ ତାଙ୍କରି ଅଥଳ ସୁଅ ।

ତେବେ ବାକି ସବୁ ଦୃଷ୍ଟିରୁ ଗାଆଁ ଥିଲା ଢେର ଆଗୁଆ । ସତୁରୀ ଦଶକରୁ ଗାଆଁରେ ବିଜୁଳି ଆସି ଯାଇଥିଲା । ଷାଠିଏ ଦଶକରୁ ଗୋଟିଏ ହତା ଭିତରେ ଥିଲା ପ୍ରଥମରୁ ଦଶମ ଶ୍ରେଣୀ । ଡାକ୍ତରଖାନା ଖୋଲିଥିଲା ଗାଆଁରେ ନବେ ଦଶକରେ । ପରେପରେ କଲେଜ, କିନ୍ତୁ କଲେଜ ରାଜନୀତି ହେତୁ ବଞ୍ଚିପାରି ନଥିଲା ।

ଜାଗର ଆମ ଅଞ୍ଚଳର ସବୁଠାରୁ ବଡ଼ ପର୍ବ । ବାବା ସ୍ଵପ୍ନେଶ୍ଵରଙ୍କ ପାଖରେ ମୁଣ୍ଡିଆ ମାରିଲେ କୋଟିଏ ବିପଦ ଟଳିଯାଏ । ସେଇ ଜାଗରରେ ଆମ ଗାଆଁରେ ଭିଡ଼ିଓ ଚାଲିବାକୁ ନିଷ୍ପତ୍ତି ହେଲା । ମୁଁ ଚତୁର୍ଥ ଶ୍ରେଣୀରେ କି ପଞ୍ଚମରେ ପଢୁଥାଏ । ‘ତେଜାବ୍’ ସିନେମାରେ – ଏକ୍, ଦୋ, ତିନ୍, ଚାର୍ ଶୁଣି ଗାଆଁ ପାଗଳ ହୋଇଗଲା । ରଙ୍ଗୀନ ଟିଭିରେ ।

ଗାଆଁକୁ କିନ୍ତୁ ଟିଭି ଆସି ସାରିଥିଲା ୧୯୮୪ ମସିହାରେ । ବାପା ସେ ଟିଭି ଯାଜପୁରରୁ ଆଣିଥିଲେ । ଯାହାକୁ ଦେଖିବା ପାଇଁ ଆମ ଘର, ଦାଣ୍ଡ ଦୁଆର ସବୁ ଭରିଯାଏ । ଆଉଦିନେ ଟିଭିର କାହାଣୀ, ଫେରିବା ଭିଡ଼ିଓ ପାଖକୁ ।

ଭିଡ଼ିଓ ଚାଲିଲା ଗାଆଁ ଇସ୍କୁଲ ଘରେ । ଟିକେଟ ଦି’ ଟଙ୍କା । ସିଗ୍ରେଟ କି ଦିଆସିଲି ଖୋଳକୁ ଚିରି ତିଆରି ହେଉଥିଲା ଟିକେଟ । ମତେ ସମସ୍ତେ ସେମିତି ଛାଡ଼ି ଦିଅନ୍ତି- ମହାପାତ୍ର ଘରର ପୁଅ ବୋଲି । ବାପା ଡ୍ରାମା, ଜାଗର, ଡାକ୍ତରଖାନା କି କଲେଜ ତିଆରି- ସବୁଥିରେ ଥିଲେ ଆଗୁଆ । ତାଙ୍କ ଦରମା ତ ସେଇଥିରେ ଯାଉଥିଲା । ତାଙ୍କୁ ନପଚାରି କେବେ କୌଣସି ନିଷ୍ପତ୍ତି ନିଆ ହିଁ ହୁଏନି ।

ପରକୁ ପର ଅନେକଥର ଭିଡ଼ିଓ ଚାଲିଲା । ଟିଭି, କ୍ୟାସେଟ୍, ଜେନେରେଟର ସବୁ ଭଡ଼ାରେ ଆସିଥିବ । ଦି’ଚାରି ଜଣ ଯାଇ କୋଉଠୁ କାନ୍ଧେଇ ନେଇ ଆସନ୍ତି । ପରେ ଭିଡ଼ିଓ ଚାଲିବା ପାଇଁ କପଡ଼ା ଗୁଡ଼େଇ ଘର ତିଆରି ହେଲା । ବସିବା ପାଇଁ ଇଟା ଗୋଟାଏ । ଭିଡ଼ିଓ ଚାଲେ ରାତି ରାତି ଧରି, ଏକାଥରେ ତିନିଟା ଲେଖାଏଁ ସୋ ।

ବେପାର ବଢୁଥିବା ଦେଖି ଧିରିଆ ଦାଦା ଭିଡ଼ିଓ ବେପାର ଆଣି ଗାଆଁରେ ରୀତିମତ କଲା । କେଇ ବର୍ଷ ପରେ ସେ ନିଜେ ପୁରା ସେଟ୍ କରିଦେଲା । ପାଖ ଗାଆଁ ଲୋକ ଆସି ଆମ ଗାଆଁରୁ ଭଡ଼ାରେ ନେଲେ ।

ସେବେକୁ ବାପା ବୋଉ ଯାଜପୁରରେ ରହୁ ଥାଆନ୍ତି । ମୁଁ ଜେଜେମା’ ପାଖେ ଥାଏ ଗାଆଁରେ । ନଈରେ ବୁଡ଼ି କୁମ୍ଭାଟୁଆ ପରି ନାଲିଆଖି କରି, ପଖାଳ ଗେଫି ଭେଡ଼ାରେ ବୁଲି, ପାଠ ସହ ସମ୍ପର୍କକୁ ଖୁବ ଦୂର ଓ ପର କରି ଦେଇଥାଏ ।

ଦିନେ ଧିରିଆ ଦାଦା ଭିଡ଼ିଓ ଦେଖିବା ପାଇଁ ମୁଁ ଅଝଟ କଲି । ଜେଜେମା’ କହିଲା- ପଇସା ନାହିଁ ।

– ହଁ ଅଛି। ଦେ ମତେ ।

ଜେଜେମା’ ମନା କଲା । ମୁଁ ଖୁବ ରାଗିଗଲି । ଜେଜେମା’ ତ ଜୀବନରେ ରାଗିବା ଦୂର, ଉଚ୍ଚ ସ୍ୱରରେ କଥା ବି କହି ନାହାନ୍ତି କେବେ । ଘରେ ଟୋକେଇ ଭିତରେ ଜେଜେମା’ ଟଙ୍କେ, ଆଠଣା ରଖନ୍ତି । ମୁଁ ଅଣ୍ଡାଳିଲି । ଦୁଇ ଟଙ୍କିଆଟେ ବାହାରିଲା । ହାଫ୍ ପେଣ୍ଟ୍ ଉପରେ ଗାମୁଛା ଗୁଡ଼େଇ ଖାଲି ଦେହରେ ବାହାରିଲି ଭିଡ଼ିଓ ଦେଖି ଗର୍ବରେ, ପଇସା ଖୋଜି ପାଇଥିବାର ବିଜୟ ଅନୁଭବରେ ।

ଜେଜେମା’ ଆକଟ କଲା- ପୁପୁନାରେ ସେ ଟଙ୍କାରେ, ଧାନ କଳକୁ ଯିବ । ଦୂର୍ଗାପୂଜା ଆଉଚି । ନେଏନା । ମୁଁ ତତେ ପରେ ଦେବି ।

କିଏ ଶୁଣୁଛି ସେସବୁ ?

ଗାଆଁ ଟପି ନଈ ବନ୍ଧରେ ପହଞ୍ଚିଲି । ଅନ୍ଧାର କିଟିମିଟି । ଦୂରରେ ଗାଆଁ ମଶାଣି । ଭୟ ଗୋଡ଼େଇଲା । ତଥାପି ଭୟ କାଟି ଭିଡ଼ିଓ ଚାଲୁଥିବା ଜାଗାରେ ପହଞ୍ଚି ଦିଆସିଲି ଖୋଳ ଟିକେଟ କାଟିଲି । ଅଳ୍ପ ସମୟ ବସିଛି, ଜେଜେମା’ ମନେପଡ଼ିଲା । ଦୂର୍ଗାପୂଜା, ଜେଜେମାର ଦେବୀ ପରି ମୁହଁ, ଆମ ଘର, ମୁଗ ଡାଲି ମତେ ଡାକିଲା । ମୁଁ ଉଠି ଆସିଲି ।

କହିଲି- ମୋ ପଇସା ଫେରା । ଆଉ ଦେଖିବିନି ମୁଁ ।

ସେମାନେ ମନା କଲେ ।

ମୁଁ ଜିଦି କଲି ।

ଶେଷକୁ ମୋ ଦୁଇ ଟଙ୍କା ଫେରିଲା ।

ସିଧା ଧରି ମୁଁ ଯାଇ ଜେଜେମା’ ପାଖରେ । ତା’ କୋଳରେ ଶୋଇ ପଡ଼ିଲି । ଫେରେଇ ଦେଲି ଟଙ୍କା ।

କହିଲି- ଆମ ଠାକୁର ଘରେ ଦୂର୍ଗାପୂଜା ଆଗ । ଭିଡିଓ, ଫିଡ଼ିଓ ସବୁ ପରେ ଲୋ ।

ଜେଜେମା’ ମତେ ଆଉଁଶି ଆଣିଲା । ତା’ କାନିରେ ପୋଛିଦେଲା ।

ତତଲା ଭାତ, ପର୍ଶୁଣିରେ ମୁଗ ଡାଲି ଓ ମୋ ପସନ୍ଦିଆ ଛୁଙ୍କା ଆଳୁଭର୍ତ୍ତା ଗୋଟାଏ କଂସା ଥାଳିରେ ବାଢ଼ି ଦେଲା ।

ଯାଜପୁର

ଲେଖକ ପରିଚୟ

ଡ. ମହାପାତ୍ର ଜଣେ ଗଣମାଧ୍ୟମ ଶିକ୍ଷାବିତ ଓ ସାମ୍ବାଦିକ ଭାବେ ଢେର ବର୍ଷ କାର୍ଯ୍ୟ କରିଛନ୍ତି । ସେ ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖନ୍ତି । ମାଟି ଓ ମଣିଷଙ୍କୁ ନେଇ ଗପ ଓ କବିତା ଲେଖୁଥିବା ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ‘ଯାଜପୁର-ସେ ସମ୍ପର୍କ ସେଇମିତି’ ନାଁରେ ସଂକଳନଟିଏ ପ୍ରକାଶିତ ହୋଇସାରିଛି । ଏହା ବେଶ ପାଠକୀୟ ଆଦୃତି ମଧ୍ୟ ଲାଭ କରିଛି ।

Related Posts

Leave a Reply

Your email address will not be published. Required fields are marked *