କଥାକାର ଭୀମ ପୃଷ୍ଟିଙ୍କ ଉପନ୍ୟାସ ‘ଜମ୍ବୁଲୋକ’ ଶାରଳା ପୁରସ୍କାର ପାଇଁ ନିର୍ବାଚିତ

ଭୁବନେଶ୍ୱର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଚଳିତ ବର୍ଷର ୪୪ତମ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଉପନ୍ୟାସିକ ଭୀମ ପୃଷ୍ଟି । ତାଙ୍କ ଲିଖିତ ବହୁଚର୍ଚ୍ଚିତ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଶ୍ରୀ ପୃଷ୍ଟିଙ୍କୁ ସମ୍ମାନପତ୍ର, ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ଇମ୍ଫା ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଥାଉ ଯେ ୨୦୧୭ ମସିହାରେ ପଶ୍ଚିମା ପବ୍ଲିକେଶନ ଦ୍ଵାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଜମ୍ବୁଲୋକ’ ବହୁ ଲୋକପ୍ରିୟତା ହାସଲ କରିଥିଲା । ଶ୍ରୀ ପୃଷ୍ଟି ସମ୍ପ୍ରତି ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ କଥାକାର ଏବଂ ତାଙ୍କର ଅନ୍ୟାନ୍ୟ କୃତି ଭିତରେ ‘ପ୍ରଥମ ବହି’, ‘ହେ ମଣିଷମାନେ’, ‘ଅଧେ ମଣିଷ’, ‘ଗପର ହାତଗୋଡ଼’, ‘ଲଛମନିଆ’, ‘ମାନନୀୟ ଶ୍ରୀଯୁକ୍ତ’, ‘ଶ୍ରେଷ୍ଠ ଗଳ୍ପ’, ‘ମୁହାଣ’, ‘କବିତାର ଉପନ୍ୟାସ’, ‘ପ୍ରିୟନାରୀ’, ‘ସମୁଦ୍ର ମଣିଷ’, ‘ଓଁ’, ‘ପେଟ ଓ ପେଟତଳ’,’୪’ଉପନ୍ୟାସ’, ‘କୁଆଡ଼େ ଚାଲିଛ ରୁହ ପଞ୍ଚଭୂତ’ ଆଦି କାଳଜୟୀ । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ପୂର୍ବରୁ ସେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର, କାଦମ୍ବିନୀ ଗଳ୍ପ ସମ୍ମାନ, ଅନ୍ୱେଷା ସାହିତ୍ୟ ସମ୍ମାନ ସହିତ ଆହୁରି ଅନେକ ପୁରସ୍କାର ଓ ସମ୍ମାନରେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।

ପୃଷ୍ଟିଙ୍କ ‘ଜମ୍ବୁଲୋକ’ ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ବିଚାର ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ୟରେ ବିଜୟ କୁମାର ଶତପଥୀଙ୍କ ‘ନଷ୍ଟନୀଡ଼ର ଉପକଥା’, ଅପର୍ଣ୍ଣା ମହାନ୍ତିଙ୍କ ‘ଅଗ୍ନି କମଳିନୀ’, ଅମରେଶ ପଟ୍ଟନାୟକଙ୍କ ‘ଚାହଁ ବା ନଚାହଁ’, ସରୋଜିନୀ ସାହୁଙ୍କ ‘ଦାଦନ’, ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ‘କାନୀନ’ ଏବଂ ପ୍ରଦୀପ କୁମାର ପଣ୍ଡାଙ୍କ ‘ଯାହା ମୁଁ ଚାହୁଁ ନଥିବି’ ପୁସ୍ତକ ରହିଥିଲା । ପ୍ରାଥମିକ ପୁସ୍ତକ ଚୟନ ମଣ୍ଡଳୀରେ ସୀତେଶ ତ୍ରିପାଠୀ, ଡ. ସୁଚେତା ମିଶ୍ର, ଡ. ପରମେଶ୍ଵର ମୁଣ୍ଡ, ବୈଜୟନ୍ତୀ ମିଶ୍ର ଏବଂ ଡ. ପ୍ରୀତିଧାରା ସାମଲ ବିଚାରକ ଥିଲାବେଳେ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଧ୍ୟାପକ ବିଶ୍ଵରଞ୍ଜନ, ଡ. ମୃଣାଳ ଚାଟାର୍ଜୀ, ଡ. ପ୍ରସନ୍ନ କୁମାର ମହାନ୍ତି, ଡ. ଯଶୋଧାରା ମିଶ୍ର, ରଞ୍ଜନ କୁମାର ଦାସ, ଚିରଶ୍ରୀ ଇନ୍ଦ୍ରସିଂ ଏବଂ ଆଦିତେଶ୍ଵର ମିଶ୍ର ରହିଥିଲେ ।

ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ଇମ୍ଫା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲା – ବଂଶୀଧର କଳା ସମ୍ମାନ’ ମଧ୍ୟ ୨୦୨୩ ମସିହା ପାଇଁ ଘୋଷିତ ହୋଇଛି । ପଟ୍ଟଚିତ୍ର ଶିଳ୍ପୀ ଗୁରୁ ବେଣୁଧର ମହାପାତ୍ର ଏବଂ ବଂଶୀବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ଉଭୟଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ । ସେହିପରି ସଙ୍ଗୀତ ବିଭାଗରେ ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର, ମିତାଲି ଚିନାରା ଏବଂ ଚିତ୍ରକଳା ବିଭାଗରେ ପଞ୍ଚମୀ ମାନୁ ଉକୀଲ, ବିୟତପ୍ରଜ୍ଞା ତ୍ରିପାଠୀ ଓ ରମାକାନ୍ତ ସାମନ୍ତରାୟ ବିଚାରକ ଦାୟିତ୍ଵ ତୁଲାଇଥିଲେ । ଶିଳ୍ପପତି ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ କଳାବିଦୁଷୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ଶାରଳା ପୁରସ୍କାର ଉତ୍ସବ । ୧୯୮୦ ମସିହାରୁ ପ୍ରଦାନ କରାଯାଇଆସୁଥିବା ଶାରଳା ପୁରସ୍କାର ୪୩ ବର୍ଷ ଧରି ଏହାର ଅଭିଯାତ୍ରା ଜାରି ରଖିଛି ।

Related Posts

Leave a Reply

Your email address will not be published. Required fields are marked *