ଭୁବନେଶ୍ଵର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯିବ । ୨୦୨୩ ମସିହାରେ ଟାଇମପାସ ପ୍ରକାଶନୀ ଦ୍ଵାରା ପ୍ରକାଶିତ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ସେ ଏହି ପୁରସ୍କାର ପାଇବେ । ଅକ୍ଟୋବର ୨୬ ତାରିଖରେ ଏକ ସାରସ୍ଵତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।
ଏଥର ‘ଶାରଳା ପୁରସ୍କାର’ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟର ପୁରସ୍ତଗୁଡ଼ିକ ଥିଲା ଦେବଦାସ ଛୋଟରାୟଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ଅପର୍ଣ୍ଣା ମହାନ୍ତିଙ୍କ କବିତା ସଂକଳନ ‘ଅପର୍ଣ୍ଣା ମହାନ୍ତିମାନଙ୍କ ପାଇଁ କବିତା’, ମମତା ଦାଶଙ୍କ କବିତା ସଂକଳନ ‘ଭୂମି ସ୍ପର୍ଶ’, ପଦ୍ମଜ ପାଳଙ୍କ ଉପନ୍ୟାସ ‘ସୀତା ମୁଁ ସୀତା’, ପଦ୍ମଜ ପାଳଙ୍କ ଗଳ୍ପ ସଂକଳନ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ କବିତା ସଂକଳନ ‘ବିଶ୍ଵାସ ଦେ ପୃଥ୍ଵୀ’, ବିଜୟ କୁମାର ଶତପଥୀଙ୍କ ନାଟକ ‘ଅନ୍ଧାରର ବିଭୀଷିକା’ । ପ୍ରାଥମିକ ପୁସ୍ତକ ଚୟନ ମଣ୍ଡଳୀରେ ଦୁର୍ଗାପ୍ରସାଦ ପଣ୍ଡା, କୃଷ୍ଣ କୁମାର ମହାନ୍ତି, ପବିତ୍ର ମୋହନ ଦାଶ, ଶ୍ରୀ ଦେବ ଓ ଶକ୍ତି ମହାନ୍ତି ବିଚାରକ ଥିଲା ବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ପ୍ରକାଶ ମହାପାତ୍ର, ପବିତ୍ର ପାଣିଗ୍ରାହୀ, ଧନଞ୍ଜୟ ସ୍ଵାଇଁ, ପାରମିତା ଶତପଥୀ, ସୁସ୍ମିତା ବାଗଚୀ, ପ୍ରବୀଣା ମହାନ୍ତି ଓ ସୂର୍ଯ୍ୟ ମିଶ୍ର ।
ଏଥିସହିତ କଳାକ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୫ ମସିହା ପାଇଁ ଘୋଷିତ ହୋଇଛି । ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥୀ ଓ ସଙ୍ଗୀତ ଗୁରୁ ରାମହରି ଦାସଙ୍କୁ ଚଳିତ ବର୍ଷ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ଉଭୟଙ୍କୁ ୨ ଲକ୍ଷ ୫୦ ହଜାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ । ସଙ୍ଗୀତ ବିଭାଗରେ ଆଦ୍ୟାଶା ଦାସ, ସୁଜାତା ମହାପାତ୍ର ଓ ସଙ୍ଗୀତା ପଣ୍ଡା ଏବଂ ଚିତ୍ରକଳା ବିଭାଗରେ ପଞ୍ଚମୀ ମାନୁ ଉକିଲ, ସୁଦର୍ଶନ ପଟ୍ଟନାୟକ ଓ ପ୍ରଦୋଷ ସ୍ଵାଇଁ ବିଚାରକ ଥିଲେ ।