ଲଲାଟେନ୍ଦୁ କବି
( ୧ )
ଅନ୍ୟ ସଂପ୍ରଦାୟର କିଛି ଲୋକଙ୍କୁ ବିନାଶ କରି ଫଳତଃ ସ୍ଵଧର୍ମକୁ ପୁନରୁଦ୍ଧାର କରିବାର ଆନନ୍ଦଟା ଉଭେଇ ଗଲା । ପଣ୍ଡିତେ ସମ୍ଭାଳି ପାରିଲେ ନାହିଁ । ନିଜର ଏକ ମାତ୍ର ଜୀବିତ ପୁତ୍ର ବି ସେହି ଦଙ୍ଗାରେ ମଲା । ମନେପଡୁ ଥାଏ ୨୦ ବର୍ଷ ତଳେ ବି ଗୋଟିଏ ଗେଲବସର ଶିଶୁପୁତ୍ର ତାଙ୍କୁ ଛାଡ଼ି ଯାଇଥିଲା । ତିନି ବର୍ଷ ବୟସ ପରେ ଆଉ ସଂସାର ଦେଖି ନାହିଁ । ତା’ପରେ ଜନ୍ମିଥିବା ପୁଅଟି ବି କାଲି ଗଲା । ପ୍ରୌଢତ୍ଵଠୁ ଅପୁତ୍ରକ ହେଇ ରହିବେ ।
( ୨ )
ଆର ସାହିରେ ମୌଲବୀଙ୍କ ଘରେ କାନ୍ଦ ବୋବାଳି ବହୁତ । କବର ଦେଇ ଫେରିଛନ୍ତି ଘରଲୋକେ । ତାଙ୍କର ୧୮ ଵର୍ଷର ଭେଣ୍ଡା ପୁଅ ବି ଯାଇଛି ଦଙ୍ଗାରେ । ଆଗରୁ ମୌଲବୀଙ୍କର ବି ଗୋଟିଏ ପୁତ୍ର ମରିଥିଲା ଶୈଶବରେ, ୪ ବର୍ଷର ହେଇଥାଏ । ସେ ଆଜିକି ୨୫ ବର୍ଷ ଆଗ କଥା ।
( ୩ )
ସବୁ ଅଘଟଣ ପାଇଁ ସତେଯେପରି ଈଶ୍ଵର ଦାୟୀ । ତାଙ୍କୁ କୈଫିୟତ୍ ଦେବାକୁ ପଡ଼ିବ ପିଲାମାନେ କେମିତି ମଲେ, ଦୋଷ କାହାର । ପଣ୍ଡିତ ଓ ମୌଲବୀ ଉଭୟଙ୍କ ପରିବାରରୁ ଈଶ୍ଵରଙ୍କ ଉପରେ ଚାପ । ଆମକୁ ପୁତ୍ରହରା କରି କଣ ପାଇଲ ପ୍ରଭୋ ! ବୁଝାଅ ପିଲାମାନେ କି ଦୋଷ କରି ଥିଲେ ।
( ୪ )
ଈଶ୍ଵର ଦୁଃଖ ବୁଝିଲେ । ଉଭୟ ପକ୍ଷକୁ ଜଣେଇଲେ – କାଲି ରବିବାର । ଦୁଇ ପରିବାର ଗ୍ରାମ ଶେଷ ଖୋଲା ପଡ଼ିଆକୁ ଆସ । ଥରେ ଲେଖା ନିଜ ନିଜ ମୃତ ପୁତ୍ରମାନଙ୍କ ସହ ସାକ୍ଷାତ କରିନିଅ । ସେଇ ଵ୍ୟଵସ୍ଥା ହେଲା । ଉଭୟ ପରିବାର ସହ କଥା ହେଇ ଗ୍ରାମର ମୁଖିଆ ପଡ଼ିଆ ସଫା କରି ତୋରଣ ସଜେଇଲେ ।
( ୫ )
ଈଶ୍ଵର ସଭାରମ୍ଭରେ ହିଁ ଗୋଟିଏ କଥା ସ୍ପଷ୍ଟ କରିଦେଲେ । ପଣ୍ଡିତେ ୨୦ ବର୍ଷ ତଳେ ହରେଇଥିବା ନିଜ ୩ ବର୍ଷୀୟ ପୁତ୍ରକୁ ଓ ମୌଲଵୀ ୨୫ ବର୍ଷ ତଳେ ହରେଇଥିବା ନିଜ ୪ ବର୍ଷୀୟ ପୁଅକୁ ଦେଖିପାରିବେ । ଉଭୟଙ୍କ ପୁତ୍ର ମଲାବେଳେ ଯେତିକି ବଡ଼ ଥିଲେ ସେତିକି ବଡ଼ ହେଇ ଦେଖା ଦେବେ । ଉଭୟେ ରାଜି ହେଲେ । ଉପସ୍ଥିତ ଗ୍ରାମବାସୀଙ୍କ ଭିତରେ ଅନେକ କୌତୁହଳ ଓ ଔତ୍ସୁକ୍ୟ ।
( ୬ )
ପଣ୍ଡିତଙ୍କ ୩ ବର୍ଷୀୟ ଗୁଲୁଗୁଲିଆ ପୁଅ ଆସିଲା । ପଣ୍ଡିତେ ହାତ ବଢେଇବାରେ ଭୟରେ କାନ୍ଦି କହିଲା – ମୁଁ ଦିବି ନାଇଁ । ତୁମେ ମାଲି ଦେବ । ଥେ ଦିନ ମାରି ଦେଇଥ । ପଣ୍ଡିତେ କାନ୍ଦି ପକେଇଲେ – ନା ପୁଅ, ମୋ ଅଲିଅଳ ତୁ । ତୋତେ ମୁଁ କେବେ ମାରିଲି ? କୁନି ପୁଅ କହିଲା କାଲି ସେ ତାଙ୍କଲ ପୁଅକୁ ଦେ ଥୁଲିଲେ ମାଲି ଦେଲ ମୁ ଥେଇ, ତମଲ ପୁଅ ଥିଲି ତାଙ୍କ ଘଲେ ଦନ୍ମ ଏଇଥିଲି । ଏହା କହି ମୌଲବୀଙ୍କ ଆଡ଼େ ହାତ ବଢେଇ ଦେଖେଇଲା । ପୁଣି କହିଲା “ତୁମେ ମାଲି ଦେଲ ମୋତେ । ଭାଲି କାତୁଥିଲା ବାପା । ମୋ ପେତ ଥାତି ତିଲିକି ମାଲିଥ । ତୁମେ ଦାଅ ଏଥୁ ।”
( ୭ )
ଏବେ ମୌଲବିଙ୍କ ୪ ଵର୍ଷର ପୁଅ । ଭାରି ଡଉଲ ଡାଉଲ ସେ ବି । ମୌଲବୀ ଧାଇଁଗଲେ । କୁଣ୍ଢେଇ ଧରନ୍ତେ କାଖେଇ ନିଅନ୍ତେ । କିନ୍ତୁ ସେ ପୁଅ ବି ମୌଲବୀଙ୍କଠୁ ଦୂରେଇ ଗଲା । ଭୟରେ ତା ମୁହଁ କଳାକାଠ ପଡ଼ି ଗଲା । ତାର ବି ସେହି ଅଭିଯୋଗ – ମୌଲବୀଙ୍କୁ ଶିଶୁଭାଷାରେ କହିଦେଲା ତୁମେ ମୋତେ କାଲି ମାରିଛ । ବାପା ହେଇ ଦଣ୍ଡାରେ ମୋ ମଥାକୁ ଠୁକି ଚାଲି ଥାଅ । କି କଷ୍ଟ ବାପା, ତୁମକୁ କିଏ ସେମିତି ମାରିଲେ ଜାଣିବ । ମୁଁ ତୁମର ସେଇ ୨୫ ବର୍ଷ ତଳେ ମରିଥିବା ପୁଅ । ମଲାପରେ ପଣ୍ଡିତଙ୍କ ପୁଅ ହେଇ ଜନ୍ମିଥିଲି । “କାଲି ମୋତେ ମାଲି ଦେଲ ତୁମେ । ତୁମଲ ଦୟା ଦଲ୍ମ ନାହିଁ । ମୁ ଫେଲି ଦିବି ବାପା ତୁମକୁ ଦେଖିଲେ ଦଲ ମାଲୁଥି ବହୁତ ।”
( ୮ )
ଏ ଭିତରେ ଘରଣୀ ମୋତେ ବାରମ୍ବାର ଫୋନ କଲେଣି । ଘରେ ଲୁଣ ନାହିଁ କି ଫୋଟଣ ବି ନାହିଁ । ନେଲେ ଯାଇ ରନ୍ଧା ହେବ ଆହାର ମିଳିବ । ମୁଁ ସଭାସ୍ଥଳରୁ ଚାଲିଗଲି । ପରେ ଶୁଣିଲି ମୋ ଯିବା ପରେପରେ ଈଶ୍ଵର ସେ ଛୁଆ ଦୁଇଟାକୁ ସାଙ୍ଗରେ ଧରି ଅନ୍ତର୍ଦ୍ଧାନ ହେଇ ଯାଇଥିଲେ । ଗଲାବେଳେ କହୁଥିଲେ – ଛୁଆଗୁଡ଼ା ତ ଫେରିବାକୁ ଚାହୁଁ ନିହାନ୍ତି, ମୁଁ କଣ କରିବି ଏଥିରେ ।
ଲାଲଟେନ୍ଦୁ କବି, ରାୟରଙ୍ଗପୁର, ମୟୂରଭଞ୍ଜ, ମୋ : ୭୯୭୮୬୮୦୭୧୨
ଲେଖକ ପରିଚୟ
ପ୍ରାୟ ୩୮ ବର୍ଷ ପରେ ୨୦୧୪ରୁ ପୁଣିଥରେ ଆରମ୍ଭ କଲି ଲେଖାଲେଖି ଯଦିଓ ଛାତ୍ର ଜୀବନରେ ଅଳ୍ପ କିଛି କବିତା ଓ ଗପ ଲେଖିଥିଲି । ମୁଁ ସବୁବେଳେ ଓଡ଼ିଆ ଭାଷା ଓ ବ୍ୟାକରଣ ଉପରେ ଗୁରୁତ୍ଵ ଦିଏ । ସବୁବେଳେ ଛନ୍ଦ କବିତା ଲେଖିବାକୁ ଭଲପାଏ । ସାଧାରଣତଃ ସୋସିଆଲ ମିଡ଼ିଆ ଫେସବୁକକୁ ମୁଁ ମୋ ସାହିତ୍ୟ ସାଧନାର ମାଧ୍ୟମ କରେ ।