ବିଜୟଲକ୍ଷ୍ମୀ ଦାଶ
ମାୟା ମୋ ପଛରେ, ଆଉ ମୁଁ ନିର୍ବାଣ ପଛରେ ଧାଇଁ ଥାଉ ! ଏମିତି ଅନେକ ବାଟ ଧାଇଁଲା ପରେ ମୁଁ ଯେବେ କ୍ଳାନ୍ତ ଅନୁଭବ କଲି ଠିକ୍ ସେତିକିବେଳେ ଦେଖିବାକୁ ପାଇଲି ଜଣେ ସାଧୁ, କୋଳରେ ଜଣେ ଦିବ୍ୟସୁନ୍ଦରୀ ତରୁଣୀକୁ ଧରିଛନ୍ତି । ସେ କ୍ଷତାକ୍ତ ଆଉ ତାଙ୍କର କ୍ଷତରୁ ବୁନ୍ଦାବୁନ୍ଦା ରକ୍ତ ଝରୁଛି । ତାଙ୍କର ଅପରୂପ ସୌନ୍ଦର୍ଯ୍ୟରେ ଯେକେହି ଅଭିଭୂତ ହୋଇଯିବ । ସାଧୁ କିନ୍ତୁ ଖୁବ୍ ଅବିଚଳିତ ଭାବେ ତାଙ୍କର କ୍ଷତ ସଫା କରିବାରେ ମଗ୍ନ । କିନ୍ତୁ ସାଧୁଙ୍କ ମୁଖରେ ଧାରେ ସ୍ମିତହାସ୍ୟ ଲାଖି ରହିଥାଏ । କାଳ ବିଳମ୍ବ ନକରି ମୁଁ ସେଠାରେ ପହଁଚି ସାଧୁଙ୍କୁ ସାହାଯ୍ୟର ହାତ ବଢ଼ାଇଲି ।
ଅଗତ୍ୟା ସେଠାରେ ଗୋଟିଏ ଛାଗଳ ମୁମୃଷ ଅବସ୍ଥାରେ ପହଞ୍ଚିଲା । ତା’ର ଶରୀରରୁ ପୂତ ନିର୍ଗତ ହେଉଥାଏ ଓ ଅତ୍ୟନ୍ତ ଉତ୍କଟ ଦୁର୍ଗନ୍ଧ ହେଉଥାଏ । ମୋ ସାହାଯ୍ୟର ମନୋବୃତ୍ତି ଦେଖି ସାଧୁ ମୋତେ ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁଲେ । ମୋ ଦୃଷ୍ଟି କିନ୍ତୁ ସେଇ ରୂପସୀ ଉପରେ ନିବଦ୍ଧ ଥାଏ । ଆଉ ସେ ଛାଗଳ ଆଡେ ଆଡ଼ଆଖିରେ ଚାହିଁବାକୁ ବି ଇଚ୍ଛା ନଥାଏ । ସାଧୁଙ୍କ ମୁହଁରେ ସେମିତି ସ୍ମିତହାସ୍ୟ ଲାଖି ରହିଥାଏ । ସେ ମୋତେ ତରୁଣୀକୁ ବଢାଇ ଦେଇ ଅତି ଶ୍ରଦ୍ଧାରେ ଛାଗଳକୁ କୋଳକୁ ତୋଳି ନେଲେ ଓ ତା’ର ସେବାରେ ନିଜକୁ ନିୟୋଜିତ ରଖିଲେ । କିଛି ସମୟ ପରେ ମୁଁ ଦେଖେ ତ ତାଙ୍କ କୋଳରେ ଗୋଟିଏ ଖୁବ୍ ଚମକୁଥିବା ଲୋଭନୀୟ ଦିବ୍ୟ ସୁବର୍ଣ୍ଣମୃଗ ଆଉ ମୋ ହାତରେ ଗୋଟିଏ ଗଳିତ ଶବ ପୁଣି ବିବସ୍ତ୍ର; ଅସ୍ଥି ମଜ୍ଜାସାର,ପୂତ ଗନ୍ଧରେ ଭରପୁର; ରକ୍ତ ନୁହେଁ ତ ପୋକ ଝଡୁଛନ୍ତି ସେଥିରୁ । ମୁଁ ହଠାତ୍ ଚମକି ପଡ଼ିଲି ଓ ତାକୁ ମୋଠାରୁ ଦୂରକୁ ଫିଙ୍ଗିଦେଲି । ସାଧୁ ଏବେ ବି ହସୁଥାନ୍ତି ! ମୁଁ ପ୍ରକୃତିସ୍ଥ ହେଲି । ମୋ ପାଟିରୁ ସ୍ୱତଃପ୍ରବୃତ୍ତ ଭାବରେ ବାହାରିଆସିଲା ‘ନିର୍ବାଣ’ ? ସାଧୁ କହିଲେ ‘ଅନେକ ଦୂରରେ’ । ମୁଁ ନିର୍ବାକ, ନିସ୍ପନ୍ଦ ଓ ନିର୍ବୋଧଙ୍କ ପରି ଚାହିଁଥିଲି ଆଉ ସାଧୁ ସ୍ମିତହାସ୍ୟ ହସି ଚାଲି ଯାଉଥିଲେ ଦୂରକୁ ଦୂରକୁ………..!
ସାଇକୋଥେରାପିଷ୍ଟ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ଲେଖକ ପରିଚୟ
ଜଣେ ମନୋଚିକିତ୍ସକ ହେତୁ ଯେକୌଣସି ବ୍ୟକ୍ତି ଏବଂ ବ୍ୟକ୍ତିତ୍ଵଙ୍କୁ ଖୁବ୍ ପାଖରୁ ପଢିବାକୁ ଭଲ ପାଆନ୍ତି ସେ । ସେସବୁ ଆଧାର କରି ଲେଖାଲେଖି ବି କରନ୍ତି । ଲେଖିବା ଗୋଟେ ବହୁତ ଭଲ ଅଭ୍ୟାସ ବୋଲି ତାଙ୍କର ମତ । ଲେଖିବା ଦ୍ଵାରା ମସ୍ତିଷ୍କ କ୍ରିୟାଶୀଳ ରହିବା ସହିତ ଅବଚେତନ ମନରେ ଥିବା ଦ୍ୱନ୍ଦ ଓ ଚାପ ମଧ୍ୟ ହ୍ରାସ ପାଇଥାଏ । ଲେଖିବା ଏକ ବଢିଆ ଷ୍ଟ୍ରେସ୍ ରିଲିଭର୍ ବୋଲି ସେ କୁହନ୍ତି ।