ସତ୍ୟନାରାୟଣ ଗନ୍ତାୟତ

ବର୍ଷକ ଛଅ ଋତୁ ଭିତରେ ଆମକୁ ଲାଗେ ଶୀତ ଏକ ଚୁପଚାପ ଋତୁ । ଗ୍ରୀଷ୍ମ ପରି ତତଲା ସୂର୍ଯ୍ୟ କି ବର୍ଷା ପରି କଳାହାଣ୍ଡିଆ ମେଘ ଆଦିଙ୍କୁ ସାଥିରେ ନେଇ ଆସେନି । ଆସେ ନିରବରେ । ବର୍ଷା ଆସି ଚାଲି ଯିବା ପରେ ପହିଲେ ଶରତକୁ ପଠାଇ ଚୌଦିଗକୁ ସଫା ତୋଫା କରି ସାରି ମନ୍ଦେ ଅଳସ ଛନ୍ଦେ ଆସେ ଶୀତ !
କେହି କହନ୍ତି ମହାଳୟାରେ ମାଆ ବଜ୍ର ମହାକାଳିଙ୍କ କରୁଣାରୁ ତାଙ୍କ ପ୍ରସାଦ ଆରର୍ଦ୍ରା ହାଣ୍ଡି ଶୀତଳ ହେବା ସହ ଶୀତଳତା ନେଇ ଆସେ ଶୀତ। ପୁଣି କେହି କହନ୍ତି ଦୀପାବଳିରେ ବଡବଡୁଆଙ୍କୁ ଡାକ ଶୁଣାଇ ସେମାନଙ୍କ ଉଦ୍ଦେଶ୍ୟରେ ଦୀପଦାନର ଉଷ୍ମତାନୁଭବିବାର୍ଥେ ଆସେ ଶୀତ ।
ତେବେ ପୁଣ୍ୟ ମାସ କାର୍ତ୍ତିକ ଆରମ୍ଭ ହେବା ବେଳକୁ ଶୀତର ଅନୁଭବାରମ୍ଭ ହୋଇ ସାରିଥାଏ । ଅବଶ୍ୟ ତା’କୁ ଖାତିର ନକରି ଜୀବନର ସାୟାହ୍ନରେ ଥିବା ଆମ ମାଆ ମାଉସୀ ଜାତୀୟା ମହୀୟସୀଏ ପାହାନ୍ତାରୁ ଉଠି ନଦୀ ବା ପୁଷ୍କରିଣୀ ଆଦିରେ ସ୍ନାନ ସମାପନ କରତଃ ଆରମ୍ଭ କରି ଦିଅନ୍ତି ସେମାନଙ୍କ କାର୍ତ୍ତିକ ବ୍ରତ। ସେମାନଙ୍କ ହୃଦୟ କନ୍ଦରରୁ ସ୍ୱତଃ ଝରି ଆସୁଥାଏ ଭାବଭରା ଭକ୍ତି ଗୀତ, ଯାହା ସାରା ପରିବାର ଶୁଣି ସ୍ୱାଭାବିକ ଭାବେ ଜଡ଼ିତ ହୋଇ ଯାଆନ୍ତି ଊଭୟ ଶୀତ ଓ ଗୀତ ସହ !
ପୁଣ୍ୟ ମାସ କାର୍ତ୍ତିକରେ ତ ସମାହିତ ହୋଇ ରହିଥାଏ କେବଳ ପୂଜନ ହିଁ ପୂଜନ। ଚଉରା ମୂଳରେ ନିତ୍ୟ ନୈମିତ୍ତିକ ରାଈ ଦାମୋଦର ପୂଜନ ସାରା ମାସ ଆଚ୍ଛନ୍ନ କରି ରଖି ଏକ ପାବନ ପରିବେଶ ସୃଷ୍ଟି କରିଥାଏ । ସୁତରାଂ ରଙ୍ଗ ରସ ରାସେ ଭରା ହବିଷ୍ୟାଳିଙ୍କ ଗୀତ ନାଚ ଜାଗ୍ରତ କରେ ତନୁମନପ୍ରାଣରେ କ୍ୱଚିତ ଅନୁଭୂତ ଏକ ଦିବ୍ୟ ଶିହରଣ !
ଅବଶେଷେ ଆସେ ପବିତ୍ର ରାସ ପୂର୍ଣ୍ଣିମାର ପାବନାବସର, ଯାହା ସହ ଅବଲୀଳା କ୍ରମେ ଜଡିତ ହୋଇ ରହିଥାନ୍ତି ଶୀତ ଓ ଗୀତ । ବଡ଼ି ଭୋଅରରୁ ଭାସି ଆସୁଥାଏ ନଗର ଭ୍ରମଣ କରି ଦିନର ଶୁଭାରମ୍ଭ କରୁଥିବା ସଂକୀର୍ତ୍ତନ ଦଳଙ୍କ ସମୂହ ଭଜନ ଓ କୀର୍ତ୍ତନ, ଯାହା ଶୁଣୁଶୁଣୁ ଶୀତକୁ ବେଖାତିର କରି ଶଯ୍ୟା ତ୍ୟାଗ ପୂର୍ବକ ନିଜ ଦୈନନ୍ଦିନୀ ଆରମ୍ଭ କରିବା ପାଇଁ ଆପଣା ଛାଏଁ ମନ ଉଚ୍ଚାଟିତ ହୁଏ ।
ଶୀତ ସତ୍ତ୍ୱେ ମାସ ସାରା ଭକ୍ତି ଭାବରେ ଗୁଣୁଗୁଣୁ ହୋଇ ବିଭିନ୍ନ ପର୍ବପର୍ବାଣି ପାଳି ଆସିଥିବା ଜନେ ଆହୁରି ଉଚ୍ଛନ୍ନ ହୁଅନ୍ତି କାର୍ତ୍ତିକ ମାସ ଶେଷର ମହୋତ୍ସବ କାର୍ତ୍ତିକ ପୂର୍ଣ୍ଣିମା ଆସିଲେ । ପାହାନ୍ତା ପହରୁ ଉଠି ଜଳାଶୟାଦିରେ ବୋଇତ ବନ୍ଦାଣ କରନ୍ତି । ଆଉ ଏହି ହର୍ଷୋଲ୍ଲାସ ଭରା ପାଳନର ପ୍ରମୁଖ ଆକର୍ଷଣ ହୋଇଥାଏ ସବୁରି ମୁହଁର ଉଚ୍ଛ୍ୱସିତ “ଆକାମାବୈ” ଗୀତ !
ବୋଲିବା ବାହୁଲ୍ୟ ଏହି ଗୀତରେ ଗୀତରେ ବୋଇତ ସହ ଭାସି ଭାସି କାର୍ତ୍ତିକ ବିଦାୟ ନିଏ ସିନା, ଶୀତକୁ ଆହୁରି ଜାବୁଡ଼ି ଧରି ତୁରିତେ ଆସି ପହଞ୍ଚି ଯାଏ ଆଉ ଏକ ପବିତ୍ର ମାସ ମାର୍ଗଶୀର ! ଏହି ମାସରେ ତ ଶୀତ ଆହୁରି ବଢିଥାଏ, ହେଲେ କାର୍ତ୍ତିକ ଆରମ୍ଭ କରାଇ ଦେଇଥିବା ପ୍ରାତ୍ୟହିକ ପ୍ରାତଃ ସ୍ନାନ ଓ ନିତ୍ୟ ପୂଜନ ପ୍ରାୟତଃ ଅବ୍ୟାହତ ରହିଥାଏ ।
କାରଣ ମାର୍ଗଶୀରରେ ଶୀତ ସହ ପର୍ବପର୍ବାଣି ବି କମ୍ ନୁହେଁ । ଏହି କ୍ରମରେ ମାଆ ମହାଲକ୍ଷ୍ମୀଙ୍କ ଆଗମନ ଆଣିଦିଏ ମାସରେ ପଡୁଥିବା ଗୁରୁବାର ମାନଙ୍କରେ ମାଣବସା ଗୁରୁବାର ଭାବେ ମାଆଙ୍କୁ ପୂଜିବାର ମହାନ ଅବସର । ଆଉ ଗୁରୁବାର ମାନେ ତ ପ୍ରତ୍ୟୁଷରୁ “ଲକ୍ଷ୍ମୀ ପୁରାଣ” ଗାନରେ ମୁଖରିତ ହୁଏ ପ୍ରତି ଘର । ସଭିଙ୍କ ତୁଣ୍ଡରେ ପ୍ରାୟତଃ ମୁଖସ୍ଥ ହୋଇ ରହିଥିବା ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ଗାନ ଶୀତର ଅନୁଭବକୁ ଅତ୍ୟନ୍ତ ମହାର୍ଘ କରିଥାଏ ।
ପୁଣି କାର୍ତ୍ତିକ ଯିବା ପରେ ପରେ ତଥାଚର୍ଚିତ ଛାଡଖାଇର ଯେମନ୍ତ ପାଳନ ହୁଏ, ତା’ରି ମାଧ୍ୟମରେ ମନ ମୁତାବକ ଖାନାପିନା କେବଳ ଆରମ୍ଭ ହୋଇ ଯାଏନି , ବରଂ ଗାନାଟାନାଦିର ଆସର ବି ଜମେ। କହିବା ପରି ପୌଷ ମାସରେ ବହୁତ ଶୀତ ! ତଥାପି ଉଭୟ ସକାଳ ଓ ସଂଜରେ ପରିବେଶ ଆପେ ଆପେ ଲାଗିଥାଏ ସାଙ୍ଗୀତିକ । କାରଣ ଚାତୁର୍ମାସ୍ୟର ପରିସମାପ୍ତି ହୋଇ ସାରିଥାଏ ଓ ଅପେକ୍ଷମାଣ ବିବାହ ବ୍ରତାଦି ଶୁଭକାର୍ଯ୍ୟ ପାଇଁ ତିଥି ଧାର୍ଯ୍ୟ ହୋଇ ସେସବୁ ଗୋଟି ଗୋଟି କରି ସମ୍ପନ୍ନ ହୁଏ । ଆଉ ଇଦାନୀଂ ଏସବୁ ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବା ଅର୍ଥ ସେସବୁର ପ୍ରମୁଖ ଆକର୍ଷଣ ଖାନାପିନା ବାଦ୍ ଗାନାଟାନାଦି ଜାତୀୟ ଭଳିକି ଭଳି ପ୍ରଦର୍ଶନ । ଏସବୁ ଭିତରେ ଶୀତ କିନ୍ତୁ ତଥାପି ଥାଏ ତା ଥାନାରେ ।
ପୁଣି ଇଂରାଜୀ ମାସ ଅନୁସାରେ ଏତେ ବେଳେ ଚାଲିଥିବା ନଭେମ୍ବର – ଡିସେମ୍ବର ମାସ କହିଲେ ତ ବୁଝାଏ ପିକନିକ ବା ବଣଭୋଜିର ମାସ ! ବଣ ଜଙ୍ଗଲ ଭିତରେ ଶୀତ ଅନୁଭବିବା ହୋଇ ଯାଏ ସଭିଙ୍କ ଧ୍ୟେୟ ! ସୁତରାଂ ଖୋଜା ହୁଅନ୍ତି ପର୍ବତ ଓ ସେଇ ପର୍ବତର ଅଗଣାରେ ଏକ ନୈସର୍ଗିକ ଜାଙ୍ଗଲିକ ପରିବେଶରେ କୁଳୁକୁଳୁ ଗୀତ ଗାଇ ଝରି ଯାଊଥିବା କୁଆଁରୀ ଝରଣା ! ନାନା ଜାତି ପକ୍ଷୀଙ୍କ କିଚିରିମିଚିରି ଗୀତ ଶୁଣିବାକୁ ମିଳିବା ତ ମନେ ହୁଏ ଅହୋ ଭାଗ୍ୟ । ତେବେ ଏସବୁ ମିଳୁ ବା ନ ମିଳୁ , କୃତ୍ରିମ ଭାବେ ଡେକ୍ ଡିଜେ ଆଦି ମାଧ୍ୟମରେ ତଥା ଈପସିତ ଡ୍ୟାନ୍ସ ନମ୍ବର ଗୀତ ମାନ ବଜାଇ ସମତାଳେ ଏକରକମ ଉଦ୍ଦଣ୍ଡ ନାଚରେ ମାତିବାର ଅବସର ଆଣିଦିଏ ପିକନିକ୍ ! ଆଉ ଏମିତି ମାତିବାବେଳେ ଲାଗେ ମଉଜ ନାମରେ ଏମିତି ଉଦବାର୍ଯ୍ୟ ହେଉଥିବା ଦେଖି ଶୀତ ବି ହୁଏତ ନିଜେ ଲାଜେଇ ଯାଉଥିବ !
ଏହି ସମୟରେ ଶୀତ ଆଣେ ବଡଦିନ, ଯେତେବେଳେ ଗୀତ ଓ ସଙ୍ଗୀତ ପାଏ ଆହୁରି ପ୍ରାଧାନ୍ୟ । ପୁଣି ବର୍ଷଟାଏ ପୁରୁଣା ହୋଇ ବିଦାୟ ନେବାକୁ ସଜବାଜ ହୁଏ ଓ ମଧ୍ୟ ରାତିରେ ଶୀତକୁ ବେଖାତିର କରି ଠିକ୍ ତା’ର ସେଇ ବିଦାୟ ବେଳାର ଅନ୍ତିମ ମୂହୁର୍ତ୍ତକୁ ଜିରୋ ଆୱ।ର ଭାବେ ପାଳନ କରି ଅର୍ଖ ନୂଆ ବର୍ଷଟିକୁ ଗୀତ ଓ ନାଚର ଆସର ମାଧ୍ୟମରେ ଧୁମଧାମରେ ଆବାହନ କରାଯାଇଥାଏ । ତା ପରଦିନ ତ ନୂଆ ବର୍ଷ । ବାସ୍, ଶୀତ ସହ ସମୟର ଆରମ୍ଭ ହୋଇଯାଏ ନୂଆ ଏକ ଯୁଗଳବନ୍ଦୀ ।
ହଁ, ଏମିତି ଅବଲୀଳା କ୍ରମେ ତା’ ତଥାବିଦିତ ବାଘ ଜାତୀୟ ଭୟଙ୍କର ଶୀତ ନେଇ ଆସେ ମାଘ ମାସ । ପବିତ୍ର ମାଘ ସ୍ନାନ, ବୁଡ଼ ଓ ମକର ସଂକ୍ରାନ୍ତି ଆଦି ପାଳିତ ହେବା ଭିତରେ ହାଡ ଥରାଏ ଜାଡ଼ । ସମତାଳରେ ବି ମହଜୁଦ ଥାଏ ଗୀତ । କାରଣ ଶୀତର କମ୍ପନ ଲାଗୁଥାଏ ସତେ ଅବା ଗୀତର ସ୍ପନ୍ଦନ, ଦାନ୍ତରେ ଦାନ୍ତ ବାଜି ଆପେ ଶୁଭୁଥିବା ଠକଠକ ଶବ୍ଦ ପୁନଃ ପୁନଃ ଭରି ଦେଉଥାଏ ଗୁଣୁଗୁଣୁ ହୋଇ ଶୀତର କମ୍ପନକୁ ଅନୁଭବି ଯିବା ପାଇଁ ଏକ ଅଦ୍ଭୁତ ଶିହରଣ !!
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
