କୈଳାସ ଚନ୍ଦ୍ର ସାହାଣୀ

ପୁରୁଷଟିଏ କେବେ ନିଷ୍ଠୁର ପାଷାଣ ତ
କେବେ ଧୂସର ମରୁ ଉପତ୍ୟାକାର
ବର୍ଣ୍ଣହୀନ ବିଧୂର ବେଳା,
ପୁରୁଷ କେବେ ରସହୀନ
ଜୈବ ବିବିଧତାରୁ ବିମୁକ୍ତ ଶୁଖିଲା କାଠଗଣ୍ଡି
କେବେ ସ୍ଵପ୍ନଭଙ୍ଗ
ବିକ୍ଷିପ୍ତ ଶିଳା !

ପୁରୁଷକୁ ପରଖିଚ କିଏ,
ଦେଖିଚ କେବେ ପୂର୍ଣ୍ଣିମାର ମୋହ ଅର୍ଜିତ
ବିପରୀତମୁଖୀ ଅନ୍ଧକାର ଦିଗନ୍ତକୁ,
ଯେଉଁଠି ସମାଧି ନେଉଥାଏ
ସବୁ ଇଛା, ଅଭୀପ୍ସା, ଆବେଗପ୍ରବଣତା,
କୁମୁଦିନୀର କୁଆଁରୀ ଆକର୍ଷଣରେ
ବନ୍ଧା ପଡୁଥିବା ମନର ବି କି ଭାବାନ୍ତର
ଉଦ୍ଦୀପ୍ତ ଚେତନାର ଚୌହଦୀରେ
ନଇଁ ଆସୁଥାଏ ଗୋଟେ ଶବଳ ଦ୍ରୁମର
ଚିରହରିତ ଶାଖା !

ପୁରୁଷ କେବେ ଖୋଲିପାରେ ନାହିଁ
ତା ଦୁଃଖର ସିନ୍ଦୁକ,
ନିଜ ଅଜାଣତରେ ହଜାଇ ଦେଇଥିବା
ଗୋଟେ ପୁରୁଷର ଅହଂକାର
ଭାଙ୍ଗୁଥାଏ ବିଭେଦର ପ୍ରାଚୀର,
ପୁରୁଷ କେବେ କାପୁରୁଷ ପରି କାନ୍ଦି ପାରେନି
ବଖାଣି ପାରେନି ସମାଜ ସମ୍ମୁଖରେ
ଅନାଦି କାଳର ଯାତନା,
ମର୍ମରିତ ଗୋଟେ ଝରାପତ୍ରର
ବେସୁରା ରାଗିଣୀ ଅନୁରଣିତ ହେଉଥାଏ
ଅନ୍ଧାରୀ ଇଲାକାରେ !

ପୁରୁଷ ପ୍ରଧାନ ଦେଶ ବୋଲି
ଯେଉଁ ଚିତ୍କାର ଶୁଭୁଥାଏ
ଅତ୍ର, ତତ୍ର, ସର୍ବତ୍ର;
ସେଠି ବିବଶ ପୁରୁଷଟିଏ ବି
ନିର୍ଯ୍ୟାତନାର ଶିକାର ହୁଏ,
କଛପର ଖୋଳପା ଭିତରେ
ଲୁଚିଥିବା ସରଳ ମନଟିଏ
ଅଭିମାନରେ ଭାଙ୍ଗି ପଡୁଥାଏ ।

ପୁରୁଷ ପାଲଟୁଥାଏ ମେରିଖୁଣ୍ଟ
କେବେ ଲଟଉଥିବା ଲତାର ରାଞ୍ଜ,
ଅଥଚ
ପୁରୁଷ କେବେ ଅଭିସଂପାତକାରୀ ଋଷି ଗୌତମ
କେବେ ଅସହାୟ ଚନ୍ଦ୍ରଶେଣା,
ପୁରୁଷ ଛାତି ପାତିଦିଏ
ଅରି ତରବାରୀ ସମ୍ମୁଖରେ,
ଯୁଝୁଥାଏ ଦୀନ ଦୈନ୍ୟର ଭାଗ୍ୟ ସାଥିରେ !
ପୁରୁଷ ବାଟବଣା ହେଲେ
ଘୋଟି ଆସେ କଳାହାଣ୍ଡିଆ ମେଘ,
ଅନେକ ଦୃଷ୍ଟି ଧିକ୍କାର କରେ
ଅବକ୍ଷୟୀଷ୍ଠୁ ସମାଜର
ଏ କଳଙ୍କିତ ଚରିତ୍ରକୁ,
ମାତ୍ର କିଛି ପୁରୁଷ
ହଜାଉଥାଏ ତା ସୌକୁମାର୍ଯ୍ୟ
ଆଉ ହଜୁଥାଏ ତା କଅଁଳ ମନ
ସବୁରି ଅଜାଣତରେ କେଉଁ
ଅତଳ ବିତଳ ସାତ ତାଳ ପଙ୍କ ପୋଖରୀରେ !!

ଅଧ୍ୟାପକ, ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗଡ଼ପଳାଶୁଣୀ, ଢେଙ୍କାନାଳ, ମୋ-୯୪୩୭୮୪୩୨୧୯

ଲେଖକ ପରିଚୟ

ବୃତ୍ତିରେ ଅଧ୍ୟାପନା ମାତ୍ର ତାଙ୍କର ସାହିତ୍ୟ ଅନୁରାଗୀ ଭାବ ନିଶାରେ ପରିଣତ ହୋଇଛି କହିଲେ ଭୁଲ ହେବନି । ‘ନୀଳକଇଁର ସ୍ଵପ୍ନ’, ‘ଶୀତ ରାତିର ଗୀତ’, ‘ଭୂମି’ ତିନୋଟି କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ନିକଟରେ ଚତୁର୍ଥ କବିତା ସଂକଳନ ‘ଶବ୍ଦମନ୍ତ୍ର’ ପ୍ରକାଶିତ ହୋଇଯାଇଛି । ରାଜ୍ୟସ୍ତରୀୟ କବିତା ସମ୍ମାନ, ନୀହାର କନ୍ୟା କବିତା ସମ୍ମାନ, ଜାତୀୟ ସେବା ଯୋଜନାର  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପୁରସ୍କାର, ରାଜ୍ୟ ସ୍ତରୀୟ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାର ପୁରସ୍କାର ଏବଂ ଜାତୀୟ ସେବା ଯୋଜନାର ଜାତୀୟ ପୁରସ୍କାର ପ୍ରାପ୍ତ କାର୍ଯ୍ୟକ୍ରମ ଅଧିକାରୀ ଆଦି ପୁରସ୍କାରରେ ବିମଣ୍ଡିତ ତାଙ୍କ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *