ଡ. ଜ୍ୟୋତି ପ୍ରକାଶ ମହାପାତ୍ର

ଅବଶ୍ୟ ଏ କାହାଣୀ ଘଟିଲା ବେଳକୁ ମୋ ବାପା ସ୍କୁଲରେ ପଢୁଥିଲେ । ମୋ ବାପାଙ୍କ ପିଉସୀ ଜାନିଆ ଦେଈ ଗୋଟେ ରେଡ଼ିଓ ନେଇ ଯାଇଥିଲା ତା’ ସାଙ୍ଗରେ ବାହାଘର ପରେ । ଜାନିଆ ଦେଈ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲା । ଆମ ଗାଆଁରେ ତ ସେତେବେଳେ ସ୍କୁଲ ନଥିଲା । ଜାନିଆ ଦେଈ ଓ ପାରା ଦେଈ ଯାଉଥିଲେ ପାଖ ଗାଆଁକୁ ନଈ ପହଁରି ପାଠ ପଢିବାକୁ । ପଣିକିଆ ଶିଖିବାକୁ । ତେଣୁ ତା’ ଶାଶୁଘରେ ସେ ରେଡ଼ିଓ ଲଗେଇ ସଂଜବେଳେ କୂଅ ମୂଳେ ବସିଥିଲା । ଦୂରରୁ ଅନେଇ ଥିଲେ ତା’ ଶାଶୂ ।
ବେଶ କିଛି ସମୟ ଅନେଇଲା ପରେ ସେ ଆସି କହିଲେ- ‘ଆଲୋ, ତୁ ତ ଏଇଠି ବଇଚୁ । ଏତେ ଲୋକଙ୍କୁ ଡାକି ଆଣିଚୁ । ସେ ଖାଇବେ କଣ ?’
ଜାନିଆ ଦେଈ ଆଶ୍ଚର୍ଯ୍ୟ ହେଲା’- ଏତେ ଲୋକ କୋଉଠୁ ଆଇଲେ ? କାହାଁନ୍ତି ?’
– ହେଇ ପରା । ଯୋଉଟା ବଜୋଉଛୁ, ତା’ ଭିତରେ ଏତେ ଲୋକ କଥା କହୁଛନ୍ତି !

ଏଥର ଆମ ସମୟର କଥା । ଅନ୍ଧାର ଜମାଟ ବାନ୍ଧୁଥିବ ନଈ କୂଳରେ । ନଈ ବନ୍ଧକୁ ଲାଗି କେଇଟା କୃଷ୍ଣଚୂଡ଼ା ଗଛ ଓ ଗୋଟେ ଆକାଶିଆ ଗଛ । ସେଇଠି ବସିଥିବୁ ସମସ୍ତେ ସାଙ୍ଗ ହୋଇ । ମୁଁ ଗୋଟେ ଗଛରେ ଆଉଜି ରେଡ଼ିଓ ସେଣ୍ଟର ବଦଳାଉ ଥିବି । ବକୁ, ଫକୁନିନା’ ସମସ୍ତେ ନିଜ ନିଜର ପ୍ରେମ କାହାଣୀ କହୁଥିବେ । ଅନ୍ଧାର ବହଳ ହେଉଥିବ ଆଉରି । ତାଙ୍କ ସ୍ୱରରେ ଭରି ଯାଉଥିବ ବେଶି ବେଶି ଭାବପ୍ରବଣତା । ଏଇ ସମୟରେ ଅଚାନକ ରେଡ଼ିଓ ସେଣ୍ଟର ଧରିଯିବ- ‘ବିବିଧ ଭାରତୀ ।’ ଆଉ ଶୁଭିବ ଲତା ଦିଦିଙ୍କ ଗୀତ- ‘ରହେଁ ନା ରହେଁ ହମ୍… ।’ କାନ୍ଦୁରା ଶୁଭିବ କାହାଣୀ କହୁଥିବା ମଣିଷର ଆବାଜ’। ସେ ଗୀତ ସାଙ୍ଗରେ ଲୁହ ବି ଦି’ ଟୋପା ଗଡ଼ି ଆସିଥିବ । ଅନ୍ଧାରରେ ଯାହା ଦେଖା ଯାଇନଥିବ ।
ସେମିତି ଆମର ଗାଆଁରେ ଗୋଟେ ଖଞ୍ଜା ଘର ଥିଲା ଆଗରୁ । ଚାଳ ଛପର ଘର । ମଝିରେ ଚୁଲି । ଅପା ସେଇଠି ପିଢାଟେ ପକେଇ ରାନ୍ଧୁଥିବ- ବାଇଗଣ, ବଡ଼ି ଆଉ ସଜନା ଛୁଇଁ ଝୋଳ । ଜେଜେମା ଆରପଟକୁ ବସି ବାଟୁଥିବ ବାଟଣ । ରେଡ଼ିଓରୁ ସେମାନେ ଶୁଣୁଥିବେ- ‘ନାରୀ ମହଲ ।’
ବୁଲା ସାଆଁନ୍ତ ଦିନରାତି ଚବିଶ ଘଣ୍ଟା ରେଡ଼ିଓଟେ ସାଙ୍ଗରେ ଧରି ବୁଲୁଥିବ । ଦୋକାନ ପିଣ୍ଡାରେ ବସି ରେଡ଼ିଓ ଲଗେଇ କୃଷି ସଂସାର ଶୁଣୁଥିବ । କି ବାଣି (କତା ଦଉଡ଼ି) କାଟୁଥିବ । ରେଡ଼ିଓ ବାଜି ଚାଲିଥିବ । କୃଷି ସଂସାର ଶୁଭୁଥିବ । ମହିମା ଧର୍ମ ଦୀକ୍ଷା ନେଇଥିଲେ ସେ । ମଝିରେ ମଝିରେ ପଚାରୁ ଥିବ- ଖଞ୍ଜଣି କେତେବେଳେ ବାଜିବ କି ଆ’ ଭିତରେ ?
ମାଟ୍ରିକ ପରୀକ୍ଷା ପରେ ଆମ ଗାଁରେ ପ୍ରବଳ ବନ୍ୟା ଆସିଥାଏ । ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା । ଗାଆଁକୁ ବି ଖବରକାଗଜ ଆସୁ ନଥିଲା । ଡାକରେ ଆସେ ତିନି ଚାରି ଦିନ ପରେ । ଧୋଇଆ ଅଞ୍ଚଳକୁ କାଇଁକି ଖବରକାଗଜ ଆସିବ ଯେ ! ରାତିରେ ପିଣ୍ଡାରେ ଗଡ଼ିଲାବେଳେ ବିବିଧ ଭାରତୀ ସହ ସଂଜ କଟିଯାଏ । ଝୁମରି ତଲୟାରୁ ଆସିଥିବା ଅନୁରୋଧର ଗୀତ ଶୁଣି ନିଦ ଆସି ଯାଇଥିବ । ସେଇ ନିଦରେ ବି ରେଡ଼ିଓର ଗୀତ ସାଙ୍ଗରେ ଆସୁଥିବ ସ୍ୱପ୍ନ । ‘ଏ କହାଁ ଆଗ ୟେ ହମ୍…ୟୁଁ ହିଁ ସାଥ ସାଥ ଚଲତେ…’
ଆଉ ମାଟ୍ରିକ ପରୀକ୍ଷା ଫଳ କୋଉଦିନ ବାହାରିବ ସେକଥା ବି ଶୁଣିଥିଲୁ ଆକାଶବାଣୀ କଟକର ଆଞ୍ଚଳିକ ବୁଲେଟିନରୁ ।
ଶେଖର ଘୋଷଙ୍କ ସେ ସଦା ସବୁଜ ଗୀତ- ‘ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ…ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ ତୁମେ ତୁମେ… ।’ କଲେଜ ବେଳରେ ଏଇ ଗୀତ ମୁହଁରେ ମୁଖସ୍ତ ହୋଇଥିଲା । ସକାଳେ ପ୍ରାକ୍ଟିକାଲ ସାରି ଘରକୁ ଫେରି ଗାଧୋଇ ପଖାଳ ଖାଇ ବସିଲା ବେଳକୁ ରେଡ଼ିଓରେ ଆସୁଥିବ ଏଇ ଗୀତ । ଅନେକ ସମୟରେ ଅଧାରେ ବି ପଖାଳ ଗୁଣ୍ଡାକ ଅଟକି ଯାଇଛି ସେ ଗୀତ ଶୁଣି ।

ନଈକୂଳିଆ ଗାଆଁ ଆମର । ସଂଜରେ ତାରାଭର୍ତ୍ତି ଆକାଶକୁ ଚାହିଁ ଖରି ବଣ ଭିତରେ ଆମେ ଗାମୁଛା ପକେଇ ଖଟି ଚଲେଇ ଥିବୁ । ଯୁକ୍ତ ତିନି ପଢିବା ସମୟର କଥା । କେତେ ଗପ, କେତେ କାହାଣୀ ସରୁ ନଥିବ । ଅଛିଡ଼ା ଗପ ଲମ୍ବି ଚାଲିଥିବ । ସମସ୍ତେ ଏକାଥରେ ଭାବପ୍ରବଣ ହେଉଥିବେ କାହାର କାହାଣୀ ଶୁଣି । ରେଡ଼ିଓ କିନ୍ତୁ ବାଜି ଚାଲିଥିବ- ବାଦିୟାଁ ମେରା ଦାମନ, ରାସତେଁ ମେରି ବାହେଁ… । ଏଇ ସମୟରେ ଯଦି କେହି ରେଡ଼ିଓ ସେଣ୍ଟର ବଦଳେଇ ଦେଲା, ତେବେ ମାଡ଼ଗୋଳ ହେବା ଥୟ । ସେ କାହାଣୀ ସେଇଠୁ ବନ୍ଦ । ତେଣିକି ବୁଝାସୁଝା କରିବାରେ କଟିବ ସମୟ ।
ସାମ୍ବାଦିକ ହେବା ପରେ ଗାଆଁକୁ ଗଲେ ରେଡ଼ିଓ ଧରି ମୁଁ ଶୁଣେ ‘ଜାତୀୟ ପ୍ରସାରଣ ସେବାରେ ଉଭୟ ଇଂରାଜୀ ଓ ହିନ୍ଦୀ ବୁଲେଟିନ’ । ଗାଁ ଦାଣ୍ଡରେ ଏକା ବୁଲି ମୁଁ ରେଡ଼ିଓରୁ ସମାଚାର ଶୁଣୁଥିବି । ଫକୁନିନା’ ମୋ ନାଆଁ ଦେଇଥିଲା- ‘ରେଡ଼ିଓ ମ୍ୟାନ୍’ । ରେଡ଼ିଓରେ ଖବର ପଢିଲା ବେଳେ ସମ୍ବାଦ ପାଠକ ଯେତେବେଳେ କାଗଜ ଫର୍ଦ୍ଦ ଓଲଟାଉ ଥିବେ, ତାର ଶବ୍ଦ ବି ଶୁଭୁଥିବ । ଖବର ସହ ଦେହରେ ଗୋଳି ହୋଇ ଯାଉଥିବ ସେସବୁ ।
ରେଭେନ୍ସାରେ ପଢ଼ୁଥିଲି ୧୯୯୯ ମସିହାରେ । ମହାବାତ୍ୟାରେ ଓଡ଼ିଶା ଉଡ଼ିଗଲା, ଡୁବିଗଲା ଆଉ ଭାସି ବି ଗଲା । ନ୍ୟୁ ପିଜି ହଷ୍ଟେଲରେ ରହି ଯାହା କିଛି ଖବର ମିଳୁଥିଲା ତାହା ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ବାତ୍ୟାର ପ୍ରଭାବରେ ଷ୍ଟେସନ ବନ୍ଦ ହୋଇ ଯାଇଥିଲା । ପରଦିନ ମୁଁ କଟକ ରେଡ଼ିଓ କେନ୍ଦ୍ର ଯାଇଥିଲି ବୁଝିବାକୁ ଯେ- ମୋ ସହର ଯାଜପୁର ଠିକ ଅଛି ନା ଭାସି ଯାଇଛି ।
ସତରେ ସେ ସଂପର୍କ ଥିଲା ସେଇମିତି । ରେଡ଼ିଓ ନଥିଲେ ଜୀବନ ନଥିଲା । ସବୁଠାରୁ ବଡ଼ ସଙ୍ଗାତ ଥିଲା ରେଡ଼ିଓ ଗତ ଦିନମାନଙ୍କରେ । ମୋ ବୋଉର ତ ରେଡ଼ିଓ ନେଇ ଗପ ଥରେ ଆରମ୍ଭ ହେଲେ ସରେନି । ରେଡ଼ିଓ ସିଲନଠାରୁ ଆରମ୍ଭ କରି ଅମୀନ ସାୟାନୀ ପର୍ଯ୍ୟନ୍ତ ଛିଡ଼ୁ ନଥିବା ଗପର ଖିଅ ତାର ।
ଏବେ ତ ଡିଜିଟାଲ ଜମାନାରେ ରେଡ଼ିଓ ପୁରା ଅଲୋଡ଼ା । ରେଡ଼ିଓ ଆଉ କାହାରି ଘରେ ନାହିଁ । ମଝିରେ ଡାକବାକ୍ସ ପରି ଅବସ୍ଥା ହୋଇଥିଲା । ପରେ ଅବଶ୍ୟ ଏଫ୍ଏମ୍ ଶୁଣିବା ଆରମ୍ଭ କଲେ ଲୋକେ ।
କିଛି ମାସ ତଳେ ଗୋଟେ ରେଡ଼ିଓ ମୁଁ କିଣିଲି । ମୋ ଟେବୁଲ ଉପରେ ରଖିଲି । ଭାବିଲି ନିଜେ ଶୁଣିବି । ତା’ ଉପରେ ଧୂଳି ଜମିଯିବା ଦେଖି- ମୋ ବୋଉ ନେଇ ସେଥିରେ ଏବେ ବି ନାରୀ ମହଲ ଶୁଣୁଛି । କାନ ପାଖରେ ଗୁଞ୍ଜି ଅସ୍ପଷ୍ଟ ଶବ୍ଦରୁ ବିବିଧ ଭାରତୀ ଖୋଜୁଛି ।
ଯାଜପୁର
ଲେଖକ ପରିଚୟ
ଡ. ମହାପାତ୍ର ଜଣେ ଗଣମାଧ୍ୟମ ଶିକ୍ଷାବିତ ଓ ସାମ୍ବାଦିକ ଭାବେ ଢେର ବର୍ଷ କାର୍ଯ୍ୟ କରିଛନ୍ତି । ସେ ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖନ୍ତି । ମାଟି ଓ ମଣିଷଙ୍କୁ ନେଇ ଗପ ଓ କବିତା ଲେଖୁଥିବା ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ‘ଯାଜପୁର-ସେ ସମ୍ପର୍କ ସେଇମିତି’ ନାଁରେ ସଂକଳନଟିଏ ପ୍ରକାଶିତ ହୋଇସାରିଛି । ଏହା ବେଶ ପାଠକୀୟ ଆଦୃତି ମଧ୍ୟ ଲାଭ କରିଛି ।
