ଚୁପ୍, ଗଧ ସ୍ତାବକେ ଶୁଣି ପକାଇବେ !

ସତ୍ୟନାରାୟଣ ଗନ୍ତାୟତ

ନବଜାତ ଶିଶୁଟି ଯେତେବେଳେ ତା’ ଦରୋଟି ସ୍ୱରରେ “ମାଆଆ…ବାପ୍ପା ଆଆ” କହିବା ଆରମ୍ଭ କରେ, ଜନ୍ମଦାତ୍ରୀ ଓ ଜନ୍ମଦାତାଙ୍କ ସମେତ ପରିବାର ଜନେ ଆନନ୍ଦରେ ଅଧୀର ହୋଇ ଉଠନ୍ତି । ସେମାନେ ସସ୍ନେହ ପ୍ରତିକ୍ରିୟା ପ୍ରଦର୍ଶନ କ୍ରମରେ “ଆଆ…କନ ଧନ ଅଅ…”, “ଦୁଧ ପିଇବୁ ଉଉ” ଆଦି କହନ୍ତେ ଶିଶୁଟି ସେସବୁ ଧୀରେଧୀରେ ବୁଝେ ଓ ତଦନୁଯାୟୀ ତା’ ନିଜ ମତେ ହାତ ଗୋଡ଼ ମଥା ହଲାଇ ତା’ ମନକଥା ଜଣାଇବା ଆରମ୍ଭ କରେ । ଏପରି ଶିଶୁଟି ସହ ଭାବ ବିନିମୟ ହୁଏ । କଥା କହିବା ବୋଇଲେ ଆଉ କଣ କି ? ଏହି ଭାବ ବିନିମୟ ହିଁ ସିନା !

ଏମିତି ସରଳ ଭାବେ କଥା କହି ଶିଖିଥିବା ନିରୀହ ଶିଶୁଟିର ବୟସ ବଢିବା ସହ ସେ ଘରଲୋକ ସାହିପଡ଼ୋଶୀ ବନ୍ଧୁବାନ୍ଧବ ଆଦିଙ୍କ ସଂସ୍ପର୍ଶରେ ଆସି ନାନା କଥା କହିବା ଶିଖେ । ଅଢେଇ ବର୍ଷର ହେଉହେଉ ତା’ ସ୍କୁଲ ଯିବା ଆରମ୍ଭ ହୋଇଯାଏ । ସ୍କୁଲରେ ସେ ଆହୁରି କେତେ କଣ ଦେଖେ, ଜାଣେ ଓ ଶିଖେ । ସେ ଏସଵୁକୁ ନେଇ ତା ମନକଥା କହିଚାଲେ ।

ଏଣିକି ଧୀରେଧୀରେ ତାକୁ ଜଣାଇ ଦିଆଯାଏ ଯେ କଣ ସବୁ କହିବା କଥା ଓ କେଉଁକେଉଁ କଥା କହିବା ଭଲ ନୁହେଁ । ପଢାପଢି ସହ ସେ ବଢୁଥାଏ । ଏମିତି ବଢିବା ଭିତର ଦେଇ ସେ ଠିକ କଣ ଭୁଲ କଣ ଜାଣେ । ତଦନୁଯାୟୀ ଠିକ୍ କଥା କହିବା ଶିଖେ । ଭୁଲ କଥା କହିବା କେମିତି କ୍ଷତିକାରୀ ତାହା ବି ଜାଣେ । ଭଲ ସହ ମନ୍ଦର ଉପସ୍ଥିତି ନେଇ ସେ ଆପେ ସଚେତନ ହୁଏ । ଏହି କ୍ରମରେ ଭୁଲକୁ ଠିକ ବୋଲା ଯାଉଥିବା ଶୁଣିଲେ ତାକୁ ଭଲ ଲାଗେନି । ସେମିତି ଠିକ୍ କଥାକୁ କେହି ଭୁଲ୍ ବୋଲି କହୁଥିଲେ ସେ ସହି ପାରେନି । ଏଭଳି ପରିସ୍ଥିତି ସାମନା କରିବାବେଳେ ସ୍ୱତଃ ସେ ଯୁକ୍ତି କରି ବସେ ।

ଏଥକୁ ତର୍କ ପ୍ରତିଯୋଗିତା, ଛାୟା ସଂସଦ ଆଦି ସ୍କୁଲ ଓ କଲେଜର ବିଭିନ୍ନ କାର୍ଯ୍ୟକ୍ରମଙ୍କ ମାଧ୍ୟମରେ ଏମିତି ଯୁକ୍ତିଯୁକ୍ତ ଉପସ୍ଥାପନା ଦ୍ଵାରା ନିଜର ବକ୍ତବ୍ୟ ପ୍ରଦାନର ସୁଯୋଗ ପ୍ରକାରାନ୍ତରେ ତାକୁ ନେତୃତ୍ୱ ନେବା ଶିକ୍ଷା ଦିଏ । ତେଣିକି ତା’ ଜୀବନ ଯାତ୍ରାରେ ସେ ସଚେତନ ଭାବରେ ଯୁକ୍ତିଯୁକ୍ତ କଥା କହି ଆପଣାକୁ ବ୍ୟକ୍ତ କରିବା ଅଭ୍ୟାସ ଆରମ୍ଭ କରେ ।

କିନ୍ତୁ ଧୀରେଧୀରେ ଯେତେଯେତେ ଆଗକୁ ଆଗକୁ ବଢି ଉଚ୍ଚତର ଶିକ୍ଷା, ତାଲିମ ଓ ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଏବଂ ସର୍ବୋପରି ବୃତ୍ତିଗତ ଜୀବନର ସୋପାନରେ ସେ ପଦପାତ କରେ । ଅବଲୀଳା କ୍ରମେ ତାର ହୃଦବୋଧ ହୋଇଯାଏ ଯେ ସତ କଥା, ଯୁକ୍ତିଯୁକ୍ତ କଥା କହିବା କେମିତି ସେଇମାନଙ୍କୁ ଅସହ୍ୟ ହୁଏ, ଯେଉଁମାନେ ତାର ବିପରୀତମୁଖୀ ହୋଇ ଆପଣାର ସ୍ୱାର୍ଥ ସାଧନରେ ସଦା ବ୍ୟସ୍ତ ରହିଥାନ୍ତି ଏବଂ ସେମାନେ ହିଁ କର୍ମଠ, ବିଜ୍ଞ ଓ ସଚ୍ଚୋଟଙ୍କୁ ପଛରେ ପକାଇ ଆଗେଇ ଆଗେଇ ମାଡ଼ି ଯାଉଥାନ୍ତି ।

ସୁତରାଂ ନୀତିନିଷ୍ଠ ଓ ନିୟମାନୁଗତ ହୋଇ ନିଜ ବଚନାନୁରୂପ କର୍ମରେ ବି ସଠିକ୍ ରହିବା ଲୋକ ଅକାରଣେ ପଛୁଆ ହେବା ସହ ନ୍ୟୂନ ଓ ନିନ୍ଦିତ ହେବା ଅବଧାରିତ ହୋଇ ଯାଉଥିବା ସେ ପ୍ରତ୍ୟକ୍ଷ କରେ । ଏଭଳି କ୍ଷେତ୍ରରେ ସେ ଏକ ଜଟିଳ ଆହ୍ୱାନକୁ ସାମନା କରେ । କିଂକର୍ତ୍ତବ୍ୟବିମୂଢ ହୋଇ ଅବଶେଷେ ଏଇଆ ଭାବେ ଯେ ଜଣେ ପକ୍ଷଭୁକ୍ତ ହେବାକୁ ବାଧ୍ୟ ଓ ତାହା ମଧ୍ୟ ସଂସ୍ଥା ବା ବ୍ୟବସ୍ଥାରେ ଆପଣାକୁ ସୁରକ୍ଷିତ କରିପାରିବା ଭଳି !

ଏ ଦିଗରେ ଆଲୋଚନା ବେଳେ ମନକୁ ସ୍ୱତଃ ଆସିଯାଏ ରାଜନୀତି କଥା । ତା’ ଫେର୍ ଗଣତନ୍ତ୍ରର ମହାନ ଅବଦାନ ଦଳୀୟ ରାଜନୀତି କଥା । ଏହି କ୍ଷେତ୍ରରେ ତ କେବଳ ଭେଲକୁ ଭଲ କହିଦେଲେ ଚଳିଯିବ ନାହିଁ । ବରଂ ଭଲକୁ ଲାଗିପଡ଼ି ଭେଲ ବୋଲି ରଟିରଟି ସଭିଙ୍କ ନଜରରେ ସେଇଆ କରି ଥୋଇବା ଜରୁରୀ । ଏମିତି କରିପାରିଲେ ଜଣେ ଦଳୀୟ ରାଜନୀତିରେ ତିଷ୍ଠି ପାରିବା ସହ ଏଡେ ଘାଏଁ ଉପରକୁ ଉଠିବ ଯେ ଏକାନଟେ ସ୍ୱର୍ଗକୁ ସିଡ଼ି ପକାଇବାକୁ ବି ହମହମ ହୋଇଯିବ ।

ଜାଣିଥିବେ ତ ଏବ କାଳରେ କେମିତି ରାଜନୀତି ବୋଲେ ତୋ ତଥାକଥିତ ପାର୍ଟି ପଲିଟିକ୍ସ ଦ୍ୱାରା ହିଁ ସବୁ କିଛି କବଳିତ, ଯେଉଁଠି ନିଜ ନିଷ୍ଠା ଓ ସାଧନା ବଳରେ ଉପରକୁ ଉଠୁଥିବା ପ୍ରୟାସୀଙ୍କୁ ପଛରୁ ଗୋଡ଼ ଟାଣିବା, ପାଖଳୋକ ହେବା ନାଁରେ ପାଦଚଟା ହେବା ସହ ଅନ୍ୟ ଭଲ ଲୋକଙ୍କ ଭଲ କଥା ଓ ଭଲ କାମକୁ ଅଯଥାରେ ଉପରେ ପଡ଼ି ନିନ୍ଦା କରି ସେମାନଙ୍କୁ ଦୃଶ୍ୟପଟ୍ଟରୁ ନିଶ୍ଚିହ୍ନ କରି ଦେବା ଫି’ ମୂହୁର୍ତ୍ତରେ ଚାଲିଥାଏ । ଏ କ୍ଷେତ୍ରରେ ସ୍ତାବକ ବନି ସ୍ତୁତି ଗାନ କରି ନପାରିବା ଅର୍ଥ ଜଣେ ପହିଲେ ନିନ୍ଦୁକ ଭାବେ ପରିଗଣିତ ହେବ । କୋଉ ଛଟକରେ ଦେଶଦ୍ରୋହୀ ବି ବନି ଯାଇଥିବ ଜଣା ହିଁ ପଡ଼ିବନି ।

ଆପଣ କହି ପାରନ୍ତି , “ତେବେ କଣ ଭଲକୁ ଭଲ କହିବା ମନା ? ଖରାପକୁ ଖରାପ କହିଲେ କଣ ଖରାପ ହେଲା ଯେ ? ଆମ ମୁକ୍ତ ମତ ପ୍ରକାଶ କରିବା ଅଧିକାର କଣ ଆଉ ନାହିଁ ?” ସବୁ ଅଛି ଆଜ୍ଞା, ତେବେ ନାମକୁ ମାତ୍ର । ମତୈକ୍ୟ ତ ସମ୍ଭବ ହୋଇ ନଥାଏ ସର୍ବଦା ସର୍ବକ୍ଷତ୍ରରେ । ତେବେ ତାକୁ ମତାନ୍ତର ବା ସେ ଭିନ୍ନ ମତକୁ ବିରୋଧ କହିବା ବରଂ ଚଳନୀୟ । କିନ୍ତୁ ଏବ କାଳରେ ଅବ୍ୟବସ୍ଥିତ ବ୍ୟବସ୍ଥା ଓ ଶୋଷଣ ଖୋର ଶାସନ ସୃଷ୍ଟ ବୋଲକରା, ବତିପେଲା ଓ ପାଦଚଟା ଜାତୀୟ ସୁଦ୍ଦୁ ବୁକୁଚା ବୁହା ଗଧ ଧର୍ମୀ ସ୍ତାବକମାନଙ୍କ ଦିହରେ ଗଠନମୂଳକ ଭିନ୍ନ ମତ ଆଦୌ ଯାଏନି । ଫଳତଃ ସେମାନେ ଏଭଳି ମତ ଶୁଣୁଶୁଣୁ ମତ ପୋଷଣକାରୀଙ୍କୁ ନିନ୍ଦୁକ ଓ ଦ୍ରୋହୀ ଭାବେ ସଜାଇ ପୁନଃପୁନଃ ପ୍ରଚାର କରି ନିନ୍ଦିତ କରିବାର ହୀନ ପ୍ରୟାସରେ ମାତିଯାନ୍ତି । ବିଚରା ପ୍ରଗତିକାମୀ ଲୋକଟି ଏସବୁର ଚକ୍ରବ୍ୟୂହରେ ଫଶି ଯାଇ ଅବଶେଷେ ନିରବି ଯାଏ ।

ବହୁ ସମୟରେ ଶୁଣିବାକୁ ମିଳେ ଯେ ଭଲଲୋକ କିଆଁ ଶାସନ, ବ୍ୟବସ୍ଥା ଓ ରାଜନୀତିକୁ ଆସୁ ନାହାନ୍ତି । ତା’ର ମୂଳକାରଣ ହେଲା ସେମାନେ ଆସିଲେ ସେମାନଙ୍କ ଦେହରେ ଗଧ ସ୍ତାବକ ଅଧ୍ୟୁଷିତ ବ୍ୟବସ୍ଥା ଅନାୟାସରେ ଓ ଅବଲୀଳା କ୍ରମେ ଦ୍ରୋହୀ ତଥା ଅଭ୍ୟାସ ଗତ ନିନ୍ଦୁକ ଆଦି ଅପଯଶ ବୋଳି ଦିଏ । ତ’ ସେମାନେ ଏଥିରୁ ମୁକ୍ତ ହେବା ଦିଗରେ ଲଢିଲଢି ସଢିବାକୁ ହୁଏ !

ସୁତରାଂ ଭଲକଥା ଭଲକାମ କରିବାରେ ବ୍ରତୀ ଓ ବିଶ୍ୱାସୀ ଭଲ ଲୋକମାନେ ପ୍ରାୟତଃ ଚୁପ୍ ହୋଇ ନିରବି ଯିବାକୁ ପସନ୍ଦ କରିବା ପରିଦୃଷ୍ଟ ହୋଇଥାଏ । ସେମାନଙ୍କୁ ସେମାନଙ୍କ ଏଭଳି ନିରବି ଯିବା ନେଇ ପଚାରିଲେ କେହିକେହି ଅଗତ୍ୟା ମୁହଁ ଖୋଲି “ଜାଣିନା, ଅସଲରେ ଏ ନିରବତା ବି ନିଜ ଗୁଣେ ସତେ କେତେ ସଶବ୍ଦ ?” ବୋଲି କହିଥାନ୍ତି ତ’ ଅନ୍ୟ ଅନେକ କିନ୍ତୁ ସ୍ୱତଃ ପ୍ରବୃତ୍ତ ଭାବେ କହି ଉଠନ୍ତି, “ଚୁପ୍, ଗଧ ସ୍ତାବକେ ଶୁଣି ପକାଇବେ !”

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନମଗ୍ନ ।

Related Posts

Leave a Reply

Your email address will not be published. Required fields are marked *