ସତ୍ୟନାରାୟଣ ଗନ୍ତାୟତ


ଏଥରର ସ୍ତମ୍ଭ ‘ଅଳ୍ପାଳାପ’ ଲେଖିଲାବେଳକୁ ଏକ ଅଶ୍ରୁଳ ଆବେଗ ଆଚ୍ଛନ୍ନ କରି ପକାଇଲା । କାରଣ ଆଜି ସଦାୟୁଷ୍ମାନ ସ୍ରଷ୍ଟା ସୁଖ୍ୟାତ ସ୍ତମ୍ଭକାର ଗନ୍ତାୟତ ଶିବପ୍ରସାଦଙ୍କ ଷୋଡ଼ଶ ଶ୍ରାଦ୍ଧ ଦିବସ ! ସତତ ସୁରଭିତ “ଶିବସ୍ମୃତି” ହିଁ ମୋ ଜୀବନର ପ୍ରେରଣା ପ୍ରବାହ, ଯାହା ମୋ ଅନ୍ତର ଫେଇ ମୋ ଦ୍ୱାରା ଲେଖାଇ ନେଇ ଆସୁଛି !! ସୁତରାଂ ସେଇ ସଦା ସୁମହାନ ଓ ସତତ ସ୍ମରଣୀୟ ସ୍ତମ୍ଭକାର ଗନ୍ତାୟତ ଶିବପ୍ରସାଦଙ୍କ ଏକ ବହୁ ଆଦୃତ ସ୍ତମ୍ଭ ରଚନା ଆଜି ପାଠକଙ୍କୁ ଭେଟି ଦେଉଛି । ଏବେ ପଢନ୍ତୁ “ଅଳ୍ପାଳାପ” କ୍ରମରେ ଗନ୍ତାୟତ ଶିବପ୍ରସାଦୀୟ ସୁରମ୍ୟ ଓ ସୁଲଳିତ “ଜୋତାଳାପ” !

(ସୌଜନ୍ୟ : ଦୈନିକ “ସମ୍ବାଦ” : ଗନ୍ତାୟତ ଶିବପ୍ରସାଦଙ୍କ ଚିର ହରିତ “ତୃତୀୟ ନୟନ” ସ୍ତମ୍ଭରୁ)

‘ଜୋତାମାନେ ବି ନିଃଶ୍ଵାସ ନିଅନ୍ତି’ ବୋଲି ଠାଏ ହେଉଥିବା ଘୋଷଣାକୁ ଘୋଡ଼ାର ହ୍ରେଷାରବ ଜାତୀୟ ହିଃ ହିଃ ହସରେ ଉଡ଼ାଇ ଦେଇଥିଲି । କିନ୍ତୁ ଯେବେ ସେଦିନ ଜାଣିଲି ଯେ ଘୋଡ଼ାଏ କେବଳ ନିଃଶ୍ଵାସ ପ୍ରଶ୍ୱାସ ନିଅନ୍ତିନି, ନିଜ ନିଜ ମଧ୍ୟେ ସୁନ୍ଦର କଥାବାର୍ତ୍ତା ବି କରି ପାରନ୍ତି- ସେତେବେଳେ ମୋର ଆଚମ୍ବିତ ହେବା ବ୍ୟତୀତ ଗତ୍ୟନ୍ତର ନ ଥିଲା ।

କୌଣସି ଏକ ଧର୍ମ ପ୍ରବଚନ ସଭାରେ ବସିଥିବା ବେଳେ ହଠାତ ଧର୍ମପତ୍ନୀଙ୍କ ଧମକପୂର୍ଣ୍ଣ ଶୁଖୁଆ ବରାଦ ମନେପଡ଼ି ଯାଆନ୍ତେ (ଏ ବିଷୟ ବାସନାର ଫାନ୍ଦରେ କେତେଦିନ ଛଟପଟ ହେଉଥିବୁରେ ବାଇମନ ?) ସେଠୁ ବାହାରକୁ ଆସି ଜୋତା ପିନ୍ଧିବାକୁ ଗଲାବେଳକୁ ସେଠି ପଡ଼ିଥିବା ମାଳମାଳ ଜୋତା ପରସ୍ପର ମଧ୍ୟରେ ବାର୍ତ୍ତାଳାପ କରୁଥିବା ଶୁଣି ଘଡ଼ିଏ ଅଟକି ଯାଇ କାନେଇଲି । (ଏଠେଇଁ ନୋଟ୍ କରାଯାଉ ଯେ, କେବଳ ମୋ ପରି ଜୋତା ଜାତୀୟ ତଳତଳିଆ ଅଧମ ଲେଖକ ହିଁ ସମଧର୍ମା ଜୋତାଙ୍କ ଭାଷା ବୁଝି ପାରନ୍ତି !)

ଗୋଟାଏ ପୁରୁଣା ଜୋତା ପାଖରେ ପଡ଼ିଥିବା ଚକଚକିଆ ବୁଟକୁ ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲା, “ଭାଇ ! ତୁମ ଭାଗ୍ୟ ଭଲ । ତୁମ ମାଲିକ ତୁମକୁ ଫି’ଦିନ ସଫା କରି ଭଲ ମୋଜା ସହ ପିନ୍ଧୁଛନ୍ତି । ଅଥଚ ମୋ ମାଲିକ ଏଡ଼ିକି ଗନ୍ଧିଆ ଯେ, ଦେଢ ବର୍ଷ ଧରି ମୋତେ ଥରୁଟେ ବି ପାଲିସ୍ କରି ନାଇଁ । ସିଏ ନିଜେ ପନ୍ଦର ଦିନରେ ଥରେ ଗାଧୋଉଛି । ଏମିତି ଝାଳଭିଜା ଅସନା ମୋଜା ପିନ୍ଧୁଛି ଯେ, ସେ ମୋତେ ମାଡ଼ିବା ମାତ୍ରକେ ମୋର ବାନ୍ତି ଉଠଉଛି ।”

ଚକଚକିଆ ବୁଟ୍ ତାକୁ ସାନ୍ତ୍ଵନା ଦେଇ କହିଲା, “ମୋ ଭାଗ୍ୟ ମୋ ରୂପ ପରି ସେତେଟା ସଫା ନୁହଁ ମ ! ସକାଳେ ମାଲିକ ଜଗିଂରେ ଯିବାବେଳେ କେତେଥର ଗୋବର ମାଡ଼ି ପକାନ୍ତି ଯେ ମୋତେ ଭାରି ଅସନା ଲାଗେ ।”

ଏ କଥା ଶୁଣି ଆଉ ଗୋଟେ ଜୋତା କହିଲା, “ବୁଟ୍ ଭାଇ, ତୁମେ ଏତିକିରେ ମନଦୁଃଖ କରୁଛ ! ମୋ ମାଲିକଙ୍କ ଘରେ ଚପଲ ହଳେ ଅଛି ଯେ ତା’ ଦୁଃଖ କହିଲେ ନସରେ ! ସବୁବେଳେ ଲ୍ୟାଟ୍ରିନ୍ ସାମନାରେ ପଡ଼ିଥାଏ । ସଭିଏଁ ତାକୁ ମାଡ଼ି ଭିତରକୁ ଯାଆନ୍ତି । ଆମେ ଅନ୍ତତଃ ଡ୍ରଇଁ ରୁମରେ ରହୁ । ବିଚରା ଚପଲ !!'”

ଏତିକି ବେଳେ ଗୋଟେ ହାଇହିଲ୍ ଲେଡିଜ୍ ଜୋତାକୁ ଏକ ପୁରୁଣା କାଳିଆ ଫେସନର ଜୋତା କହିଲା, “ଭଉଣୀ, ତୋ ଭାଗ୍ୟ ଏକା ଭଲ । ସୁନ୍ଦରୀ ମାଲର କଅଁଳିଆ ପାଦରେ ଲାଗୁଛୁ । ମୋ ମାଲିକ ଏଡ଼େ ମୋଟା ଓ ତା ପାଦ ସାରା ମାଛ ଆଖିଆ ଭର୍ତ୍ତି । ସେ ମାଡ଼ିଲେ ମୋ ଦିହ ଘୃଣାରେ ଓ ତା ଓଜନରେ ଶୀତେଇ ଉଠେ ।”

ଲେଡିଜ୍ ଜୋତା କହିଲା, “ଭାଇ ! ପାଦ ଅସନା ହେଉ କି କଅଁଳିଆ ହେଉ, ଆମ ଭାଗ୍ୟ ତ ମଣିଷର ପାଦ ତଳେ ନା ! ”

ତହୁଁ ଦୁଇ ତିନୋଟି ଜୋତା ସମସ୍ୱରରେ କହି ଉଠିଲେ, “ମଣିଷ ବଡ଼ ଅକୃତଜ୍ଞ । ଆମେ ତାକୁ କେତେ ଅସୁବିଧାରୁ ରକ୍ଷା କରିଆସୁଛୁ । ତଥାପି ସେ ଆମକୁ ପାଦ ତଳର ଜିନିଷ ବୋଲି ହୀନ ଦୃଷ୍ଟିରେ ଦେଖେ । “

ଗୋଟେ ଟୋକା ଟାକଳିଆ ଜୋତା କହିଲା, ” ଆମେ ଏତେଟା ନିରାଶ ହେବା ଉଚିତ ନୁହଁ । ବେଳେବେଳେ ଆମ ମାଲିକ/ମାଲିକାଣୀ ଆମକୁ ଧରି ଅନ୍ୟ ଜଣେ ମଣିଷର ଗାଲରେ ନେଇ ଛୁଆଁନ୍ତି । ସେତେବେଳେ ଆମର ମର୍ଯ୍ୟାଦା ବଢିଯାଏନି କି ?”

ଏଥକୁ ଅଭିଜ୍ଞ ଜୋତାଟେ ଗମ୍ଭୀର କଣ୍ଠରେ ଯୋଗ କଲା, “ଯାହା ହେଲେ ମଧ୍ୟ ଆମର ଜଣେ ପୂର୍ବପୁରୁଷ ପ୍ରଭୁ ଶ୍ରୀରାମଙ୍କ ପାଦରେ ଶୋଭା ପାଇ ପୁଣି ଭରତଙ୍କ ମୁଣ୍ଡରେ ବୁହା ହୋଇ ସିଂହାସନରେ ବସିବାର ସୌଭାଗ୍ୟ ଅର୍ଜନ କରି ପାରିଥିଲେ । ଆମେମାନେ ସେଇ ଗୌରବର ସ୍ମୃତି ମନେପକାଇ ଗର୍ବିତ ହେବା ଉଚିତ ।”

ଏହା ଶୁଣି ସମବେତ ଜୋତାଏ ଫକଫାକ ଡେଇଁ ଉଲ୍ଲାସ ପ୍ରକଟ କଲେ । ଏସବୁ ଶୁଣି ମୋର ନିଜ ଜୋତା ପିନ୍ଧିବାକୁ ଆଉ ସାହସ ହେଲା ନାହିଁ । ସୁତରାଂ ଖାଲି ପାଦରେ ସେଠୁ ଦୌଡ଼ି ଦୌଡ଼ି ଚାଲି ଆସିଲି ।

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *