ଶିବାଶିଷ ପାଢୀ
ସକାଳୁସକାଳୁ ସଜସଜ ଗୋଲାପରେ ଭର୍ତ୍ତି ହୋଇଯାଉଥିଲା ସ୍କ୍ରିନ ।
ପ୍ରତି ପାଞ୍ଚ ମିନିଟରେ ଆସୁଥିଲା ନୂଆନୂଆ ମେସେଜ ।
ବଦଳିଯାଉଥିଲା ଗୋଲାପର ରଙ୍ଗ ! ତା ସହ ଯୋଡ଼ି ହୋଇଯାଉଥିଲା ମନକୁ ଛୁଇଁ ଯାଉଥିବା ପଦେ ଦୁଇପଦ !
ଏ ପର୍ଯନ୍ତ ଉଠିନଥିଲା ସୋମା । ସେମିତି ଖଟରେ ଗଡ଼ିଗଡ଼ି ମେସେଜ ସବୁକୁ ଆସିବା ମାତ୍ରକେ ସାଙ୍ଗେ ସାଙ୍ଗ ଦେଖୁଥିଲା ସେ । ପ୍ରାୟ ତିନି ଘଣ୍ଟା ପରେ ଉତ୍ତର ଦେଇଥିଲା ସେ । “ହାପି ରୋଜ ଡେ” ଏକ ମେସେଜ ସହ ଲେଖିଥିଲା-
“ଗୋଲାପ ସବୁ ପାଇଁ ଅନେକ ଧନ୍ୟବାଦ କିନ୍ତୁ ଏ ଗୋଲାପରେ ଚଳିବ ନାହିଁ । ମୋତେ ଅସଲି ଗୋଲାପ ଦରକାର”
“ନିଶ୍ଚୟ” ସାଙ୍ଗେ ସାଙ୍ଗ ଉତ୍ତର ଫେରାଇଥିଲେ ସୌରଭ ।
ତା ସହ ପଠେଇ ଦେଇଥିଲେ ଭଲ ପାଇବାର ଅନେକ ଇମୋଜୀ ।
ପୁଣି ଲେଖିଥିଲେ-
“ସହରରେ ମିଳୁଥିବା ସବୁଠୁ ବେଷ୍ଟ ଗୋଲାପ ହିଁ ଦେବି । ଜୁବଲୀ ପାର୍କର ଦୁଇ ନମ୍ବର ଗେଟରେ ଥିବ । ଠିକ ପାଞ୍ଚଟାରେ ଆସିବି ।”
ଉତ୍ତର ସ୍ଥାନରେ 👍ହଁ ର ଇମୋଜୀଟେ ପଠାଇ ଦେଇଥିଲା ସୋମା ।
ପରେପରେ ଲେଖିଥିଲା-
“କିନ୍ତୁ ମୋତେ ଶହେଟି ଗୋଲାପ ଦରକାର”
“ଶହେଟି ???” ପଚାରିଥିଲେ ସୌରଭ ।
“ହଁ, ଆଉ ଜୁବଲୀ ନୁହେଁ ରେଲୱେ ଗାର୍ଡେନକୁ ଆସିବ”
“ରେଲୱେ ??? ଓକେ”
ଆଉ କିଛି ପଚାରି ନଥିଲେ ସୌରଭ ।👌ଏକ ଇମୋଜୀ ସହ ନିଜ ସମ୍ମତି ଦେଇଥିଲେ ସେ ।
ଠିକ ପାଞ୍ଚଟାବେଳେ ପାଖାପାଖି ଦେଢ଼ ଶହ ସଜ ଗୋଲାପ ସହ ଆସିଥିଲେ ସେ ।
ନିଜ ସ୍କୁଟି ରେ ବସି ତାଙ୍କୁ ଅପେକ୍ଷା କରିଥିଲା ସୋମା ।
ଗୋଲାପ ସବୁକୁ ଥରେ ପ୍ରାଣଭରି ଶୁଙ୍ଘି ଦେଇ କହିଲା
“ଥାଙ୍କ ୟୁ”
ଏକ ନୂଆ ନେଭି ବ୍ଲୁ ସୁଟରେ ଚମତ୍କାର ଦେଖା ଯାଉଥିବା ସୋମାକୁ କିଛି ସମୟ ସେମିତି ଦେଖୁଥିଲେ ସୌରଭ ।
ବୋଧେ ପ୍ରଶଂସା କରିବା ପାଇଁ ଶବ୍ଦ ସାଉଁଟୁଥିଲେ ହେଲେ ସେ କିଛି କହିବା ପୂର୍ବରୁ ସୋମା କହିଥିଲା-
“ଆସ ।“
ଯନ୍ତ୍ରଚାଳିତ ଭଳିଆ ସୋମାର ପଛେପଛେ ଯାଇଥିଲେ ସୌରଭ ।
ପ୍ରାୟତଃ ରେଳବିଭାଗର ଅବସରପ୍ରାପ୍ତ କର୍ମଚାରୀ ଓ ସନ୍ଧ୍ୟା ଭ୍ରମଣରେ ବାହାରିଥିବା ଆଖପାଖର କଲୋନୀର ବୃଦ୍ଧବୃଦ୍ଧାଙ୍କ ସମାବେଶରେ ସବୁଦିନ ମୁଖରିତ ଥିଲା ପାର୍କଟି ।
ସେମାନଙ୍କୁ ଗୋଲାପଟିଏ ଲେଖା ଦେଇ ଯେତେବେଳେ ସୋମା କହୁଥିଲା-
“ଅଙ୍କଲ /ଆଣ୍ଟି ହାପି ରୋଜ ଡେ”
ଚମକି ଉଠୁଥିଲେ ସେମାନେ ହେଲେ ପରମୂହୁର୍ତ୍ତରେ ଏକ ନିଆରା ଖୁସିର ଚମକ ଖେଳି ଯାଉଥିଲା ସେମାନଙ୍କ ଚେହେରାରେ । ନମସ୍କାର କରୁଥିଲା ସୋମା ଓ ସୌରଭଙ୍କୁ ମଧ୍ୟ ବାଧ୍ୟ୍ୟ କରୁଥିଲା ନମସ୍କାର କରିବା ପାଇଁ । କହୁଥିଲା-
“ଅଙ୍କଲ /ଆଣ୍ଟି, ଆସନ୍ତା ଏପ୍ରିଲରେ ଆମର ବାହାଘର, ଆଶୀର୍ବାଦ କରନ୍ତୁ ।”
ହୃଦୟକୁ ଖୋଲି ଦେଉଥିଲେ ସେମାନେ । ସେଇଠୁ ବୋହୁଥିଲା ଆଶୀର୍ବାଦର ଧାରା । ପ୍ରଜାପତି ଭଳିଆ ଉଡି ବୁଲୁଥିଲା ସୋମା । ଏକ ନିଆରା ଖୁସିକୁ ଅନୁଭବ କରୁଥିଲେ ସୌରଭ ।
ପ୍ରାୟ ଅଧ ଘଣ୍ଟାରେ ସରି ଯାଇଥିଲା ଗୋଲାପ । ଆଉ ମାତ୍ର ଗୋଟିଏ ଗୋଲାପ ଅବଶିଷ୍ଟ ଥିଲା । ପାର୍କର ଶେଷ ମୁଣ୍ଡକୁ ପହଞ୍ଚିସାରିଥିଲେ ସେମାନେ, ଯେଉଁଠି ଥିଲା ପ୍ରକାଣ୍ଡ ଜଳ ଫୁଆରା । ଫୁଆରାରୁ ଛିଟିକି ଆସୁଥିବା ଅଳ୍ପଅଳ୍ପ ଜଳକଣା ଲାଖି ଯାଉଥିଲା ଦେହ ସାରା । ସେଇ ଅନ୍ତିମ ଗୋଲାପକୁ ସୌରଭଙ୍କୁ ବଢ଼ାଇ ଦେଇ ସୋମା କହିଥିଲା-
“ତୁମକୁ ହଇରାଣ କଲି ନା ? ସୋରି, ହାପି ରୋଜ ଡେ ।“
ଏକ ସ୍ମିତହାସ୍ୟ ସହ ଗୋଲାପକୁ ଗ୍ରହଣ କରିଥିଲେ, ସୌରଭ । କିନ୍ତୁ ସୋମାକୁ ଚମକାଇ ପାଣି ଭିତରକୁ ଫିଙ୍ଗି ଦେଇଥିଲେ ସେ । ସାଙ୍ଗେସାଙ୍ଗ ଝାଉଁଳିଗଲା ସୋମାର ଚେହେରା । କାନ୍ଦକାନ୍ଦ ହୋଇଗଲା ସେ । ପଚାରିଲା-
“ରାଗି ଗଲ କି ? ସେଇଟା ଅନ୍ତିମ ଗୋଲାପ ଥିଲା ।“
“ହାଃ ହାଃ ହାଃ … କିଏ କହିଲା ? ଅନ୍ତିମ ଗୋଲାପ ତ ମୋ ସାମ୍ନାରେ । “ପୁଣି ଚମକିଗଲା ସୋମା । ହସୁହସୁ ସୋମାର ହାତକୁ ଧରିଥିଲେ ସୌରଭ । କହିଥିଲେ-
ସେ ବୃନ୍ତଚ୍ୟୁତ ବାସି ଗୋଲାପର କି କାମ ! ମୋ ପାଖରେ ତ ଅସଲି ଗୋଲାପ ଅଛି !
ଠିକ୍ ଗୋଲାପ ପରି ଗୋଲାପୀ ହୋଇଯାଉଥିଲା ସୋମା । ହାତର ଚାପ ବଢୁଥିଲା । ଫେରୁଥିଲେ ସେମାନେ । ଗୋଲାପର ଅପୂର୍ବ ବାସ୍ନାରେ ବାସ୍ନାୟିତ ଥିଲା ଆଜି ରେଲୱେ ଗାର୍ଡେନ ।
ହାତ ହଲାଇ ବିଦାୟ ଜଣାଉଥିଲେ ସମସ୍ତେ ।
ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ତିନୋଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ‘ସାରା ଆକାଶ’ ନାମକ ସଂକଳନ ପ୍ରକାଶିତ ହେବାକୁ ଯାଉଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!